spot_img
Home Blog Page 4258

ଦୁଇ ଦୁର୍ଘଟଣା, ୮ ଆହତ

ବାଲେଶ୍ବର/ଟାଙ୍ଗୀ: ବାଲେଶ୍ବର ଓ ଟାଙ୍ଗୀରେ ପୃଥକ ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବେଗୁନିଆ ନିକଟରେ ଟ୍ରକକୁ ପଛରୁ ଧକ୍କା ଦେଇଛି ଏକ ଆମ୍ବୁଲାନ୍ସ । ଏଥିରେ ରୋଗୀ ସମେତ ୫ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଖନ୍ତାପଡ଼ା ମେଡିକାଲ ପରେ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଟ୍ରକ ଚାଳକ ଟ୍ରକ ନେଇ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଖନ୍ତାପଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କୋଲକତା ମେଦିନୀପୁରରୁ ରୋଗୀ ନେଇ ଭୁବନେଶ୍ବର ଯାଇଥିବା ବେଳେ ଟ୍ରକ ପଛକୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା ।

ସେହିପରି ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କୋଚିଲା ଛକ ନିକଟରେ ଏକ ବାଇକକୁ କାର ଧକ୍କା ଦେଇଛି । ରାସ୍ତା ତଳକୁ ପଡ଼ିଯାଇ ୩ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଗୁରୁତରଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଛି । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗୁରୁତରମାନେ ହେଲେ ଟାଙ୍ଗୀ ଥାନା କୟଥପଲା ଗାଁର ଚନ୍ଦନ ସ୍ବାଇଁ, କାଳୁ ସ୍ବାଇଁ ଏବଂ ତ୍ରୀଲୋଚନ ଚମ୍ପତିରାୟ ।

ଚିଲିକା… ଧୀବର ପୁଅର ଲକ୍ଷ୍ମୀ ମାଆ

ଟାଙ୍ଗୀ: ଉତ୍କଳ କମଳା, ବିଳାସ ଦୀର୍ଘିକା… ମରାଳ ମାଳିନୀ, ନୀଳାମ୍ବୁ ଚିଲିକା… । ଅପରୂପ ସୌନ୍ଦର୍ଯ୍ୟର ଦର୍ଶନ ପାଇଁ ନିଇତି ଚିଲିକା କୂଳରେ ଜମେ ପର୍ଯ୍ୟଟକଙ୍କ ଭିଡ଼ । ଚିଲିକା କାହା ପାଇଁ ପର୍ଯ୍ୟଟନ ତ ଆଉ କାହା ପାଇଁ ମାଆ ଲକ୍ଷ୍ମୀ । ଅଥଳ ଜଳ ରାଶିରେ ଦାନା ମୁଠାଏ ପାଇଁ ସଂଘର୍ଷ କରନ୍ତି ଧୀବର । ରାତିରାତି ଧରି ଚିଲିକାର ବକ୍ଷରେ ବିତେ ଏମାନଙ୍କ ଜୀବନ । ଚିଲିକାର ଅକାତକାତ ପାଣି ଭିତରେ କେମିତି କଟେ ମତ୍ସ୍ୟଜୀବୀଙ୍କ ଜୀବନ । ତାକୁ ନେଇ ବିଶେଷ ଉପସ୍ଥାପନା ‘ଡଙ୍ଗାରେ ଜୀବନ’ ।

ଚିଲିକା । ଗୋଟେ ଆତ୍ମୀୟତାର ନାଁ। ଗୋଟେ ସ୍ବର୍ଗୀୟ ସୁଖର ଭୟ ମିଶା ଅନୁଭୂତି । ଏ ହ୍ରଦ ଯେତେ କି ସୁନ୍ଦର ସେତିକି ଭୟଙ୍କର । ଯେତେ କି ରୋମାଞ୍ଚ ସେତିକି ଆଶ୍ଚର୍ଯ୍ୟ। କାହା ପାଇଁ ଭେକେସନ୍ ସ୍ପଟ୍ ହୋଇପାରେ, ଆଉ କାହା ପାଇଁ ଭାବନା ବର୍ଣ୍ଣନାର ଧାରା ବି ହୋଇପାରେ । ହେଲେ ଧୀବରଙ୍କ ପାଇଁ ଜୀବନ ଜୀବିକାର ଏକମାତ୍ର ଭରଷା । ଚିଲିକାର ବକ୍ଷରେ ଅମାନିଆ ଜଳ ସହିତ ବନ୍ଧୁ ବାନ୍ଧି ଦାନା ମୁଠାଏ ପାଇଁ ଲଢୁଥିବା ସଂଘର୍ଷର ନାଁ ଧୀବର ।

ନା ଦିନ ନା ରାତି। ମୁଣ୍ଡରେ ଠେକା ହାତରେ କାତ । ଚିଲିକାର ଛାତି ଉପରେ ଏମିତି ଅହରହ ଚାଲିଥାଏ ଜୀବନ ଜୀବିକାର ନୌକା । ଗୋଟିଏ କି ଦୁଇଟି ନୁହେଁ । ଆଗପଛ ହୋଇ ନୀଳ ଜଳରାଶିର ଦେହସାରା ଡଙ୍ଗାର ପସରା ମେଲାଇ ଖେଦି ଯାଆନ୍ତି ଧୀବର । ଲୁଣି ପାଣିର ରାଇଜ ଭିତରେ ଏମାନେ ଦେଖନ୍ତି ମିଠା ଜୀବନର ସ୍ବପ୍ନ । ଆଞ୍ଜୁଳାଏ ସୁଖ ଆଶାରେ ନାଆକୁ ଆହୁଲା ଦେଇ ଖୋଲା ଆକାଶ ତଳେ ଗଢନ୍ତି ସମ୍ଭାବନାର ସହର । ଫେରିବାର ପ୍ରତିଶ୍ରୁତି ବାଟରେ ଝଡ଼କୁ ଭେଟନ୍ତି, ତୋଫାନକୁ ବି ସାମ୍ନା କରନ୍ତି । ଆଉ ତା ଭିତରେ ନୌକା ରୂପକ ନିଡ଼ରେ ଦିନ ବିତେ, ରାତି ବି ପାହେ । ସତେ ଯେମିତି ଏହି ନୌକାଟି ତାଙ୍କ ପାଇଁ ମିନି ହାଉସ୍ ।

ତେଲ ଲୁଣର ସଂସାର ପାଇଁ ଭୋରୁ ଆରମ୍ଭ ହୁଏ କସରତ୍ । ଚିଲିକା ଭିତରେ ଏ ଦିଗରୁ ସେ ଦିଗକୁ ଯାଇ ମାଛ ଧରନ୍ତି ଧୀବର । ଦିନକୁ ୫୦ରୁ ୬୦ କୁଇଣ୍ଟାଲ ମାଛ ମାରିଲେ ଜଣ ପିଛା ରୋଜଗାର ହୁଏ ପାଖାପାଖି ୩୦୦ ଟଙ୍କା । ଅର୍ଥାତ ମାସକୁ ହାରାହାରି ମାତ୍ର ୯ ହଜାର । ପରିବାରଠୁ ଦୂରରେ ନୀଳ ଜଳରାଶିର ଗଭୀର ଗର୍ଭରେ ବିତେ ଏମାନଙ୍କର ଜୀବନ । ଡଙ୍ଗା ଭିତରେ ହାଣ୍ଡି ବସେ, ପଖାଳ କଂସା ପଡ଼େ । ମାଛ ଧରି ସେଇଠି ରୋଷେଇ କରି ଡଙ୍ଗାରେ ବିତେ ଧୀବରଙ୍କ ଦିନ ।

ଅଥଳଥଳ ପାଣି ଭିତରେ ବି ଥାଏ ଲ୍ୟାଣ୍ଡ ମାର୍କ । ଚିଲିକା ଭିତରେ ପରସ୍ପର ସହିତ ଯୋଗାଯୋଗ କରିବାକୁ ଏହା ସହାୟ ହୋଇଥାଏ । ଏହା ବ୍ୟତୀତ ସବୁ ବେଳେ ଖବର ସହିତ ଅପଡେଟ୍ ରହିଥାନ୍ତି ଧୀବର । ଯାହାଦ୍ବାରା ଝଡ଼ ବାତ୍ୟା ଆଗରୁ ସେମାନେ ହୋଇଥାନ୍ତି ସତର୍କ । ଜୀବନ ସଂଘର୍ଷମୟ, ଅନେକ ବେଉସାର ସୌଦାଗର । ତା’ ଭିତରେ ଧୀବରଙ୍କର ଏ ଜଳ ଜୀବନ ବେଶ୍ କଷ୍ଟ ଦାୟକ ।

ଆଜି ରାଜ୍ୟ କଂଗ୍ରେସକୁ ମିଳିପାରେ ନୂଆ ମଙ୍ଗୁଆଳ

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ହୋଇପାରେ ବଡ଼ ପରିବର୍ତ୍ତନ । ଏନେଇ ଆଜି ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଘର ସଜାଡ଼ିବାକୁ ରାଜ୍ୟ କଂଗ୍ରେସ ନେତାଙ୍କ ସହିତ ଆଜି ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ରାହୁଲ ଗାନ୍ଧି । ଏଥିପାଇଁ ଦଳର ସମସ୍ତ ବିଧାୟକ, ବରିଷ୍ଠ ନେତା, ପୂର୍ବତନ ପିସିସି ସଭାପତି ଗତକାଲିଠାରୁ ଦିଲ୍ଲୀ ଗସ୍ତରେ ଅଛନ୍ତି ।

