ଉପ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ଟିଏମସି

କୋଲକାତା: ଉପ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିବନି ଟିଏମସି । ଏନେଇ ସ୍ପଷ୍ଟ କରିଛନ୍ତି ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  । ସେ ଉପ ରାଷ୍ଟ୍ରପତି ନିର୍ବାଚନରେ ନିଜ ଆଭିମୁଖ୍ୟ ବଦଳାଇଛନ୍ତି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଯେଉଁଭଳି ଉପ ରାଷ୍ଟ୍ରପତି ପ୍ରାର୍ଥୀ ବାଛିଲେ, ତାହା ମମତାଙ୍କୁ ବ୍ୟଥିତ କରିଛି । ଏଥିପାଇଁ ସେ ଉପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ କିମ୍ବା ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଉପ ରାଷ୍ଟ୍ରପତି ନିର୍ବାଚନରେ ଟିଏମସିର ସାଂସଦମାନେ କୌଣସି ବି ପ୍ରାର୍ଥୀଙ୍କ ଭୋଟ୍ ଦେବେ ନାହିଁ । ଭୋଟଦାନରୁ ଟିଏମସି ସାଂସଦମାନେ ଦୂରେଇ ରହିବେ ବୋଲି ଆଜି ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ଏ ସମ୍ପର୍କରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ଦଳର ସଦସ୍ୟମାନେ ମମତା ବାନାର୍ଜୀଙ୍କ ସହ ଆଲୋଚନା ନ କରି ମାର୍ଗାରେଟ ଆଲଭାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି । ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ଉପରେ ମମତା ଖପ୍ପା ହୋଇଛନ୍ତି । ଏନେଇ ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ନିର୍ବାଚନରେ ଦଳ ଭାଗ ନେବନାହିଁ ବୋଲି ମମତା ସୂଚନା ଦେଇଛନ୍ତି ।