spot_img
Home Blog Page 4259

ବିବାହର ୧୫ ମାସରେ ସ୍ୱାମୀ ହୋଇଥିଲେ ସହିଦ, ଏବେ ସ୍ତ୍ରୀ ଭାରତୀୟ ସେନାରେ ଲେଫ୍ଟନାଣ୍ଟ

ନୂଆଦିଲ୍ଲୀ: ଗଲୱାନ ଘାଟିରେ ସହିଦ ହୋଇଥିବା ଲାନ୍ସ ନାୟକ ଦୀପକ ସିଂହଙ୍କ ପତ୍ନୀ ଭାରତୀୟ ସେନାରେ ଅଫିସର ହୋଇଛନ୍ତି । ବୀର ଚକ୍ର ପୁରସ୍କାର ବିଜେତା ଦୀପକ ସିଂହଙ୍କ ପତ୍ନୀ ରେଖା ସିଂହ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ପଦରେ ଭର୍ତ୍ତି ହୋଇଛନ୍ତି । ଦୀପକ ସିଂହ ୨୦୨୦ ଜୁନ୍ ୧୫ରେ ଚୀନ ସୈନିକଙ୍କ ସହ ଲଢ଼ିବା ବେଳେ ଗଲୱାନ ଘାଟିରେ ସହିଦ ହୋଇଥିଲେ । ପତ୍ନୀ ରେଖା ସିଂହ ସ୍ୱାମୀ ସହିଦ ହେବା ପରେ ସେନାରେ ଭର୍ତ୍ତି ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ମେ ୨୮ରୁ ଆରମ୍ଭ କରିଥିଲେ ପ୍ରଶିକ୍ଷଣ ।

ସହିଦ ଲାନ୍ସ ନାୟକ ଦୀପକ ସିଂହଙ୍କ ପତ୍ନୀ ରେଖା ସିଂହ ଶିକ୍ଷକତା କରୁଥିଲେ । ସ୍ୱାମୀ ସହିଦ ହେବା ପରେ ଦେଶଭକ୍ତିରେ ଅନୁପ୍ରାଣିତ ରେଖା ଶିକ୍ଷକ ଚାକିରି ଛାଡ଼ି ସେନାରେ ଅଧିକାରୀ ହେବା ଲାଗି ମନ ବଳାଇଥିଲେ । ସ୍ୱାମୀଙ୍କ ରାସ୍ତାରେ ଅନୁପ୍ରାଣିତ ହୋଇ ସେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ରେଖା ବିହାର ରେଜିମେଣ୍ଟ ୧୬ ବାଟାଲିୟନର ଦୀପକ ସିଂହଙ୍କୁ ବିବାହ କରିଥିଲେ । ବିବାହର ପ୍ରାୟ ୧୫ ମାସରେ ଦୀପକ ସହିଦ ହୋଇଥିଲେ ଦେଶ ପାଇଁ ।

ଏଥିରେ ଭାଙ୍ଗି ପଡ଼ିନଥିଲେ ରେଖା । ଶିକ୍ଷକତା ଛାଡ଼ି ସେନାରେ ଭର୍ତ୍ତି ହେବା ରେଖାଙ୍କ ପାଇଁ ସେତେଟା ସହଜ ନଥିଲା । କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ତାଙ୍କୁ ସଫଳତା ଦେଇଛି । ପ୍ରଥମ ପ୍ରୟାସରେ ରେଖା ବିଫଳ ହୋଇଥିଲେ ମଧ୍ୟ ହାର୍ ମାନି ନଥିଲେ । ବରଂ ଆହୁରି କଠିନ ପରିଶ୍ରମ କରିଥିଲେ । ଆଉ ଏବେ ସେନାର ଲେଫ୍ଟନାଣ୍ଟ ।

