spot_img
Home Blog Page 4199

ବଦଳିଲା ରୂପ, ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ବନିଲେ କୁକୁର

ଟୋକୟୋ: ଜାପାନର ଜଣେ ବ୍ୟକ୍ତିଙ୍କ ଅଜବ କାରନାମା ପାଇଁ ସବୁଠି ଚର୍ଚ୍ଚାରେ। ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜାପାନର ଟୋକୋ ନାମକ ଯୁବକ କୁକୁର ବେଶ ଧାରଣ କରିଛନ୍ତି। @toco_eevee ନାମକ ଟ୍ୱିଟର ୟୁଜର୍ସ ଏକ ଭିଡ଼ିଓ ଶେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି ‘ମୋ ଜୀବନର ସ୍ୱପ୍ନ ଥିଲା’। ଆଉ ଭିଡ଼ିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଜାପାନର ଗଣମାଧ୍ୟମ ମୁତାବିକ ଜେଟପେଟ୍ ନାମକ ଏକ କମ୍ପାନୀ କୁକୁର ବନିବା ଲାଗି ଟୋକୋଙ୍କୁ ସହଯୋଗ କରିଛନ୍ତି । ଏହି କମ୍ପାନୀ  ଫିଲ୍ମ ଓ ବିଜ୍ଞାପନ  ଲାଗି କଷ୍ଟ୍ୟୁମ ବନାଇବା କାମ କରିଥାଏ । କୁକୁର ଭଳି କଷ୍ଟ୍ୟୁମ୍ ବନାଇବା ଲାଗି କମ୍ପାନୀ ନେଇଛି ୨୦ ଲକ୍ଷ ୟେନ୍ । ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୨ ଲକ୍ଷ ଟଙ୍କା । ଏହି ପୋଷାକ ବନାଇବା ଲାଗି ୪୦ ଦିନ ସମୟ ଲାଗିଥିଲା ।

କୋଲି ବ୍ରିଡର କୁକୁର ରୂପ ନେଇଛନ୍ତି ଟୋକୋ। ଏନେଇ ସେ କହିଛନ୍ତି କୁକୁର ମୋର୍ ଖୁବ୍ ପସନ୍ଦ । କୋଲି ବ୍ରିଡ୍ ଏତେ ବଡ ଯେ ତା’ର କଷ୍ଟ୍ୟୁମ ମଧ୍ୟରେ ଜଣେ ମଣିଷ ଆରାମରେ ଫିଟ୍ ହୋଇପାରିବ ।

କଷ୍ଟ୍ୟୁମ ପିନ୍ଧିବା ପରେ ଆପଣ ହାତ ଗୋଡ ବି ହଲାଇ ପାରିବେ । କିନ୍ତୁ କିଛିଟା ପ୍ରତିବନ୍ଧକ ବି ରହିଛି ।

ଦୁନିଆର ସବୁଠୁ ଅଲଗା ରେଲଓ୍ବେ ଷ୍ଟେସନ୍, ଯାହାର ନାହିଁ ନାଁ

ନୂଆଦିଲ୍ଲୀ: ଭାରତୀୟ ରେଳ ଏସିଆର ଦ୍ବିତୀୟ ଏବଂ ଦୁନିଆର ଚତୁର୍ଥ ବଡ଼ ରେଲଓ୍ବେ ଜଙ୍କସନ୍ । ଭାରତରେ ପ୍ରାୟ ୮ ହଜାର ରେଳ ଷ୍ଟେସନ୍ ଅଛି । ଏହି ଷ୍ଟେସନ୍ ଦେଇ ପ୍ରତିଦିନ ଅନେକ ଟ୍ରେନ୍ ଯାତାୟତ କରିଥାଏ । ସବୁ ରେଳ ଷ୍ଟେସନର ଅଲଗା ଅଲଗା ନାଁ ବି ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି, ଏପରି ଏକ ରେଳ ଷ୍ଟେସନ୍ ଅଛି ଯେଉଁ ଷ୍ଟେସନର କୌଣସି ନାଁ ନାହିଁ ।

