ଶିବସେନା ନେତା ସଞ୍ଜୟ ରାଉତଙ୍କୁ ୪ଦିନିଆ ରିମାଣ୍ଡରେ ନେଲା ED

ମୁମ୍ୱାଇ: ଗିରଫ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଗଷ୍ଟ ୪ ଯାଏ ରିମାଣ୍ଡ ଲାଗି ଅନୁମତି ଦେଇଛନ୍ତି ପିଏମଏଲଏ କୋର୍ଟ । ତେଣେ ସଞ୍ଜୟ ରାଉତଙ୍କ ପରିବାରକୁ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ଗିରଫ କରିଛି ଇଡି । ଗତକାଲି ବିଳମ୍ବିତ ରାତିରେ ସଞ୍ଜୟଙ୍କୁ ଗିରଫ କରାଯାଇଥିଲା । ଆଜି ସଞ୍ଜୟଙ୍କୁ ପିଏମଏଲଏ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଜେରା ବେଳେ ସଞ୍ଜୟ ରାଉତ ସହଯୋଗ କରୁ ନଥିବା ଇଡି ଅଧିକାରୀ କହିଛନ୍ତି ।

ସେପଟେ ସଞ୍ଜୟଙ୍କ ଗିରଫଦାରୀକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶିବସେନା ସମର୍ଥକ। ଇଡି ଅଫିସ, ଜେଜେ ହସ୍ପିଟାଲ ଓ କୋର୍ଟ ବାହାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଜମି ଦୁର୍ନୀତି ମାମଲାରେ ଚଢ଼ାଉ ବେଳେ ସଞ୍ଜୟ ରାଉତଙ୍କୁ ଘରୁ ନଗଦ ୧୧ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ ହୋଇଛି । ତେବେ ଘରୁ ମିଳିଥିବା ଟଙ୍କା ଶିବସୈନିକଙ୍କ ଅଯୋଧ୍ୟା ଟୁର ପାଇଁ ରଖାଯାଇଥିଲା ବୋଲି ସଞ୍ଜୟଙ୍କ ଭାଇ କହିଛନ୍ତି । ସଞ୍ଜୟଙ୍କ ଗିରଫଦାରୀକୁ ନେଇ ଇଡି ଓ ବିଜେପି ଉପରେ ବର୍ଷିଛନ୍ତି ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ସେପଟେ ସଞ୍ଜୟ ରାଉତଙ୍କୁ ସମର୍ଥନ କରିଛି କଂଗ୍ରେସ । ବିଜେପି ବିରୋଧୀ ମୁକ୍ତ ଭାରତ ଚାହୁଁଥିବା ବେଳେ ବିରୋଧୀଙ୍କ ମୁହଁ ବନ୍ଦ ପାଇଁ ଜାତୀୟ ଏଜେନ୍ସିର ଦୂରୁପୋଯୋଗ କରାଯାଉଛି ବୋଲି କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି ।

ଅପରପକ୍ଷରେ ସଞ୍ଚୟ ରାଉତଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ।

ଏଥିସହିତ ପଢ଼ନ୍ତୁ: ଆତ୍ମରକ୍ଷା ପାଇଁ ବଲିଉଡ ମେଗାଷ୍ଟାର ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