spot_img
Home Blog Page 4254

ବାଇଡେନଙ୍କ ପତ୍ନୀ ଝିଅକୁ ଟାର୍ଗେଟ କରି ବଦ୍‌ଲା ନେଲା ଋଷ

ମସ୍କୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଓ ଝିଅ ଉପରେ ପ୍ରତିବନ୍ଧକ ଲଗାଇଲା ଋଷ  । ଏହା ସହ ୨୩ ଜଣ ଆମେରିକା ନାଗରିକଙ୍କ ଉପରେ ଋଷ ପ୍ରତିବନ୍ଧକ ଲଗାଇଥିବା ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି । ଲଗାତାର ଋଷର ରାଜନୈତିକ ଓ ସାବର୍ଜନିକ ବ୍ୟକ୍ତିତ୍ବଙ୍କ ବିରୋଧରେ ଆମେରିକା ପ୍ରତିବନ୍ଧକ ଲଗାଇ ଆସୁଛି  । ଯାହାର ଜବାବ ଦେବାକୁ ଯାଇ ଋଷ ୨୫ ଜଣ ଆମେରିକୀୟଙ୍କୁ ଷ୍ଟପ ଲିଷ୍ଟରେ ଯୋଡିଛି ।

ଋଷ ଜାରି କରିଥିବା ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଓ ଝିଅର ନାମ ବି ସାମିଲ ରହିଛି । ସେହିପରି ଆମେରିକାର ସିନେଟର, କେତେକ ବିଶ୍ବବିଦ୍ୟାଳୟର ପ୍ରଫେସର, ସରକାରଙ୍କ ପୂର୍ବତନ ଅଧିକାରୀ ବି ଷ୍ଟପ ଲିଷ୍ଟରେ ସାମିଲ ହୋଇଛନ୍ତି ।

ଏହା ପୂର୍ବରୁ ସମାନ ଢଙ୍ଗରେ ଋଷର ଅନେକ ଉଦ୍ଦ୍ୟୋଗପତି, ବ୍ୟବସାୟୀ, ରାଜନେତାଙ୍କ ସହ ରାଷ୍ଟ୍ରପତି ପୁଟିନଙ୍କ ଦୁଇ ଝିଅଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା ଆମେରିକା । ଠିକ ଏହା ପରେ ବ୍ରିଟେନ ସମେତ ଅନ୍ୟ କେତେକ ଇଉରୋପୀୟ ଦେଶ ଋଷ ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ । ସେହିପରି ଋଷ ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କ ପରିବାର, ସୁରକ୍ଷା ପରିଷଦର ସଦସ୍ୟ ଓ ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରତିବନ୍ଧକ ଲିଷ୍ଟରୁ ବାଦ୍‌ ଦେଇନଥିଲା ଆମେରିକା ।

ନୃସିଂହନାଥ, ହରିଶଙ୍କର ପର୍ଯଟନସ୍ଥଳୀର ହେବ ନବକଳେବର, ପ୍ରସ୍ତୁତ ବ୍ଲୁପ୍ରିଣ୍ଟ

ଭୁବନେଶ୍ୱର: ନୃସିଂହନାଥ, ହରିଶଙ୍କର ପର୍ଯଟନସ୍ଥଳୀର ହେବ ନବକଳେବର। ଏହାର ବିକାଶ ପାଇଁ ଚୂଡାନ୍ତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ପର୍ଯ୍ୟଟନ ବିଭାଗ। ନୃସିଂହନାଥ ପାଇଁ ୧୫ କୋଟି, ହରିଶଙ୍କର ପାଇଁ ୨୩ କୋଟି ଟଙ୍କା ସରକାର ବ୍ୟୟ ଅଟକଳ କରିଛନ୍ତି। ମୋଟ ୩ ଟି ପର୍ଯ୍ୟାୟରେ ଦୁଇ ମନ୍ଦିରର କାମ ହେବ। ପ୍ରଥମ ପର୍ଯ୍ୟାୟ କାମ ଚଳିତ ବର୍ଷ ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୪୦ କୋଟି। ଖୁବ୍ ଶୀଘ୍ର ପୂର୍ତ୍ତ ବିଭାଗ ଟେଣ୍ଡର ଡାକିବ ବୋଲି ଡାକିବ ବୋଲି ପର୍ଯଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି ।

ଦୁଇ ମନ୍ଦିର ପରିସରରେ ସପିଙ୍ଗ କମ୍ପ୍ଲେକ୍ସ କାମ ଆରମ୍ଭ ହୋଇଯାଇଛି l ପରବର୍ତ୍ତୀ ପର୍ଯ୍ୟାୟରେ ଗନ୍ଧମାର୍ଦନ ଦୁଇ ପାର୍ଶ୍ଵ ବିକାଶ କରାଯିବ। ଦୁଇ ମନ୍ଦିର ବିକାଶ ବେଳେ ସାଂସ୍କୃତିକ, ଧାର୍ମିକ, ପାରିବେଶିକ ଓ ଦୁଃସାହସିକ ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯିବ । ପର୍ଯ୍ୟଟକଙ୍କ ପାଇଁ ରାସ୍ତର ସୌନ୍ଦର୍ଯ୍ୟକରଣ, ପାର୍କିଂ, ଭେଣ୍ଡିଂ ଜୋନ୍, ରିଲିଜିୟସ୍ ଷ୍ଟ୍ରିଟ୍, କଲଚରାଲ୍ ପ୍ଲାଜା ସହ ସମସ୍ତ ସୁବିଧା କରାଯିବ। ଏହାସହ ପାରଂପରିକ ହର୍ବାଲ ସେଣ୍ଚର କରାଯିବ ।

ଉଦ୍ୟାନ, ପିକନିକ୍ ଜୋନ୍, କିଡ୍ସ ଜୋନ୍, ଆମ୍ପିଥିଏଟର ପ୍ରଭୃତି କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମନ୍ଦିରର ଆଲୋକୀକରଣ, ଧର୍ମଶାଳା, ଭୋଗ ମଣ୍ଡପ ଓ ରୋଶଶାଳାର ପୁନରୁଦ୍ଧାର କରାଯିବ । ୧୮କିଲୋମିଟର ଟ୍ରେକିଂ ଟ୍ରାକ୍, କାଫେ, ଓ୍ବାଚ ଟାଓ୍ବାର ନିର୍ମାଣ କରାଯିବ। ଏହାପୂର୍ବରୁ ଗତ ବର୍ଷ ଫେବ୍ରୁଆରୀରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ନୃସିଂହନାଥ, ହରିଶଙ୍କର ପରିଦର୍ଶନ କରି ରୂପାନ୍ତରଣ ମଡେଲ୍ ପ୍ରସ୍ତୁତ କରିଥିଲେ ।

ଶିନ୍ଦେଙ୍କ ବଡ଼ ବୟାନ; ଆମ ସହ ଅଛନ୍ତି ୫୦ ବିଧାୟକ, ଖୁବଶୀଘ୍ର ମୁମ୍ବାଇ ଫେରିବୁ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ମହାନାଟକ ଜାରି ରହିଛି  । ଗତକାଲି ଦିନ ତମାମ ମଧ୍ୟ ନାଟକ ଚାଲିଥିଲା  । ଗୋଟିଏ ପଟେ ସୁପ୍ରିମକୋର୍ଟରୁ ବିଦ୍ରୋହୀଙ୍କୁ ଆଶ୍ୱସ୍ତି ମିଳିଥିଲା ଏବଂ ଅନ୍ୟପକ୍ଷରେ ଠାକରେ ବିଦ୍ରୋହୀ ବିଧାୟକଙ୍କଠାରୁ ମନ୍ତ୍ରୀପଦ ଛଡାଇ ନେଇଥିଲେ  । ସେପଟେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏଣ୍ଟ୍ରି ମଧ୍ୟ ହୋଇଥିଲା  । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ମଙ୍ଗଳବାର ହାଜର ହେବା ପାଇଁ ସମନ କରିଥିଲା  । ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରହିଛି  । ଆଜି ଗୌହ୍ୱାଟି ହୋଟେଲରେ ଥିବା ଶିବସେନା ବିଦ୍ରୋହୀ ଗୋଷ୍ଠୀର ନେତା ଏକନାଥ ଶିନ୍ଦେ ମଙ୍ଗଳବାର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି  । ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଶିବସେନା ଛାଡିନୁ, ଏବେବି ଅଛୁ  । ଆମେ ହିନ୍ଦୁତ୍ୱ ପ୍ରସଙ୍ଗ ଆଗକୁ ନେଇ ଯାଉଛୁ  । ଖୁବଶୀଘ୍ର ବିଦ୍ରୋହୀ ବିଧାୟକଙ୍କ ସହ ମୁମ୍ବାଇ ଫେରିବେ ବୋଲି କହିଛନ୍ତି  । ଏହି ସମୟରେ ପୁଣିଥରେ ସେ ଦାବି କରିଛନ୍ତି ମୋ ସମର୍ଥନରେ ୫୦ ବିଧାୟକ ଅଛନ୍ତି । ଶିନ୍ଦେଙ୍କ ବୟାନରୁ ଆଶଙ୍କା କରାଯାଉଛି ଯେ ସେ ମୁମ୍ବାଇ ଆସି ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ଦାବି କରିବେ  ।

ଏପଟେ ବିଜେପି ନେତା ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ମଧ୍ୟ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ଚାଟାର୍ଡ ପ୍ଲେନ ଜରିଆରେ ଦିଲ୍ଲୀରେ ପହଞ୍ଚିଛନ୍ତି  । କୁହାଯାଉଛି ଯେ, ସେ ସରକାର ଗଠନ କରିବାର ସମ୍ଭାବନା ଉପରେ ଦଳର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ  । ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ, ଶିବସେନା ବିଦ୍ରୋହୀ ଗୋଷ୍ଠୀ ନେତା ଏକନାଥ ସିନ୍ଦେ ମଧ୍ୟ ଆଜି ଦିଲ୍ଲୀ ଯାଇପାରନ୍ତି  । ପୂର୍ବରୁ ଖବର ଆସିଥିଲା, ଶିନ୍ଦେ ଗୋଷ୍ଠୀ ଏବଂ ବିଜେପି ମଧ୍ୟରେ ସରକାର ଗଠନ ଉପରେ ଚର୍ଚ୍ଚା ହେବାର  । ବିଜେପି ଶିନ୍ଦେ ଗୋଷ୍ଠୀଙ୍କୁ ୮ କ୍ୟାବିନେଟ ଏବଂ ୫ ରାଜ୍ୟମନ୍ତ୍ରୀ ଦେବାକୁ ଅଫର କରିଛି  । ଉପ ମୁଖ୍ୟମନ୍ତ୍ରୀ ପାଇଁ ଏକନାଥ ଶିନ୍ଦେଙ୍କ ନାଁ ରଖାଯାଇଛି  ।

ଶିନ୍ଦେ ମୁମ୍ବାଇ ଆସିବା କଥା କହିବା ପରେ ଉଦ୍ଧବ ଠାକରେ ଇମୋସନାଲ କାର୍ଡ ଖେଳିଛନ୍ତି  । ସେ ବିଦ୍ରୋହୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣମାନେ ଗତ କିଛିଦିନ ହେବ ଗୌହ୍ୱାଟିରେ ଫଶି ରହିଛନ୍ତି  । ଆପଣଙ୍କ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ସୂଚନା ମିଳୁଛି, ଆପଣମାନଙ୍କ ମଧ୍ୟରୁ ଅନେକ ଏବେବି ମୋ ସହ ସମ୍ପର୍କରେ ଅଛନ୍ତି  । ଆପଣମାନେ ଏବେ ବି ହୃଦୟରୁ ଶିବସେନାରେ ଅଛନ୍ତି  । ଆପଣମାନଙ୍କ ମଧ୍ୟରୁ କିଛି ବିଧାୟକଙ୍କ ପରିବାରର ସଦସ୍ୟ ମଧ୍ୟ ମୋତେ ସମ୍ପର୍କ କରିଛନ୍ତି ଏବଂ ମୋତେ ନିଜ ଭାବନା ସହ ଅବଗତ କରାଇଛନ୍ତି  । ଶିବସେନା ପରିବାରର ମୁଖ୍ୟ ଭାବରେ ମୁଁ ଆପଣମାନଙ୍କ ଭାବନାକୁ ସମ୍ମାନ ଦେଉଛି  । ଭ୍ରମରୁ ବାହାରି ଆସନ୍ତୁ, ଏହାର ଏକ ନିଶ୍ଚିତ ରାସ୍ତା ରହିଥିବ, ଆମେ ବସିବା ଏକା ସାଙ୍ଗରେ ଏବଂ ଏହାଠି ବାହାରକୁ ବାହାରିବାର ରାସ୍ତା ଖୋଜିବା  ।

‘ବଡ ଖବର’ର ସମ୍ପାଦକ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଆଉ ଏକ ଅଭିଯୋଗ

କଟକ: ସାମ୍ବାଦିକ ତଥା ‘ବଡ ଖବର’ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ  । କଟକ ପୁରୀ ଘାଟ ଥାନାରେ ଋଜୁ ହୋଇଛି ମାମଲା  ।  ମିଳିଥିବା ସୂଚନା ମୁତାବକ ନିଶୀଥ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ ଠାରୁ  ୭ଲକ୍ଷ ଟଙ୍କାର ପ୍ଲାଏ କିଣିଥିଲେ ଅର୍ଦ୍ଧେନ୍ଦୁ ଦାସ  । ଏହି ଅର୍ଥକୁ ସଠିକ ଭାବେ ଉକ୍ତ ବ୍ୟବସାୟୀଙ୍କୁ ପୈଠ କରିନଥିବା ଅଭିଯୋଗ ଆସିଛି  ।

ଠକେଇ ହୋଇଥିବା ପୁରୀଘାଟ ଥାନାରେ  ଅଭିଯୋଗ କରିଛନ୍ତି ବ୍ୟବସାୟୀ ନିଶୀଥ ଅଗ୍ରୱାଲ  । ସେପଟେ ଅଭିଯୋଗ ଆଧାରରେ ପୁରୀ ଘାଟ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅନ୍ୟପଟେ  ଟିଭି ଚ୍ୟାନେଲ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ଅର୍ଦ୍ଧେନ୍ଦୁ ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଓ୍ବଲାଙ୍କ ଠାରୁ ଆଣିଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶ ବାବଦରେ ମଧ୍ୟ ଠକେଇ କରିଥିବା ଅଭିଯୋଗ ହୋଇଛି  ।

ଅଭିଯୋଗକାରୀ ଗଗନଦୀପଙ୍କ ଅଭିଯୋଗ ପରେ ହାଜର ହେବାକୁ ୨ ଥର ନୋଟିସ କରିଥିଲା ଇଓଡବ୍ଲୁ । ହେଲେ ହାଜର ହୋଇନଥିଲେ ଅର୍ଦ୍ଧେନ୍ଦୁ ଦାସ । ତାଙ୍କ ବିରୋଧରେ ଇଓଡବ୍ଲ୍ୟୁରେ ଆଇପିସିର ଧାରା ୪୦୬, ୪୨୦, ୪୬୭, ୪୬୮, ୪୭୧ ଓ ୧୨୦-ବିରେ ମାମଲା ରୁଜୁ ହୋଇଛି  ।

ମହଙ୍ଗା ହେଲାଣି ଚାଉଳ, ଦୁଇ ଗୁଣ ଅଧିକ ଦାମରେ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ: ଅଟା ପରେ ଏବେ ଚାଉଳ ଉପରେ ମହଙ୍ଗା ମାଡ ପଡିଛି । ଦେଶରେ ଅଧିକାଂଶ ରାଜ୍ୟରେ ମହଙ୍ଗା ହୋଇଛି ଚାଉଳ । ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ଚାଉଳ ଦାମ ୧୦ ପ୍ରତିଶତ ବଢିଛି । ଭାରତ ଗହମ ପରେ ଚାଉଳ ରପ୍ତାନୀରେ ରୋକ୍‌ ଲଗାଇବା ଆଶଙ୍କା କରିଛି ବାଂଲାଦେଶ । ଏଥିପାଇଁ ବାଂଲାଦେଶ ଚାଉଳର ଘରୋଇ ଷ୍ଟକ ବଢାଇବା ପାଇଁ ଭାରତରୁ ଆମଦାନୀ ଆରମ୍ଭ କରିଛି ।

ନିକଟରେ ବାଂଲାଦେଶ ଚାଉଳ ଉପରେ ଆମଦାନୀ ଶୁଳ୍କ ଛାଡ୍‌ କରିବା ପାଇଁ ନିଷ୍ପତ୍ତି ନେଇଛି । କିଛି ଦିନ ପୂର୍ବରୁ ଆମଦାନୀ ଶୁଳ୍କ ୬୨.୫ ପ୍ରତିଶତ ହଟାଇ ୨୫ ପ୍ରତିଶତ କରିଛି  ବାଂଲାଦେଶ ।  ଏହା ପୂର୍ବରୁ ଭାରତ ଗତମାସରେ ଗହମ ରପ୍ତାନୀରେ ଅଙ୍କୁଶ ଲଗାଇଥିଲେ  । ଏହାଦ୍ବାରା ଭାରତୀୟ ବଜାରରେ ଅଟା ଦାମରେ ପ୍ରଭାବ ପଡିଛି  । ସେପଟେ ବାଂଲାଦେଶର ଏହି ନିଷ୍ପତ୍ତି ପରେ ଚାଉଳ ଦାମ ବି ବୃଦ୍ଧି ପାଇଛି ।

ଖାସକରି ବାସୁମତି ଚାଉଳ ମହଙ୍ଗା ହୋଇଛି । ସବୁଠାରୁ ଲୋ କ୍ୱାଲିଟି ବାସୁମତି ଚାଉଳର ଦାମ ୧୫୦୯ ଟଙ୍କା ଥିବାବେଳେ ଏବେ ଏହା ବଢି ୩ ହଜାର ଟଙ୍କାରେ ପହଞ୍ଚିଛି ।

ଋଷ ୟୁକ୍ରେନ ଯୁଦ୍ଧ କାରଣରୁ ଅଧିକାଂଶ ଦେଶରେ ଖାଦ୍ୟଶସ୍ୟ ଅଭାବ ଦେଖାଦେଇଛି । ବାଂଲାଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେପଟେ ବାଂଲାଦେଶରେ ବନ୍ୟା ଯୋଗୁଁ ଫସଲ ନଷ୍ଟ ହୋଇଛି । ଯେଉଁଥିପାଇଁ ବାଂଲାଦେଶ ଖୁବଶୀଘ୍ର ଭାରତ ଠୁ ଚାଉଳ ରପ୍ତାନୀ କରିବାକୁ ଚାହୁଁଛି ।

ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ସୁନାବେଡ଼ା: ବେକରେ ଚୁନି ଲଗାଇ ଆତ୍ମହତ୍ୟା କଲେ ଆଦିବାସୀ କଲେଜ ଛାତ୍ରୀ । ସୁନାବେଡା ପୌରଅଞ୍ଚଳ ଅଧିନସ୍ଥ ନେହୁରୁ ନଗର ଜୟପୁର ମହିଳା ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ରୀ । କିଛିଦିନ ତଳେ ତାମିଲନାଡୁ ଦାଦନ ଖଟିବା ପାଇଁ ଯାଇଥିଲେ  । ପୁଣି ସେଠାରୁ ଫେରି ସିମିଳିଗୁଡାର ଏକ ରୁଟି ଫ୍ୟାକ୍ଟ୍ରିରେ କିଛିଦିନ ହେବ କାମ କରୁଥିଲେ  । ଛାତ୍ରୀ ଜଣକ କୌଣସି କାରଣରୁ ଘରେ କେହି ନଥିବା ସୁଯୋଗ ନେଇ ପଙ୍ଖାରେ ନିଜ ଚୁନି ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଏହି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସିମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଂଚାୟତର ପୁଟସିଲ ଗ୍ରାମରେ  । ମୃତ ଛାତ୍ରୀଙ୍କ ନାଁ ରଚନା ସାଉଁତା ବୋଲି ଜଣା ପଡିଛି  । ଖବର ପାଇ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ଜିଲ୍ଲାପରିଷଦ ମୋହନ ଜାନି ଘଟଣା ସ୍ଥଳକୁ ଯାଇ ପୋଲିସକୁ ଖବର ଦେଇଥିଲେ  । ସୁନାବେଡା ପୋଲିସ ପହଁଞ୍ଚି ଝୁଲନ୍ତା ଶବ ଉଦ୍ଧାର କରିବା ସହ ମନିପ୍ରସରେ ଥିବା ଅଜଣା ଯୁବକଙ୍କ ପାସପୋର୍ଟ ଫଟୋ ଓ ମୋବାଇଲ ଜବତ କରିଛି  । ସେଥିରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସପିଟାଲ ଶବ ବ୍ୟବଛେଦ କରି ପରିବାରକୁ ଶବ ହସ୍ତାନ୍ତର କରାଯାଇଛି  । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁ କି ଆତ୍ମହତ୍ୟା ତାହା ଜଣା ପଢିବ । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ପାଣି ବୋତଲ ଚୋରି କରିଥିଲେ, ମାସେ ହେଲାଣି ମିଳୁନି ପତ୍ତା