ଆଜ୍ଞା ହଁ । ଆଉ ଏପରି ଷ୍ଟେସନ୍ ଆମ ଭାରତରେ ହିଁ ରହିଛି । ଏହି ରେଲଓ୍ବେ ଷ୍ଟେସନ୍ ପଶ୍ଚିମବଙ୍ଗ ବର୍ଦ୍ଧମାନରୁ ୩୫ କିମି ଦୂରରେ ରହିଛି । ଏହି ଷ୍ଟେସନ ଦୁଇଟି ଗାଁ ରେନା ଏବଂ ରେନାଗଡ଼ ମଝିରେ ରହିଛି ।

କୁହାଯାଏ ପୂର୍ବରୁ ଏହି ଷ୍ଟେସନର ନାମ ରେନାଗଡ଼ ଥିଲା । ଷ୍ଟେସନର ନାମ ରେନାଗଡ଼ ଥିବାରୁ ରେନା ଗାଁର ଲୋକଙ୍କୁ ଏହା ପସନ୍ଦ ଆସି ନ ଥିଲା । ଷ୍ଟେସନ ନାଁକୁ ନେଇ ଦୁଇ ଗାଁ ଭିତରେ ଝଗଡ଼ା ଆରମ୍ଭ ହୋଇଗଲା ।

ରେନା ଗାଁର ଲୋକେ କହିଥିଲେ ଏହି ଷ୍ଟେସନ ବିଲ୍ଡିଂ ରେନା ଗାଁ ଜମିରେ ହୋଇଛି ଏଥିପାଇଁ ରେନା ରହିବ । ଗାଁ ଲୋକେ ଏହାକୁ ନେଇ ଅଭିଯୋଗ କରିବାରୁ ରେଲଓ୍ବେ ଅଧିକାରୀ ଏହାର ନାଁ ହଟାଇ ଦେଇଥିଲେ । ୨୦୦୮ରେ ଷ୍ଟେସନ ତିଆରି ହେବା ପରଠୁ ହିଁ ଏହା ବିବାଦରେ ଥିଲା । ଗାଁ ଲୋକଙ୍କ ଝଗଡ଼ା କାରଣରୁ ଏହାକୁ ହଟାଇ ଦିଆଯାଇଛି । ଏଥିପାଇଁ ଯାତ୍ରୀଙ୍କୁ ଅସୁବିଧାର ସାମ୍ନା ବି କରିବାକୁ ପଡ଼େ ।

ସହିଦ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା, ଡ୍ୟୁଟିବେଳେ ସଂକ୍ରମିତ ହୋଇଥିଲେ

ଭୁବନେଶ୍ୱର: କରୋନା ସମୟରେ କାର୍ଯ୍ୟରତ ଥିବାବେଳେ ସହିଦ ହୋଇଥିବା ହୋମଗାର୍ଡ ଏସ ଆର ନରସିଂହଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଗଞ୍ଜାମ ଦିଗପହଣ୍ଡି ଥାନାରେ କାର୍ଯ୍ୟ କରୁଥିଲେ ଏସ ଆର ନରସିଂହ ।

କରୋନା ସମୟରେ କ୍ବାରେଣ୍ଟାଇନ ସେଣ୍ଟରରେ ଡ୍ୟୁଟି କରୁଥିବାବେଳେ ରୋଗୀଙ୍କ ସଂସ୍ପର୍ଷରେ ଆସି ସେ ସଂକ୍ରମିତ ହୋଇଥିଲେ । ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ପରିବାରକୁ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ସହାୟତା ରାଶି ପ୍ରଦାନ କରାଯାଇଛି ।

ପବନରୁ ତିଆରି ହେବ ପାଣି, ଇସ୍ରାଏଲ୍ କମ୍ପାନୀ ଲଞ୍ଚ କଲା ଏହି ପ୍ରଡକ୍ଟ

ନୂଆଦିଲ୍ଲୀ: ଏବେ ପବନରୁ ତିଆରି କରିହେବ ପାନୀୟ ଜଳ । ଇସ୍ରାଏଲର କମ୍ପାନୀ Watergen ଭାରତରେ ଲଞ୍ଚ କରିଛି ଏକ ଅଭିନବ ପ୍ରଡକ୍ଟ। ଆଉ ଏଥିପାଇଁ କମ୍ପାନୀ ପକ୍ଷରୁ SMV Jaipuria Group ସହ ପାର୍ଟନରସିପ୍ କରିଛି ।