୨୦୨୪ ନିର୍ବାଚନ ପୂର୍ବରୁ ସଂଗଠନକୁ କିପରି ସୁଦୃଢ଼ କରାଯିବ ସେନେଇ ବିସ୍ତୃତ ଆଲୋଚନା ହେବ । ଆଲୋଚନାରେ ପିସିସି ସଭାପତି, ବିଧାୟକ ଦଳ ନେତା ଏବଂ ଅନ୍ୟ ଛାମୁଆ ସଂଗଠନର ମଙ୍ଗୁଆଳ ବଦଳାଇବା ନେଇ ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପୂର୍ବରୁ ପିସିସି ପ୍ରଭାରୀ ଚେଲ୍ଲା କୁମାର ବିଭିନ୍ନ ନେତାଙ୍କ ମତାମତ ନେଇ ରିପୋର୍ଟ ଦେଇଛନ୍ତି । ରିପୋର୍ଟ ଆଧାରରେ ସବୁ ନେତାଙ୍କ ସହ ଆଲୋଚନା କରିବେ ରାହୁଲ । ଆଲୋଚନା ପରେ ବଡ଼ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।

ଦୀର୍ଘଦିନରୁ ରାଜ୍ୟ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନ ନେଇ ଛକାପଞ୍ଝା ଓ ବୟାନବାଜି ଲାଗି ରହିଛି । ରାହୁଲ ଗାନ୍ଧି ଏସବୁର କିପରି ସମାଧାନ କରୁଛନ୍ତି ଓ ସଂଗଠନକୁ ମଜବୁତ କରିବା ପାଇଁ କି ଗୁରୁମନ୍ତ୍ର ଦେଉଛନ୍ତି, ତା’ ଉପରେ ସମସ୍ତଙ୍କ ରହିଛି ।

ଗତକାଲି କଂଗ୍ରେସ ନେତା ଦିଲ୍ଲୀରେ ପହଞ୍ଚିବା ପରେ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା । ଏଥିରେ ରାଜ୍ୟରେ ଦଳର ସ୍ଥିତି ଓ ଏହାକୁ କେମିତି ଦୃଢ କରାଯିବ ସେ ନେଇ ହାଇକମାଣ୍ଡ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ ।

ଏଣିକି ଶୋଇବାକୁ ଅଫିସରେ ମିଳିବ ଅଧଘଣ୍ଟା ସମୟ

ନୂଆଦିଲ୍ଲୀ: ଚାକିରି କରୁଥିବା ବ୍ୟକ୍ତିଙ୍କୁ ଆଜି କାଲି ବିଶ୍ରାମ ପାଇଁ ଟିକେ ସମୟ ମିଳିବା କଷ୍ଟକର ହୋଇପଡିଛି । ଘରୁ ଅଫିସ୍, ଅଫିସରୁ ଘର ଜାବତୀୟ କାମ ଟେନସନରେ ଚାକିରିଆ ବ୍ୟକ୍ତି ଠିକରେ ବିଶ୍ରାମ ନେବାକୁ ବି ସମୟ ପାଉନାହାନ୍ତି । ଦୁନିଆରେ ଏମିତି କେହି ଚାକିରି କରିଥିବା ବ୍ୟକ୍ତି ନଥିବେ ଯାହାଙ୍କୁ ଅଫିସ ଟାଇମରେ ଥରୁଟିଏ ନିଦ ଆସି ନଥିବ । ନିଦ ଆସିଲେ ବି କାମ ଛାଡି ଶୋଇବାକୁ ବି ଅନୁମତି ନଥାଏ । ଫଳରେ ବାଧ୍ୟ ହୋଇ ଅନିଚ୍ଛା ସତ୍ତ୍ବେ କାମ କରିବାକୁ ପଡିଥାଏ । ହେଲେ ଏବେ ଆଉ ଏହି ସମସ୍ୟା ରହିବ ନାହିଁ । ଏଣିକି ଅଫିସ୍ କାମ କରିବା ବେଳେ ଶୋଇ ହେବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଅଫିସ ସମୟରେ ଏବେ ଶୋଇ ହେବ । ଏମିତି ଏକ ପ୍ରୟାସ ଆରମ୍ଭ କରିଛି ଭାରତର ଏକ ଷ୍ଟାଟଅପ୍ କମ୍ପାନୀ ।

