spot_img
Home Blog Page 4253

ଇଂଲଣ୍ଡର ବିଶ୍ୱବିଜୟୀ ଅଧିନାୟକ ମୋର୍ଗାନଙ୍କ ଅବସର ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଇଂଲଣ୍ଡର ବିଶ୍ୱ ବିଜୟୀ ଅଧିନାୟକ ଇୟନ ମୋର୍ଗାନ  । ଦିନିକିଆରେ ବିଶ୍ୱକପରେ କେବେବି ବିଜୟୀ ହୋଇପାରୁନଥିବା ଇଂଲଣ୍ଡକୁ ୨୦୧୯ରେ ପ୍ରଥମ କପ୍ ଦେଇଥିଲେ ଇଅନ ମୋର୍ଗାନ  ।  ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇବିସି) ମଙ୍ଗଳବାର ଏହାର ସୂଚନା ଦେଇଛି  । ବାମହାତୀ ବ୍ୟାଟ୍ସମ୍ୟାନ ମୋର୍ଗାନ ଗତ ଏକ ବର୍ଷ ହେବ ଫିଟନେସ ଏବଂ ଫର୍ମ ସମସ୍ୟାକୁ ନେଇ ଚିନ୍ତିତ ଥିଲେ । ଗତ ସୋମବାର ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ଆସିଥିଲା କି ମୋର୍ଗାନ ଖୁବଶୀଘ୍ର ସନ୍ୟାସ ଘୋଷଣା କରିବେ  । ଆଉ ଆଜି ସେ ଅବସର ଘୋଷଣା କରିଛନ୍ତି  ।

୩୫ ବର୍ଷୀୟ ମୋର୍ଗାନ ଇଂଲଣ୍ଡ କ୍ରିକେଟ ବୋର୍ଡ ଇସିବିକୁ ନିଜ ଅବସର ସମ୍ପର୍କରେ ବିବୃତି ଦେଇଛନ୍ତି  । ଇସିବିକୁ ଦେଇଥିବା ବିବୃତିରେ କହିଛନ୍ତି, ଅନେକ ବିଚାର ବିମର୍ଶ ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ନିଜ ଅବସର ଘୋଷଣା କରୁଛି  । ସବୁଠାରୁ ପ୍ରିୟ ଖେଳକୁ ଅଲବିଦା କହିବା ସହଜ ନିଷ୍ପତ୍ତି ନଥିଲା  । କିନ୍ତୁ ଅବସର ନେବାର ଏହା ଉପଯୁକ୍ତ ସମୟ  । ନିଜ ୧୩ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ମୋର୍ଗାନ ୨ଟି ଆଇସିସି ଟାଇଟଲ ଜିତିଛନ୍ତି  । ତାଙ୍କ ନେତୃତ୍ୱରେ ଇଂଲଣ୍ଡ କ୍ରିକେଟ ଦଳ ଇତିହାସ ରଚିଥିଲା ଏବଂ ୨୦୧୯ରେ ପ୍ରଥମଥର ଦିନିକିଆରେ ବିଶ୍ୱକପ ବିଜେତା ହେବାର ଗୌରବ ହାସଲ କରିଥିଲା  । ୨୦୧୦ରେ ଟି-୨୦ ବିଶ୍ୱକପ ଜିତିଥିବା ଇଂଲଣ୍ଡ ଦଳର ସଦସ୍ୟ ମଧ୍ୟ ଥିଲେ ମୋର୍ଗାନ  ।

ଇସିବି କହିଛି, ଟି-୨୦ରେ ଇଂଲଣ୍ଡ ପାଇଁ ସବୁଠୁ ଅଧିକ ମ୍ୟାଚ ଖେଳିଥିବା ଏବଂ ସର୍ବାଧିକ ରନ୍ କରିଥିବା ଖେଳାଳି ହେଉଛନ୍ତି ମୋର୍ଗାନ  । ୨୦୧୧ରେ ପ୍ରଥମଥର ପାଇଁ ଇଂଲଣ୍ଡ ଦଳର ନେତୃତ୍ୱ ନେଇଥିଲେ । ଇସିବି ନିଜ ବୟାନରେ କହିଛି ପୁରୁଷ ଦିନିକିୟା ଦଳର ଅଧିନାୟକ ରୂପରେ ମୋର୍ଗାନ ୭ ବର୍ଷ ଦାୟିତ୍ୱ ସମ୍ଭାଳିଛନ୍ତି ଏବଂ ଏହି ସମୟରେ ସେ ଇଂଲଣ୍ଡଙକୁ ଆଇସିସି ବିଶ୍ୱ ରାଙ୍କିଂରେ ଶୀର୍ଷ ପର୍ଯ୍ୟନ୍ତ ପହଞ୍ଚାଇଥିଲେ  । ଏହା ବ୍ୟତୀତ ପ୍ରମୁଖ ଦେଶ ବିରୋଧରେ ଉଲ୍ଲେଖନୀୟ ସିରିଜ ମଧ୍ୟ ଜିତିଛନ୍ତି  ।  ମୋର୍ଗାନ ଆୟରଲ୍ୟାଣ୍ଡ ପାଇଁ ଖେଳି ଡେବ୍ୟୁ କରିଥିଲେ  । ପରେ ଇଂଲଣ୍ଡ  ଦଳ ପକ୍ଷରୁ ଖେଳିଥିଲେ  ।

