ରାଇରଙ୍ଗପୁରରୁ ରାଇସିନା ହିଲ୍, କେମିତି ଥିଲା ମହାମହିମଙ୍କ ଯାତ୍ରା

1 min read

ଭୁବନେଶ୍ବର: ଦେଶର ୧୫ତମ ରାଷ୍ଟ୍ରପତି ହେଲେ ଓଡ଼ିଆ ଝିଅ ଦୌପଦୀ ମୁର୍ମୁ । ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିଂହ୍ନାଙ୍କୁ ବିପୁଳ ଭୋଟରେ ପରାସ୍ତ କରି ସେ ରାଇସିନା ହିଲକୁ ଯାଇଛନ୍ତି । ୫ ଲକ୍ଷ ୭୭ ହଜାର ୭୭୭ ଭୋଟ ପାଇ ତୃତୀୟ ରାଉଣ୍ଡରେ ହିଁ ବିଜୟକୁ ନିଜ ନାମରେ କରିଛନ୍ତି ଦ୍ରୌପଦୀ । ଅନ୍ୟପକ୍ଷରେ ତୃତୀୟ ରାଉଣ୍ଡ ସୁଦ୍ଧା ଯଶଓ୍ବନ୍ତୁ ମୋଟ ୨ ଲକ୍ଷ ୬୧ ହଜାର ୬୨ ଖଣ୍ଡ ଭୋଟ ମିଳିଛି । ତେବେ ଚତୁର୍ଥ ରାଉଣ୍ଡ ଗଣତି ପରେ ଦ୍ରୌପଦୀ କେତେ ଭୋଟ ପାଇ ବିଜୟ ହାସଲ କରୁଛନ୍ତି ଜଣାପଡିବ ।

ମୟୂରଭଞ୍ଜ ଜିଲ୍ଲାର ଏକ ଛୋଟ ଗାଁରୁ ରାଇସିନା ହିଲକୁ ଦୌପଦୀ ମୁର୍ମୁ ଯିବା ସାରା ବିଶ୍ବକୁ ଗଣତନ୍ତ୍ରର ଶକ୍ତି ଦେଖାଇଛି । ତେବେ ଜାଣିଛନ୍ତି କି ଦେଶର ପ୍ରଥମ ନାଗରିକ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ କେଇଁଠି ହୋଇଥିଲା ? ତାଙ୍କ ପିଲାଦିନ କେମିତି କଟିଥିଲା ? କେଉଁଠି ପାଠ ପଢ଼ିଥିଲେ ? ରାଜନୀତିକୁ ଆସିବା ପୂର୍ବରୁ କ’ଣ କରୁଥିଲେ ? ତେବେ ଆସନ୍ତୁ ଜାଣିବା, ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମରୁ ରାଇସିନା ହିଲ୍ ଯିବାର ଟିକିନିଖି ଖବର ।

ପରିବାର

ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ପିତାଙ୍କ ନାଁ ସ୍ବର୍ଗତ ବିରଞ୍ଚି ନାରାୟଣ ଟୁଡୁ ଏବଂ ମାତାଙ୍କ ନାଁ ସ୍ବାର୍ଗତା ସିଙ୍ଗୋ ଟୁଡୁ । ୧୯୫୮ ଜୁନ ୨୦ ତାରିଖରେ ଦ୍ରୌପଦୀଙ୍କ ଜନ୍ମ । ସେ ଦୁଇ ଭାଇରେ ଗୋଟିଏ ଭଉଣୀ ଥିଲେ । ତାଙ୍କ ଭାଇ ଭଗବତ ଚରଣ ଟୁଡୁଙ୍କ ପରଲୋକ ହୋଇଯାଇଥିବା ବେଳେ ଅନ୍ୟ ଭାଇଙ୍କ ନାଁ ତରଣୀସେନ ଟୁଡୁ ।

୧୯୮୧ରେ ଦ୍ରୌପଦୀ ଶ୍ୟାମଚରଣ ମୁର୍ମୁଙ୍କୁ ବିବାହ କରିଥିଲେ । ସ୍ବାର୍ଗତ ଶ୍ୟାମଚରଣ ବ୍ୟାଙ୍କ ଅଫ୍ ଇଣ୍ଡିଆର ମ୍ୟାନେଜର ଭାବେ କାମ କରୁଥିଲେ ।