ଓ୍ବେକ ଫିଟ୍ ସଲ୍ୟୁସନ ନାମକ ଭାରତୀୟ ଷ୍ଟାଟଅପ୍ କମ୍ପାନୀ ନିଜ କର୍ମଚାରୀଙ୍କୁ ଏମିତି ସୁବିଧା ଦେବା ଆରମ୍ଭ କରିଛି । ଅଫିସ ସମୟରେ କର୍ମଚାରୀଙ୍କୁ ଶୋଇବା ପାଇଁ କମ୍ପାନୀ ଅଧ ଘଣ୍ଟାଏ ସମୟ ଦେଇଛି । ମଧ୍ୟାହ୍ନ ଭୋଜନ ପରେ ଅପରାହ୍ଣ ୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ କର୍ମଚାରୀ ବିଶ୍ରାମ ନେଇପାରିବେ । ଅଫିସ ସମୟରେ ଶୋଇବାକୁ କର୍ମଚାରୀଙ୍କୁ ସମୟ ଦେବା ଭାରତୀୟ ଷ୍ଟାଟଅପ୍ ଜଗତରେ ହୁଏତ ପ୍ରଥମ ଘଟଣା । କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ବ୍ୟବସ୍ଥା କରିଛି ।

ନିକଟରେ କମ୍ପାନୀର କର୍ମଚାରୀଙ୍କ ପାଖକୁ ଓ୍ବେକଫିଟର ସହ ସଂସ୍ଥାପକ ଚୈତନ୍ୟ ରାମଲିଙ୍ଗଗୌଡାଙ୍କ ଏକ ମେଲ୍ ଆସିଥିଲା । ଅପରାହ୍ଣ ୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ କର୍ମଚାରୀମାନେ ଶୋଇବାକୁ ସମୟ ପାଇବେ ବୋଲି ଏଥିରେ ଘୋଷଣା କରାଯାଇଥିଲା । ମେଲରେ ସେ ଉଲ୍ଲେଖ କରିଥିଲେ, ‘ଆମେ ୬ ବର୍ଷ ହେଲା ଶୋଇବାକୁ ନେଇ ବ୍ୟବସାୟ କରୁଛନ୍ତି । ହେଲେ ଅପରାହ୍ଣରେ ନିହାତି ଆବଶ୍ୟକ ହେଉଥିବା ବିଶ୍ରାମ ନେବାରେ ବିଫଳ ହୋଇଛନ୍ତି । ଆମେ ଶୋଇବାକୁ ଗମ୍ଭିରତାର ସହ ନେଇଛନ୍ତି, ଆଜିଠାରୁ ଆମେ ଏହାକୁ ଏକ ନୂଆ ଦିଗ ଦେବା ।’

ସେ ଆଗକୁ ଲେଖିଛନ୍ତି, ‘ବିଭିନ୍ନ ସର୍ଭେରୁ ଜଣାପଡିଛି ଅପରାହ୍ଣରେ ସାମାନ୍ୟ ବିଶ୍ରାମ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବା ସହ କାମ କରିବାକୁ ଆଗ୍ରହ ବଢିଥାଏ । ନାଶାର ଏକ ସର୍ଭେରୁ ଜଣାପଡିଛି ଅପରାହ୍ଣରେ ୨୬ ମିନିଟର ବିଶ୍ରାମ କାମ କରିବାର ଆଗ୍ରହକୁ ୩୩ ପ୍ରତିଶତ ବଢାଇ ଦେଇଥାଏ । ସେହିପରି ହାଓ୍ବାର୍ଡର ସର୍ଭେରୁ ଜଣାପଡିଛି, ଅପରାହ୍ଣରେ ଅଳ୍ପ ସମୟ ଶୋଇବାକୁ ମିଳିଲେ କର୍ମଚାରୀଙ୍କ ମନରୁ ବିରକ୍ତି ଭାବ ଦୂର ହୋଇଥାଏ ଓ ଏହାର ଭଲ ପ୍ରଭାବ କାମ ଉପରେ ପଡିଥାଏ ।’

ଏହାସହ କମ୍ପାନୀ ତରଫରୁ ଟ୍ବିଟର ପେଜରେ ଏକ ପୋଷ୍ଟର ସେୟାର କରାଯାଇଛି । ଏଥିରେ କୁହାଯାଇଛି ବିନା କୌଣସି ବାଧାରେ କର୍ମଚାରୀମାନେ ଆରାମ କରିବା ପାଇଁ ରୁମର ବ୍ୟବସ୍ଥା କରାଯାଉଛି । ଓ୍ବାକଫିଟ କମ୍ପାନୀର ଏହି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟ କିଛି କମର୍ଚାରୀ ନିଜ କମ୍ପାନୀରେ ଏମିତି ବ୍ୟବସ୍ଥା କରାଯିବାକୁ ମତ ଦେଇଛନ୍ତି । ଅନ୍ୟପକ୍ଷରେ ସବୁ କମ୍ପାନୀରେ ଏମିତି ବ୍ୟବସ୍ଥା କରାଯାଇ ପାରିବ ନାହିଁ ବୋଲି ମଧ୍ୟ କିଛି ଲୋକ ମତ ଦେଇଛନ୍ତି ।