୮୮ ବର୍ଷରେ ଆଖି ବୁଜିଲେ ପଦ୍ମଶ୍ରୀ ରଜତ କର

 ଭୁବନେଶ୍ୱର: ପରଲୋକରେ ପଦ୍ମଶ୍ରୀ ରଜତ କୁମାର କର । ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ତଥା ବାଗ୍ମୀ ରଜତ କର । ସ୍ୱାସ୍ଥ୍ୟଗତ ସମସ୍ୟା ଥିବାବେଳେ ତାଙ୍କର ହୃଦଘାତରେ ଏକ ଘରୋଇ ମେଡିକାଲରେ ପରଲୋକ ଘଟିଛି  ।  ଟିଭି ଓ ରେଡିଓରେ ରଥଯାତ୍ରାର ଧାରା ବିବରଣୀ ଦେବା କ୍ଷେତ୍ରରେ ସାରା ରାଜ୍ୟରେ ପରିଚିତ ଲାଭ କରିଥିବା ରଜତ କରଙ୍କ ବିୟୋଗରେ ସମସ୍ତେ ସ୍ତମ୍ବୀଭୁତ  । ଜଗନ୍ନାଥ ସଂସ୍କୃତି ଓ ଉତ୍କଳୀୟ ସଂସ୍କୃତି ଉପରେ ପ୍ରଚଣ୍ଡ ଜ୍ଞାନର ଅଧିକାରୀ ଥିଲେ ପଦ୍ମଶ୍ରୀ ରଜତ କର  ।  ୨ ଅକ୍ଟୋବର ୧୯୩୪ର ଜନ୍ମଲାଭ କରିଥିବା ରଜତଙ୍କୁ ୨୦୨୧ରେ ମିଳିଥିଲା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ।

ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ । ତାଙ୍କର ପ୍ରଖ୍ୟାତ ପୁସ୍ତକଗୁଡିକ ହେଲା ଜନ ଜୀବନରେ ଜଗନ୍ନାଥ, ଅନନ୍ୟ ଜଗନ୍ନାଥ ଅନୁଭୁତିରେ. ଅନ୍ଧପୁଟୁଳି, ଚନ୍ଦନ ହଜୁରୀ, ଜଣାଣ ଜଣାଉଛି ଜଗନ୍ନାଥଙ୍କୁ, ବାଇଶି ପାବଚ୍ଛ ଇତ୍ୟାଦି । ଶିକ୍ଷାବିତ ଭାବେ ଜଣାଶୁଣା ରଜତ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ଏବଂ ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଛନ୍ତି ।

ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା । ଦୀର୍ଘ ୬୦ ବର୍ଷ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଛି । ତାଙ୍କର ଅନ୍ୟନ କୃତି ଓ ଜ୍ଞାନ ପାଇଁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ  । ଏଥିସ ସହିତ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ଗୋଦାବରୀଶ ମିଶ୍ର ସମ୍ମାନ ଇତ୍ୟାଦି ସମ୍ମାନ ଲାଭ କରିଥିଲେ ସ୍ୱର୍ଗତ ରଜତ କର ।

 

ବଳ ଗୋଟାଉଛି ବାାତ୍ୟା, ପୁରୀଠାରୁ ୯୬୦ କିମି ଦୂରରେ ଆସାନୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଆସାନୀକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରେସମିଟ୍  ।  ଓଡ଼ିଶା କିମ୍ବା ଆନ୍ଧ୍ର ଉପକୂଳ ଛୁଇଁବନି ବାତ୍ୟା। ପୂରୀ ଉପକୂଳଠାରୁ ୯୦ କିମ୍ବା ଶହେ କିମି ଦୂରରେ ସମାନ୍ତରାଳ ଭାବେ ଗତି କରିବ ଅସାନି। ବାତ୍ୟା ପ୍ରଭାବରେ ମେ’ ୧୦, ୧୧ ଓ ୧୨ ତାରିଖରେ ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ହେବା ସମ୍ଭାବନା ରହିଛି । ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ଏବେ ପୁରୀଠାରୁ ୯୨୦ କିଲୋମିଟର ଦୂରରେ ରହିଛି। ପୁରୀ ଉପକୂଳରୁ ପ୍ରାୟ ଶହେ କିମି ଦୂର ଦେଇ ବାତ୍ୟା ଗତି କରିପାରେ। ଏବେ ବାତ୍ୟା ‘ଅସାନି’ ଦକ୍ଷିଣ-ପୂର୍ବ ବଙ୍ଗୋପସାରରେ ରହିଛି ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।