ଏହି ପାର୍ଟନରସିପ୍ ଜରିଆରେ କମ୍ପାନୀ Atmospheric Water Generators (AWG) ପ୍ରଡକ୍ଟକୁ ଅନେକ କାଟେଗୋରୀରେ ଭାରତରେ ଲଞ୍ଚ କରିବ । ଏହି ମେସିନ୍ ଏମ୍ବିଅଣ୍ଟ ଏୟାରରୁ ମିନରଲାଇଜଡ୍, ସେଫ୍ ଡ୍ରିଙ୍କିଂ ୱାଟର୍ ତିଆରି କରିପାରିବ । ଏହି ଅପରେସନ୍ ଆରମ୍ଭ ହେବାର ଏକ ବର୍ଷ ମଧ୍ୟରେ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ମଧ୍ୟ ଭାରତରେ ଲଞ୍ଚ କରାଯିବ ।

ଏହାର ୱାଇଡ୍ ରେଞ୍ଜରେ Genny, Gen-M1, Gen-M Pro and Gen-L ଆଦି ସାମିଲ ରହିଛି । ଏହି ପ୍ରଡକ୍ଟର ଦୈନିକ କାପାସିଟି ୩୦ଲି.ରୁ ୬,୦୦୦ ଲି. ରହିଛି । ତେବେ କମ୍ପାନୀ ପକ୍ଷରୁ ଏହାର ମୂଲ୍ୟ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ ।

ଛାତ୍ରଙ୍କୁ ଧକ୍କା ଦେଲା ବିଡିଓଙ୍କ ଗାଡ଼ି, ବିଡିଓଙ୍କୁ ଅଟକ ରଖିଲେ ଲୋକେ

ଜଗତସିଂହପୁର:  କଲେଜ ଛାତ୍ରଙ୍କୁ ଧକ୍କା ଦେଲା ବିଡିଓଙ୍କ ଗାଡ଼ି । ଜଗତସିଂହପୁର କୋର୍ଟ ଛକରେ ଘଟିଛି ଅଘଟଣ । ଜଣେ ଛାତ୍ରଙ୍କ ବାଇକରେ ଯାଉଥିବାବେଳେ ଧକ୍କା ଦେଇଛି ରଘୁନାଥପୁର ବ୍ଲକ ବିଡ଼ିଓଙ୍କ ଗାଡ଼ି ।  ଗାଡି ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଖସି ପଳାଉଥିଲା  । ସେପଟେ ସ୍ଥାନୀୟ ଲୋକେ  ବିଡିଓଙ୍କୁ ଘେରିଯାଇ ଅଟକାଇଥିଲେ  ।

ମିଳିଥିବା ଖବର ମୁତାବକ ଦୁର୍ଘଟଣା ସମୟରେ ବିଡିଓ ନିଜେ ଗାଡ଼ି ଚଳାଉଥିବା ଲୋକ କହିଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ବିଡିଓଙ୍କ ବେପରୁଆ କଥାବାର୍ତ୍ତା ଯୋଗୁ ତାଙ୍କୁ ଲୋକ ଅଟକ ରଖିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଛାତ୍ର ଜଣଙ୍କ ସାମାନ୍ୟ ଆହତ ହୋଇଥିବାବେଳେ ପୋଲିସ ଘଟଣାସ୍ଥେ ପହଁଚି ଦନ୍ତ ଆରମ୍ଭ କରିଛି  ।

ବଲିଉଡ୍ ଗୀତରେ ରିଲ୍ କରୁଥିଲେ, ଯବାନଙ୍କୁ ଫସାଉଥିଲେ…

ରାଜସ୍ଥାନ: ପ୍ରଥମେ ମିଠା ମିଠା କଥା କୁହନ୍ତି । ବଲିଉଡ୍ ଗୀତରେ ମତୁଆଲା କରନ୍ତି । ଆଉ ତା‘ ପରେ ଭାରତୀୟ ଯବାନଙ୍କୁ ଫସାନ୍ତି ।

ଏବେ ନିକଟରେ ଜଣେ ସେନା ଯବାନଙ୍କୁ ଗିରଫ କରାଯାଇଛି । ISI ଏଜେଣ୍ଟଙ୍କୁ ସେନାର ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗ ଲାଗିଛି ଯବାନଙ୍କ ଉପରେ। ଯବାନଙ୍କୁ ପଚରା ଉଚରା କରାଯିବାରୁ ସାଂଘାତିତ ତଥ୍ୟ ସାମ୍ନାକୁ ଆସିଛି ।