ଦ୍ରୌପଦୀ ମୁର୍ମୁଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ । ଦୁଇ ପୁଅ ଲକ୍ଷ୍ମଣ ମୁର୍ମୁ ଏମଂ ସିପୁନ ମୁର୍ମୁଙ୍କ ଦେହାନ୍ତ ହୋଇଯାଇଛି । ଝିଅଙ୍କ ନାଁ ଇତିଶ୍ରୀ ମୁର୍ମୁ । ଯିଏ କି ଜଣେ ବ୍ୟାଙ୍କ ମ୍ୟାନେଜର । ଜ୍ବାଇ ଗଣେଶ ହେମ୍ବ୍ରମ ଜଣେ ରଗବୀ ଖେଳାଳି ।

ଶିକ୍ଷା

ଦ୍ରୌପଦୀ ମୁର୍ମୁ କଳାରେ ସ୍ନାତକ କରିଛନ୍ତି । ସେ ପ୍ରଥମରୁ ସପ୍ତମ ଶ୍ରେଣୀ (୧୯୭୧) ପର୍ଯ୍ୟନ୍ତ କୁସୁମି ବ୍ଲକ ଉପରବେଡ଼ା ୟୁପିଏମଇରେ ପଢ଼ିଥିଲେ । ଏହାପରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାକୁ ଭୁବନେଶ୍ବର ଚାଲି ଆସିଥିଲେ । ଏଠାରେ ସେ ଭୁବନେଶ୍ବର ୟୁନିଟ-୨ ବାଳିକା ହାଇସ୍କୁଲରେ ପାଠ ପଢ଼ିଥିଲେ । ୧୯୭୪ ମସିହାରେ ସେ ମାଟ୍ରିକ ପାସ୍ କରିଥିଲେ । ୧୯୭୯ରେ ରମାଦେବୀ ମହିଳା କଲେଜରୁ କଳାରେ ସ୍ନାତକ କରିଥିଲେ ।

ଚାକିରି ଜୀବନ

ସ୍ନାତକ ସାରିବା ପରେ ସେ ୧୯୭୯ରୁ ୧୯୮୩ ପର୍ଯ୍ୟନ୍ତ ଜଳସେଚନ ବିଭାଗରେ ଜୁନିୟର ଆସିଷ୍ଟାଣ୍ଡ ଭାବେ ଚାକିରି ଆରମ୍ଭ କରିଥିଲେ । ଏହାପରେ ସେ ଚାକିରି ଛାଡି ଶିକ୍ଷକତା କରିଥିଲେ । ୧୯୯୪ରୁ ୧୯୯୭ ପର୍ଯ୍ୟନ୍ତ ସେ ରାଇରଙ୍ଗପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶିକ୍ଷକତା କରିଥିଲେ ।

ରାଜନୈତିକ କ୍ୟାରିୟର

୧୯୯୭ରେ ସେ ରାଜନୀତିରେ ପାଦ ଥାପିବା ସହ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ । ରାଇରଙ୍ଗପୁର ଏନଏସିରୁ ପ୍ରଥମ ଥର ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହୋଇଥିଲେ ଓ ସେହି ବର୍ଷ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ହୋଇଥିଲେ ।

୨୦୦୦ ମସିହାରେ ରାଇରଙ୍ଗପୁର ବିଧାନସଭା ଆସନରୁ ପ୍ରଥମ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ତାରିଖ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିପହନ ବିଭାଗର ସ୍ବାଧୀନ ମନ୍ତ୍ରୀ ଭାବେ କାମ କରିଥିଲେ । ସେହିପରି ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମେ’ ୧୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସ୍ବାଧୀନ ମନ୍ତ୍ରୀ ଭାବେ କାମ କରିଥିଲେ ।

ଏହାପରେ ୨୦୦୪ରେ ସେ ଦ୍ବିତୀୟ ଥର ପାଇଁ ରାଇରଙ୍ଗପୁର ବିଧାନସଭା ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇ ୨୦୦୯ ପର୍ଯ୍ୟନ୍ତ ରହିଥିଲେ । ପଣ୍ଡିତ ନଳିନୀକାନ୍ତ ଦାସ୍ ବେଷ୍ଟ ଲେଜିସଲେଟିଭ୍ ଆଓ୍ବାର୍ଡ ୨୦୦୭ରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।

ନେତୃତ୍ବ

୧୯୯୮ରେ ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଉପ ସଭାପତି ହୋଇଥିଲେ । ଏହାସହ ୨୦୦୨ରୁ ୨୦୧୦ ପର୍ଯ୍ୟନ୍ତ ବିଜେପିର ମୟୂରଭଞ୍ଜ ଜିଲ୍ଲା ସଭାପତି ଭାବେ କାମ କରିଥିଲେ । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଜନଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ବନିଥିଲେ । ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ପୁଣି ଥରେ ମୟୂରଭଞ୍ଜ ଜିଲ୍ଲା ସଭାପତି ହୋଇଥିଲେ ।

ରାଜ୍ୟପାଳ

ବିଜେପିର ଜଣେ ଚର୍ଚ୍ଚିତ ମହିଳା ନେତ୍ରୀ ଭାବେ ଜଣାଶୁଣା ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟପାଳ ହୋଇଛନ୍ତି । ୨୦୧୫ରୁ ୨୦୨୧ ମସିହା ପର୍ଯ୍ୟନ୍ତ ସେ ରାଜ୍ୟପାଳ ଭାବେ କାମ କରିଥିଲେ ।

ପସନ୍ଦ ଓ ସମାଜ ସେବା

ଆଧ୍ୟାତ୍ମିକ ବହି ପଢ଼ିବାକୁ ଦ୍ରୌପଦୀ ମୁର୍ମୁ ଭଲି ପାଇଥାନ୍ତି । ଏହାସହ ଗରିବ, ଦଳିତ ଓ ଆଦିବାସୀଙ୍କ ପାଇଁ ତାଙ୍କ ହୃଦୟ ସବୁବେଳେ କାନ୍ଦୁଥାଏ । ଏମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ନିରନ୍ତର ଉଦ୍ୟମ କରି ଆସିଛନ୍ତି । ବିଭିନ୍ନ ଆଦିବାସୀ ସଂଗଠନ ସହ ସେ ଜଡ଼ିତ ରହି ନିଜ ଲୋକଙ୍କ ସେବା କରିଚାଲିଛନ୍ତି । ବିଭିନ୍ନ ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ସଂଗଠନ ସହ ସେ ଜଡ଼ିତ ଅଛନ୍ତି ।

ରାଷ୍ଟ୍ରପତି

ନିଜ ମାଟି ଓ ନିଜ ଜାତିର ଉତ୍ଥାନ ପାଇଁ ସବୁ ବେଳେ ଉଦ୍ୟମ ଚଲାଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ସେ ପୂର ଦେଶର ନଜରକୁ ଆସିଥିଲେ । ଗତ ଜୁନ ୨୧ ତାରିଖରେ ସେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ପ୍ରସ୍ତାବକ ଥିଲେ । ତାଙ୍କ ବିପକ୍ଷରେ ମିଳିତ ବିରୋଧୀ ମେଣ୍ଟ ପକ୍ଷରୁ ଯଶଓ୍ବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଥିଲା । ହେଲେ ଦ୍ରୌପଦୀଙ୍କୁ ଚାରିଆଡୁ ସମର୍ଥନ ମିଳିଥିଲା । ଏପରିକି ଏନଡିଏ ବିରୋଧୀ ମଧ୍ୟ ତାଙ୍କୁ ପସନ୍ଦ କରୁଥିଲେ । ଏହି କାରଣରୁ ବିରୋଧୀ ଦଳଗୁଡିକରେ ଦ୍ରୌପଦୀଙ୍କ ସପକ୍ଷରେ କ୍ରସ ଭୋଟିଂ ଦେଖିବାକୁ ମିଳିଥିଲା ।