୧୦ ତାରିଖ ସନ୍ଧ୍ୟା ପରେ ତାହା ଉତ୍ତର-ପୂର୍ବ ଦିଗକୁ ବା ଡାହାଣକୁ ରିକର୍ଭ କରିବ । ପୁରୀଠାରୁ ପ୍ରାୟ ୯୦-୧୦୦ କିମି ଦୂରରେ ରହିବ ବାତ୍ୟାର ଗତିପଥ । ସେହି ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାରେ ପବନର ବେଗ ୪୦ରୁ ୫୦ କିମି ରହିବ । ୧୦ ତାରିଖରେ ଗଞ୍ଜାମ, ପୁରୀ ଓ ଗଜପତିରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୧ ଓ ୧୨ ତାରିଖରେ ଗଞ୍ଜାମ, ପୁରୀ, ଜଗତସିଂହପୁର, ଓ କେନ୍ଦ୍ରାପଡ଼ାରେ ମଧ୍ୟରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସମୁଦ୍ର ମଧ୍ୟରେ ଥିବା ସମସ୍ତ ମାଛଧରା ବୋଟ କୂଳକୁ ଫେରିଆସିଛି। ଆସନ୍ତାକାଲି ଚିଲିକାରେ ଡଙ୍ଗା ଚଳାଚଳ ନିୟନ୍ତ୍ରଣ କରାଯିବ ବୋଲି SRC କହିଛନ୍ତି ।

ଖରାଦିନିଆ ବାତ୍ୟା ଯୋଗୁ ବନ୍ୟା ଆଶଙ୍କା ନାହିଁ। ତଳିଆ ଅଞ୍ଚଳଗୁଡ଼ିକରେ ସତର୍କ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଗଞ୍ଜାମରେ ଦୁଇଟି ଓଡ୍ରାଫ ଟିମ୍ ମୁତୟନ କରାଯାଇଥିବା ବେଳେ ପୁରୀରେ ୫ଟି, ଜଗତସିଂହପୁର, ଭଦ୍ରକରେ ଗୋଟିଏ ଲେଖଏଁ ଟିମ୍ ପ୍ରସ୍ତୁତ ରହିଛନ୍ତି। ବାଲେଶ୍ବରରେ ଗୋଟିଏ ଏନଡିଆରଏଫ୍ ଟିମ୍ ରହିବ । ମେ ୧୧ ତାରିଖ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ । ବାତ୍ୟାର ସବୁପ୍ରକାର ମୁକାବିଲା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।.

କୁଲଗାମରେ ଏନକାଉଣ୍ଟର, ଲସ୍କର କମାଣ୍ଡର ସମେତ ୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଜାରି ରହିଛି ଆତଙ୍କବାଦୀ ନିପାତ ଅଭିଯାନ । କୁଲଗାମ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବାର ୨ ଆତଙ୍କବାଦୀଙ୍କୁ ସେନା ଗୁଳି କରି ମାରିଛି । ଏହି ଆତଙ୍କବାଦୀ ଏକ ଗାଁରେ ଛପିଥିବା ନେଇ ସୂଚନା ମିଳିଥିଲା । ଯାହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ ।

କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ଶନିବାର ଖବର ମିଳିଥିଲା ୨ ଜଣ ଆତଙ୍କବାଦୀ ଗାଁରେ ଲୁଚିଛନ୍ତି । ଯାହାପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଅଞ୍ଚଳକୁ ଘେରିଯିବା ସହ ଆରମ୍ଭ ହୋଇଥିଲା ଗୁଳି ବିନିମୟ । କିଛି ଘଣ୍ଟା ଧରି ଉଭୟ ପକ୍ଷରୁ ଫାୟାରିଂ ପରେ ଲସ୍କର ଏ ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି ।

ନିହତ ଆତଙ୍କବାଦୀ ମଧ୍ୟରୁ ହାଇଦର ପାକିସ୍ତାନର ବୋଲି ଜଣାପଡ଼ିଛି । ଯିଏ କି ଲସ୍କରର କମାଣ୍ଡର ଥିଲା । ସୁରକ୍ଷାକର୍ମୀ ଦିର୍ଘ ଦିନରୁ ହାଇଦରକୁ ଖୋଜୁଥିଲେ । ସେନା ପାଇଁ ହାଇଦର ମୋଷ୍ଟ ୱାଣ୍ଟେଡ ଥିଲା । ନିହତ ଆଉ ଜଣେ ଆତଙ୍କବାଦୀ ହେଉଛି ଶହବାଜ ଶାହ । ଯିଏ କି କାଶ୍ମୀରର । ଯିଏକି କିଛିଦିନ ତଳେ କୁଲଗାମରେ ଜଣେ ସାଧାରଣ ଲୋକକୁ ଗୁଳି କରି ହତ୍ୟା କରିଥିଲା । ନିହତ ଆତଙ୍କବାଦୀଙ୍କ ଠାରୁ ଏକେ-୪୭, ଗୋଟିଏ ପିସ୍ତଲ ଓ ଗ୍ରେନେଡ୍ ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ

ଭୁବନେଶ୍ୱର: ବଲିଉଡ଼ ଅଭିନେତା ଅର୍ଜୁନ ରାମମ୍ପାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି  । ଓଡ଼ିଶା ଗସ୍ତରେ ଥିବା ଅଭିନେତା ଅର୍ଜୁନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କିଛି ପ୍ରସଙ୍ଗରେ ଆଲୋଚନା କରିଥିଲେ  । ଓଡ଼ିଶା ଓମେନ୍ସ ମେଳା ୨୦୨୨ ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବାବେଳେ ଏଥିରେ ଯୋଗଦେବାକୁ ଓଡ଼ିଶା ଗସ୍ତ କରିଥିଲେ ଅର୍ଜୁନ ରାମପାଲ  । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଓଡ଼ିଶାର ସୁନ୍ଦରତାରେ ବିଭୋର ହୋଇଥିବା ପ୍ରକାଶ କରିଥିଲେ  ।

ଅର୍ଜୁନ କହିଥିଲେ ଓଡିଶାର ସୁନ୍ଦର ପରିବେଶ, ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ କିର୍ତ୍ତୀରାଜି ଅଧ୍ୟୟନ କରିବାକୁ ଆକୃଷ୍ଟ କରୁଛି  । ଓଡିଶାକୁ ପ୍ରଥମ ଥର ପାଇଁ ଆସିଥିବାବେଳେ ଏହିଠାରେ ହିଁ ସର୍ବଦା ରହିଯିବାକୁ ଇଛା ହେଉଥିବା ପ୍ରକାଶ କରିଥିଲେ ଅର୍ଜୁନ ରାମପାଲ  । ତେବେ ଅର୍ଜୁନଙ୍କ ସହ ଓଡିଶାର ମହିଳା ଉଦ୍ୟୋଗୀ ସୁକୃତି ପଟ୍ଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି  ।

ମସ୍କଙ୍କୁ ପୁନାୱାଲାଙ୍କ ପରାମର୍ଶ, ଟ୍ୱିଟର ଡିଲ୍ ପୂରା ନହେଲେ ଏମିତି କର…

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଧନୀ ଏଲନ୍ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରକୁ ୪୪ ଅରବ ଡଲାରରେ କିଣିଛନ୍ତି । ଏବେ ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବାକୁ କାମ ଚାଲିଛି । ଯଦି କୌଣସି କାରଣରୁ ଏଲନ୍ ମସ୍କଙ୍କ ଟ୍ୱିଟର୍ ଡିଲ୍ ଅଧୁରା ରହିଯିବା ତା ହାଲେ ମସ୍କ କଣ କରିବେ । ଏନେଇ ଏଲନ୍ ମସ୍କଙ୍କୁ ଏକ ଉପଦେଶ ଦେଇଛନ୍ତି ସିରମ ଇନଷ୍ଟିଚ୍ୟୁଟର ସିଇଓ ଅଦଲ ପୁନାୱାଲା ।

ଦୁନିଆର ସବୁଠୁ ବଡ଼ ଭ୍ୟାକ୍ସିନ୍ ନିର୍ମାଣକାରୀ କମ୍ପାନୀ ସିଇଓ ପୁନାୱାଲା ଟ୍ୱିଟ୍ କରି ଏଲନ୍ ମସ୍କଙ୍କୁ ପରାମର୍ଶ ଦେଇଛନ୍ତି । ଲେଖିଛନ୍ତି, ହାଏ ଏଲନ୍ ମସ୍କ । ଯଦି ଟ୍ୱିଟର କ୍ରୟ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୁଏ । ତେବେ ସେହି ଅର୍ଥରୁ କିଛି ଭାରତରେ ନିବେଶ କରିପାରନ୍ତି । ଏଠାରେ ଆପଣ ଟେସଲା କାରର ଏକ ବଡ଼ ଓ ଉଚ୍ଚମାନର ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିପାରନ୍ତି । ମୁଁ ଆପଣଙ୍କୁ ଭରସା ଦେଇପାରେ କି ଆପଣ ଆଜି ଯାଏ ଯେତେ ନିବେଶ କରିଛନ୍ତି ଏହା ସବୁଠୁ ଭଲ ପୁଞ୍ଜିନିବେଶ ହେବ ।