ଇଣ୍ଟେଲିଜେନ୍ସର ଅନୁସନ୍ଧାନ ଏବଂ ପଚରାଉଚରା ବେଳେ ହନିଟ୍ରାପରେ ଜଡ଼ିତ ଜଣେ ପାକିସ୍ତାନୀ ଏଜେଣ୍ଟଙ୍କ କିଛି ଭିଡିଓ ସାମ୍ନାକୁ ଆସିଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ସେ ବଲିଉଡ ଗୀତରେ ରିଲ୍ ତିଆରି କରି ସେନା ଯବାନଙ୍କୁ ଜାଲରେ ଫସାଉଥିଲେ ।

ଗିରଫ ହୋଇଥିବା ପ୍ରଦୀପ କୁମାରଙ୍କ ବୟସ ୨୪ ବର୍ଷ । ସେ ଉତ୍ତରାଖଣ୍ଡ ବାସୀନ୍ଦା । ତାଙ୍କୁ ତିନି ବର୍ଷ ପାଇଁ ଯୋଧପୁରରେ ପୋଷ୍ଟିଂ କରାଯାଇଥିଲା। ନଭେମ୍ବର ୨୦୨୧ ରେ, ଜଣେ ପାକିସ୍ତାନୀ ମହିଳା ଏଜେଣ୍ଟ ପ୍ରଥମେ ପ୍ରଦୀପଙ୍କୁ ଫୋନ୍ କରିଥିଲେ । ସେବେଠାରୁ ପ୍ରଦୀପ ତାଙ୍କ ଜାଲରେ ଫସିଯାଇଥିଲେ ।

ପ୍ରଦୀପଙ୍କ ସମେତ ଅନେକ ସେନା କର୍ମଚାରୀ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ଟାର୍ଗେଟରେ ଥିଲେ। ସୁନ୍ଦର ଦେଖାଯାଉଥିବା ମହିଳା ଏଜେଣ୍ଟ ସୋସିଆଲ ମିଡିଆରେ ଅନେକ ପ୍ରକାରର ରିଲ୍ ତିଆରି କରୁଥିଲେ । ବଲିଉଡ ଗୀତ ଠାରୁ ଆରମ୍ଭ କରି ଅନେକ ଚଳଚ୍ଚିତ୍ରର ସଂଳାପରେ ମଧ୍ୟ ସେ ରିଲ୍ ତିଆରି କରୁଥିଲେ । ଏପରି ରିଲ କରି ସେ ଯବାନଙ୍କୁ ପଠାଉଥିଲେ । ଯାହାଦ୍ବାରା ଯବାନ ଅତି ସହଜରେ ତାଙ୍କ ଜାଲରେ ଫସି ଯାଉଥିଲେ ।

ଏହି ପାକିସ୍ତାନୀ ଏଜେଣ୍ଟଙ୍କର ଅନେକ ନାମ ଅଛି । ପାୟଲ୍ ଶର୍ମା, ପ୍ରିୟା ଶର୍ମା । ହର୍ଲିନ୍ କୌର୍, ପୂଜା ରାଜପୁତ ଭଳି ଅଲଗା ଅଲଗା ନାମରେ ଯବାନଙ୍କୁ ଫସାଉଥିଲେ ।

ଭିଡିଓ ପଠାଇ ସେ ଯବାନଙ୍କୁ ବିଶ୍ବାସ କରାଉଥିଲେ ଯେ, ମୁଁ ଆପଣଙ୍କର ସୁଖ ଦୁଃଖର ସାଥି ହୋଇ ରହିବି । ଏପରି କଥାରେ ପଦୀପ ଫସି ଯାଇଥିଲେ । ଏମିତିକି ମହିଳା ଜଣଙ୍କ ପ୍ରଦୀପଙ୍କୁ ବାହା ହେବାର ସ୍ବପ୍ନ ବି ଦେଖାଇଥିଲେ ।