ସୂଚନାଯୋଗ୍ୟ, କର୍ମଚାରୀଙ୍କ ଘର ଓ ଅଫିସ କାମରେ ସନ୍ତୁଳିତ କରିବାରେ ଭାରତୀୟ ଷ୍ଟାଟଅପ୍ କମ୍ପାନୀ କେନ୍ଦ୍ର ପାଲଟିଛନ୍ତି । ପୂର୍ବରୁ ଜିରୋଧା ନାମକ କମ୍ପାନୀର ସିଇଓ ସନ୍ଧ୍ୟା ୬ଟା ପରେ ଅଫିସ କାମକୁ ନେଇ କୌଣସି ଆଲୋଚନା ନକରିବାକୁ ନିୟମ କରିଥିଲେ । ଯାହା ବହୁତ ଭାଇରାଲ ହେବା ସହ ଲୋକଙ୍କ ହୃଦୟ ଜିତିଥିଲା ।

ଏହି ରାଶିର ବ୍ୟକ୍ତିଙ୍କର ବ୍ୟବସାୟରେ ହୋଇପାରେ କ୍ଷତି

ମେଷ ରାଶି : ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଘରେ ବାପା କିମ୍ବା ଅନ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଗିଡ଼ିପାରେ । କୈାଣସି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ଆଜିର ଦିନ ଶୁଭ ନଥିବାରୁ ବିଭିନ୍ନ ସମସ୍ୟା ଲାଗି ରହିପାରେ ତେଣୁ ମେଷ ରାଶିର ବ୍ୟକ୍ତି ସାବଧାନ ରୁହନ୍ତୁ । ଶନି ଦେବତାଙ୍କୁ ଆରାଧନା କରିବା ସହ ନୀଳ ରଙ୍ଗର ବସ୍ତୁ ଦାନ କରନ୍ତୁ  ।

ବୃଷ ରାଶି : ମାନହାନି ହେବାର ସମ୍ଭାବନା ରହିଛି । ଏଥିପ୍ରତି ସାବଧାନ ରୁହନ୍ତୁ । ଶରୀର ସୁସ୍ଥ ରହିବ । ଯାତ୍ରାରେ ସଙ୍କଟ ଆସିପାରେ । ପ୍ରେମ ଏବଂ ବ୍ୟବସାୟ ଭଲ ରହିବ । ଗଣେଶଙ୍କ ଆରାଧନା କରନ୍ତୁ ।

ମିଥୁନ ରାଶି : ଶରୀର ଅସୁସ୍ଥ ହୋଇପାରେ । କୈାଣସି ସମସ୍ୟାରେ ପଡ଼ିପାରନ୍ତି । ପ୍ରତିକୂଳ ପରିସ୍ଥିତି ରହିବା ସହ ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ । ପ୍ରେମ ଏବଂ ବ୍ୟବସାୟ ଭଲ ରହିବା ସହ ମା’ କାଳୀଙ୍କୁ ଆରାଧନା କରନ୍ତୁ ।

କର୍କଟ ରାଶି : ନିଜର ଏବଂ ନିଜ ଜୀବନସାଥୀଙ୍କ ଧ୍ୟାନ ରଖନ୍ତୁ । ଦୈନିକ ବ୍ୟବସାୟରେ ବାଧା ଦେଖାଦେଇପାରେ । ପ୍ରେମ ଏବଂ କ୍ରୋଧର ଶିକାର ହୋଇପାରନ୍ତି । ବ୍ୟବସାୟିକ ସ୍ଥିତି ମଧ୍ୟମ ଧରଣର ରହିବ । ଭଗବାନ ଶିବଙ୍କୁ ଆରାଧନା କରନ୍ତୁ ।

ସିଂହ ରାଶି : ଶତ୍ରୁକୁ ପରାଜୟ କରିବେ । ସ୍ଥଗିତ କାର୍ଯ୍ୟ ତ୍ୱରାନ୍ୱିତ ହେବ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବା ସହ ପ୍ରେମ ବ୍ୟାପାର ଭଲ ରହିବ । ହଳଦିଆ ରଙ୍ଗର ବସ୍ତୁ ନିଜ ପାଖରେ ରଖନ୍ତୁ ।