ମୋର୍ଗାନଙ୍କ ନେତୃତ୍ୱରେ ଟିମ ଇଂଲଣ୍ଡ ୨୦୧୬ ଟି-୨୦ ବିଶ୍ୱକପ ଫାଇନାଲରେ ସ୍ଥାନ ତିଆରି କରିଥିଲେ  । ୨୦୧୭ ଚାମ୍ପିୟନ୍ସ ଟ୍ରଫି ଏବଂ ୨୦୨୧ରେ ଟି-୨୦ ବିଶ୍ୱକପ ସେମିଫାଇନାଲରେ ମଧ୍ୟ ପହଞ୍ଚିଥିଲେ  । ମୋର୍ଗାନ ୨୦୧୫ ବିଶ୍ୱକପ ଠିକ ପୂର୍ବରୁ ଇଂଲଣ୍ଡର ଅଧିନାୟକ ଭାର ସମ୍ଭାଳିଥିଲେ  । ତାଙ୍କୁ ଏଲିୟଷ୍ଟର କୁକଙ୍କ ସ୍ଥାନରେ ଦଳର ଅଧିନାୟକତ୍ୱ ମିଳିଥିଲା  । ଅବଶ୍ୟ, ବିଶ୍ୱକପ ୨୦୧୫ରେ ଟିମର ପ୍ରଦର୍ଶନ ଭଲ ନଥିଲା  । ଏହାପରେ ସେ କୋଚ ଟ୍ରେବର ବୋଲିସଙ୍କ ସହ ଇଂଲଣ୍ଡର ଭାଗ୍ୟ ବଦଳାଇବା ପାଇଁ କାମ କରିଥିଲେ ଏବଂ ୨୦୧୯ରେ ଦିନିକିଆ ବିଶ୍ୱକପ ଜିତିଥିଲେ  । ତାଙ୍କର ଅବସର ଘୋଷଣା ପରେ ତାଙ୍କ ସମର୍ଥକମାନେ ଦୁଃଖର ସହ ବିଦାୟ ଦେଉଛନ୍ତି  । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସମର୍ଥକ ମାନେ ଏପରି ନିଷ୍ପତ୍ତି କାହିଁକି ନେଲେ ବୋଲି ପ୍ରଶ୍ନ କରୁଛନ୍ତି  ।

ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ ଓ ଏସପି

ବଲାଙ୍ଗୀର: ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ ଓ ଏସପି  । ବଲାଙ୍ଗୀର ମୁରିବାହାଲ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଚାନକ୍ ପହଞ୍ଚି ସ୍କୁଲ ପରିଦର୍ଶନ କରିବା ସହ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ପାଇଁ ମଧ୍ୟାହ୍ନ ଭୋଜନ କରିଥିଲେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସପି ନୀତିନ କୁଶଲକର । ଜିଲ୍ଲାପାଳ, ଏସପି ଓ ଉପ ଜିଲ୍ଲାପାଳ ମିଶି ଏକାଠି ମଧ୍ୟାହ୍ନ ଭୋଜନ କରୁଥିବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି  ।

ମୁରିବାହାଲ ବ୍ଲକରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜନଶୁଣାଣି ହୋଇଥିଲା  । ଜନଶୁଣାଣିରେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଜିଲ୍ଲାପାଳ ଓ ଏସପି  । ତେବେ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ନିଜ ପାଖରେ ପାଇ ବେଶ ଖୁସି ଅନୁଭବ କରିଥିଲେ ଗ୍ରାମବାସୀ  । ସେପଟେ ସ୍କୁଲରେ ପହଁଚି ଯେଉଁଭଳି ଭାବରେ ମଧ୍ୟାହ୍ନ ଭୋଜନର ମାନ ପରଖିଥିଲେ, ତାହା ଆଗାମୀ  ଦିନରେ  ନିମ୍ନମାନର ଖାଦ୍ୟରେ ରାନ୍ଧିବାରେ ରୋକ ଲଗାଇବ  ।

ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା, ଦେଶଦ୍ରୋହ ଅଭିଯୋଗରେ ହାଇକୋର୍ଟରେ ଆବେଦନ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ମତଭେଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁରେ ମାମଲା । ଜଣେ ସାମଜିକ କର୍ମୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମନ୍ତ୍ରୀ ଆଦିତ୍ୟ ଠାକରେ ଓ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ହାଇକୋର୍ଟରେ ଯାଚିକା ଦାଖଲ କରିଛନ୍ତି ।

ସାମାଜିକ କର୍ମୀଙ୍କ ପକ୍ଷରୁ ଦାଖଲ କରଯାଇଥିବା ଯାଚିକାରେ ଦାବି କରାଯାଇଛି ଯେ ତିନି ନେତାଙ୍କ ବିରୁଦ୍ଧରେ ଅରାଜକତା ଓ ସରକାରୀ କାମକୁ ରୋକିବା ପାଇଁ ଦେଶଦ୍ରୋହ ମାମଲା ଦାଏର କରାଯିବା ଉଚିତ । ଠାକରେ ପିତାପୁତ୍ର ଓ ସଞ୍ଜୟ ରାଉତ ଆୟୋଜନ କରୁଥିବା ପ୍ରେସ କନଫରେନ୍ସରେ ବି ଅଦାଲତ ରୋକ ଲଗାଇବା ଉଚିତ ବୋଲି କହିଛନ୍ତି ଯାଚିକାକର୍ତ୍ତା ।

ଏହି ତିନି ନେତା ସାର୍ବଜନିକ ସ୍ଥାନରେ ଶାନ୍ତି ଭଙ୍ଗ କରୁଛନ୍ତି । ଏହାଛଡା ଏକନାଥ ସିନ୍ଦେ ଓ ତାଙ୍କ ଗୋଷ୍ଠୀ ବିରୁଦ୍ଧରେ ତିନି ନେତାଙ୍କ ଆପତ୍ତିଜନକ ବୟାନରେ ରୋକ ଲଗାଇବା ଉଚିତ ବୋଲି ଜନହିତ ଯାଚିକାରେ ଉଲ୍ଲେଖ ହୋଇଛି । ତିନି ନେତାଙ୍କ ଧମକ ପାଇଁ ଶିବସେନାର ବିଦ୍ରୋହୀ ବିଧାୟକ ଆସାମରେ ଡେରା ପକାଇଛନ୍ତି ।

ଏମାନଙ୍କ ପ୍ରରୋଚନାରେ ଶିବସୈନିକ ମାନେ ରାଜ୍ୟରେ ହିଂସା ସୃଷ୍ଟି କରୁଥିବାବେଳେ ଅନେକ ସ୍ଥାନରେ ଦଙ୍ଗାର କାରଣ ସାଜୁଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ ।

 

ନୁପୁରଙ୍କ ସମର୍ଥନରେ ପୋଷ୍ଟ କରିଥିବାରୁ ଟେଲରଙ୍କୁ ହତ୍ୟା

ଉଦୟପୁର: ସମର୍ଥନରେ ଗଣମାଧ୍ୟମରେ ପୋଷ୍ଟ କରିବାରୁ ଜଣଙ୍କୁ ସ୍ପଷ୍ଟ ଦିବାଲୋକରେ ଜଘନ୍ୟ ହତ୍ୟା  । ଜୟପୁର ଉଦୟପୁର ଜିଲ୍ଲା ଧାନମଣ୍ଡି ସ୍ଥିତ ଭୂତମହଲରେ ଘଟିଛି ଏହି ଅଭାବବନୀୟ ଘଟଣା  ।  ବିବାଦୀୟ ପୂର୍ବତନ ବିଜେପି ନେତ୍ରୀ ନୁପୁର ଶର୍ମାଙ୍କ ସମର୍ଥନରେ ଗଣମାଧ୍ୟମରେ ପୋଷ୍ଟ କରିବାରୁ ହତ୍ୟା କରାଯାଇଛି । ସମର୍ଥନରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଦୋକାନରେ ପସି ଦିନ ଦିପ୍ରହରରେ  ଆକ୍ରମଣକାରୀ ଖଣ୍ଡାରେ ଆକ୍ରମଣ କରିବା ସହ ତାଙ୍କ ବେକ କାଟି ହତ୍ୟା କରିଛନ୍ତି  । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । କେବଳ ଏତିକି ନୁହେଁ ଘଟଣା ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି ଦୁଇ ମୁସଲିମ ଯୁବକ।