ମହିଳାଙ୍କ ଜାଲରେ ସେ ଏପରି ଫସି ଯାଇଥିଲେ ଯେ, ଯାହା ଯାହା ଡକ୍ୟୁମେଣ୍ଟ ମାଗୁଥିଲେ ପ୍ରଦୀପ ତାଙ୍କୁ ଦେଇଥିଲେ । ଦୁହିଁଙ୍କର ଭିଡିଓ କଲରେ ବି କଥାବାର୍ତ୍ତା ହୋଇଥିଲା । ବାହା ହେବା ପ୍ରତିଶ୍ରୁତି ଦେବା ସହ ଦିଲ୍ଲୀରେ ଦେଖା ହେବାକୁ ବି କଥା ଦେଇଥିଲେ । ଏପରିକି ଯବାନଙ୍କୁ ଫସାଇବା ପାଇଁ ମହିଳା ଅଶ୍ଲୀଳ କାର୍ଯ୍ୟ ବି କରିଥିଲେ ।

କିଏ ଡିଜାଇନ କରନ୍ତି ଉର୍ଫିଙ୍କ ଅଜବ ଆଉଟଫିଟ୍?

ମୁମ୍ବାଇ: ସୋସିଆଲ୍ ମିଡିଆ ସେନସେସନ୍ ଉର୍ଫି ଯାଦବ। ନିଜର ଅଜବ ଆଉଟଫିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି। ହେଲେ ଆପଣ ଜାଣିଛନ୍ତି କି, କିଏ ଉର୍ଫିଙ୍କ ଆଉଟଫିଟ୍ ଡିଜାଇନ୍ କରନ୍ତି ? କାହା ଦ୍ବାରା ଡିଜାଇନ୍ ହୋଇଥିବା ପୋଷାକ ପିନ୍ଧି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରନ୍ତି ସେ?

ଉର୍ଫିଙ୍କ ପାଇଁ ଏମିତି ଅଜବ ଆଉଟଫିଟ୍ ଡିଜାଇନ କରୁଥିବା ଡିଜାଇନର୍ ହେଉଛନ୍ତି ଶ୍ବେତା ଶ୍ରୀବାସ୍ତବ । ଶ୍ବେତା ଉର୍ଫିଙ୍କ ପ୍ରାୟ ସବୁ ପୋଷାକ ଡିଜାଇନ୍ କରିଥାନ୍ତି । ନିକଟରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଦୀର୍ଘ ଦିନ ହେବ ସେ ଜଣେ ମନଲାଖି ଡିଜାଇନର୍ ସନ୍ଧାନରେ ଥିଲେ । ତା ପରେ ସେ ଶ୍ବେତାଙ୍କ ସହ କଥାବାର୍ତ୍ତା କରିଥିଲେ । ଏହା ପରଠୁ ଉର୍ଫିଙ୍କ ପୋଷାକ ସେ ହିଁ ଡିଜାଇନ୍ କରୁଛନ୍ତି ।

ଏ ନେଇ ଶ୍ବେତା କହିଛନ୍ତି ଯେ, ଉର୍ଫିଙ୍କୁ କିପରି ଡ୍ରେସ୍ ଦରକାର ସେ ନିଜେ ମୋତେ କୁହନ୍ତି । ସେ କିଛି ଲୁଚାନ୍ତିନି । ତାଙ୍କ ଆବଶ୍ୟକତା ଦୃଷ୍ଟିରୁ ତାଙ୍କ ମନକୁ ପାଉଥିବା ପୋଷାକ ତିଆରି କରିଥାନ୍ତି ଶ୍ବେତା । ଘଣ୍ଟା ଘଣ୍ଟା ପରିଶ୍ରମ କରି ସେ ଏହିସବୁ ଡ୍ରେସ୍ ତିଆରି କରିଥାନ୍ତି । ଏମିତିକି ଡ୍ରେସ୍ ତିଆରି କରୁ କରୁ ତାଙ୍କର ରାତି ପାହିଯାଏ ।

ଆପଣ ଜାଣିଥିବେ ଉର୍ଫିଙ୍କ ପୋଷାକକୁ ନେଇ ତାଙ୍କୁ ବହୁତ ଟ୍ରଲ୍ କରାଯାଏ । ହେଲେ ସେ ଏହାକୁ ତିଳେମାତ୍ର ଖାତିର କରନ୍ତି ନାହିଁ । ଶ୍ବେତା ମଧ୍ୟ ଏଥିପାଇଁ ବହୁତଥର ସମାଲୋଚନାର ଶିକାର ହୋଇଛନ୍ତି । ଏହାକୁ ନେଇ ସେ କହିଛନ୍ତି ଯେ, ପୋଷାକ ଡିଜାଇନ୍ କରିବା ମୋ କାମ । ମୋ ଡିଜାଇନ୍ କାହାକୁ ପସନ୍ଦ ଆସିପାରେ ନ ଆସି ବି ପାରେ । କିନ୍ତୁ ଏହା ମୋତେ ପ୍ରଭାବିତ କରେନି ।

ବିଭିନ୍ନ ପ୍ରକାର ସମାଲୋଚନାର ଶିକାର ହେଲା ପରେ ବି ଉର୍ଫି ଅଜବ ଗଜବ ଡ୍ରେସ୍ ପିନ୍ଧିବା ବନ୍ଦ କରିନାହାନ୍ତି ।

ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ, ଉର୍ଫି ପ୍ରଥମେ କସୌଟି ଜିନ୍ଦେଗୀ କି ସିରିଏଲରେ ନଜର ଆସିଥିଲେ । ଏହା ପରେ ସହ ବିଗବସ ଓଟିଟିରେ ଏବଂ ଏବେ ତାଙ୍କର ଅଜବ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।

ହତ୍ୟା ଅଭିଯୋଗରେ ‘ମେଣ୍ଢା’କୁ ବର୍ଷେ ଜେଲ୍ !

ଜୁବା: ଆଫ୍ରିକୀୟ ଦେଶ ଦକ୍ଷିଣ ସୁଦାନରେ ହତ୍ୟା ମାମଲାରେ ଏକ ମେଣ୍ଢାକୁ ୩ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଦିଆଯାଇଛି । ଏହି ମେଣ୍ଢାଟି ଜଣେ ବୃଦ୍ଧ ମହିଳା ଆଡିୟୁ ଚାପିଙ୍ଗ (୪୫)ଙ୍କୁ ଶିଙ୍ଗରେ ହତ୍ୟା କରି ଦୋଷୀ ସାବ୍ୟସ୍ତ ହୋଇଛି| ଖାଲି ଏତିକି ନୁହେଁ ମେଣ୍ଢା ଶିଙ୍ଗରେ ମହିଳାଙ୍କ ଛାତିରେ ଅନେକ ଥର ଆଘାତ କରିଥିବା ଯୋଗୁଁ ତାଙ୍କର ମୃତ୍ୟୁ ବରଣ ହୋଇଛି । ଫଳରେ ଦଣ୍ଡ ସ୍ୱରୂପ ଏକ ସେନା ଶିବିରରେ ତିନି ବର୍ଷ ପର୍ଯ୍ୟନ୍ତ ରହିବ ମେଣ୍ଢାଟି ।

ଦକ୍ଷିଣ ସୁଦାନର ବୟସ୍କ ବ୍ୟକ୍ତି ମାନେ ଦୋଷୀ ମେଣ୍ଢାକୁ ଏହି ଦଣ୍ଡ ଶୁଣାଇଛନ୍ତି । ଅନ୍ୟପକ୍ଷରେ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ସ୍ୱରୂପ ୫ଟି ଗାଈ ଦେବେ ମେଣ୍ଢାର ମାଲିକ । ଆଫ୍ରିକାରେ ଗାଈକୁ ଏକ ସମ୍ପତ୍ତି ଭାବରେ ବିବେଚନା କରାଯାଏ । ଏନେଇ ଜଣେ ପୋଲିସ୍ ଅଧିକାରୀ ଇଲିଜା ମାବୋର କହିଛନ୍ତି ଯେ, ଘଟଣାଟି ପୂର୍ବ ମ୍ବେକ୍ ଅଞ୍ଚଳରେ ଘଟିଛି।

ସେ ଆହୁରି ମଧ୍ୟ କହିଛନ୍ତି, “ପୋଲିସ ଭାବେ ଆମର ଭୂମିକା ହେଉଛି ସୁରକ୍ଷା ଯୋଗାଇବା ଏବଂ ଝଗଡାର ସମାଧାନ କରିବା । ଏହି ମେଣ୍ଢାକୁ ଧରାଯାଇ ବର୍ତ୍ତମାନ ଥାନାରେ ରଖାଯାଇଛି। ଅଧିକାରୀ କ