କନ୍ୟା ରାଶି : ଘରୋଇ ସୁଖରେ ବାଧା ଉପୁଜିପାରେ । ପ୍ରେମ ସମ୍ପର୍କ ଭଲ ରହିବା ସହ ସନ୍ତାନ ପ୍ରାପ୍ତି ହୋଇପାରେ । ବ୍ୟବସାୟିକ ବେପାରରେ ଭଲ ରହିବା ସହ ଶନିଦେବତାଙ୍କୁ ଆରାଧନା କରନ୍ତୁ ।

ତୁଳା ରାଶି : ଭୈାତିକ ସୁଖରେ ବାଧା ଉପୁଜିପାରେ । ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ମନ ଅଶାନ୍ତି ରହିପାରେ । ଦିନଟି ଅଶାନ୍ତିରେ କଟିପାରେ । ଶନିଦେବତାଙ୍କୁ ଆରାଧନା କରନ୍ତୁ ।

ବିଛା ରାଶି : ସ୍ୱାସ୍ଥ୍ୟ ଠିକ୍ ରହିବା ସହ ପରାକ୍ରମୀ ହେବେ । ଶତ୍ରୁ ପରାଜୟ ହେବେ । ବ୍ୟବସାୟ ଓ ପ୍ରେମ ସମ୍ପର୍କ ଭଲ ରହିବ । ଶ୍ରୀରାମ ଭକ୍ତ ହନୁମାନଙ୍କୁ ଆରାଧନା କରିବା ସହ ହଳଦିଆ ବସ୍ତୁ ନିଜ ପାଖରେ ରଖନ୍ତୁ ।

ଧନୁ ରାଶି : ଧନରେ ପୁଞ୍ଜି ନିବେଶ କରିବେ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିପାରେ । ପ୍ରେମ ଏବଂ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିପାରେ । ଭଗବାନ ହନୁମାନଙ୍କୁ ଆରାଧନା କରନ୍ତୁ ।

ମକର ରାଶି : ଭଲ ମନ୍ଦ ଉଭୟ ସ୍ଥିତି ବଜାୟ ରହିବ । ସ୍ୱାସ୍ଥ୍ୟ ମଧ୍ୟମ ରହିବା ସହ ପ୍ରେମ ଏବଂ ବ୍ୟବସାୟ କ୍ଷେତ୍ରରେ ସୁଧାର ଆସିବ । ମା’ କାଳୀଙ୍କୁ ଆରାଧନା କରିବା ସହ ଭଗବାନ ଶିବଙ୍କୁ ଜଳାଭିଷେକ କରନ୍ତୁ ।

କୁମ୍ଭ ରାଶି : ମନ ଅଶାନ୍ତ ରହିବା ସହ ଅଜ୍ଞାତ ଭୟ ରହିବ । ମାନସିକ ଏବଂ ଆର୍ଥିକ ପରିସ୍ଥିତିରେ ବିଗିଡ଼ିପାରେ । ପ୍ରେମ ଏବଂ ବ୍ୟବସାୟିକ କ୍ଷେତ୍ର ମଧ୍ୟମ ଧରଣର ରହିବ । ହନୁମାନଙ୍କ ଆରାଧନା କରିବା ସହ ସବୁଜ ରଙ୍ଗର ବସ୍ତୁ ନିଜ ପାଖରେ ରଖନ୍ତୁ ।

ମୀନ ରାଶି : ସ୍ଥଗିତ ରହିଥିବା ଧନ ପ୍ରାପ୍ତି ହେବା ସହ ଆୟ ଭଲ ରହିବ । କୈାଣସି ବିବାଦରେ ଫସିରହିବେ । ଭଗବାନ ଶିବଙ୍କୁ ଜଳାଭିଷେକ କରନ୍ତୁ ।