ଭାରତରେ ଟେସଲା କାର ନିର୍ମାଣ ନେଇ ସରକାର ଓ ଏଲନ୍ ମସ୍କଙ୍କ ମଧ୍ୟରେ ବିବାଦ ଚାଲିଛି । ଭାରତରେ ଇଲେକ୍ଟ୍ରିକ୍ ମାର୍କେଟ୍ ବିସ୍ତାରିତ ହେଉଥିବା ବେଳେ ଏଲନ୍ ମସ୍କ ଏଯାଏ ଟେସଲା କାର ଲଞ୍ଚ କରିନାହାନ୍ତି ।  ଭାରତରେ ଟେସଲା କାର କାରାଖାନା ପ୍ରତିଷ୍ଠା ପୂର୍ବରୁ ଏଲନ୍ ମସ୍କ ବାହାରୁ କାର୍ ଆମଦାନୀ ଉପରେ ରିହାତି ଚାହୁଁଛନ୍ତି । ଏବଂ ଉକ୍ତ କାରର ଟ୍ରାଏଲ୍ ଚାହାଁନ୍ତି । କିନ୍ତୁ ସରାକରଙ୍କ ଅନୁସାରେ, ଟେସଲା ଦେଶରେ କାର ବିକିବ ତ ଫ୍ୟାକ୍ଟ୍ରି କରୁ ।

ବିଗତ ଦିନରେ ଭାରତ ସରକାରଙ୍କ ସହ ହେଉଥିବା ଅସୁବିଧା ନେଇ ଏଲନ୍ ମସ୍କ ଟ୍ୱିଟ୍ କରିଥଲେ । ଯାହାପରେ ଦେଶର କିଛି ରାଜ୍ୟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆମନ୍ତ୍ରଣ କରିଥିଲେ । ଏଥିରେ ପଶ୍ଚିମବଙ୍ଗ, ତେଲଙ୍ଗାନା, ପଞ୍ଜାବ, ମହାରାଷ୍ଟ୍ର ଓ ତାମିଲନାଡ଼ୁ ଆଦି ରାଜ୍ୟ ସାମିଲ୍ ଥିଲେ ।

ଝରକା ତାଡ଼ି ଘରୁ ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନା ଅଲଙ୍କାର

ଭୁବନେଶ୍ୱର: କୋଳଥିଆରେ କଳା କନା ବୁଲାଇଲେ ଲୁଟେରା । ଝରକା ତାଡି ଘରେ ପଶିଲେ , ସୁନା ରୁପା ସହ ସବୁ ଲୁଟିନେଲେ । ଖାରବେଳ କମ୍ପ୍ଲେକ୍ସରେ ଗତ ଏପ୍ରିଲ ଏକ ତାରିଖରେ ଘଟିଥିଲା ଘଟଣା । ଭୋରରୁ ଲୁଟେରା ଲୁଟି ନେଇଥିଲେ 10 ଲକ୍ଷ ଟଙ୍କାର ଅଳଙ୍କାର । ଲୁଟ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଥାନାରେ ସିସିଟିଭି ଫୁଟେଜ ସହ ମାମଲା ଦାୟର କରିଛନ୍ତି ଲୁଟ ଶିକାର ହୋଇଥିବା ବ୍ୟକ୍ତି ।

ସେପଟେ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ତଦନ୍ତ କରୁନଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରୀ  । ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ  । ଏହି ଲୁଟ ଘଟଣାରେ କେଉଁମାନେ ସଂଶ୍ଲିଷ୍ଟ ଏବଂ ଏମାନେ କେଉଁ ଅଞ୍ଚଳର ତାହାର ତଦନ୍ତ କରିବା ନିତାନ୍ତ ଆବଶ୍ୟକ  । ପୋଲିସ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି ଅଭିଯୋଗକାରୀ  ।

