ଗୁରୁଦିବସରେ ‘ଗୁରୁବ୍ରହ୍ମା ସମ୍ମାନ-୨୦୨୨’

1 min read

ଭୁବନେଶ୍ୱର: ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ । ଗୁରୁଦିବସ ଉପଲକ୍ଷେ ନନ୍ଦିଘୋଷ ଟିଭି ଓ ଦୈନିକ ଖବର କାଗଜ ସକାଳ ପକ୍ଷରୁ ନିଆରା ପ୍ରୟାସ । ସିଭିରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସହଯୋଗରେ ପ୍ରଦାନ କରାଯିବ ‘ଗୁରୁବ୍ରହ୍ମା ସମ୍ମାନ-୨୦୨୨’ । ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବର୍ଗରେ ୩ ଜଣ ଲେଖାଏଁ ସମୁଦାୟ ୯ ଜଣ ଶିକ୍ଷକ ପାଇବେ ଆର୍ଥିକ ପୁରସ୍କାର ଏବଂ ସମ୍ମାନ । ଉଭୟ ସରକାରୀ ଏବଂ ଘରୋଇ ସ୍କୁଲର ଶିକ୍ଷକ ଏଥିପାଇଁ ଆବେଦନ କରିପାରିବେ । ଅଗଷ୍ଟ ୨୩ ତାରିଖ ହେଉଛି ଆବେଦନ କରିବାର ଶେଷ ତାରିଖ ।

ଆଗ୍ରହୀ ଶିକ୍ଷକମାନେ [email protected] ରେ ସିଧାସଳଖ ଆବେଦନ କରିପାରିବେ । ନିଜ ବାୟୋଡାଟା ସହ ସାଧା କାଗଜରେ ଆବେଦନ କରିପାରିବେ । ଏହି ଆବେଦନ ପତ୍ରରେ ନିଜେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଗ୍ରହଣ କରିଥିବା ନୂତନ ପଦ୍ଧତି ସମ୍ପର୍କରେ ସମ୍ୟକ ସୂଚନା ରହିବା ଆବଶ୍ୟକ । ଗତ ଦୁଇ ବର୍ଷ ମଧ୍ୟରେ ଆପଣଙ୍କ ଛାତ୍ରଛାତ୍ରୀ କିଭଳି ପରୀକ୍ଷାଫଳ କରିଛନ୍ତି ସେ ସମ୍ପର୍କିତ ବିବରଣୀ ସଂଲଗ୍ନ କରିବା ଜରୁରୀ । ଯଦି ଆପଣ ସରକାରୀ ସ୍କୁଲର ଶିକ୍ଷକ, ତାହେଲେ ଆପଣଙ୍କ ସଫଳତା ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କଠାରୁ ଏକ ସୁପାରିସ ପତ୍ର ଆବେଦନ ସହ ସଂଯୁକ୍ତ କରିବେ । ଯଦି ଆପଣ ଘରୋଇ ସ୍କୁଲର ଶିକ୍ଷକ, ତାହେଲେ ନିଜ ସ୍କୁଲର ଅଧ୍ୟକ୍ଷଙ୍କଠାରୁ ଏକ ସୁପାରିସ ପତ୍ର ଆବେଦନ ସହ ସଂଯୁକ୍ତ କରିବେ । ଆପଣଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ ବୋଲି ଏକ ସ୍ୱଘୋଷିତ ପତ୍ର ମଧ୍ୟ ଆବେଦନ ସହ ସଂଯୁକ୍ତ କରିବେ । ଏହି ଆବେଦନ ପାଇଁ ଶିକ୍ଷକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।