କୂଳକୁ ଆସିବନି ବାତ୍ୟା ‘ଅସାନି’, ଦେଇ ଯିବ ପ୍ରବଳ ବର୍ଷା

ଭୁବନେଶ୍ବର: ଭୀଷଣ ବାତ୍ୟାରେ ପରିଣତ ହୋଇ ସମୁଦ୍ରରେ ମାଡ଼ି ଆସୁଛି ବାତ୍ୟା ଅସାନି । ପୁରୀଠାରୁ ୭୪୦ କିମି ଦୂରରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଦକ୍ଷିଣ-ପୂର୍ବ ତତ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଅଛି ବାତ୍ୟା । ଘଣ୍ଟାପ୍ରତି ୨୧ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତାକାଲି ସନ୍ଧ୍ୟାରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳଠୁ ଦୂରରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ଏହାପରେ ଦିଗ ବଦଳାଇବ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ନଛୁଇଁ ପୁରୀ ଉପକୂଳରୁ ୯୦ କିମି ଦୂରରେ ସମାନ୍ତରାଳ ଭାବେ ଗତି କରି ଦୁର୍ବଳ ହୋଇଯିବ । ତେବେ ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟାରୁ ଆରମ୍ଭ ହେବ ବର୍ଷା । ଏହି ସମୟରେ ଓଡ଼ିଶା ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିଲୋମିଟର ଓ ଝଟକା ପବନ ୬୦ କିମି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁରର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ର ମଧ୍ୟରେ ଥିବା ସମସ୍ତ ମାଛଧରା ବୋଟ କୂଳକୁ ଫେରି ଆସିଛି । ଆଜି ଚିଲିକାରେ ଡଙ୍ଗା ଚଳାଚଳ ନିୟନ୍ତ୍ରଣ କରାଯିବ ବୋଲି SRC କହିଛନ୍ତି । ଖରାଦିନିଆ ବାତ୍ୟା ଯୋଗୁଁ ବନ୍ୟା ଆଶଙ୍କା ନଥିଲେ ବି ତଳିଆ ଅଞ୍ଚଳଗୁଡ଼ିକରେ ସତର୍କ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଗଞ୍ଜାମରେ ଦୁଇଟି ଓଡ୍ରାଫ ଟିମ୍ ମୁତୟନ କରାଯାଇଥିବା ବେଳେ ପୁରୀରେ ୫ଟି, ଜଗତସିଂହପୁର, ଭଦ୍ରକରେ ଗୋଟିଏ ଲେଖାଏଁ ଟିମ୍ ପ୍ରସ୍ତୁତ ରହିଛନ୍ତି । ବାଲେଶ୍ବରରେ ଗୋଟିଏ ଏନଡିଆରଏଫ୍ ଟିମ୍ ରହିବ । ମେ ୧୧ ତାରିଖ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ । ବାତ୍ୟାର ସବୁ ପ୍ରକାର ମୁକାବିଲା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।

ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଫଟାଫଟ୍ ମ୍ୟାଚ

କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଫଟାଫଟ୍ ମ୍ୟାଚ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ T-20 ମ୍ୟାଚ ଖେଳାଯିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି ଓସିଏ । ଦର୍ଶକମାନଙ୍କୁ ନେଇ ମ୍ୟାଚ ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ, ଏସଆରସି ଓ କ୍ରୀଡା ସଚିବଙ୍କୁ ଚିଠି ଲେଖିଛି ଓସିଏ । କରୋନା କଟକଣା କମିଥିବାରୁ ଖେଳ ଦେଖିବାକୁ ଦର୍ଶକଙ୍କୁ ସୁଯୋଗ ଦେବାକୁ ଚିଠିରେ ଅନୁରୋଧ କରିଛି ଓସିଏ । ଆସନ୍ତା ସପ୍ତାହରେ ଏନେଇ ଅନୁମତି ମିଳିପାରେ ।

ତେବେ ଚଳତ ବର୍ଷ ଟିକେଟ ଦର ବଢିବା ନେଇ ଓସିଏ ତରଫରୁ ସୂଚନା ଦିଆଯାଇଛି । ଟିକେଟ ସହ ୧୮ ପ୍ରତିଶତ ଜିଏସଟି ଦେବେ ଦର୍ଶକ । ବାରବାଟୀରେ ୪୪ ହଜାର ଦର୍ଶକଙ୍କ କ୍ଷମତା ରହିଛି । ଦର୍ଶକମାନଙ୍କ ପାଇଁ ଉଭୟ ଅନଲାଇନ୍ ଓ ଅଫଲାଇନରେ ଟିକେଟ ବିକ୍ରିର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ସରକାରୀ ଡାକ୍ତରଖାନାରେ ଝୁଲୁଛି ରୋଗୀର ମୃତ ଦେହ

ରାଉରକେଲା: ସରକାରୀ ଡାକ୍ତରଖାନାରେ ଝୁଲୁଛି ରୋଗୀର ମୃତ ଦେହ  । ଲୁହାଗ୍ରିଲରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ  ।  ଲୁହା ଗ୍ରୀଲରେ ଝୁଲନ୍ତା ଅବସ୍ଥାରେ ଜଣେ ରୋଗୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ଆହତ ହୋଇ ମୃତକ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଵା ବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ରବିବାର ଡାକ୍ତରଖାନାର ଲୁହା ଗ୍ରୀଲରୁ ୩୯ ବର୍ଷୀୟ ସହର ଝରାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତ ୪ ତାରିଖ ଠାରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗୋଡ ଭାଙ୍ଗିବା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ରାଉରକେଲା ସରକାରୀ ଡାକ୍ତରଖାନାରେ ୨୪ ଘଣ୍ଟିଆ ଘରୋଇ ସୁରକ୍ଷାକର୍ମୀଙ୍କୁ ମୃତୟନ କରାଯାଇଥିଲେ ମଧ୍ୟ ଆତ୍ମହତ୍ୟା କରିବା ସମୟରେ ସୁରକ୍ଷାକର୍ମୀ ଜାଣିପାରିନଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ସୁସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ର ଅନନ୍ୟ ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି । ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା ।

ଏଥିସହ ପଢ଼ନ୍ତୁ: ୮୮ ବର୍ଷରେ ଆଖି ବୁଜିଲେ ପଦ୍ମଶ୍ରୀ ରଜତ କର

ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି ।

ବିବାହର ୧୫ ମାସରେ ସ୍ୱାମୀ ହୋଇଥିଲେ ସହିଦ, ଏବେ ସ୍ତ୍ରୀ ଭାରତୀୟ ସେନାରେ ଲେଫ୍ଟନାଣ୍ଟ

ନୂଆଦିଲ୍ଲୀ: ଗଲୱାନ ଘାଟିରେ ସହିଦ ହୋଇଥିବା ଲାନ୍ସ ନାୟକ ଦୀପକ ସିଂହଙ୍କ ପତ୍ନୀ ଭାରତୀୟ ସେନାରେ ଅଫିସର ହୋଇଛନ୍ତି । ବୀର ଚକ୍ର ପୁରସ୍କାର ବିଜେତା ଦୀପକ ସିଂହଙ୍କ ପତ୍ନୀ ରେଖା ସିଂହ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ପଦରେ ଭର୍ତ୍ତି ହୋଇଛନ୍ତି । ଦୀପକ ସିଂହ ୨୦୨୦ ଜୁନ୍ ୧୫ରେ ଚୀନ ସୈନିକଙ୍କ ସହ ଲଢ଼ିବା ବେଳେ ଗଲୱାନ ଘାଟିରେ ସହିଦ ହୋଇଥିଲେ । ପତ୍ନୀ ରେଖା ସିଂହ ସ୍ୱାମୀ ସହିଦ ହେବା ପରେ ସେନାରେ ଭର୍ତ୍ତି ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ମେ ୨୮ରୁ ଆରମ୍ଭ କରିଥିଲେ ପ୍ରଶିକ୍ଷଣ ।

ସହିଦ ଲାନ୍ସ ନାୟକ ଦୀପକ ସିଂହଙ୍କ ପତ୍ନୀ ରେଖା ସିଂହ ଶିକ୍ଷକତା କରୁଥିଲେ । ସ୍ୱାମୀ ସହିଦ ହେବା ପରେ ଦେଶଭକ୍ତିରେ ଅନୁପ୍ରାଣିତ ରେଖା ଶିକ୍ଷକ ଚାକିରି ଛାଡ଼ି ସେନାରେ ଅଧିକାରୀ ହେବା ଲାଗି ମନ ବଳାଇଥିଲେ । ସ୍ୱାମୀଙ୍କ ରାସ୍ତାରେ ଅନୁପ୍ରାଣିତ ହୋଇ ସେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ରେଖା ବିହାର ରେଜିମେଣ୍ଟ ୧୬ ବାଟାଲିୟନର ଦୀପକ ସିଂହଙ୍କୁ ବିବାହ କରିଥିଲେ । ବିବାହର ପ୍ରାୟ ୧୫ ମାସରେ ଦୀପକ ସହିଦ ହୋଇଥିଲେ ଦେଶ ପାଇଁ ।

ଏଥିରେ ଭାଙ୍ଗି ପଡ଼ିନଥିଲେ ରେଖା । ଶିକ୍ଷକତା ଛାଡ଼ି ସେନାରେ ଭର୍ତ୍ତି ହେବା ରେଖାଙ୍କ ପାଇଁ ସେତେଟା ସହଜ ନଥିଲା । କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ତାଙ୍କୁ ସଫଳତା ଦେଇଛି । ପ୍ରଥମ ପ୍ରୟାସରେ ରେଖା ବିଫଳ ହୋଇଥିଲେ ମଧ୍ୟ ହାର୍ ମାନି ନଥିଲେ । ବରଂ ଆହୁରି କଠିନ ପରିଶ୍ରମ କରିଥିଲେ । ଆଉ ଏବେ ସେନାର ଲେଫ୍ଟନାଣ୍ଟ ।