 

ମୁକେଶ ଜୈନଙ୍କ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବାଜ୍ୟାପ୍ତ ହେବ ମୁକେଶ ଜୈନଙ୍କ ଅସ୍ଥାବର ସମ୍ପତ୍ତି । ଏନେଇ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଆତ୍ମଘୋଷିତ ଧର୍ମଗୁରୁ ମୁକେଶ ଜୈନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଆବେଦନ କରିଥିଲେ । ତେବେ ୨୦୧୭ରେ ତାଙ୍କ ଆବେଦନକୁ ପବ୍ଲିସିଟି ଷ୍ଟଣ୍ଟ ଦର୍ଶାଇ ଖାରଜ କରି ଦେଇଥିଲେ ସୁପ୍ରିମକୋର୍ଟ । ଏଥିସହ ପ୍ରତ୍ୟେକ ଆବେଦନକାରୀଙ୍କୁ କୋର୍ଟ ୧୦ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଥିଲେ ।

ଏହି ମାମଲାର ଶୁଣାଣି ମେ ୬ ତାରିଖରେ ହେବାର ଥିଲା । କାରଣ ସମସ୍ତ ପକ୍ଷ ଏଯାଏ ଜରିମାନା ଅର୍ଥ ଦାଖଲ କରି ନାହାନ୍ତି । ମୁକେଶ ଜୈନଙ୍କ ଓକିଲ ଏପି ସିଂହ ଖଣ୍ଡପୀଠକୁ ସ୍ୱାମୀ ଓମଙ୍କ ମୃତ୍ୟୁ ହୋଇଥିବା ଅବଗତ କରାଇଛନ୍ତି । ଏଥିସହ ବକେୟା ଖଜଣା ଆଦାୟ ପାଇଁ ନିର୍ଦ୍ଦେଶ ଥିବାବେଳେ ସେ କଟକ ସ୍ଥାନାନ୍ତରିତ ହୋଇ ଯାଇଛନ୍ତି । ଏଥିସହ ଜୈନଙ୍କ ବିରୋଧରେ ୪ଟି ଅପରାଧିକ ମାମଲା ହୋଇଥିବା ଏପି ସିଂ କୋର୍ଟଙ୍କୁ ଜଣାଇଛନ୍ତି ।

ସୁପ୍ରିମକୋର୍ଟ ଏପି ସିଂଙ୍କ ପକ୍ଷ ଶୁଣିବା ପରେ ଦିଲ୍ଲୀରେ ମୁକେଶ ଜୈନଙ୍କ ଥିବା ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ତାଙ୍କ ବିରୋଧରେ ଜାରି କରିଛନ୍ତି ୱାରେଣ୍ଟ । କଟକ ଟ୍ରାଏଲ୍ କୋର୍ଟ ମାଧ୍ୟମରେ ଆଦେଶନାମା ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ଅବକାଶ ପରେ ସୁପ୍ରିମକୋର୍ଟରେ ମାମଲାର ପୁନଃ ଶୁଣାଣି କରାଯିବ ।

ଗାଧୋଇବା ବେଳେ ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ଢେଙ୍କାନାଳ: ବ୍ରାହ୍ମଣୀ ନଦୀରେ ଗଧୋଉଥିବା ବେଳେ ଭାସିଗଲେ ତିନି ଛାତ୍ର । ସୁରକ୍ଷିତ ଭାବେ ଦୁଇଜଣ ଉଦ୍ଧାର ହୋଇଥିବାବଳେ । ଜଣେ ଏବେ ବି ନିଖୋଜ  ରହିଛନ୍ତି । ଢେଙ୍କାନାଳ ଗଁନ୍ଦିଆ ଥାନା ଅନ୍ତର୍ଗତ ନୂଆପଡା ଘାଟ ନିକଟରେ ଘଟିଛି ଏହି ଅଘଟଣ । ନିଖୋଜ ଛାତ୍ର ଜଣକ ନବମ ଶ୍ରେଣୀର ଛାତ୍ର ସୁଧାବିନ୍ଦୁ ବେହେରା ବୋଲି ସୂଚନା ମିଳିଛି ।

