୪କଂଗ୍ରେସ ସାଂସଦଙ୍କ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହାର କଲେ ବାଚସ୍ପତି

ନୂଆଦିଲ୍ଲୀ: ଲୋକସଭା ସାଂସଦଙ୍କ ନିଲମ୍ୱନ ଆଦେଶକୁ ପ୍ରତ୍ୟାହାର କଲେ ବାଚସ୍ପତି ଓମ୍ ବିର୍ଲା । ୪ କଂଗ୍ରେସ ସାଂସଦଙ୍କ ନାଁରେ ଜାରି ଆଦେଶ ପ୍ରତ୍ୟାହାର । ଦୀର୍ଘ ୫୦ ଘଣ୍ଟା ଧରି ସଂସଦ ବାହାରେ ଆନ୍ଦୋଳନ କରିଆସୁଥିଲେ ବିରୋଧୀ । ଶେଷ ଚାପ ଆଗରେ ମୁଣ୍ଡ ନୁଆଁଇଛନ୍ତି ବାଚସ୍ପତି ଏବଂ ନିର୍ଦ୍ଦେଶ ପ୍ରତ୍ୟାହାର କରିଛନ୍ତି । ଲୋକସଭାରେ ନାରାବାଜୀ ଓ ହଟ୍ଟଗୋଳ ଯୋଗୁ ବାଚସ୍ପତି କଂଗ୍ରେସର ୪ ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ। ଆଜି ଆଦେଶ ପ୍ରତ୍ୟାହାର କରିଥିଲେ ମଧ୍ୟ ବାଚସ୍ପତି ବିର୍ଲା ବିରୋଧୀ ସାଂସଦମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି କେହି ଗୃହରେ ପ୍ଲାକାର୍ଡ ଦେଖାଇବେ ତା’ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଥିସହ ବିରୋଧୀଙ୍କ ଦାବି ଅନୁସାରେ ଆଜି ଲୋକସଭାରେ ଦରଦାମ ଓ ବେକାରୀ ସମସ୍ୟା ଉପରେ ବିତର୍କ ମଧ୍ୟ ଆରମ୍ଭ ହୋଇଛି। ପୂର୍ବରୁ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଆଦୌ ରାଜି ହେଉ ନଥିଲେ। ହେଲେ ଆଜି ସରକାର ବିତର୍କ ପାଇଁ ରାଜି ହୋଇଛନ୍ତି। ଦରଦାମ ଦାମ ବୃଦ୍ଧି ଓ ଜିଏସ୍‌ଟି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କଂଗ୍ରେସ ଠାରୁ ଆରମ୍ଭ କରି ବିରୋଧୀ ଦଳଗୁଡ଼ିକର ସଦସ୍ୟମାନେ ଲୋକସଭାରେ ଦାବି କରିଥିଲେ। ଏହି ସମୟରେ କଂଗ୍ରେସର ୪ ସାଂସଦ ଏମ ଟାଗୋର, ରମାୟା ହରିଦାସ, ଜ୍ୟୋତିମଣି ଓ ଟିଏନ ପ୍ରତାପନ ପ୍ଲାକାର୍ଡ ଦେଖାଇ ନାରାବାଜୀ କରିଥିଲେ ।

ଏଥିପାଇଁ ୪ କଂଗ୍ରେସ ସାଂସଦଙ୍କୁ ଜୁଲାଇ ୨୫ରେ ବାଚସ୍ପତି ଲୋକସଭାରୁ ନିଲମ୍ବିତ କରିଥିଲେ। ଏହାକୁ ନେଇ ବେଶ ତୁମ୍ଭିତୋଫାନ ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା। ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବା ପାଇଁ ଆଜି ବାଚସ୍ପତି ଓମ ବିର୍ଲା ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ସରକାରଙ୍କ ପକ୍ଷରୁ ୪ ସାଂସଦଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଗୋଟିଏ ପ୍ରସ୍ତାବ ଆସିଥିଲା। ଏହାକୁ ବାଚସ୍ପତି ମଞ୍ଜୁରୀ ଦେଇଛନ୍ତି।

ଏଥିସହିତ ପଢ଼ନ୍ତୁ: ଡ୍ୟାମେଜ କଣ୍ଟ୍ରୋଲ ମୋଡରେ ଦିଦି, ସରକାରରେ କରିବେ ଅଦଳ ବଦଳ