ଜଳକାରେ ବନ୍ୟା ଆଶଙ୍କା, ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳସ୍ତର

ବାଲେଶ୍ୱର: ଜଳକାରେ ବନ୍ୟା ଆଶଙ୍କା । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକାର ଜଳସ୍ତର । ବସ୍ତା ବ୍ଲକ ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୫ ମିଟରରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଜଳକା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।

ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀ ତଟବର୍ତ୍ତି ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡ଼ା, ଚିତ୍ରଡ଼ା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢ଼ୁଛି ନଦୀର ଜଳସ୍ତର । ବସ୍ତା ଏବଂ ସଦର ବ୍ଲକର ପ୍ରାୟ ୧୨ ପଞ୍ଚାୟତର ୫୦ରୁ ଉର୍ଦ୍ଧ୍ୱ ଗାଁ ଜଳମଗ୍ନ ହେବାର ସମ୍ଭାବନା ରହିଛି ।