କହ୍ନେୟାଲାଲ ତେଲିଙ୍କର ଧାନମଣ୍ଡି ସ୍ଥିତ ଭୂତମହଲ ପାଖରେ ସୁପ୍ରିମ ଟେଲର୍ସ ନାଁରେ ଦୋକାନ ରହିଛି  । ମଙ୍ଗଳବାର ଦ୍ୱିପ୍ରହର ପ୍ରାୟ ୨ଟା ୩୦ ମିନିଟରେ ବାଇକରେ ଦୁଇଜଣ ଦୁର୍ବୁର୍ତ୍ତ ଆସିଥିଲେ  । ମାପ ଦେବା ବାହାନା କରି ଦୋକାନରେ ପସିଥିଲେ  । କହ୍ନେୟାଲାଲ କିଛି ବୁଝିବା ଆଗରୁ ଦୁର୍ବୁର୍ତ୍ତ ଆକ୍ରମଣ କରିଦେଇଥିଲେ  । ଖଣ୍ଡାରେ ଚୋଟ ପରେ ଚୋଟ ମାରିଥିଲେ । ଘଟଣାସ୍ଥଳରେ ହିଁ କହ୍ନେୟାଲାଲଙ୍କ ମୃତ୍ୟୁ ଘଟିଥିଲା  । ଏହାପରେ ଦୁଇ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ  । ସୂଚନା ମିଳିବା ପରେ ଧାନମଣ୍ଡି ସମେତ ଘଣ୍ଟାଘର ଏବଂ ସୁରଜପୋଲ ଥାନାର ପିସିଆର ଘଟଣାସ୍ଥଳରେ ପହଞ୍ଚିଥିଲା  । ଫରେନ୍ସିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି  । ଏସପି ଏବଂ ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି  ।

ସୂଚନାନୁଯାୟୀ କହ୍ନେୟାଲାଲ ବିଳାସ ଅଞ୍ଚଳରେ ରହୁଥିଲେ  । ୧୦ ଦିନ ପୂର୍ବରୁ ସେ ବିଜେପିରୁ ବହିସ୍କୃତ ନୁପୁର ଶର୍ମାଙ୍କ ସପକ୍ଷରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ  । ଏହାପରଠାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଏକ ସମ୍ପ୍ରଦାୟରୁ ଧମକ ଆସୁଥିଲା  । କହ୍ନେୟାଲାଲ ଏତେ ଭୟଭୀତ ଥିଲେ ଯେ ୬ ଦିନ ହେବ ନିଜ ଟେଲର ଦୋକାନ ଖୋଲୁନଥିଲେ  । ତାଙ୍କୁ ଧମକ ଦେଉଥିବା ମୁସଲିମ ଯୁବକଙ୍କ ବିରୋଧରେ ପୋଲିସରେ ମାମଲା ମଧ୍ୟ ରୁଜୁ କରିଥିଲେ କହ୍ନେୟାଲାଲ । ହେଲେ ପୋଲିସ ଏହାକୁ ଗମ୍ଭୀରତାର ସହ ନେଇନଥିଲା । ତାଙ୍କର ଏବେ ମୃତ୍ୟୁ ହେବାପରେ ଅଞ୍ଚଳରେ ଅଶାନ୍ତି ଦେଖାଯାଇଛି  ।

ଅନେକ ସ୍ଥାନରେ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବାକୁ ଆନ୍ଦୋଳନ ସହ ରାସ୍ତାରୋକ କରାଯାଉଛି  । କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟିନେହବ ସେଥିପାଇଁ ପୋଲିସ ପକ୍ଷରୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି  । ଘଟଣାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଜଘନ୍ୟ ହତ୍ୟାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି  । ସମସ୍ତେ ଶାନ୍ତି ବଜାୟ ରଖିବା ପାଇଁ ସେ ଅପିଲ କରିଛନ୍ତି  । ସୂଚନା ଥାଉକି ବିଜେପିର ପୂର୍ବତନ ନେତ୍ରୀ ନୁପୁର ଶର୍ମା ଏକ ଟିଭି ସୋ’ରେ ମୁସଲିମ ଧର୍ମକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ  ।  ତାଙ୍କର ଏହି ବୟାନକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା  । ବିଜେପି ମଧ୍ୟ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା  ।