ରାଉରକେଲା: ଏକ ମାସ ଧରି ୩ ନାବାଳକ ନିଖୋଜ ।  ସେମାନଙ୍କ ପତ୍ତା ମିଳୁନଥିବା ବେଳେ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ରାଉରକେଲା ମାଲଗୋଦାମ ବସ୍ତିର ୩ ଶିଶୁ ନିଖୋଜ ହୋଇଯାଇଛନ୍ତି । ମାଡ଼ ଭୟରେ କେଉଁ ଆଡେ ଫେରାର ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର।

ମାଲଗୋଦାମ ବସ୍ତିର ଏକ ଦୋକାନରୁ ପାଣି ବୋତଲ ଚୋରି କରିଥିବା ସନ୍ଦେହରେ ଦୋକାନୀ ଶିଶୁଙ୍କୁ ମାଡ ମାରିବା ସହ ସେମାନଙ୍କ ସାଇକେଲ ଛଡ଼ାଇ ରଖିଥିଵା ଅଭିଯୋଗ ହୋଇଛି । ଚୋରି ସମ୍ପର୍କରେ ଘରେ ଜାଣିଦେବା ଓ ମାଡ଼ ଭୟରେ ଗତମାସ ୨୮ ତାରିଖରୁ ତିନି ଜଣ ଶିଶୁ କେଉଁଆଡେ ଚାଲିଯାଇଛନ୍ତି ।

ନିଖୋଜ ନେଇ ଉଦିତନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ପକ୍ଷରୁ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।  ନିଖୋଜ ତିନି ଶିଶୁ ହେଲେ ଦୁଇଭାଇ ୧୩ ବର୍ଷୀୟ ସୁରଜ ମୁଣ୍ଡାରୀ, ୧୦ ବର୍ଷୀୟ ଆକାଶ ମୁଣ୍ଡାରୀ ଏବଂ ଅନ୍ୟଜଣେ ୧୦ ବର୍ଷୀୟ ସୁବାସ ସର୍ଗୀପାଦୀୟ  ।

ଆରବ ସାଗରରେ ଜରୁରୀକାଳୀନ ଲ୍ୟାଣ୍ଡିଂ କଲା ଓଏନଜିସି ହେଲିକପ୍ଟର

ମୁମ୍ବାଇ: ଜରୁରୀକଳୀନ ଅବତରଣ କଲା ଓଏନଜିସି ହେଲିକପ୍ଟର । ଆରବ ସାଗର ନିକଟରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି ହେଲିକପ୍ଟର  । ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ହେଲିକପ୍ଟରରେ ୯ ଜଣ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲିକପ୍ଟରରେ ୭ ଜଣ ଯାତ୍ରୀ ଓ ଦୁଇ ପାଇଲଟ ଥିଲେ  ।

ତେବେ ଜରୁରୀକାଳୀନ ଅବତରଣର କାରଣ ଜଣାପଡି ନାହିଁ । ପାସେଞ୍ଜରଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ସମୁଦ୍ର ଉପକରଣ ଯୋଗାଇ ଦିଆଯାଇଥିବା ଭାରତୀୟ କୋଷ୍ଟଗାର୍ଡ ସୂଚନା ଦେଇଛି ।

ଆରବ ସାଗରରେ ଓଏନଜିସିର ଅନେକ ରିଗ୍ ଏବଂ ଇନଷ୍ଟଲେସନ୍ ଅଛି ଯାହା ସମୁଦ୍ର ତଳେ ଅବସ୍ଥିତ ଜଳଭଣ୍ଡାରରୁ ତୈଳ ଏବଂ ଗ୍ୟାସ୍ ଉତ୍ପାଦନ ପାଇଁ ବ୍ୟବହୃତ ହୁଏ  । ଆଜି ସେଠାକୁ କିଛି ଉପକରଣ ନେଇ କଣ୍ଟ୍ରାକ୍ଟରଙ୍କ ସମେତ ୯ ଜଣକୁ ନେଇ ପହଞ୍ଚିଥିଲା ଓଏନଜିସି ହେଲିକପ୍ଟର  ।

 

୧୪ ଦିନ ପରେ ଜଗାକୁ ଦେଖିବେ ଭକ୍ତ, କାଲି ନବଯୌବନ ଦର୍ଶନ

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ସକାଳ ୮ରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରମାଣିକ ଦର୍ଶନ ପାଇଁ ଧାର୍ଯ୍ୟ ହୋଇଛି । ସକାଳ ୯ରୁ ୧୦ଟା ୩୦ ସର୍ବସାଧାରଣ ଦର୍ଶନ ହେବ । ସେହିପରି ଅପରାହ୍ନ ୨ଟାରୁ ୩ଟା, ସନ୍ଧ୍ୟା ୬ରୁ ସାଢେ ୬, ରାତି ୯ରୁ ୧୦ଟା ୩୦ ଓ ରାତି ୧୧ଟା ୩୦ରୁ ୧୨ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ । ବିଶେଷ ନୀତି ପାଇଁ ସକାଳ ୧୦ଟା ୩୦ରୁ ଅପରାହ୍ନ ୨ଟା, ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଓ ସନ୍ଧ୍ୟା ୬ଟା ୩୦ରୁ ରାତି ୯ ଟା ଯାଏ ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ଯାଏ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ।

ସେହିପରି ପରଦିନ ଉଭାଯାତ୍ରା ।  ସକାଳ ୪ରୁ ୬ଟା ୩୦, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ଗୋଟାଏ ୩୦ ଓ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୫ଟା ଯାଏ ଜଗାଦର୍ଶନ କରିପାରିବେ ଭକ୍ତ । ସକାଳ ୬ଟା ୩୦ରୁ ଦିନ ୧୨ଟା ୩୦, ଅପରାହ୍ନ ଗୋଟାଏ ୩୦ରୁ ୩ଟା ୩୦ ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସମ୍ପାଦନ ପାଇଁ ପ୍ରସ୍ତୁତି ପାଇଁ ଉଭାଯାତ୍ରା ଦିନ ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ବନକଲାଗି ନୀତି । ସ୍ବତନ୍ତ୍ର ନୀତିକାନ୍ତି ସହ ଅଣସରର ଅନ୍ତିମ ଦିନରେ ମହାପ୍ରଭୁଙ୍କ ବନକଲାଗି ନୀତି ହେଉଛି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଦୁଇଦିନ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ମକଡ୍ରିଲ କରିଛି ପୋଲିସ । ରଥଟଣା, ଭିଡ଼ ନିୟନ୍ତ୍ରଣ‌ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଦିଆଯାଇଛି ପ୍ରଶିକ୍ଷଣ ।
‌

କାର୍‌ରେ ଅଚେତ ହୋଇପଡ଼ିଥିଲେ ମହିଳା; ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ EOW ଏସ୍‌ପି

