ଦିନକ ପରେ ସରିବ କାର୍ଯ୍ୟକାଳ, ଆଜି ରାଷ୍ଟ୍ରପତିଙ୍କ ଶେଷ ସମ୍ବୋଧନ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଶେଷ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସନ୍ଧ୍ୟା ୭ଟା ରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି  । ଦିନକ ପରେ କାର୍ଯ୍ୟକାଳ ସରୁଥିବାରୁ ଦେଶ ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ମହତ୍ତ୍ବ ରଖିବ। ଗତକାଲି ସଂସଦର ସେଣ୍ଟ୍ରାଲ ହଲରେ ପ୍ରଧାନମନ୍ତ୍ରୀଙ୍କ ସହ ସବୁ ସାଂସଦ ମାନେ ଉପସ୍ଥିତ ରହି ରାମନାଥ କୋବିନ୍ଦଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ ।

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ଦେଇଥିଲେ । ଦଳଗତ ମନୋବୃତ୍ତିରୁ ଉପରକୁ ଉଠି ସବୁ ଦଳ କାମ କରିବା ଦରକାର ବୋଲି ରାମନାଥ କହିଛନ୍ତି । ସବୁ ସାଂସଦଙ୍କ ପ୍ରତି ତାଙ୍କର ସ୍ବତନ୍ତ୍ର ସମ୍ମାନ ରହିଛି । ଆସନ୍ତାକାଲି ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସରୁଛି  । ଗତ ୨୫ ଜୁଲାଇ ୨୦୧୭ରେ ୧୪ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ରାମନାଥ କୋବିନ୍ଦ ।

ଦଳିତ ସମୁଦାୟ ରାଷ୍ଟ୍ରପତି ଭାବେ ସେବା ଯୋଗାଉଥିବା କେଆର ନାରାୟଣନଙ୍କ ପରେ ଦ୍ବିତୀୟ ବ୍ୟକ୍ତି ହେଉଛନ୍ତି କୋବିନ୍ଦ । ରାଷ୍ଟ୍ରପତି ହେବା ପୂର୍ବରୁ ୨୦୧୫ ରୁ ୨୦୧୭ ଯାଏଁ ବିହାର ରାଜ୍ୟପାଳ ଭାବେ ସେ ଦାୟିତ୍ବ ତୁଲାଇଥିଲେ । ଏହା ସହ ସେ ରାଜ୍ୟସଭାର ସଦସ୍ୟ ବି ରହିଛନ୍ତି । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ୧୬ ବର୍ଷ ସେ ଆଇନକୁ ପେଷା କରିଥିଲେ । ସେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିମକୋର୍ଟରେ ବି ଆଇନଜୀବୀ ରହିଛନ୍ତି  ।

ନୂଆ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୂର୍ମୁ ଶପଥ ନେବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଆସନ୍ତାକାଲି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ ।