ଓଡ଼ିଶା ଆହୁରି ଆଗକୁ ବଢ଼ିବ

1 min read

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାସଗୋବିନ୍ଦପୁର ବ୍ଲକ ଟିକପଦାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଓ କରଞ୍ଜିଆ ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ କି ମୟୂରଭଞ୍ଜ ଚାଷୀମାନଙ୍କ ପାଇଁ ଆଜି ଖୁସିର ଦିନ । ଆଜି ଗୋଟିଏ ଦିନରେ ମୟୂରଭଞ୍ଜରେ ଦୁଇ ଦୁଇଟି ବଡ଼ ଜଳସେଚନ ପ୍ରକଳ୍ପ ଚାଷୀଭାଇ ମାନଙ୍କ ସେବାରେ ଉଦଘାଟନ୍ ହୋଇଛି । ସୁବର୍ଣ୍ଣରେଖା ପ୍ରକଳ୍ପରେ ୧୭ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚନ କରାଯିବ । ଏହାଦ୍ୱାରା ଦୁଇଟି ଜିଲ୍ଲାର ୫୦ ହଜାରରୁ ଅଧିକ ଚାଷୀ ଉପକାର ପାଇବେ । ପ୍ରକଳ୍ପରେ ଏବେସୁଦ୍ଧା ୫୦ହଜାର ହେକ୍ଟରରୁ ଅଧିକ ଜମିକୁ ପାଣି ଯୋଗାଇ ଦିଆଯାଉଛି । ପୂରା ପ୍ରକଳ୍ପରେ ମୋଟ୍ ୭୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ହେବ । ସେହିପରି ଦେଓ ପ୍ରକଳ୍ପ ଦ୍ୱାରା କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୧୦ ହଜାର ହେକ୍ଚର ଜମି ଖରିଫ ଋତୁରେ ଜଳସେଚିତ ହେବ । ଏଥିରେ ଶହେଟି ଗାଁର ପ୍ରାୟ ୨ ଲକ୍ଷ ଚାଷୀ ପରିବାର ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ରାଜ୍ୟ ସରକାର କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ଜନଜାତି କଲ୍ୟାଣ, ମହିଳା ସଶକ୍ତିକରଣକୁ ଫୋକସ୍ କରିଛନ୍ତି । କାଳିଆ ଯୋଜନା ହେଉ କି ମିଶନ୍ ଶକ୍ତି ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଏସବୁ କାର୍ଯ୍ୟକ୍ରମ ଲୋକଙ୍କ ଆଦର ପାଇଛି । ସେହିପରି 5T ଜରିଆରେ ସ୍କୁଲ ରୂପାନ୍ତରଣ ସରକାରୀ ସ୍କୁଲ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇଛି । ମୟୂରଭଞ୍ଜର ଗାଁ ସ୍କୁଲରେ ବସି ଗୋଟେ ପିଲା ବିଶ୍ୱସ୍ତରର ଶିକ୍ଷା ଓ ସୁବିଧା ପାଉଛି । ଏହାଦ୍ୱାରା କେବଳ ସେ ପିଲା ନୁହେଁ ସାରା ଓଡ଼ିଶା ଆଗକୁ ବଢୁଛି । ଜନଜାତିଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ମିଳୁଛି । ଶିକ୍ଷା ଓ ରୋଜଗାର ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରହିଛି । ଜନଜାତି ପିଲାମାନେ ନିଜ ଦକ୍ଷତା ବଳରେ ଦେଶ ବିଦେଶରେ ସୁନାମ ଆଣୁଛନ୍ତି ।

ରାଜ୍ୟ ବିକାଶରେ ମୟୂରଭଞ୍ଜର ବିଶେଷ ଭୂମିକା ରହିଛି । ଏହି ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ପବିତ୍ର ମାଟିକୁ ପ୍ରଣାମ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୟୂରଭଞ୍ଜ ମାଟି କଳା ଓ ସଂସ୍କୃତିର ମାଟି । ସାରା ଦେଶରେ ମୟୂରଭଞ୍ଜର ରହିଛି ସ୍ୱତନ୍ତ୍ର ପରିଚୟ । ମୟୂରଭଞ୍ଜର ଜନଜାତି ଭାଇଭଉଣୀଙ୍କର ରହିଛି ସମୃଦ୍ଧ ପରମ୍ପରା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ମାଟିର ଝିଅ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।