ଗୋଟିଏ ରାଉଣ୍ଡ ଗଣତି ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ

ଭୁବନେଶ୍ବର: ଆଉ ଗୋଟିଏ ରାଉଣ୍ଡ ଭୋଟ୍ ଗଣତି ବାକି ଥିବା ବେଳେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଅଧାରୁ ଅଧିକ ଭୋଟ ପାଇ ବିଜୟ ହାସଲ କରି ନେଇଛନ୍ତି । ପ୍ରତିପକ୍ଷ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ବଡ଼ ବ୍ୟବଧାନରେ ଦ୍ରୌପଦୀ ପରାସ୍ତ କରିଛନ୍ତି । ତୃତୀୟ ରାଉଣ୍ଡ ସୁଦ୍ଧା ମୋଟ୍ ୩୨୧୯ ଭୋଟ ଗଣତି ହୋଇଛି । ଯାହାର ମୂଲ୍ୟ ୮ ଲକ୍ଷ ୩୮ ହଜାର ୮୩୯ । ଏଥିରୁ ଦ୍ରୌପଦୀ ୨୧୬୧ ଭୋଟ୍ ଯାହାର ମୂଲ୍ୟ ୫ ଲକ୍ଷ ୭୭ ହଜାର ୭୭୭ ପାଇ ବିଜୟୀ ହୋଇଛନ୍ତି । ସେହିପରି ଯଶଓ୍ବନ୍ତ ୧୦୫୮ ଭୋଟ୍ ଯାହାର ମୂଲ୍ୟ ୨ ଲକ୍ଷ ୬୧ ହଜାର ୬୨ ପାଇଛନ୍ତି ।

ତୃତୀୟ ରାଉଣ୍ଡରେ ୧୩୩୩ ଭୋଟ ଥିଲା । ଯାହାର ମୂଲ୍ୟ ଥିଲା ୧ ଲକ୍ଷ ୬୫ ହଜାର ୬୬୪ । ଏଥିରୁ ଦ୍ରୌପଦୀଙ୍କୁ ୮୧୨ ଭୋଟ୍ ମିଳିଥିବା ବେଳେ ଯଶଓ୍ବନ୍ତଙ୍କୁ ୫୨୧ ଭୋଟ ମିଳିଥିଲା । ପୂର୍ବରୁ ଦ୍ବିତୀୟ ରାଉଣ୍ଡରେ ଦ୍ରୌପଦୀ ୮୦୯ ଭୋଟ୍ ପାଇଥିଲେ । ଯାହାର ମୂଲ୍ୟ ୧ ଲକ୍ଷ ୫ ହଜାର ୨୯୯ ।  ଯଶଓ୍ବନ୍ତ ୩୨୯ ଖଣ୍ଡ ଭୋଟ ପାଇଥିଲେ, ଯାହାର ମୂଲ୍ୟ ୪୪ ହଜାର ୨୭୬ ।

ପ୍ରଥମ ପର୍ଯ୍ୟାୟରେ ସାଂସଦଙ୍କ ଭୋଟ ଗଣତି ହୋଇଥିଲା । ଯେଉଁଥିରେ ଦ୍ରୌପଦୀଙ୍କୁ ୫୪୦ ଖଣ୍ଡ ଭୋଟ ମିଳିଥିଲା । ଯାହାର ମୂଲ୍ୟ ୩ ଲକ୍ଷ ୭୮ ହଜାର ଥିଲା । ସେହିପରି ପ୍ରଥମ ପର୍ଯ୍ୟାୟରେ ଯଶଓ୍ବନ୍ତଙ୍କୁ ୨୦୮ ଖଣ୍ଡ ଭୋଟ ମିଳିଛି । ଯାହାର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ।