ଜାମ୍ମୁ ଓ କାଶ୍ମୀର କଂଗ୍ରେସକୁ ଧକ୍କା, ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ

1 min read

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସନ୍ତୁଷ୍ଟ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଗତକାଲି ଏହି କମିଟି ଗଠିତ ହୋଇଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କମିଟିରୁ ଇସ୍ତଫା ଦେଇଛନ୍ତି ଗୁଲାମନବୀ । ସେ କହିଛନ୍ତି- ଏହି ନୂଆ ଦାୟିତ୍ୱ ନେଇପାରିବେ ନାହିଁ । ଜମ୍ମୁ ଓ କାଶ୍ମୀର ଲାଗି ଗଠିତ ପ୍ରଚାର କମିଟିରେ ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତି ସମେତ ୧୧ ଜଣ ସଦସ୍ୟ ରହିଛନ୍ତି ।

ଏହି କମିଟିରେ ତାରିକ ହମିଦ କାରା ଉପାଧ୍ୟକ୍ଷ ହୋଇଥିବାବେଳେ ଜିଏମ ସୋରାରି ଆବାହକ ନିଯୁକ୍ତ ହୋଇଥିଲେ । ପ୍ରଚାର କମିଟି ଉପରେ ଗତକାଲି ମୋହର ମାରିଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଗୁଲାମନବୀଙ୍କ ସହ ଆଉ ଦୁଇ ସଦସ୍ୟ ମଧ୍ୟ ପ୍ରଚାର କମିଟିରୁ ଇସ୍ତଫା ଦେଇଛନ୍ତି । ଗ୍ରୁପ ୨୩ର ନେତା ଭାବେ ଗୁଲାମନବୀ ଦୀର୍ଘଦିନରୁ ଚର୍ଚ୍ଚାରେ ଅଛନ୍ତି । କଂଗ୍ରେସରେ ବ୍ୟାପକ ପରିବର୍ତ୍ତନ କରିବା ଦାବିରେ ଏହି ଗ୍ରୁପର ନେତାମାନେ ଅଟଳ ରହିଛନ୍ତି ।