ପ୍ରକୃତିଙ୍କ ନାଁରେ ଅଭିଯୋଗ କଲେ ବାବୁସାନଙ୍କ ପତ୍ନୀ, ସକାଳେ ପ୍ରକୃତିଙ୍କ ମା’ କରିଥିଲେ ଅଭିଯୋଗ

ଭୁବନେଶ୍ୱର: ଓଡିଆ ସେଲିବ୍ରେଟି ବାବୁସାନ ମହାନ୍ତିଙ୍କ ଘରୋଇ କଳି ରାସ୍ତାରେ ପଡି ଦାଣ୍ଡରେ ଗଡିଲାଣି । ବାବୁସାନଙ୍କ ପତ୍ନୀ ତୃପ୍ତି ଆଜି ସକାଳେ ବାବୁସାନ ଓ ତାଙ୍କ କଥିତ ପ୍ରେମିକା ପ୍ରକୃତି ମିଶ୍ରଙ୍କୁ ରେଡ ହ୍ୟାଣ୍ଡ ଧରିଥିଲେ । ଉଭୟ ଗାଡିରେ ଯିବା ସମୟରେ ତୃପ୍ତି ଗାଡି ଅଟକାଇ ପ୍ରକୃତିଙ୍କୁ ମାର ଧର କରିଥିଲେ । ତୃପ୍ତିଙ୍କ ଅଭିଯୋଗ ଅନୁଯାୟୀ ପ୍ରକୃତି ସ୍ୱାମୀ ବାବୁସାନଙ୍କୁ ବସ କରି ତାଙ୍କ ପରିବାର ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି । ଏହାପରେ ମହା ନାକଟ ଆରମ୍ଭ ହୋଇଥିଲା । ପ୍ରକୃତିଙ୍କ ବାପା ଓ ମା ସକାଳେ ତୃପ୍ତିଙ୍କ ବିରୋଧରେ ଖାରବେଳ ନଗର ଥାନାରେ ମାମଲା ରୁଜୁ କରିଥିଲେ । ସର୍ବ ସାଧାରଣ ସ୍ଥାନରେ ଆକ୍ରମଣ ଓ ସମ୍ମାନ ହାନି ହୋଇଥିବାରୁ ପ୍ରକୃତିଙ୍କ ବାପା ମା ଅଭିଯୋଗ କରିଥିଲେ ।

ଏତେ ସବୁ ହଙ୍ଗାମା ପରେ ଅପରାହ୍ନରେ ବୋହୂ ତୃପ୍ତିଙ୍କ ଘରେ ପହଞ୍ଚିଥିଲେ ଶାଶୂ ତଥା ବାବୁସାନଙ୍କ ମା ଅପରାଜିତା ମହାନ୍ତି । ପରେ ସେ ତୃପ୍ତି ଓ ତାଙ୍କ ମାଉସୀ ସଂଗୀତାଙ୍କୁ ଧରି ଖାରବେଳ ନଗର ଥାନାରେ ପହଞ୍ଚିଥିଲେ । ଶାଶୂଙ୍କ ଉପସ୍ଥିତିରେ ତୃପ୍ତି ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଛନ୍ତି । ତାଙ୍କୁ ଏବେ ଘଟଣାର ସମାଧାନ କରିବାକୁ ଦିଅ । ପରେ ସବୁ କଥା ଗଣମାଧ୍ୟମକୁ ନିଜେ କହିବି ବୋଲି ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା । ସେପଟେ ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଧାରା ୧୬୧ରେ ୪ ଜଣଙ୍କ ବୟାନ ରେକର୍ଡ ହୋଇଛି ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ମାମଲାକୁ ନେଇ ଖାରବେଳ ନଗର ଥାନା ଅଧିକାରୀ ଅରୁଣ ସ୍ୱାଇ ପ୍ରତିକ୍ରିୟା ଦେଇଥିଲେ । ସେ କହିଛନ୍ତି ୨ଟି କେସ୍ ରୁଜୁ ହୋଇଛି, ସକାଳେ ଗୋଟି ଏବେ ଗୋଟେ । ଦୁଇଟି ଯାକ କେସର ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ହେବ। ପ୍ରଥମ ଅଭିଯୋଗ ପ୍ରକୃତି ମିଶ୍ରଙ୍କ ମା କରିଥିଲେ । ପରେ ବାବୁସାନଙ୍କ ପତ୍ନୀ ତୃପ୍ତି ଆଉ ଏକ ଅଭିଯୋଗ କରିଛନ୍ତି । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ବୟାନ ରେକର୍ଡ କରିଛି ପୋଲିସ । ୧୬୧ ଧାରାରେ ୪ଜଣଙ୍କ ବୟାନ ରେକର୍ଡ ହୋଇଛି ।

ଅନ୍ୟପକ୍ଷରେ ତୃପ୍ତି କହିଛନ୍ତି, ପ୍ରକୃତି ମୋତେ ଏବଂ ବାବୁସାନଙ୍କୁ ବ୍ଲାକମେଲିଂ କରିଆସୁଥିଲେ । ନିଜକୁ ଆଘାତ ଦେଇ ସୁଇସାଇଡ କରିବାକୁ ସେ ଧମକ ଦେଇଆସୁଥିଲେ । ଯେଉଁଥିପାଇଁ ସ୍ବାମୀଙ୍କୁ ନିଜ ପାଖକୁ ଫେରାଇ ଆଣିବାକୁ ସଫଳ ହୋଇନଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ । ଏପରିକି ଅସୁସ୍ଥ ପୁଅର ଚିକିତ୍ସା ସମୟରେ ବି ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଧମକ ଦେଇଥିଲେ । ପ୍ରକୃତି ମିଶ୍ରଙ୍କ ଆସିବା ପରେ ସେମାନଙ୍କ ବୈବାହିକ ଜୀବନରେ ଆସିଥିଲା ଝଡ଼ । ଲକଡାଉନରେ ବାବୁସାନଙ୍କ କ୍ୟାରିଅରରେ ମାନ୍ଦାବସ୍ଥା ଆସିଥିଲା ।

ସେହିସମୟରେ ସୁଯୋଗ ନେଇ ପ୍ରକୃତି ବାବୁସାନଙ୍କ ସହ ଘନିଷ୍ଠ ହୋଇଥିଲେ । ବାବୁସାନ ସବୁବେଳେ ନିଶାଗ୍ରସ୍ତ ହୋଇ ଘରକୁ ଆସୁନଥିଲେ କି ଆର୍ଥିକ ସହଯୋଗ କରୁନଥିଲେ । ଏତିକିବେଳେ ସେ ପ୍ରକୃତିଙ୍କ ସହ ଘନିଷ୍ଠତା ନେଇ ଜାଣିବାକୁ ପାଇଥିଲେ । ଆଜି ସେ ଚେନ୍ନାଇ ଯିବାବେଳେ ତାଙ୍କୁ ପୁଣି ଥରେ ରେଡ ହ୍ୟାଣ୍ଡ ଧରିଥିଲେ । ଗାଡିରୁ ସ୍ବାମୀଙ୍କୁ ଆଣିବାବେଳେ ପ୍ରକୃତି ଏଥିରେ ବାଧା ଦେଇଥିଲେ । ସେଥିପାଇଁ ସେ ପ୍ରକୃତିକୁ ଆକ୍ରମଣ କରିଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି ।