୪୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ, ଜଳଭଣ୍ଡାରକୁ ପ୍ରବେଶ କରୁଛି ୫ ଲକ୍ଷ ୯୭ ହଜାର କ୍ୟୁସେକ ଜଳ

ସମ୍ବଲପୁର: ହୀରାକୁଦର ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଛତିଶଗଡ଼ ପଟୁ ଅଧିକ ଜଳ ପ୍ରବାହ କାରଣରୁ ହୀରାକୁଦ ଜଳଭଣ୍ଡାରରେ ଅଧିକ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୯୭ ହଜାର ୬୯୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଜଳ ଭଣ୍ଡାରରୁ ୬ ଲକ୍ଷ ୭୯ ହଜାର ୬୮୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଳ ଭଣ୍ଡାରରେ ଏବେ ୬୨୬ .୫୭ ଫୁଟ ଜଳସ୍ତର ରହିଛି । ଅନ୍ୟପକ୍ଷରେ କଟକ ମୁଣ୍ଡଳିରେ ବଢୁଛି ଜଳ ପ୍ରବାହ । ଏବେ ବି ମୁଣ୍ଡଳିରେ ଜାରି ରହିଛି ପିକ୍ ଫ୍ଲୋ । ପ୍ରତି ସେକେଣ୍ଡରେ ମୁଣ୍ଡଳିରେ ୧୨ ଲକ୍ଷ ୧ ହଜାରେ ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯାହା ଫଳରେ ତଳିଆ ଅଞ୍ଚଳର ଅନେକ ଗାଁ ଏବେ ଜଳମଗ୍ନ ହୋଇଛି ।

ସେପଟେ ୪୦ଟି ଗେଟ୍ ଖୋଲିବା ପରେ ପ୍ରତିକ୍ରିୟ ରଖିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ସେ କହିଛନ୍ତି ଯେ ହୀରାକୁଦର ୪୦ଟି ଗେଟ୍ ଖୋଲିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ । ପୂର୍ବରୁ ମଧ୍ୟ ହୀରାକୁଦର ୪୦ରୁ ଅଧିକ ଗେଟ୍ ଖୋଲାଯାଇଥିଲା । ଦୁଇ ତିନି ୩ ଦିନ ବର୍ଷା ନଥିବାରୁ ଜଳଭଣ୍ଡାରରୁ ପାଣି ଛାଡ଼ିବାରେ ଅସୁବିଧା ନାହିଁ । ଉଚ୍ଚ ମଧ୍ୟମ ଧରଣର ବନ୍ୟା ସ୍ଥିତି ହେବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ।