ଭୁବନେଶ୍ୱର: କମିଲା ବସ୍ ଭଡ଼ା । ତୈଳ ଦର କମିବା ପରେ କମିଛି ବସ୍ ଭଡ଼ା । କିଲୋମିଟର ପିଛା ଅର୍ଡିନାରୀ ବସ୍ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି । ଏକ୍ସପ୍ରେସ ଭଡ଼ା ୯୬ ପଇସାରୁ ୯୩ ପଇସା, ଡିଲକ୍ସ ଦର ୧ ଟଙ୍କା ୩୫ ପଇସାରୁ ୧ ଟଙ୍କା ୨୯ ପଇସାକୁ କମିଛି । ସେହିପରି ଏସି ଡିଲକ୍ସ ବସ ଭଡ଼ା ୧ ଟଙ୍କା ୬୩ ପଇସାରୁ ୧ ଟଙ୍କା ୫୭ ପଇସାକୁ ହ୍ରାସ ପାଇଛି । ସୁପର ପ୍ରିମିୟମ ବସ ଭଡ଼ା ୨ ଟଙ୍କା ୫୩ ପଇସାରୁ ୨ ଟଙ୍କା ୪୪ ପଇସାକୁ କମିଛି । ଅଟୋମେଟିକ ମେକାନିଜିମ୍ ପ୍ରଣାଳୀରେ ତୈଳ ଦର ହ୍ରାସ ପାଇବା ପରେ ବସଭଡ଼ା କମିଛି । ଆଜିଠାରୁ ଏହି ଦର ଲାଗୁ ହୋଇଛି । ବସଭଡା ହ୍ରାସ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ନନ୍ଦନକାନନକୁ ଆସିବେ ନୂଆ ଅତିଥି, ବିଦେଶରୁ ଧଳାସିଂହ ଆଣିବାକୁ ଚିଠି
ଭୁବନେଶ୍ୱର: ନନ୍ଦନକାନନକୁ ଆସିବେ ନୂଆ ଅତିଥି । ବିଦେଶର ପ୍ରଥମ ଥର ପାଇଁ ଧଳା ସିଂହ ଆଣିବା ପାଇଁ ଚିଠି ହୋଇଛି । ଜେବ୍ରା ଓ କଙ୍ଗାରୁ ଆଣିବାକୁ ନୂଆ ଖୁଆଡ଼ ପ୍ରସ୍ତୁତ ହେଉଛି । ବର୍ଷା ଋତୁ ଆସିଲେ ଜନ୍ତୁଙ୍କୁ ଆଣିବାକୁ ଯୋଜନା କରାଯାଉଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଇନ୍ଦୋର ପ୍ରାଣୀ ଉଦ୍ୟାନରୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଆସିବେ ନୂଆ ଅତିଥି । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ନନ୍ଦନକାନନର ଧଳା ବାଘ ଅଦଳ ବଦଳ ପ୍ରକ୍ରିୟା ଦ୍ୱାରା ଆସିବେ ଗଣ୍ଡା, ବିଗଟେଲ ମକାକ, ଓଲୋ ଗିବନ ।
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜୁନ୍ ୧୩ରେ ହେବ ଭୋଟ ଗ୍ରହଣ
ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ଜୁନ ୨ ଯାଏ ହେବ ନାମାଙ୍କନ । ଜୁନ ୩ ତାରିଖରେ ହେବ ଯାଞ୍ଚ । ଆସନ୍ତା ୧୩ ତାରିଖରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ । ସୁବାସ ସିଂ ଇସ୍ତଫା ଦେବା ପରେ ହେଉଛି ଉପନିର୍ବାଚନ । ଏଯାଏ ୫ ସେଟ୍ ନାମାଙ୍କନ ନିଆଯାଇଥିବା ଜଣାପଡିଛି ।
କଳାହାଣ୍ଡିରେ ମାତିଲେ ମାଓବାଦୀ, ଭବାନୀପାଟଣା ସଦର ଥାନା ସାନ ପିପିଲି ଗାଁରେ ଲଙ୍କାକାଣ୍ଡ
ଭବାନିପାଟଣା: କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସଦର ଥାନା ଅଧୀନ ସାନ ପିପିଲି ଗାଁରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ରାସ୍ତାକାମକୁ ବିରୋଧ କରି ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ଦୁଇଟି ଟିପର ଜାଳିଦେଲେ ମାଓବାଦୀ । ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି । ପିପିଲି ଗ୍ରାମର ପୋକାରିଘାଟଠାରୁ ମନସ୍କ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାର୍ଯ୍ୟ ବନ୍ଦ କରିବାକୁ ଠିକାଦାରଙ୍କୁ ପୂର୍ବରୁ ମାଓବାଦୀମାନେ ତାଗିଦ କରିଥିଲେ । ମାତ୍ର ଠିକାଦାର ଏହାକୁ ଶୁଣିନଥିଲେ । ତେବେ ଭବାନୀପାଟଣା ସହରଠାରୁ ମାତ୍ର ୧୫ କିମି ଦୂରରେ ମାଓବାଦୀଙ୍କ ଏଭଳି କାଣ୍ଡ ଯୋଗୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

