ଦ୍ରୌପଦୀଙ୍କୁ ୬୪ ପ୍ରତିଶତ ଭୋଟ୍, ୩ ରାଜ୍ୟରେ ଖାତା ଖୋଲି ପାରିଲେନି ଯଶଓ୍ବନ୍ତ

ଭୁବନେଶ୍ବର: ଆବଶ୍ୟକଠାରୁ ଅଧିକ ଭୋଟରେ ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ । ମୋଟ ୬୪ ପ୍ରତିଶତ ଭୋଟ ସହ ମୁର୍ମୁ ରାଇସିନା ହିଲକୁ ଯାଇଛନ୍ତି । ସମସ୍ତ ରାଜ୍ୟରୁ ଶ୍ରୀମତୀ ମୁର୍ମୁଙ୍କୁ ପ୍ରଚୁର ସମର୍ଥନ ମିଳିଥିବା ବେଳେ କେରଳରୁ କମ୍ ଭୋଟ ମିଳିଛି । ଅନ୍ୟପକ୍ଷରେ ପ୍ରତିପକ୍ଷ ଯଶଓ୍ବନ୍ତ ସିହ୍ନାଙ୍କୁ ୩୬ ପ୍ରତିଶତ ଭୋଟ ମିଳିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ୩ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ନାଗାଲାଣ୍ଡ ଓ ସିକିମରେ ଯଶଓ୍ବନ୍ତ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି ।

ଶେଷ ପର୍ଯ୍ୟାୟ ଗଣିତ ପରେ ଦ୍ରୌପଦୀ ମୁର୍ମୁ ୨୮୨୪ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ଯାହାର ମୂଲ୍ୟ ୬ ଲକ୍ଷ ୭୬ ହଜାର ୮୦୩ । ଯଶଓ୍ବନ୍ତ ସିହ୍ନାଙ୍କୁ ମୋଟ୍ ୧୮୭୭ ଭୋଟ୍ ମିଳିଛି । ଯାହାର ମୂଲ୍ୟ ୩ ଲକ୍ଷ ୮୦ ହଜାର ୧୭୭ ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନରେ ମୋଟ୍ ୪୭୫୪ ଭୋଟିଂ ହୋଇଥିଲା । ଯେଉଁଥିରୁ ୪୭୦୧ ଭୋଟ୍ ଠିକ ଥିବା ବେଳେ ୫୩ଟି ଭୋଟ୍ ନାକଚ ହୋଇ ଯାଇଥିଲା । ରାଷ୍ଟ୍ରପତି ଭାବେ ବିଜୟୀ ହେବାକୁ ହେଲେ ୫ ଲକ୍ଷ ୨୮ ହଜାର ୪୯୧ ଭୋଟ ଆବଶ୍ୟକ ହେଉଥିଲା । ଯାହାକୁ ଚତୁର୍ଥ ତଥା ଶେଷ ରାଉଣ୍ଡ ପୂର୍ବରୁ ଦ୍ରୌପଦୀ ମୁର୍ମୁ ହାସଲ କରି ନେଇଥିଲେ ।