ଭୁବନେଶ୍ୱର: ଦେବଦୂତ ସାଜିଲେ ଇଓଡବ୍ଲ୍ୟୁ ଏସପି ।  ଇଓଡବ୍ଲ୍ୟୁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ମାନବିକତା ଯୋଗୁଁ ନୂଆ ଜୀବନ ପାଇଲେ ଜଣେ ମହିଳା । ବଞ୍ଚିଗଲା ଗାଡ଼ି ଭିତରେ ଅଚେତ ହୋଇପଡ଼ିଥିବା ମହିଳାଙ୍କ ଜୀବନ । ଘଟଣାନୁଯାୟୀ ଗତକାଲି ଅଫିସରୁ ଘରକୁ ଫେରିବା ବାଟରେ ଦିଲ୍ଲୀପଙ୍କ ଅଫିସ ଗାଡ଼ିକୁ ୨ଜଣ ଅଟକାଇଥିଲେ ଏବଂ ଅନ୍ୟ ଏକ କାର୍ ଆଡ଼କୁ ଇସାରା କରିଥିଲେ । ଯାହାକୁ ଦେଖି ଗାଡ଼ି ଅଟକାଇଥିଲେ ଏସପିଙ୍କ ଡ୍ରାଇଭର । ଗାଡ଼ି ଅଟକାଇବା ପରେ ନିଜ ଡ୍ରାଇଭରଙ୍କ ସହ ସେହି ଗାଡ଼ି ନିକଟକୁ ଯାଇଥିଲେ ଦିଲ୍ଲୀପ । ଗାଡ଼ି ନିକଟକୁ ପହଞ୍ଚି ଦେଖିଲା ବେଳେ ୩୦ ବର୍ଷୀୟ ଜନୈକ ମହିଳା ସେହି ଗାଡ଼ି ଭିତରେ ଅଚେତ ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେଠାରେ ଉପସ୍ଥିତ ଲୋକ ଓ ଡ୍ରାଇଭରଙ୍କ ସହାୟତାରେ ତାଙ୍କୁ କାର୍ ଭିତରୁ ଉଦ୍ଧାର କରିବା ସହ ନିକଟସ୍ଥ ହସ୍ପିଟାଲର ଜରୁରୀକାଳୀନ ସେବା ବିଭାଗରେ ଭର୍ତ୍ତି କରାଇଥିଲେ । ଆବଶ୍ୟକ ଚିକିତ୍ସା ପରେ ମହିଳାଙ୍କ ଚେତା ଫେରିଥିଲା । ଏବଂ ଅଳ୍ପ ସମୟ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସିଥିଲା । ତେବେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ହସ୍ପିଟାଲରେ ପହଞ୍ଚିଥିଲେ ମହିଳାଙ୍କ ପରିବାର ଲୋକେ । ସେମାନଙ୍କୁ ମହିଳାଙ୍କ ମୋବାଇଲ ଫୋନ୍ ଓ ଭ୍ୟାନିଟ୍ ବ୍ୟାଗ୍ ପ୍ରଦାନ କରିଥିଲେ ଏସପି । ତେବେ ମହିଳାଙ୍କ ଜଣଙ୍କ ହେଉଛନ୍ତି ରଘୁନାଥପୁର ମୋନାଲିସା ରଥ । ନିଜ ପୁଅକୁ ଟ୍ୟୁସନରୁ ଫେରାଇ ଆଣିବାକୁ ଯାଉଥିବା ବେଳେ ବାଟରେ ଅଚେତ ହୋଇପଡ଼ିଥିଲେ ।

            ଘଟଣାଟି ରେଳ ସଦନ ନିକଟରେ ଘଟିଥିବା ବେଳେ ମହିଳାଙ୍କୁ ଉଦ୍ଧାର କରିବା ଏବଂ ମେଡିକାଲରେ ଭର୍ତ୍ତି କରାଇବାରେ ସହାଯ୍ୟ କରିଥିବା ସ୍ଥାନୀୟ ପରିବା ବିକାଳୀ ମହିଳା ଓ ଅନ୍ୟ ଜଣେ ଗାଡ଼ି ଚାଳକ ସଦାଶିବଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାସହିତ ନିଜ ଡ୍ରାଇଭରଙ୍କୁ ମଧ୍ୟ ସବାସୀ ଜଣାଇଛନ୍ତି ଏସପି । ଏବଂ ଏ ପୂରା ଘଟଣାକୁ ସାମାଜିକ ଗଣମାଧ୍ୟମ ଜରିଆରେ ଶ୍ରୀ ତ୍ରିପାଠୀ ପ୍ରକାଶ କରିବା ସହ ଏଭଳି କାର୍ଯ୍ୟ ତାଙ୍କ ମଧ୍ୟରେ ଦିବ୍ୟ ଆନନ୍ଦ ଭରିଦେଇଥିବା ଲେଖିଛନ୍ତି ।