୨୫ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ, ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନବୀନ

1 min read

ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ପ୍ରଥମ ଥର ପାଇଁ ଭାରତରେ ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଭିଷିକ୍ତ ହେବ । ଆବଶ୍ୟକ ସଂଖ୍ୟାଠାରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତି ଭାବରେ ଆସନ୍ତା ଜୁଲାଇ ୨୫ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶପଥ ଗ୍ରହଣରେ ଯୋଗଦେବାକୁ ନବୀନଙ୍କୁ କରାଯାଇଛି ନିମନ୍ତ୍ରଣ । ଗସ୍ତ ଅବସରରେ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଜୁଲାଇ ୨୩ରୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବୋଲି ସୂଚନା ମିଳିଛି ।

ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । NDA ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ପ୍ରଥମେ ବିଜେଡି ତାଙ୍କୁ ସହଯୋଗ କରିବ ବୋଲି ଘୋଷଣା କରିଥିଲେ ନବୀନ । ନିର୍ବାଚନରେ ଯେପରି ଓଡ଼ିଶାରୁ କୌଣସି ଭୋଟ୍ ନାକାଚ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ । ଦଳମତ ନିର୍ବିଶେଷରେ ସବୁ ଦଳ ଓଡ଼ିଆ ଝିଅଙ୍କୁ ଭୋଟ୍ ଦେବାକୁ ମଧ୍ୟ ଆହ୍ୱାନ କରିଥିଲେ ନବୀନ ପଟ୍ଟନାୟକ ।