spot_img
Home Blog Page 4232

ଉପନିର୍ବାଚନ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁରୁଦାୟିତ୍ବ, ଗଡ଼ ସମ୍ଭାଳିବେ ବିଧାୟକ ଓ ଛାମୁଆ ସଙ୍ଗଠନର ନେତା

ବ୍ରଜରାଜନଗର: ବିଜେଡିର ବ୍ରଜରାଜନଗର ଟିମ୍‌ । ମନ୍ତ୍ରୀ ଓ ବିଧାୟକଙ୍କୁ ଉପନିର୍ବାଚନ ପାଇଁ ଦାୟିତ୍ବ ଦେଇଛନ୍ତି ସୁପ୍ରିମୋ । ପଞ୍ଚାୟତ ଓ ପୌରପରିଷଦରେ ସ୍ୱତନ୍ତ୍ର ଭାବରେ ବିଧାୟକ ଓ ମନ୍ତ୍ରୀଙ୍କ ସହ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ଦାୟିତ୍ବ ଦେଇଛି ଦଳ । ବ୍ରଜରାଜନଗର ଉପନିର୍ବାଚନ ପରିଚାଳନା ପାଇଁ ମନ୍ତ୍ରୀ ନବ ଦାସଙ୍କୁ ଗୁରୁଦାୟିତ୍ବ ଦିଆଯାଇଛି । ଏହା ସହ ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ, ସହ ପର୍ଯ୍ୟବେକ୍ଷକ ବିଷ୍ଣୁ କେଡ଼ିଆ ରହିଛନ୍ତି । ବ୍ରଜରାଜନଗର ପୌରାଞ୍ଚଳରେ ମନ୍ତ୍ରୀ ପ୍ରତାପ ଜେନା, ଯୋଜନା କମିସନ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି ।

ବେଲପାହାଡ଼ ପୌରାଞ୍ଚଳ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ଅତନୁ ସବ୍ୟସାଚୀଙ୍କୁ ଦାୟିତ୍ଵ ଦିଆଯାଇଛି । ସେହିପରି ବିଧାୟକ ଚନ୍ଦ୍ର ସାରଥୀ ବେହେରା କଣ୍ଢେଇକେଲା ଓ ରେମତା ଜିପି ଦାୟିତ୍ୱ, ବିଧାୟକ ପ୍ରିତିରଂଜନ ଘଡ଼େଇଙ୍କୁ ଚାରପାଲି ଓ ପିଥିଣ୍ଡା, ବିଧାୟକ ରଜେନ୍ଦ୍ର ଡ଼ୋଲକିଆଙ୍କୁ କନକତୋରା ଓ ବାଦିମାଲ ଜିପି, ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଅତାବିରା ଓ ଭିକମପାଲି ଜିପି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପଞ୍ଚଗାଁ ଓ ପଲସଦା, ବିଧାୟକ ରୋହିତ ପୂଜାରୀଙ୍କୁ ମଚିଦା ଓ କତରବଗା ଗ୍ରାମପଞ୍ଚାୟତର ଦାୟିତ୍ୱ ଦିଆଯାଇଛି ।

ସମବାୟ ନିର୍ବାଚନ ପାଇଁ ବିଜେଡିର ବୈଠକ, ଭର୍ଚୁଆଲରେ ସମ୍ବୋଧିତ କରିବେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ସମବାୟ ନିର୍ବାଚନ ପାଇଁ ବସିଛି ବିଜେଡିର ବୈଠକ । ଭର୍ଚୁଆଲରେ ସମ୍ବୋଧିତ କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବିଧାୟକ ପ୍ରତାପ ଦେବଙ୍କୁ ରାଜ୍ୟ କମିଟିର ଆବାହକ ରଖାଯାଇଥିବା ବେଳେ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ବଳବନ୍ତରାୟ ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି । ରାଜ୍ୟ କମିଟି ସହ ସ୍ଥାନୀୟ ନେତା ଓ ବିଧାୟକଙ୍କୁ ନେଇ ୪ଟି ଜୋନ୍‌ ଗଠନ କରାଯାଇଛି । ଏହି ନିର୍ବାଚନ ଦଳୀୟ ଚିହ୍ନରେ ଲଢ଼ାଯାଉ ନଥିଲେ ମଧ୍ୟ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନବୀନ ପଟ୍ଟନାୟକ ଆଜି ବୈଠକରେ ଗୁରୁମନ୍ତ୍ର ଦେବେ । ବୈଠକରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଅଛନ୍ତି ।

ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ: ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବୌଦ୍ଧ ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମାଧପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବସ୍ । ସୂଚନା ଅନୁଯାୟୀ, ଶାରଳା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଯାଉଥିବା ବେଳେ ମାଧପୁର ନିକଟରେ ଏକ କେନାଲକୁ ଖସି ପଡ଼ିଥିଲା । ଗାଡ଼ିରେ ଥିବା ପ୍ରାୟ ୩୫ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ୍ ଯୋଗେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇଛି ।

ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ, ଆରମ୍ଭ ହେଲାଣି ତୁମ୍ବରେ ଅର ସଂଯୋଗ ପ୍ରକ୍ରିୟା

ପୁରୀ: ଚଳଚଞ୍ଚଳ ରଥଖଳା । ବିଶ୍ୱନିୟନ୍ତାଙ୍କ ରଥଯାତ୍ରା ପାଇଁ ଜାରି ରହିଛି ରଥ ନିର୍ମାଣ କାମ । ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ରଥକାମରେ ଏବେ ମହାରଣାଙ୍କ ସହ ସାମିଲ ହୋଇଛନ୍ତି ରୂପକାର ସେବାୟତ । ତୁମ୍ବ ନିର୍ମାଣ ପରେ ଅନୁକୂଳ ହୋଇଛି ସିଙ୍ଗଡ଼ାବାଡ଼ିଆ ନୀତି । ୩୨ଟି ତୁମ୍ବରେ ବିନ୍ଧ କରାଯାଇ ଅର ସଂଯୋଗ କରିଛନ୍ତି ଭୋଇ ସେବାୟତ । ମୋଟ ୬୭୨ଟି ଅର ସଂଯୋଗ ପରେ ପହି ସଂଯୋଗ ହୋଇ ଚକ ପ୍ରସ୍ତୁତ କରାଯିବ । ନୃସିଂହ ଚତୁର୍ଦ୍ଦଶୀଠାରୁ ରୂପକାର ସେବାୟତଙ୍କ ପ୍ରବେଶ ପରେ ଆରମ୍ଭ ହୋଇଛି କୋଣଗୁଜ ନିର୍ମାଣ କାର୍ଯ୍ୟ । ରଥ ସଂହିତା ଅନୁଯାୟୀ କୋଣ ଗୁଜରେ ନୃସିଂହ ବିରାଳ, ହସ୍ତି ବିରାଳ, ନର ବିରାଳ, ସିଂହ ବିରାଳ ଆଦି ଚିତ୍ର ଖୋଦେଇ କରାଯାଉଛି । ୨୨ ତାରିଖ ପବିତ୍ର ଭଉଁରୀ ଯାତ୍ରା ଅବସରରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରଥ ଚକରେ ଗୋଟିଆ ଲେଖାଏଁ ଅଖ ସଂଯୋଗ କରାଯାଇ ଚକା ଡେରା ନୀତି ଅନୁଷ୍ଠିତ ହେବ ।

ଅନୁଗୁଳ ଛେଣ୍ଡିପଦା ଥାନା ବାଗଡ଼ିଆ ଗାଁରେ ଚାଞ୍ଚଲ୍ୟ, ମା’କୁ ପିଟି ପିଟି ହତ୍ୟା କଲା ପିଶାଚ ପୁଅ

ଅନୁଗୁଳ: ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ । ମା’କୁ ପିଟିପିଟି ହତ୍ୟା କଲା ପିଶାଚ ପୁଅ । ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ଗାଁ ଦେହୁରୀ ସାହିରେ । ତୁଷାରକାନ୍ତ ଦେହୁରୀ ନାମକ ଜଣେ ଯୁବକ ଗତକାଲି ସନ୍ଧ୍ୟାରେ ମା’ ବିଣାପାଣୀଙ୍କୁ ଟଙ୍କା ମାଗିଥିଲା । ମା’ ଟଙ୍କା ଦେବାକୁ ଅମଙ୍ଗ ହେବାରୁ ସେ ମା’କୁ ପ୍ରବଳ ମାଡ଼ ମାରିଥିଲା । ସାହିପଡ଼ିଶା ସବୁ ଦେଖୁଥିଲେ ହେଲେ ଭୟରେ ପୁଅକୁ ଅଟକାଇବାକୁ ସାହସ କରିପାରିଲେନି । ଆଜି ସକାଳୁ ଘର ବାହାରେ ତାଲା ପଡ଼ିଥିବା ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା । କବାଟ ଫାଙ୍କରେ ଦେଖିଲା ବେଳକୁ ଅଗଣାରେ ବୀଣାପାଣିଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ବୀଣାପାଣିଙ୍କ ମୃତଦେହକୁ ଦେଖିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ହତ୍ୟାକାରୀ ପୁଅ ଖସି ପଳାଉଥିବା ବେଳେ ଦେବଗଡ ଛକରୁ କାବୁ କଲା ପୋଲିସ ।

ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ଆଖି ବୁଜିଲା ହାତୀ ନନ୍ଦ, ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ କାରଣ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ କୁମକି ହାତୀ ନନ୍ଦର ମୃତ୍ୟୁ । ନୂତନ ଭାବେ ତିଆରି ହୋଇଥିବା ହାତୀ ରେସକ୍ୟୁ ସେଣ୍ଟରକୁ ନନ୍ଦକୁ ନେବା ପାଇଁ ଶନିବାର ଦିନ ବନ ବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ଏହାପରେ ବେହୋସ ହୋଇପଡ଼ିଥିଲା ହାତୀ ନନ୍ଦ । ଚେତା ନଫେରିବାରୁ ୩ ଜଣିଆ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ନନ୍ଦର ଚିକିତ୍ସା କରାଯାଇଥିଲା । ହେଲେ ଆଜି ଭୋଟର ୩ଟାରେ ନନ୍ଦର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ସୂଚନା ଦେଇଛି । ହିଂସ୍ର ଜନ୍ତୁଙ୍କୁ ସାବାଡ଼ କରିବା ପାଇଁ ୨୦୧୦ ମସିହାରେ ନନ୍ଦକୁ ନନ୍ଦନକାନନରୁ ଚନ୍ଦକା ଗୋଡ଼ିବାରିକୁ ଅଣାଯାଇ କୁମକି ପ୍ରଶିକ୍ଷଣ ଦିଆଯାଇଥିଲା ।

ମାଆ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବର ଆଜି ଦ୍ୱିତୀୟ ଦିନ, ଜଳଯାତ୍ରା ସହିତ ଆରମ୍ଭ ହେବ ଯଜ୍ଞ

ଗଞ୍ଜାମ: ସୁଉଚ୍ଚ ପର୍ବତରେ ଗୁଞ୍ଜରିତ ହେଉଛି ପବିତ୍ର ମନ୍ତ୍ରଧ୍ୱନି । ରାଜ୍ୟ ଓ ବାହାର ରାଜ୍ୟର ବହୁ ସାଧୁସନ୍ଥ ଏବଂ ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ପରିବେଶ । ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବର ଆଜି ଦ୍ବିତୀୟ ଦିନ । ଆଜି ଜଳଯାତ୍ରା ସହିତ ଆରମ୍ଭ ହେବ ଯଜ୍ଞ । ଆସନ୍ତାକାଲି ସୂର୍ଯ୍ୟପୂଜା ଓ ବ୍ରାହ୍ମଣ ବରଣ କରାଯିବ । ୧୮ରେ ଦଶ ମହାବିଦ୍ୟା, ତ୍ରିଶୁଳ, ଧ୍ବଜ ଓ ଦେବତା ସ୍ନାନ କରାଯିବ । ଏହି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

୧୯ରେ ଦେବତା ଓ ଆୟୁଦ୍ଧ ଧ୍ବାଜ ନାଶ ଏବଂ ଶେଷଦିନରେ ଧ୍ବଜ, ପାର୍ଶ୍ବ ଦେବତା, ସ୍ଥାପନ ସହ ଅଖଣ୍ଡ ନାମଯଜ୍ଞ, ଘ୍ରୁତଯଜ୍ଞ କରାଯିବାର କାର୍ଯ୍ୟକ୍ରମ ରହିଛି । ଋଷିକୁଲ୍ୟା ନଦୀକୁଳରେ ଆକର୍ଷଣୀୟ ଓ ପବିତ୍ର ପରିବେଶ ଆହୁରି ଆକର୍ଷଣୀୟ ଓ ମହିମା ମଣ୍ଡିତ ହୋଇଉଠିଛି । ପ୍ରତିଷ୍ଠା ଉତ୍ସବକୁ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତିଙ୍କ ଭଳି ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁଦାନରେ ମନ୍ଦିରର ନବକଳେବର ୨୦୦୪ରୁ ଆରମ୍ଭ ହୋଇଥିଲା । ଭକ୍ତ ଓ ପର୍ଯ୍ୟଟକ ସମସ୍ତଙ୍କ ପାଇଁ ନୂଆ ମନ୍ଦିର ଆକର୍ଷଣୀୟ ହୋଇଉଠିଛି ।

ବ୍ରଜରାଜନଗର ବିଜୟ ପାଇଁ ସବୁ ଦଳର କସରତ, ସ୍ୱତନ୍ତ୍ର ରଣନୀତି କରିଛି ବିଜେଡି

ବ୍ରଜରାଜନଗର: ଉପନିର୍ବାଚନ ପାଇଁ ସରଗରମ ହୋଇଛି ବ୍ରଜରାଜନଗର ରାଜେନୈତିକ ମାହୋଲ । ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହାପରେ ପ୍ରଚାରରେ ଉଠିବ ପଡ଼ିବ ମଇଦାନ । ବିଜୟ ମୁକୁଟ ହାତେଇବାକୁ ତିନି ପ୍ରମୁଖ ଦଳ ଚଳାଇଛନ୍ତି ଜୋରଦାର କସରତ । ବିପୁଳ ପରିମାଣରେ ବିଜୟ ପାଇଁ ବିଜେଡି କରିଛି ସ୍ବତନ୍ତ୍ର ରଣନୀତି । ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରି ସଂଗଠନକୁ ଆହୁରି ମଜବୁତ କରାଯାଉଛି । ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବେଲପାହାଡରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଝାସୁଗୁଡା ପର୍ଯ୍ୟବେକ୍ଷକ ସୁବାସ ସିଂ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ ବିଷ୍ଣୁପ୍ରସାଦ କେଡ଼ିଆ ପ୍ରମୁଖ ଯୋଗଦେଇ ପଞ୍ଚାୟତ ପ୍ରତିନିଧି ଓ କର୍ମୀଙ୍କ ସହିତ ଆଲୋଚନା କରିଥିଲେ ।

ଏହି କର୍ମୀ ସମ୍ମିଳନୀରେ ସମସ୍ତେ ଏକଜୁଟ ହୋଇ ଦଳୀୟ ପ୍ରାର୍ଥିନୀଙ୍କୁ ବିଜୟୀ କରିବାକୁ ଆହ୍ବାନ ଦେଇଛନ୍ତି ନବ ଦାସ । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ବିକାଶ ପାଇଁ ପୁଣି ଥରେ ବ୍ରଜରାଜନଗରବାସୀ ଦଳକୁ ବିଜୟୀ କରାଇବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସେପଟେ କଂଗ୍ରେସ ଓ ବିଜେପି ମଧ୍ୟ ପ୍ରସ୍ତୁତ କରୁଛନ୍ତି ରଣନୀତି । ପ୍ରଚାର ପାଇଁ ଉଭୟ ଦଳ ପଡ଼ୋଶୀ ନେତାଙ୍କ ଉପରେ ଭରଷା କରିଛନ୍ତି । ତେବେ ଏହା ତାଙ୍କ ପାଇଁ ବୁମେରାଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

 

 

ନାଟୋର ବଢ଼ୁଛି ବଳ, ସ୍ୱିଡେନ ପରେ ନାଟୋରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିଛି ଫିନଲାଣ୍ଡ

ମସ୍କୋ: ଋଷ୍‌ ବିରୋଧରେ ନାଟୋର ବଢ଼ୁଛି ବଳ । ସ୍ୱିଡେନ ପରେ ଏବେ ଫିନଲାଣ୍ଡ ନାଟୋରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଋଷ୍‌ ଆକ୍ରମଣ କଲେ ନାଟୋଠୁ ସମର୍ଥନ ପାଇବା ଆଶାରେ ଏବେ ଛୋଟ ଛୋଟ ରାଷ୍ଟ୍ର ନାଟୋରେ ମିଶିବା ପାଇଁ ମନ ବଳାଉଛନ୍ତି । ଫିନଲାଣ୍ଡ ନାଟୋରେ ମିଶିଲେ ବଡ଼ ଭୁଲ୍‌ କରିବ ବୋଲି ଋଷ ରାଷ୍ଟ୍ରପତି ପୁଟିନ୍‌ ସିଧାସଳଖ ଚେତାବନୀ ଦେବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ଫିନଲାଣ୍ଡ ସରକାର ।