ଏହି ମେଣ୍ଢାର ମାଲିକ ଡୁଓନୟ ମାୟାଙ୍ଗ ବୋଲି ଜଣାପଡିଛି । ଏହି ବ୍ୟକ୍ତି ପରସ୍ପରର ପଡୋଶୀ ହୋଇଥିବା ବେଳେ ଦୁଇ ପରିବାର ପୋଲିସ ନିକଟରେ ଏକ ବୁଝାମଣା କରିଛନ୍ତି । ତଦନୁଯାୟୀ,  ଏହି ମେଣ୍ଢା ଜେଲରୁ ମୁକ୍ତ ହେବାପରେ ତା’କୁ ଉପହାର ରୂପେ ମୃତ ମହିଳାଙ୍କ ପରିବାରକୁ ଦିଆଯିବ ।

ବାବୁଙ୍କ କୁକୁର ବୁଲିବ ବୋଲି ଷ୍ଟାଡିୟମରୁ ତଡ଼ା ଖାଉଥିଲେ ଖେଳାଳି

ନୂଆଦିଲ୍ଲୀ: ଖେଳାଳିଙ୍କ ଲାଗି ଦିଲ୍ଲୀର ସମସ୍ତ ଷ୍ଟାଡିୟମ ରାତି ୧୦ଟା ପର୍ଯ୍ୟନ୍ତ ଖୋଲାରହିବ । ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଜଣେ ଆଇଏଏସ ଅଫିସର ନିଜ କୁକୁର ସହ ବୁଲିବା ଲାଗି ଷ୍ଟାଡିୟମକୁ ଖାଲି କରିବା ଲାଗି ନିର୍ଦ୍ଦେଶ ଦେବା ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଦିଲ୍ଲୀ ରାଜସ୍ୱ ସଚିବ ସଞ୍ଜୀବ ଖିରଓ୍ୱାର ତ୍ୟାଗରାଜ ଷ୍ଟାଡିୟମରେ ନିଜର କୁକୁର ସହ ବୁଲିବା ଲାଗି ଷ୍ଟାଡିୟମ ଖାଲି କରିଦେବାକୁ ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଷ୍ଟାଡିୟମ ପ୍ରଶାସକ ଅନିଲ ଚୌଧୁରୀ । ସେ କହିଛନ୍ତି ସରକାରୀ ନିର୍ଦ୍ଧାରିତ ସମୟ ସୂଚୀକୁ ଗୁରୁତ୍ୱ ଦିଆଯାଉଛି । ସେ କହିଛନ୍ତି- ଆଥଲେଟଙ୍କ ଲାଗି ରାତି ୭ଟା ପର୍ଯ୍ୟନ୍ତ ଚୂଡ଼ାନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି । କାହାରିକୁ ଆଗୁଆ ବାହାରିଯିବା ଲାଗି ନିର୍ଦ୍ଦେଶ ଦିଆଯାଇନାହିଁ ।

ଜ୍ଞାନବାପି ମସଜିଦ କମିଟିର ଆଜି ଶୁଣାଣି

ନୂଆଦିଲ୍ଲୀ: ଆଜି ବାରାଣସୀ କୋର୍ଟରେ ଜ୍ଞାନବାପି ମସଜିଦ କମିଟି ପକ୍ଷର ଆଜି ଶୁଣାଣି। ଜିଲ୍ଲା ଜଜ ଏ.କେ. ବିଶ୍ବବେଶଙ୍କ ଇଜଲାସରେ ଏହି ଶୁଣାଣି ହେବ। ୫ ଜଣ ହିନ୍ଦୁ ମହିଳାଙ୍କ ଦ୍ବାରା ଦାଖଲ ହୋଇଥିବା ପିଟିସନ ବିପକ୍ଷରେ ମସଜିଦ କମିଟି ଦାୟର କରିଥିବା ପିଟିସନର ହେବ ଶୁଣାଣି। ମସଜିଦ ଭିତରେ ବିଭିନ୍ନ ହିନ୍ଦୁ ଦେବଦେବୀଙ୍କ ପ୍ରତିମା ରହିଥିବାରୁ ସେମାନଙ୍କୁ ପ୍ରବେଶ ଅନୁମତି ଦେବା ଲାଗି ଆବେଦନ କରାଯାଇଥିଲା।

