କେରଳ ହାଇକୋର୍ଟଙ୍କ ବଡ଼ ରାଏ: ବ୍ୟକ୍ତିକୁ ପରିଚୟ ପତ୍ରରେ ବାପାଙ୍କ ନାଁ ନଲେଖିବାର ଅଧିକାର ଅଛି

1 min read

ଥିରୁଅନନ୍ତପୁରମ: କେରଳ ହାଇକୋର୍ଟ ଶନିବାର ବଡ଼ ରାଏ ଶୁଣାଇଛନ୍ତି । ଅବିବାହିତ ମହିଳା ଏବଂ ରେପ ପୀଡିତା ମହିଳାଙ୍କ ସନ୍ତାନଙ୍କୁ ଅପମାନ ଏବଂ ସମାଜର ଧିକ୍କାରରୁ ସୁରକ୍ଷା ଦେବା ପାଇଁ କୋର୍ଟ ବଡ ରାଏ ଦେଇଛନ୍ତି । କୋର୍ଟ କହିଛନ୍ତି, କୌଣସି ବି ମନୁଷ୍ଯକୁ ନିଜ ପରିଚୟ ପତ୍ରରେ ବାପାଙ୍କ ନାଁ ନଲେଖିବାର ସମ୍ପୂର୍ଣ୍ଣ ଅଧିକାର ଅଛି । ଅବିବାହିତ ମା’ ଏବଂ ରେପ ପୀଡିତାଙ୍କ ସନ୍ତାନକୁ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏହି ରାଏ ଶୁଣାଇଛନ୍ତି କୋର୍ଟ । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆବେଦନକାରୀଙ୍କ ପ୍ୟାରେଣ୍ଟ ରୂପରେ କେବଳ ମା’ଙ୍କ ନାଁ ଥିବା ସାର୍ଟିଫିକେଟ ଜାରି କରାଯାଉ ।

ଶୁଣାଣି ସମୟରେ ବିଚାରପତି କୁହ୍ନିକୃଷ୍ଣାନ ମହାଭାରତର କର୍ଣ୍ଣଙ୍କ ଉଲ୍ଲେଖ କରି କହିଥିଲେ, ଆମେ ଏପରି ଏକ ସମାଜ ଚାହୁଁଛେ ଯେଉଁଥିରେ କର୍ଣ୍ଣ ଭଳି ବ୍ୟକ୍ତି ନରହୁନ୍ତୁ, ଯିଏ ନିଜ ଜୀବନକୁ ଅଭିସପ୍ତ ବୋଲି ଭାବିବ । ନିଜ ବାପା-ମାଙ୍କ ନାଁ ନଜାଣିଥିବା କାରଣରୁ ସେମାନଙ୍କୁ ଅପମାନର ସାମ୍ନା କରିବାକୁ ପଡିବ । ଏହାପରେ କୋର୍ଟ ଜନ୍ମ ସାର୍ଟିଫିକେଟରୁ ବାପାଙ୍କ ନାଁ ହଟାଇବା ଏବଂ ପ୍ୟାରେଣ୍ଟସ ରୂପରେ କେବଳ ମା’ଙ୍କ ନାଁ ଥିବା ସାର୍ଟିଫିକେଟ ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ କୋର୍ଟ କହିଛନ୍ତି, ଜଣେ ଅବିବାହିତ ମା’ଙ୍କ ସନ୍ତାନ ବି ଆମ ଦେଶର ନାଗରିକ ଅଟେ ଏବଂ କେହି ବି  ତାର ମୌଳିକ ଅଧିକାରର ଛଡାଇ ନେଇପାରିବେ ନାହିଁ । ଭାରତୀୟ ସମ୍ବିଧାନ ସେମାନଙ୍କୁ ଏହି ଅଧିକାର ସହ ବଞ୍ଚିବାର ପ୍ରତିଶୃତି ଦେଉଛି । ତେବେ ଯଦି କେହି ଏମାନଙ୍କ ଅଧିକାରରେ ବାଧା ସୃଷ୍ଟି କରନ୍ତି, ସମ୍ବିଧାନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।