ଖରାବେଳେ ନଦୀରେ ଗାଧୋଇବା ପାଇଁ ଘର ବାହାରିପଡ଼ିଥିଲେ ତିନି ଛାତ୍ର ।  ତେବେ ନୂଆପଡ଼ା ଘାଟରେ ଗାଧୋଉଥିବାବେଳେ ତିନି ଜଣ ସାଙ୍ଗ ନଦୀର ସ୍ରୋତରେ ଭାସିଯାଇଥିଲେ  । ସେହି ସମୟରେ ଘାଟରେ ଥିବା ଅନ୍ୟ ଲୋକମାନେ ମୁନା ସାହୁ ଓ ଶୁଭମ ଜେନାଙ୍କୁ ଉଦ୍ଧାର କରିଥିଲେ  ।  ଗ୍ରାମବାସୀ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ  ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଅନ୍ୟ ଜଣଙ୍କୁ ଉଦ୍ଧାର କରିପାରିନଥିଲେ  । ନିଖୋଜ ସୁଧାବିନ୍ଦୁଙ୍କୁ  ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଛି ।

୮୪ ଲକ୍ଷରେ ନିଲାମ ହେଲା ଯୁକ୍ରେନ ରାଷ୍ଟ୍ରପତିଙ୍କ ସ୍ୱେଟର

ଲଣ୍ଡନ : ୮୪ ଲକ୍ଷରେ ନିଲାମ ହେଲା ଯୁକ୍ରେନ ରାଷ୍ଟ୍ରପତିଙ୍କ ସ୍ୱେଟର । ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ଜେଲେନସ୍କିଙ୍କ ସ୍ୱେଟର । ମେଣ୍ଢାଲୋମରେ ତିଆରି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କର ଗୋଟାଏ ପ୍ରସିଦ୍ଧ ଖାକି ସ୍ବେଟର୍‌କୁ ଇଂଲଣ୍ଡ୍‌ରେ ନିଲାମ ହୋଇଛି । ସୂଚନା ଅନୁସାରେ, ଭାରତୀୟ ମୁଦ୍ରା ୮୪,୬୦,୨୯୮ଟଙ୍କାରେ (୯୦,୦୦୦ ପାଉଣ୍ଡ୍‌) ବିକ୍ରି ହୋଇଥିବା ଜଣାପଡ଼ିଛି ।

ରିପୋର୍ଟ ଅନୁସାରେ, ନିଲାମରେ ଉକ୍ତ ପୋଷାକର ପ୍ରାରମ୍ଭିକ ଦର ୫୦,୦୦୦ ପାଉଣ୍ଡ ରଖାଯାଇଥିଲା, କିନ୍ତୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ନିଲାମ ଧରିବାକୁ ଆସିଥିବା ବ୍ୟକ୍ତିମାନଙ୍କୁ ନିବେଦନ କରି କହିଥିଲେ ଯେ, ସେମାନେ ଯେତେ ସମ୍ଭବ ଅଧିକ ମୂଲ୍ୟରେ ନିଲାମ ଧରନ୍ତୁ। ଫଳରେ ସ୍ୱେଟର୍‌ଟିର ଦର ପ୍ରାୟ ୨ଗୁଣକୁ ବୃଦ୍ଧି ପାଇଲା।

ସବୁଜ ସାମରିକ ବେଶପୋଷାକ ପାଇଁ ଜେଲେନ୍‌ସ୍କି ସୁପ୍ରସିଦ୍ଧ। ରୁଷ୍‌ ଅଧିକୃତ କିବ୍‌ ଅଞ୍ଚଳରେ ବୁଲିବା ବେଳେ ସେ ଖାକି ଉଲ୍‌ ସ୍ବେଟର୍‌ ପିନ୍ଧିଥିଲେ। ଏହି କାର୍ଯ୍ୟକ୍ରମରେ ଜେଲେନ୍‌ସ୍କି ଭିଡିଓ କନଫରେନ୍ସ ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିବା ସହ ରୁଷୀୟ ଆକ୍ରମଣ ବେଳେ ଇଂଲଣ୍ଡ୍‌ର ସହାୟତାକୁ ପ୍ରଶଂସା କରିଥିଲେ।