ଜୁଲାଇ ୧ରୁ ଦେଶରେ ବ୍ୟାନ୍‌ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ

ନୂଆଦିଲ୍ଲୀ: ଜୁଲାଇ ୧ରୁ ଦେଶରେ ବ୍ୟାନ ହେବ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ । ଏଥିରୁ ପ୍ରସ୍ତୁତ ସାମଗ୍ରୀରେ ବ୍ୟାନ ଲଗାଇବାପାଇଁ ଘୋଷଣା କରିଛି ପରିବେଶ ମନ୍ତ୍ରାଳୟ । ଏକକ ବ୍ୟବହାର ପ୍ଲାଷ୍ଟିକରେ ତିଆରି ବସ୍ତୁ କମ ବ୍ୟବହାର ହେବା ସହ ଆବର୍ଜନା ସୃଷ୍ଟି କରିଥାଏ । ଯେଉଁଥିପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ଆସନ୍ତା ଜୁଲାଇ ୧ରୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ପ୍ରସ୍ତୁତି, ଆମଦାନୀ, ଷ୍ଟକ, ବିତରଣ, ବିକ୍ରି ଓ ବ୍ୟବହାରରେ ପ୍ରତିବନ୍ଧକ ଲାଗିବ । ପ୍ଲାଷ୍ଟିକ କପ, ଗ୍ଲାସ, ଚାମଚ, ଛୁରୀ, ଷ୍ଟ୍ର, ପିବିସିରେ ତିଆରି ୧୦୦ ମାଇକ୍ରୋନରୁ କମ ମୋଟା ବ୍ୟାନର ଆଉ ବଜାରରେ ଦେଖିବାକୁ ମିଳିବନି  । ଏହା ବ୍ୟତୀତ ବେଲୁନ, ଇଅର ବଡ, ଆଇସକ୍ରିମ, କ୍ୟାଣ୍ଡି (ଚକୋଲେଟ)ରେ ବ୍ୟବହୃତ ପ୍ଲାଷ୍ଟିକ କାଠିକୁ ବି ବାଦ୍‌ ଦିଆଯାଇଛି ।

ପ୍ରତିବନ୍ଧିତ ବସ୍ତୁରେ ମିଠାଡବା, ସିଗାରେଟ ପ୍ୟାକେଟ, ନିମନ୍ତ୍ରଣ କାର୍ଡ ବି ସାମିଲ ରହିଛି । ସାଧାରଣତଃ ପ୍ଲାଷ୍ଟିକ ପେପର ଗୁଡିକ ପ୍ୟାକେଜିଂ ଉଦ୍ଦ୍ୟୋଗରେ ବହୁଳ ଭାବରେ ବ୍ୟବହୃତ ହୁଏ  । ଏହା ଆଦ୍ରର୍ତାକୁ ନିୟନ୍ତ୍ରଣ କରି ସାମଗ୍ରୀକୁ ଖରାପ ହେବାରୁ ରକ୍ଷା କରିଥାଏ ।

ପୂର୍ବରୁ ବି ପ୍ଲାଷ୍ଟିକ ନିର୍ମିତ କିଛି ସାମଗ୍ରୀ ଉପରେ ସରକାର କଟକଣା ଲଗାଇଥିଲେ । ଏଥିରେ ୭୫ ମାଇକ୍ରୋନରୁ କମ ମୋଟା ଯୁକ୍ତ ପ୍ଲାଷ୍ଟିକ କ୍ୟାରି ବ୍ୟାଗର ପ୍ରସ୍ତୁତି, ଆମଦାନୀ, ବିତରଣ, ବିକ୍ରି ଓ ବ୍ୟବହାର ସାମିଲ ଅଛି । ସେହିପରି ଆଗାମୀ ଡିସେମ୍ବର ୩୧, ୨୦୨୨ରୁ ୧୨୦ ମାଇକ୍ରୋନରୁ କମ ମୋଟେଇଯୁକ୍ତ ପ୍ଲାଷ୍ଟିକ ବ୍ୟବହାର ରେ ପ୍ରତିବନ୍ଧକ ଲାଗିବ ।

ମନ୍ତ୍ରାଳୟ କହିଛି ଯେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବି ନିଜ ସୀମାରେ ଚେକପଏଣ୍ଟ କରି କଡା ଯାଞ୍ଚ କରିବେ  । ଯେପରି ଏହି ସାମଗ୍ରୀ ଅନ୍ୟ ରାଜ୍ୟକୁ ପହଞ୍ଚି ପାରିବ ନାହିଁ । ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ଯୋଗୁଁ କେବଳ ସ୍ଥଳଭାଗ ନୁହେଁ ସମୁଦ୍ର ପରିବେଶ ବି ଦୂଷିତ ହେଉଥିବା କହିଛି ପରିବେଶ ମନ୍ତ୍ରାଳୟ ।

