ଡ୍ୟାମେଜ କଣ୍ଟ୍ରୋଲ ମୋଡରେ ଦିଦି, ସରକାରରେ କରିବେ ଅଦଳ ବଦଳ

କୋଲକାତା: ପାର୍ଥ ଚାଟାର୍ଜୀଙ୍କୁ ଦଳ ଓ କ୍ୟାବିନେଟରୁ ବହିଷ୍କାର ପରେ ଡ୍ୟାମେଜ କଣ୍ଟ୍ରୋଲ ମୋଡରେ ଦିଦି । ଖୁବ ଶୀଘ୍ର ମମତା ସରକାରରେ ହେବ ଅଦଳ ବଦଳ । ଏସୂଚନା ଦେଇଛନ୍ତି ନିଜେ ଟିଏମସି ମୁଖିଆ ତଥା ସୁପ୍ରିମୋ ମମତା ମୁଖାର୍ଜୀ  । ୪ ଜଣ ମନ୍ତ୍ରୀଙ୍କୁ ବିଦା କରି ମୋଟ ୫ ଜଣଙ୍କୁ କ୍ୟାବିନେଟରେ ସାମିଲ କରାଯିବ ବୋଲି ସଂକେତ ଦେଇଛନ୍ତି ମମତା । ତେବେ ବରିଷ୍ଠ ମନ୍ତ୍ରୀଙ୍କୁ ବିଦା କରି ସେମାନଙ୍କୁ ଦଳୀୟ ସଂଗଠନ ଦାୟିତ୍ୱରେ ନିୟୋଜିତ କରାଯିବାର ସୂଚନା ରହିଛି ।

ବିଜେପିରୁ ଟିଏମସିରେ ସାମିଲ ହୋଇଥିବା ବାବୁଲ ସୁପ୍ରିୟୋଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ କୁହାଯାଉଛି । ତେବେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ ବୋଲି ସୂତ୍ରରୁ ପ୍ରକାଶ । ବୁଧବାର ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ। ପାର୍ଥ ଚାଟାର୍ଜୀ ଶିକ୍ଷା ନିଯୁକ୍ତି ଦୁର୍ନୀତିରେ ଜେଲରେ ଥିବାବେଳେ ବରିଷ୍ଠ ନେତା ସୁବ୍ରତୋ ମୁଖାର୍ଜୀ ଓ ସାଧନା ପାଣ୍ଡେଙ୍କ ପରଲୋକ ହୋଇଛି । ସେମାନଙ୍କ ସ୍ଥାନ ପୂରଣ ସହ ୫ ଜଣଙ୍କୁ ନୂଆ ମୁହଁ ଭାବେ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ । ସେହିଭଳି ରାଜ୍ୟରେ ଆଉ ୭ଟି ନୂଆ ଜିଲ୍ଲା ଗଠନକୁ ଅନୁମୋଦନ କରିଛନ୍ତି ମମତା ସରକାର ।

୭ ନୂଆ ଜିଲ୍ଲା ଗଠନ ପରେ ପଶ୍ଚିମବଙ୍ଗର ମୋଟ ଜିଲ୍ଲା ସଂଖ୍ୟା ୩୦କୁ ବୃଦ୍ଧି ପାଇଛି  । ନୂଆ ମାନ୍ୟତା ପାଇଥିବା ୬ ଜିଲ୍ଲାଗୁଡିକ ହେଲା ସୁନ୍ଦରବନ, ଇଚ୍ଛାମତୀ, ରାଣାଘାଟ, ବିଷ୍ଣୁପୁର, ଜାଙ୍ଗିପୁର ଏବଂ ବେହ୍ରମପୁର  । ଅନ୍ୟ ଗୋଟିଏ ଜିଲ୍ଲାର ନାମକରଣ କରାଯାଇନାହିଁ । ତେବେ ବସିରହାଟ ଅଞ୍ଚଳକୁ ନୂଆ ଜିଲ୍ଲା କରାଯାଇ ନାମକରଣ କରାଯିବ ।