ଆକ୍ସନ ମୋଡରେ BMC, କଳିଙ୍ଗ ହସ୍ପିଟାଲ ଛକରୁ ଡମଣା ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ

1 min read

ଭୁବନେଶ୍ୱର: ବିଏମସିର ମିଶନ ସଫେଇ । ଆକ୍ସନ ମୋଡ଼ରେ ଭୁବନେଶ୍ୱର ମହାନଗର ନିଗମ । ପରିମଳ ଓ ସ୍ଵଚ୍ଛତା ବଜାୟ ରଖିବାକୁ ବାରମ୍ବାର ତାଗିଦ ସତ୍ତ୍ୱେ ଏଥିରେ ଖିଲାପ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ନିଆଯାଇଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ଡଷ୍ଟବିନ ବ୍ୟବହାର ନକରି ଏଣେତେଣେ ବାହାରେ ଅଳିଆ ପକାଇଥିବା ଆଳିଆକୁ ସଫେଇ କର୍ମଚାରୀଙ୍କ ଜରିଆରେ ପୁଣି ସମ୍ପୃକ୍ତ ବ୍ୟକ୍ତି ତଥା ବ୍ୟବସାୟିକ ପ୍ରତିଷ୍ଠାନ ଭିତରେ ବିଏମସି ପକ୍ଷରୁ ପକାଯାଇଥିଲା । ଲୋକେ ସଚେତନ ନହେଲେ ଆଗକୁ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ବିଏମସି କମିଶନର ସ୍ପଷ୍ଟ କରିଛନ୍ତି ।

ସେପଟେ ଭୁବନେଶ୍ୱରର ଟ୍ରାଫିକ ସମସ୍ୟାର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଭି କେ ପାଣ୍ଡିଆନ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ସମସ୍ୟାର ସମାଧାନ ପାଇଁ ତୁରନ୍ତ ବିଭିନ୍ନ ପଦକ୍ଷେପ ନେବାକୁ ବିଏମସି ଓ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏହାପରେ ଆଜି ଆକ୍ସନ ମୋଡ଼ରେ ଆସିଛି ବିଏମସି । ପ୍ରଥମ ପର୍ଯ୍ୟାୟରେ କଳିଙ୍ଗ ହସ୍ପିଟାଲ ଛକ ନିକଟରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତାକଡ଼ ଜବରଦଖଲ ଉଚ୍ଛେଦ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି। ଡ୍ରେନ ଜବର ଦଖଲ, ବେନିୟମ ହୋର୍ଡିଂ ଓ ପୋଷ୍ଟର ସବୁ ହଟାଯାଇଥିଲା । ବହୁ ବ୍ୟବସାୟୀଙ୍କଠାରୁ ମଧ୍ୟ ଜରିମାନା ଆଦାୟ କରାଯାଇଥିଲା ।