ଗଣଶିକ୍ଷା ମନ୍ତ୍ରୀଙ୍କ ଆକ୍ସନ୍, ପରିବହନ ବିଭାଗର ରିଆକ୍ସନ୍

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଆକ୍ସନ ପରେ ସ୍ପେଶାଲ ଡ୍ରାଇଭ । ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହେବ ସ୍ପେଶାଲ ଡ୍ରାଇଭ । ଆସନ୍ତା ୧ ସପ୍ତାହ ପାଇଁ  ପରିବହନ ବିଭାଗ କରିବ ସ୍ୱତନ୍ତ୍ର ଡ୍ରାଇଭ । ସ୍କୁଲ ଓ କଲେଜ ବସ୍ ଓଭରଲୋଡ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସପ୍ତାହେ ପରେ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବେ ପରିବହନ କମିଶନର । ପରିବହନ କମିଶନର ରିପୋର୍ଟକୁ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାଖଲ କରିବେ ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗତ ୨୩ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଗସ୍ତ କରିଥିଲେ  । କୌଣସି ଏକ କାର୍ଯ୍ୟକ୍ରମକୁ ଗସ୍ତ କଲାବେଳେ ବାଟରେ ଅଟକିଥିଲେ ସମୀର  । ଏବଂ ସେହି ସମୟରେ ରାସ୍ତାରେ ଯାଉଥିବା ଏକ ବସକୁ ଅଟକାଇ ତନଖି କରିଥିଲେ  । ସିଟ୍ ଠାରୁ ଅଧିକ ଛାତ୍ରଙ୍କୁ ବସରେ ଓଭରଲୋଡ କରି ନିଆଯାଉଥିବା ମନ୍ତ୍ରୀଙ୍କ ଦୃଷ୍ଟିଗୋଚର ହୋଇଥିଲା  । ପରେ ମନ୍ତ୍ରୀ ନିଜେ ବସକୁ ସିଜ କରିବା ସହ  କର୍ମଚାରୀଙ୍କୁ ତାଗିଦ୍ କରିଥିଲେ  ।

 

ଜିଓ ନିର୍ଦ୍ଦେଶକ ପଦରୁ ମୁକେଶ ଅମ୍ବାନୀଙ୍କ ଇସ୍ତଫା

ମୁମ୍ବାଇ: ଏସିଆ ମହାଦେଶ ଓ ଦେଶର ଦ୍ୱିତୀୟ ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ପାନୀ ଜିଓ କମ୍ପାନୀରେ ବଡଧରଣର ପରିବର୍ତ୍ତନ କରିଛନ୍ତି  । ଜିଓ ଟେଲିକମ କମ୍ପାନୀର ନୂଆ ଅଧ୍ୟକ୍ଷ ଭାବେ ଆକାଶ ଅମ୍ବାନୀ ନିଯୁକ୍ତ ହୋଇଛନ୍ତି । ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବା ପରେ ତାଙ୍କ ପୁଅକୁ ନିଯୁକ୍ତି ମିଳିଛି । କମ୍ପାନୀର ବୋର୍ଡ ମିଟିଙ୍ଗରେ ଆକାଶଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି  । ଜିଓ ଦେଶର ଅଗ୍ରଣୀ ୪ଜି ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ଅଟେ  । ବଜାର ନିୟନ୍ତ୍ରକ ସଂସ୍ଥା ସେବିକୁ ମଧ୍ୟ କମ୍ପାନୀରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦିଆଯାଇଛି  ।

ଗତ ବର୍ଷ ଡିସେମ୍ବରରେ ମୁକେଶ ନେତୃତ୍ୱରେ ପରିବର୍ତ୍ତନ ହେବ ବୋଲି କହିଥିଲେ  । ସେ କହିଥିଲେ, ବଡ ଲକ୍ଷ୍ୟ ହାସଲ କରିବା ପାଇଁ ନୂଆ ନେତୃତ୍ୱକୁ ଆଗକୁ ଆଣିବା ଆବଶ୍ୟକ  । ସୂଚନାଯୋଗ୍ୟ ଦୀର୍ଘ ଦିନ ହେବ ଦେଶର ସବୁଠୁ ଧନୀ ବ୍ୟକ୍ତି ଭାବେ ମୁକେଶ ଅମ୍ବାନୀ ଧନୀ ସୂଚୀରେ ଶୀର୍ଷରେ ରହୁଥିଲେ  । ହେଲେ କିଛି ଦିନ ହେବ ଧନୀ ତାଲିକାରେ ତଳକୁ ଖସୁଛନ୍ତି  । ଶୀର୍ଷରେ ଆଦାନୀ ରହିଛନ୍ତି । ପୁଣିଥରେ ନିଜ ପୂରୁଣା ସ୍ଥିତିକୁ ଫେରିବା ପାଇଁ ନୂଆ ଋଣନୀତି ପ୍ରସ୍ତୁତ କରିଛନ୍ତି ଅମ୍ବାନୀ  ।

