ଦେଶରେ ବେକାରୀ ହାର ବଢ଼ି ଚାଲିଛି

1 min read

ନୂଆଦିଲ୍ଲୀ: ଦେଶରେ ବେକାରୀ ହାର ବଢ଼ି ଚାଲିଛି। ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ଚିତ୍ର । ଗତ ୮ ବର୍ଷରେ ସରକାରୀ ଚାକିରି ପାଇଁ ୨୨.୦୫ କୋଟି ଆବେଦନ କରାଯାଇଥିବାବେଳେ ମାତ୍ର ୭.୨୨ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଦିଆଯାଇଛି ଏହି ସୂଚନା । ବେକାରୀ ପ୍ରସଙ୍ଗରେ ସଂସଦରେ ବିରୋଧୀ ହଙ୍ଗାମା ଜାରି ରଖିଛନ୍ତି ।

ସରକାର ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାକୁ ଏଡ଼ାଇବା ପାଇଁ ସରକାର ବିରୋଧୀ ସାଂସଦଙ୍କ ନିଲମ୍ବନକୁ ଅସ୍ତ୍ର କରିଥିବା କୁହାଯାଉଛି । ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ୨୦୧୪-୧୫ରୁ ୨୦୨୧-୨୨, ୮ବର୍ଷ ମଧ୍ୟରେ ୨୨.୦୫ କୋଟି ଆଶାୟୀ କେନ୍ଦ୍ର ସରକାରରେ ଚାକିରି ପାଇଁ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ୭.୨୨ ଲକ୍ଷଙ୍କୁ ଚାକିରି ମିଳିଛି । ସରକାର ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଉଲ୍ଲେଖ କରିଛନ୍ତି । ତେବେ ମନ୍ତ୍ରୀଙ୍କ ଉତ୍ତର ବିରୋଧୀ ସାଂସଦମାନଙ୍କୁ ସନ୍ତୁଷ୍ଟ କରିପାରିନାହିଁ ।

ସୂଚନା ଅନୁଯାୟୀ ୨୦୨୧-୨୨ରେ ୧, ୮୬, ୭୧, ୧୨୧ ଆବେଦନ କରାଯାଇଥିବାବେଳେ ମାତ୍ର ୩୮, ୮୫୦ ଜଣ ଚାକିରି ପାଇଥିଲେ। ସେହିପରି ୨୦୨୦-୨୧ରେ ୧, ୮୦, ୦୧, ୪୬୯ ଆବେଦନ ଏବଂ ୭୮, ୫୫୫ ନିଯୁକ୍ତି, ୨୦୧୯-୨୦ରେ ୧, ୭୮, ୩୯, ୭୫୨ ଆବେଦନ ଏବଂ ୧, ୪୭, ୦୯୬ ନିଯୁକ୍ତି, ୨୦୧୮-୧୯ରେ ୫, ୦୯, ୩୬, ୪୭୯ ଆବେଦନ ଏବଂ ୩୮, ୧୦୦ ନିଯୁକ୍ତି, ୨୦୧୭-୧୮ରେ ୩, ୯୪, ୭୬, ୮୭୮ ଆବେଦନ ଏବଂ ୭୬, ୧୪୭ ନିଯୁକ୍ତି, ୨୦୧୬-୧୭ରେ ୨, ୨୮, ୯୯, ୬୧୨ ଆବେଦନ ଏବଂ ୧,୦୧, ୩୩୩ ନିଯୁକ୍ତି, ୨୦୧୫-୧୬ରେ ୨,୯୫, ୫୧, ୮୪୪ ଆବେଦନ ଏବଂ ୧, ୧୧, ୮୦୭ ନିଯୁକ୍ତି, ୨୦୧୪-୧୫ରେ ୨,୩୨, ୨୨, ୦୮୩ ଆବେଦନ କରିଥିବାବେଳେ ୧, ୩୦, ୪୨୩ ନିଯୁକ୍ତି ପାଇଥିଲେ।