ପୁଅ ଫେରି ଆସିବାକୁ ନିବେଦନ କଲେ ଅପରାଜିତା, ବୁଝାଇଲେ ବନ୍ଧୁତାର ସଂଜ୍ଞା

ଭୁବନେଶ୍ବର: ବାବୁସାନ ବିବାଦରେ ମୁହଁ ଖୋଲିଲେ ମା’ ଅପରାଜିତା ମହାନ୍ତି । ସ୍ତ୍ରୀ ଓ ପୁଅ ପାଖକୁ ପୁଣି ଥରେ ବାବୁସାନ୍‌ ଫେରି ନୂଆ ଆରମ୍ଭ କରୁ ବୋଲି ଆଶା ପ୍ରକାଶ କରିଛନ୍ତି ଅପରାଜିତା  ।

ବାବୁସାନ୍‌ ଓ ପ୍ରକୃତିଙ୍କ ବନ୍ଧୁତ୍ବ ବିଷୟରେ ଚାରିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ବନ୍ଧୁତାର ସଂଜ୍ଞା ବୁଝାଇଛନ୍ତି ଅପରାଜିତା । ପ୍ରକୃତ ବନ୍ଧୁ ହିଁ ଜଣେ ବନ୍ଧୁକୁ କେବେ ଅସୁବିଧାରେ ପକାଏ ନାହିଁ ବୋଲି ସେ କହିଛନ୍ତି । ଦୀର୍ଘ ଦେଢ ବର୍ଷ ହେବ ବାବୁସାନ୍‌ର ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆସିଥିବା ସେ କହିଛନ୍ତି  ।

ଭୁଲ ସଙ୍ଗତରେ ଆସି ବାବୁସାନ୍‌ର ସର୍ବନାଶ ହୋଇଛି। ଦେଢବର୍ଷ ଭିତରେ ସେ ଖୁବ୍‌ ବଦଳି ଯାଇଛି । ନିଜ ଲୋକଙ୍କୁ ଖୁବ ଭଲ ପାଉଥିବା ବାବୁସାନ୍‌ କେଉଁଟା ଖରାପ, କେଉଁଟା ଭଲ ବି ବୁଝିପାରିଲାନି  । ସେ ବହୁତ୍‌ ଭଲ ପିଲାଟିଏ ଓ ବହୁତ ଗେହ୍ଲା  ।  ବାପା, ମା’, ସ୍ତ୍ରୀ ଓ ଛୁଆଙ୍କୁ ସେ ବହୁତ ଭଲପାଏ ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ଅପରାଜିତା ।

ସେ ଆହୁରି ମଧ୍ୟ କହିଛନ୍ତି ‘ମୋ ପୁଅ ବହୁତ ଟ୍ୟାଲେଣ୍ଟେଡ  । ଓଡ଼ିଆ ଫିଲ୍ମ ପାଇଁ ସେ ବହୁତ କିଛି କରିବାକୁ ଚାହେଁ  । ପୂର୍ବଭଳି ଓଡିଆ ଦର୍ଶକ ତା ଭୁଲ କ୍ଷମା କରି ତାକୁ ସେହି ଭଲ ପାଇବା ଦିଅନ୍ତୁ’ ବୋଲି ନିବେଦନ କରିଛନ୍ତି ଅପରାଜିତା ।