ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ, ପାଣି ଘେରରୁ ୩ ଚାଷୀଙ୍କୁ କଲେ ଉଦ୍ଧାର

ମହାକାଳପଡ଼ା: ଅଧାରାତିରେ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ । ପାଣି ଘେରରୁ ଉଦ୍ଧାର ହେଲେ ଚାଷୀ । ଗତକାଲି ମଧ୍ୟରାତ୍ରୀରେ ମହାକାଳପଡ଼ା ବ୍ଲକ ଦଶରାଜପୁର ଡିଆରରୁ ୩ ଜଣ ଚାଷୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ପୁରୁଷ ଓ ଜଣେ ମହିଳା । ସମସ୍ତ ୩ ଜଣ ଚାଷୀ ଚାଷ କରିବାକୁ ଜମିକୁ ଯାଇ ବନ୍ୟା ଘେରରେ ଫସିଥିଲେ । ପାଣି ମାଡ଼ିଆସିବାରୁ ଏକ ଢିପ ସ୍ଥାନରେ ଆଶ୍ରୟ ନେଇଥିଲେ । ପରେ ସ୍ଥାନୀୟ ଲୋକ ବିଡିଓଙ୍କୁ ଖବର ଦେବା ପରେ ଘଟଣାସ୍ଥଳରେ ବିଡିଓ ଓ ତହସିଲଦାର ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଜଳ ଘେରରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।