ନାଟୋରେ ଥିବା ଦେଶର ବୈଦେଶିକ ମନ୍ତ୍ରୀମାନେ ଏନେଇ ଗତକାଲି ଏକ ବୈଠକ କରିଛନ୍ତି । ଫିନଲାଣ୍ଡ ଏବଂ ସ୍ବିଡେନଙ୍କୁ ନାଟୋ ମିଶ୍ରଣ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ସେପଟେ ନାଟୋ କେବଳ ଋଷକୁ ବିରୋଧ ପାଇଁ ଗଠନ ହୋଇନି । ବିଭିନ୍ନ ପ୍ରସଙ୍ଗରେ ନାଟୋ ସଦସ୍ୟ ରାଷ୍ଟ୍ର ଗୁଡିକ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ନାଟୋର ଗଠନ ହୋଇଥିବା ସ୍ବିଡେନର ପ୍ରଧାନମନ୍ତ୍ରୀ କହିଛନ୍ତି । ଯାହା ବିଭିନ୍ନ ଦେଶର ଭବିଷ୍ୟତ ପାଇଁ ସୁଫଳ ହେବ ବୋଲି ସେ କହିଛନ୍ତି ।

ବ୍ରିଟେନର ପୂର୍ବତନ ଗୁଇନ୍ଦା ଏଜେଣ୍ଟ ଦେଲେ ଚାଞ୍ଚଲ୍ୟକର ତଥ୍ୟ; କହିଲେ, ପୁଟିନଙ୍କୁ ହୋଇଛି ବ୍ଲଡ କ୍ୟାନସର

ମସ୍କୋ: ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ବ୍ଲଡ କ୍ୟାନସର ହୋଇଥିବା ଚର୍ଚ୍ଚା ହେଉଛି । ୟୁକ୍ରେନ ଉପରେ ଆକ୍ରମଣ କରି ସାରା ବିଶ୍ବକୁ ଦୋହଲାଇ ଦେଇଥିବା ରୁଷ୍ ରାଷ୍ଟ୍ରପତି ପୁଟିନ ନିଜେ ଏବେ ଅଡ଼ୁଆରେ । ଖୁବଶୀଘ୍ର ସେ ଏନେଇ ଚିକିତ୍ସା ଆରମ୍ଭ କରିବେ । ସେ ଭୟଙ୍କର ଭାବେ ବ୍ଲଡ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି । ସ୍କାଏ ନ୍ୟୁଜକୁ ସାକ୍ଷାତକାର ଦେବା ଅବସରରେ ଏମିତି ଦାବି କରିଛନ୍ତି, ବ୍ରିଟେନର ପୂର୍ବତନ ଗୁଇନ୍ଦା ଏଜେଣ୍ଟ । ଋଷ ରାଷ୍ଟ୍ରପତି ପୁଟିନଙ୍କ ଅତି ନିକଟତମ ମହଲରୁ ସୂଚନା ମିଳିଥିବା ସେ ଦାବି କରିଛନ୍ତି ।

ତେବେ ତାଙ୍କର ଚିକିତ୍ସା ସମ୍ଭବ କି ନୁହେଁ ସେ ନେଇ କୌଣସି ସୂଚନା ନାହିଁ ।  ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବା ପରେ ପୁଟିନ ଅସୁସ୍ଥ ଥିବା ବାରମ୍ବାର ଖବର ଆସୁଛି । ଏପରିକି ଗତ ସପ୍ତାହରେ ରୁଷ୍ ଯେତେବେଳେ ବିଜୟ ଦିବସ ପାଳନ କରୁଥିଲା, ସେତେବେଳେ ବି ପୁଟିନ ଅସୁସ୍ଥ ଥିଲେ । ବିଜୟ ଦିବସରେ ଆସିଥିବା ପୁଟିନଙ୍କ ଭିଡିଓରୁ ସେ ଅସୁସ୍ଥ ଥିବା ଅନ୍ତଜାର୍ତୀୟ ଗଣମାଧ୍ୟମରେ ଦାବି କରାଯାଉଛି ।