ୟୁକ୍ରେନ ଜେପୋରିଜିୟା ଆଣବିକ ପ୍ଲାଣ୍ଟରେ ଘଟିପାରେ ଅଘଟଣ, ସତର୍କ କରାଇଲା IAEA

1 min read

କିଭ୍: କୌଣସି ମୁହୂର୍ତ୍ତରେ ୟୁକ୍ରେନ ଜେପୋରିଜିୟା ଆଣବିକ ପ୍ଲାଣ୍ଟରେ ଘଟିପାରେ ଅଘଟଣ । ଉଭୟ ଋଷ ଓ ୟୁକ୍ରେନ ସୈନ୍ୟ ୟୁରୋପର ସର୍ବବୃହତ ଆଣବିକ ପ୍ଲାଣ୍ଟ ନିକଟରେ ଗୁଳିଗୋଳା ବର୍ଷଣ କରୁଥିବାରୁ ଆଗୁଆ ସତର୍କ କରାଇଛି ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ବା IAEA । ପ୍ଲାଣ୍ଟର ତେଜଷ୍କ୍ରିୟ ଗୋଦାମ ନିକଟରେ ୫ଟି ରକେଟ ମାଡ଼ ହେବାରୁ ଗଭୀର ଆଶଙ୍କା ବ୍ୟକ୍ତ କରିଛି IAEA । ଜେପୋରିଜିୟା ପ୍ଲାଣ୍ଟ ଗତ ମାର୍ଚ୍ଚରୁ ଋଷବାହିନୀ କବଜାରେ ଥିବା ସତ୍ତ୍ୱେ ଏହାକୁ ହାତଛଡ଼ା କରିବାକୁ ଚାହୁଁନାହିଁ ୟୁକ୍ରେନ ବାହିନୀ । ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ସଂସ୍ଥାର ମୁଖ୍ୟ ରାଫେଲ ଗ୍ରସି ଏନେଇ ସତର୍କ କରାଇଛନ୍ତି । ଯୁଦ୍ଧର ଗତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଥିବାବେଳେ ଜେପୋରିଜିୟା ଆଣବିକ ପ୍ଲାଣ୍ଟକୁ କବଜା କରିବା ଲାଗି ଚାଲିଛି ସଂଘର୍ଷ । ତୁରନ୍ତ ଏହି ପ୍ଲାଣ୍ଟ ନିକଟକୁ ଏକ ଟିମ୍ ପଠାଇବା ଲାଗି IAEAକୁ ଅନୁମତି ଦିଆଯାଉ ବୋଲି କହିଛନ୍ତି ଗ୍ରସି ।

ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି- ୟୁକ୍ରେନକୁ ଋଷ ଆଣବିକ ବ୍ଲାକମେଲ୍ କରିବାରେ ଲାଗିଛି । ଯଦି ତୁରନ୍ତ ଏହି ସଙ୍କଟ ନ ଟଳେ ତେବେ ୧୯୮୬ର ଚେର୍ଣ୍ଣୋବିଲ ଦୁର୍ଘଟଣା ପରି ବଡ଼ ଦୁର୍ଘଟଣା ଘଟିପାରେ । ଦେଶ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଜେଲେନସ୍କି କହିଛନ୍ତି- କେବଳ ୟୁକ୍ରେନରୁ ଋଷ ବିଦା ହେଲେ ହିଁ ଆଣବିକ ନିରାପତ୍ତା ପ୍ରତିଷ୍ଠା ହୋଇପାରିବ । ବର୍ତ୍ତମାନ ଏହି ପ୍ଲାଣ୍ଟ ନିକଟରେ ଉଭୟ ପକ୍ଷର ବହୁ ସଂଖ୍ୟକ ସୈନ୍ୟ ରହିଛନ୍ତି ଏବଂ ପ୍ଲାଣ୍ଟର ନିରାପତ୍ତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେଣେ ୟୁକ୍ରେନର ଆଣବିକ ସଂସ୍ଥା ଏନର୍ଗୋଟମ ପକ୍ଷରୁ କୁହାଯାଇଛି ଜେପୋରିଜିୟା ପ୍ଲାଣ୍ଟ ନିକଟରେ ସମସ୍ତ ନିୟମ ଉଲ୍ଲଂଘନ କରି ଋଷ ବାହିନୀ ଗୁଳିଗୋଳା ବର୍ଷଣ କରୁଥିବାରୁ ସ୍ଥିତି ସଂଗୀନ ହୋଇଛି । ପ୍ଲାଣ୍ଟର ୬ଟି ରିଆକ୍ଟର ମଧ୍ୟରୁ ଗୋଟିଏ ରିଆକ୍ଟରରେ ଅନେକ ରେଡିଏସନ ସେନସର ନଷ୍ଟ ହୋଇଛି । ନ୍ୟୁୟର୍କରେ ବସିଥିବା ନିରାପତ୍ତା ପରିଷଦ ବୈଠକରେ ୟୁକ୍ରେନକୁ IAEAର ଏକ ପ୍ରତିନିଧି ମଣ୍ଡଳୀ ପଠାଇବା ଲାଗି ମଧ୍ୟ ସହମତି ପ୍ରକାଶ ପାଇଛି । ତେଣେ ଋଷ ବିରୋଧରେ ନିଆଯାଉଥିବା ଯୁଦ୍ଧ କୌଶଳ ସମ୍ପର୍କରେ ରିପୋର୍ଟରମାନଙ୍କୁ କୌଣସି ସୂଚନା ନଦେବା ଲାଗି ସରକାରୀ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜେଲେନସ୍କି ।