ମସଜିଦ ପରିସରର ଭିଡିଓଗ୍ରାଫି ସଂକ୍ରାନ୍ତ କୋର୍ଟ ନିଷ୍ପତ୍ତି ପ୍ରସଙ୍ଗରେ ଆପତ୍ତି ଜଣାଇବା ଲାଗି ଦୁଇ ପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମସଜିଦ ଭିତରେ ଭିଡିଓଗ୍ରାଫି ଲାଗି ଅନୁମତି ୧୯୯୧ର ଆଇନର ଉଲ୍ଲଂଘନ କରୁଛି ବୋଲି ଦର୍ଶାଇଥିଲେ ମସଜିଦ କମିଟି। ସେପଟେ ଜ୍ଞାନବାପି ମସଜିଦ ଭିତରକୁ ମୁସଲିମଙ୍କ ପ୍ରବେଶ ଉପରେ ନିଷେଧାଦେଶ ଲାଗି ଆଗତ ଅନ୍ୟ ଏକ ପିଟିସନକୁ ଏକ ସିଭିଲ ଜଜ କୋର୍ଟରୁ ଏକ ଫାଷ୍ଟ ଟ୍ରାକ କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଏହି ମାମଲାର ଶୁଣାଣି ଆସନ୍ତା ୩୦ ତାରିଖରେ ହେବ।

ଅଧିକ ପଢନ୍ତୁ- ଲିକ୍ ହେଲା ଜ୍ଞାନବାପୀ ସର୍ଭେ ରିପୋର୍ଟ, ମସଜିଦରେ ହନ୍ଦୁ ସଂସ୍କୃତିର ଚିହ୍ନ… 

ଉଲ୍ଲେଖଯୋଗ୍ୟ, ଜ୍ଞାନବାପୀ ମାମଲାରେ ସ୍ୱତନ୍ତ୍ର କୋର୍ଟ କମିଶନର ବିଶାଲ ସିଂ କୋର୍ଟରେ ଉପସ୍ଥାପିତ କରିଥିବା ଏକ ରିପୋର୍ଟ ନିକଟରେ ଲିକ୍ ହୋଇଥିବା ଚର୍ଚ୍ଚା ହୋଇଥିଲା। ଏପରିକି ଏହାର କପି ଏକ ଘରୋଇ ଚ୍ୟାନେଲରେ ଟେଲିକାଷ୍ଟ ହୋଇଥିବା ସୂଚନା ମିଳିଛି । ସର୍ଭେ ସମୟରେ ଟିମକୁ ଯେଉଁସବୁ ଜିନିଷ ମିଳିଥିଲା ସେସବୁ ଜିନିଷ ଉଲ୍ଲେଖ ରହିଛି ।

ସର୍ଭେର ଅନ୍ୟ ଏକ ରିପୋର୍ଟରେ ହିନ୍ଦୁ ପ୍ରତୀକ ଓ ଶିବ ଲିଙ୍ଗ ମିଳିଥିବା ଦର୍ଶାଯାଇଛି। ଏହାବ୍ୟତୀତ ମସଜିଦର କାନ୍ଥରେ ପଦ୍ମ ଫୁଲ, ଡମ୍ବରୁ ଓ ତ୍ରୀଶୁଳର ଚିହ୍ନ ମିଳିଛି । ତେବେ କୋର୍ଟଙ୍କ ଆଦେଶାନୁସାରେ ଜ୍ଞାନବାପୀ ମସଜିଦର ସର୍ଭେ କରାଯାଇଥିଲା । ତିନି ଦିନ ଧରି ଚାଲିଥିବା ସର୍ଭେ ପରେ କମିଶନ ଏକ ରିପୋର୍ଟ ଗୁରୁବାର ଦିନ କୋର୍ଟରେ ଦାଖଲ କରିଥିଲେ । ସର୍ଭେର ଶେଷ ଦିନରେ ହିନ୍ଦୁ ପକ୍ଷ ଦାବି କରିଛି ଯେ ମନ୍ଦିର ଭିତରୁ ଶିବ ଲିଙ୍ଗ ମିଳିଛି । ଯାହାକୁ ଖଣ୍ଡନ କରିଥିଲା ମୁସଲିମ୍ ପକ୍ଷ ।