ରାଷ୍ଟ୍ରପତି ନିର୍ବାଚନ ଭୋଟଦାନର ପୋଷ୍ଟମର୍ଟମ, ବିରୋଧୀ ଦଳର ସାଂସଦ ଓ ବିଧାୟକ କରିଛନ୍ତି କ୍ରସଭୋଟିଂ

ନୂଆଦିଲ୍ଲୀ: ସରିଲା ରାଷ୍ଟ୍ରପତି ନିର୍ବାଚନ । ଆରମ୍ଭ ହେଲା ଭୋଟଦାନର ପୋଷ୍ଟମର୍ଟମ । ନିର୍ବାଚନରେ କ୍ରସଭୋଟିଂ ନେଇ ହୋଇଛି ବଡ଼ ଖୁଲାସା । ୧୭ ଜଣ ସାଂସଦ ଓ ବିରୋଧୀ ଦଳର ପ୍ରାୟ ୧୨୫ ବିଧାୟକ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ କରିଛନ୍ତି କ୍ରସ ଭୋଟିଂ । ଏପରିକି ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ଏନଡିଏର କୌଣସି ଜଣେ ବିଧାୟକ ନଥିଲେ ବି ତାଙ୍କୁ ମିଳିଛି ଗୋଟିଏ ଭୋଟ୍ । ରାଜ୍ୟରେ ଶାସକ ବାମପନ୍ଥୀ ନେତୃତ୍ୱାଧୀନ ମେଣ୍ଟ ଓ ବିରୋଧୀ ତଥା କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ମେଣ୍ଟ ବିରୋଧୀ ଦଳ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ସମର୍ଥନ କରିଥିଲେ ବି ଗୋଟିଏ ଭୋଟ ଦ୍ରୌପଦୀ ମୁର୍ମୁଙ୍କୁ ଯାଇଛି ।

ଆସାମରେ ବିରୋଧୀ ଦଳର ୨୫ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସର ୯୫ ବିଧାୟକ ଥିଲେ ବି ଯଶଓ୍ୱନ୍ତଙ୍କୁ ମିଳିଛି ୭୯ଟି ଭୋଟ । ମେଘାଳୟରେ ତୃଣମୂଳ କଂଗ୍ରେସର କିଛି ବିଧାୟକ କ୍ରସଭୋଟିଂ କରିଥିବାବେଳେ ମଣିପୁରରେ ବି କଂଗ୍ରେସର କିଛି ବିଧାୟକ ଏନଡିଏ ସପକ୍ଷରେ କ୍ରସଭୋଟିଂ କରିଛନ୍ତି । ବିହାର ଓ ଛତିଶଗଡ଼ରେ ବିରୋଧୀ ଦଳର ୬ ଜଣ ଲେଖାଏ ବିଧାୟକ, ଗୋଆର ୪ ଜଣ, ଗୁଜରାଟର ୧୦ ଜଣ ବିଧାୟକ ଏନଡିଏ ସପକ୍ଷରେ କ୍ରସଭୋଟିଂ କରିଛନ୍ତି ।