ପୋଲିଓ ଟୀକାକରଣ ଟିମ୍ ଉପରେ ଆକ୍ରମଣ, ୨ ପୋଲିସ କର୍ମୀଙ୍କ ସହ ୩ମୃତ

ପେଶୱାର: ପାକିସ୍ତାନରେ ପୋଲିଓ ନିରୋଧୀ ଟିକାକରଣ ପାଇଁ ଯାଇଥିବା ଟିମ୍ ଉପରେ ଆକ୍ରମଣ । ୨ ପୋଲିସ କର୍ମୀଙ୍କ ସମେତ ୩ଜଣଙ୍କ ମୃତ୍ୟୁ । ଏହି ଅଭାବନୀୟ ଘଟଣା ଘଟିଛି ପାକିସ୍ତାନର ଅଶାନ୍ତ ଉତ୍ତର ବଜିରିସ୍ତାନ କବାୟଲିରେ ଘଟିଛି । ଆଫଗାନୀସ୍ତାନ ସୀମାକୁ ଲାଗି ଏହି ଜିଲ୍ଲାରେ ଚଳିତ ବର୍ଷ ୯ ପୋଲିଓ ରୋଗୀ ଚିହ୍ନ ହୋଇଛନ୍ତି  । ଏହି କାରଣରୁ ପୋଲିଓ ନିରୋଧ ଅଭିଯାନରେ ଟୀକାକରଣ ପାଇଁ ଏକ ଟିମ ଘର ଘର ବୁଲି ଛୋଟ ପିଲାଙ୍କୁ ପୋଲିଓ ଟୀକା ଦେଉଥିଲା  । ଆଜି ଯିବା ସମୟରେ ବନ୍ଧୁକଧାରୀମାନେ ଟିମ୍ ଉପରେ ଆକ୍ରମଣ କରିଦେଇଥିଲେ  । ଏଥିରେ ଟିମର ଜଣେ ସଦସ୍ୟ ଏବଂ ସେମାନଙ୍କୁ ସୁରକ୍ଷା ଦେଉଥିବା ୨ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଯାଇଛି  । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି  ।

ନିକଟ ସମୟରେ ପୋଲିଓ ବିରୋଧୀ ଟୀକାକରଣ ଅଭିଯାନରେ ସାମିଲ କର୍ମଚାରୀଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି  । ଚଳିତ ବର୍ଷ ମାର୍ଚ୍ଚରେ ଉତ୍ତର ପଶ୍ଚିମ ପାକିସ୍ତାନରେ ବନ୍ଧୁକଧାରୀମାନେ ଜଣେ ମହିଳା ପୋଲିଓ କର୍ମୀଙ୍କୁ ଗୁଳି କରି ହତ୍ୟା କରିଥିଲେ  । ସେ ପୋଲିଓ ଟୀକା ଦେଇ ଫେରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା  । ଗତ ବର୍ଷ ଜାନୁଆରୀରେ ଉତ୍ତର ପଶ୍ଚିମ ପାକିସ୍ତାନରେ ପୋଲିଓ ଟୀକାକରଣ କର୍ମୀଙ୍କ ସୁରକ୍ଷା କରୁଥିବା ଜଣେ ପୋଲିସ ଅଧିକାରୀଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା  । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ବିଶ୍ୱରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ଏପରି ଦୁଇଟି ରାଷ୍ଟ୍ର ଯେଉଁଠି ପୋଲିଓ ରୋଗୀଙ୍କ ସଂଖ୍ୟା ଏବେବି ରହିଛି  ।

ବର୍ଷା ପୂର୍ବରୁ ଚେତାଇଲା ବିଭାଗ, ମୁକୁଳା ନରହୁ ଡ୍ରେନ୍

ଭୁବନେଶ୍ୱର: ବର୍ଷା ଦିନ ପୂର୍ବରୁ ସବୁ ପୌରାଞ୍ଚଳକୁ ସତର୍କ କଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ବର୍ଷା ଦିନକୁ ଦୁର୍ଘଟଣା ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ସଚିବ । ସବୁ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା ସହ ସମ୍ବେଦନଶୀଳ ସ୍ଥାନରେ ଜାଲି ଲଗା କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଭର ଫ୍ଲୋ ହେଉଥିବା ଡ୍ରେନଗୁଡିକକୁ ନିୟମିତ ଯାଞ୍ଚ କରାଯିବ । ଅତୀତରେ ମୁକୁଳା ଡ୍ରେନରେ ପଡି ଅନେକ ମୃତାହତ ହୋଇଛନ୍ତି । ଯାହାକୁ ନେଇ ସରକାର ଅଡୁଆରେ ପଡିଛନ୍ତି ।

ତେଣୁ ପୌର ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଏଭଳି ଅଘଟଣାକୁ ଏଡାଇବା ପାଇଁ ଆବଶ୍ୟକ ପ୍ରତିଷେଧକମୂଳକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସହରାଞ୍ଚଳ ବନ୍ୟାରେ ଡ୍ରେନଗୁଡିକ ଯେଭଳି ମୃତ୍ୟୁଯନ୍ତା ନପାଲଟେ ସେଥିପାଇଁ ସମ୍ପୃକ୍ତ ବିଭାଗ ଏଥିପାଇଁ ଉତ୍ତରଦାୟୀ ରହିବେ । ପୌର ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଥିବା ଡ୍ରେନ ଓ ରାସ୍ତାର ପ୍ରତ୍ୟକ୍ଷ ଯାଞ୍ଚ କରି ଜୁନ ୩୦ ସୁଦ୍ଧା ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ରାମଗୋପାଲଙ୍କ ବିରୋଧରେ ରାଇରଙ୍ଗପୁରରେ ଏତଲା

ମୟୁରଭଞ୍ଜ: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିଲେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା  । ରାମ ଗୋପାଲଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଥାନାରେ ଏତଲା।   ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ସୋସିଆଲ ମିଡିଆରେ ରଅନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ  । ଯାହାକୁ ନେଇ ଦେଶବ୍ୟାପୀ ରାମଗୋପାଲଙ୍କୁ ସମାଲୋଚନା କରାଯାଇଥିଲା   । ଜଣେ ଫିଲ୍ମ ନିର୍ମାତାଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଥିଲେ ସାଧାରଣ ଲୋକେ  । ଆଜି ରାଇରଙ୍ଗପୁର ବିଜେପି ପକ୍ଷରୁ ଟାଉନ ଥାନାରେ  ଏକ ଏତଲା ଦିଆଯାଇଛି।

ଜଣେ ଆଦିବାସୀ ମହିଳାଙ୍କ ପ୍ରତି ଏପରି ଅଶାଳୀନ ମନ୍ତବ୍ୟ ଦେଇ ସାରା ଦେଶରେ ଅପମାନିତ କରାଯିବା ପରି ଘୃଣ୍ୟ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ଥାନୀୟ ବିଜେପି ନେତୃବୃନ୍ଦ କ୍ଷୋଭ ପ୍ରକାଶ କରିଛନ୍ତି । ଏହାସହ ଏପରି ମନ୍ତବ୍ୟ ସମଗ୍ର ଆଦିବାସୀ ସମାଜ ଓ ନାରୀ ଜାତି ପ୍ରତି ଅସୁୟା ମନୋଭାବର ପରିଚୟ ପ୍ରଦାନ କରୁଛି। ରାମ ଗୋପାଳ ବର୍ମାଙ୍କୁ ଗିରଫ କରା ନଗଲେ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି ବିଜେପି  ।

ମିଳିଥିବା ସୂଚନା ମୁତାବକ, ରାମ ଗୋପାଳ ବର୍ମା ଗତ ୨୨ ତାରିଖରେ ଏକ ଟ୍ୱିଟ କରିଥିଲେ  । ସେଥିରେ ସେ ଉଲ୍ଲେଖ କରିଥିଲେ କି, ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ପାଣ୍ଡବ କିଏ? ଏବଂ ଏହାଠାରୁ ବି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌରବ କିଏ ? ତାଙ୍କର ଏପରି ଟ୍ୱିଟ ପରେ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଥିଲା  । ତେବେ  ଫିଲ୍ମ ନିର୍ମାତା ରାମଗୋପାଲ ବର୍ମାଙ୍କ ବିରୋଧରେ ତେଲେଙ୍ଗାନାରେ ମଧ୍ୟ ବିରୋଧ ଦେଖାଯିବା ସହ ତାଙ୍କ ବିରୋଧରେ ଏତଲା ଦିଆଯାଥିଲା ଆଜି ରାଇରଙ୍ଗପୁରରେ ଦିଆଯାଇଛି ଏତଲା  ।