spot_img
Home Blog Page 4128

ଆଜି ଭାରତ ବନ୍ଦ, ହାଇଆଲର୍ଟରେ RAF ଓ GRP

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ବିରୋଧରେ ଆଜି ଭାରତ ବନ୍ଦ  । ଅଗ୍ନିପଥକୁ ବିରୋଧ କରି ଆଜି କିଛି ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛି  । ଯାହାକୁ ଦେଖି କେତେକ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦେଇଛନ୍ତି ।RAF ଓ GRPକୁ ହାଇଆଲର୍ଟରେ ରଖାଯାଇଛି  । ହିଂସାକୁ ଆପଣାଉଥିବା ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କଠୋରରୁ କଠୋର ଧାରା ଲଗାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି  । ଭାରତ ବନ୍ଦ ସମୟରେ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବା ସହ ଡିଜିଟାଲ ସାକ୍ଷୀ (ମୋବାଇଲ, କ୍ୟାମେରା, ସିସିଟିଭି)ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି  ।

ହରିୟାଣାର ଫରିଦାବାଦ ପୋଲିସ ଭାରତ ବନ୍ଦକୁ ଦେଖି ୨ ହଜାରରୁ ଅଧିକ ପୋଲିସକର୍ମୀ ମୁତୟନ କରିଛି  । ଅସାମାଜିକଙ୍କ ଉପରେ ନଜର ରଖିବା ପାଇଁ ୧୨ଟି ସ୍ଥାନରେ ପୋଲିସ ବ୍ଲକିଂ କରିବା ସହ ଭିଡିଓଗ୍ରାଫିର ବ୍ୟବସ୍ଥା କରିଛି  । ଦେଶରେ ଅଗ୍ନିପଥ ନିଆଁ ବ୍ୟାପିଥିବାବେଳେ ହରିୟାଣାରେ ହିଂସା ଚରମସୀମାରେ ପହଞ୍ଚିଛି  ।

ସେହିପରି ପ୍ରମୁଖ ବ୍ୟବସାୟିକ ସଂସ୍ଥା, ରାଜ୍ୟ ବିଦ୍ୟୁତ ବୋର୍ଡ, ସଡକ ପରିବହନ ନିଗମ ସହ ସରକାରୀ କାର୍ଯ୍ୟାଳୟକୁ ସୁରକ୍ଷା ପ୍ରଦାନ କରିବା ପାଇଁ କେରଳ ଜିଲ୍ଲା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି  । ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଝାଡଖଣ୍ଡରେ ସମସ୍ତ ସ୍କୁଲ ବନ୍ଦ ରହିଛି । ଉତ୍ତର ପ୍ରଦେଶର ପ୍ରମୁଖ ସହରରେ ସିଆରପିସି ଧାରା ୧୪୪ ଲାଗୁ କରାଯାଇଛି ।

ଅଗ୍ନିପଥ ଯୋଜନାକୁ ବିରୋଧ କରି ଉତ୍ତର ପ୍ରଦେଶର ଆଲିଗଡ, ବଲିଆ, ମଥୁରା, ଦେବରିଆ ସମେତ କେତେକ ଜିଲ୍ଲାରେ ବିକ୍ଷୋଭକାରୀ ରେଳ ସହ ସାଧାରଣ ସମ୍ପତ୍ତିରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି ।

ସମ୍ପୂର୍ଣ୍ଣ ରାଜ୍ୟରେ ସକ୍ରିୟ ହୋଇପାରୁନି ମୌସୁମୀ

ଭୁବନେଶ୍ୱର: କମିଛି ତାତି ରାଜ୍ୟକୁ ଛୁଇଁଛି ମୌସୁମୀ । କିନ୍ଚୁ ମୌସୁମୀ ସାରା ରାଜ୍ୟରେ ସକ୍ରିୟ ହୋଇପାରୁନି ।  ରାଜ୍ୟର କେତେକ ଜିଲ୍ଲାରେ ଝିପିଝିପି ବର୍ଷା ଲୋକଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ଆଉ କେତେକ ସ୍ଥାନ ପାଣିପାଗ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଛି । ଯଦିଓ ଆସନ୍ତା ଦୁଇ ଦିନ ମଧ୍ୟରେ ଆଉ କିଛି ଜିଲ୍ଲାରେ ମୌସୁମୀ ସକ୍ରିୟ ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ କେବେ ସାରା ରାଜ୍ୟରେ ମୌସୁମୀ ବର୍ଷା ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଆଜି ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ନୂଆପଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ ଏବଂ ମୟୁରଭଞ୍ଜରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ କାଳବୈଶାଖୀ କରାଇବାରେ ସକ୍ଷମ ହେଉଛି ।

ସେହିପରି ଆସନ୍ତାକାଲି କାଳବୈଶାଖୀ ପାଇଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିଭଳି ୨୨, ୨୩ ଏବଂ ୨୪ ତାରିଖରେ ଉତ୍ତର ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବିକାଶ ପାଇଁ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ୍ ଅଭିମୁଖେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଭୋର ୪ଟା ୧୫ରେ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରିଛନ୍ତି । ଆଜି ଅପରାହ୍ନ ୩ଟାରେ ଇଟାଲୀରେ ପହଞ୍ଚିବେ ନବୀନ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରୋମରେ ରହିବେ ମୁଖ୍ୟମନ୍ତ୍ରୀ । ଏହି ସମୟ ମଧ୍ୟରେ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ୍ ବେସଲୀଙ୍କ ନିମନ୍ତ୍ରଣ ରକ୍ଷା କରି ସ୍ବତନ୍ତ୍ର ଉତ୍ସବରେ ଯୋଗଦେବେ । ସେଠାରେ ଓଡ଼ିଶାର ଦୁଇ ପ୍ରମୁଖ ସଫଳତା ବାବଦରେ ନିଜ ଅନୁଭୂତି ବଖାଣିବେ ।

ଦିନେ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟକୁ ହାତ ପତାଉଥିବା ଓଡ଼ିଶା କିପରି ଏବେ ଧାନ ଉତ୍ପାଦନରେ ବଳକା ରାଜ୍ୟ ହେବା ସହ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଇପାରୁଛି, କେଉଁ ମେକାନିଜମରେ କାମ କରୁଛନ୍ତି ଓଡ଼ିଶା ସରକାର । ତା ସହିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା କେମିତି ହେଲା ଏକ ନମ୍ବର । ସେ ବିଷୟରେ ମନ୍ତ୍ର ଦେବେ ନବୀନ । ରୋମ ରହଣୀ ସମୟରେ ଭାଟିକାନ ସିଟିରେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ ଫ୍ରାନସିସିଙ୍କୁ ନବୀନ ସାକ୍ଷାତ କରିବେ । କୌଣସି ମୁଖ୍ୟମନ୍ତ୍ରୀ ପୋପଙ୍କୁ ସାକ୍ଷାତ କରିବାରେ ନବୀନ ହେବେ ପ୍ରଥମ ।

ସେହିପରି ୨୪ ତାରିଖରେ ରୋମରୁ ୟୁରୋପ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୨୬ ତାରିଖରେ ଇନଭେଷ୍ଟର ମିଟ୍ ପାଇଁ ଦୁବାଇ ଗସ୍ତ କରିବେ । ୨୯ ତାରିଖରେ ଦୁବାଇରେ ମିଡିଲ ଇଷ୍ଟ ପୁଂଜି ନିବେଶକାରୀଙ୍କ ସହ ରାଜ୍ୟରେ ପୁଂଜିନିବେଶ ନେଇ ଚର୍ଚ୍ଚା କରିବେ । ଓଡିଶାରେ ବୈଦେଶିକ ପୁଂଜିନିବେଶ ନେଇ ଶିଳ୍ପ ବିଭାଗର ଏକ ପ୍ରତିନିଧି ଦଳ ପୁଂଜି ନିବେଶକାରୀଙ୍କ ସହ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ, ଯୋଗାଣ ସଚିବ ଭି.ଭି ଯାଦବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଦିଲ୍ଲୀସ୍ଥିତ ଆବାସିକ କମିଶନର ରବି କାନ୍ତ ବିଦେଶ ଗସ୍ତରେ ଅଛନ୍ତି ।

ଫସଲ ନଷ୍ଟ କରିବାରୁ ନରସିଂହପୁରରେ ଦନ୍ତାକୁ ଗୁଳି କରିଥିଲେ ଶିକାରୀ

କଟକ: ବଡ଼ମ୍ବା ନରସିଂହପୁରରେ ଗୁଳିବିଦ୍ଧ ହାତୀର ମୃତ୍ୟୁ ଘଟଣା । ୩ ଜଣଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ଏକ ଦେଶୀ ବନ୍ଧୁକ ଜବତ କରି କୋର୍ଟ ଚାଲାଣ କରିଛି ବନ ବିଭାଗର ସ୍ବତନ୍ତ୍ର ଟିମ୍ । ଗିରଫ ହୋଇଥିବା ଶିକାରୀ ମାନେ ହେଲେ ନରସିଂହପୁର ଥାନା ଅଂଚଳର ସୂର୍ଯ୍ୟମଣି ନାୟକ , ଗଙ୍ଗାଧର ନାୟକ ଏବଂ ଦିବାକର ସାହୁ । ହାତୀ କାଜୁ ବଗିଚା ନଷ୍ଟ କରିଥିବାରୁ ତାକୁ ତିନି ଅଭିଯୁକ୍ତ ଗୁଳି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛି ବନ ବିଭାଗ ।

ଆଠଗଡ଼ ଜଙ୍ଗଲରେ ଏକ ଗୁଳିବିଦ୍ଧ ହାତୀକୁ ଠାବ କରାଯାଇଥିଲା  । ଯେଉଁ ଦନ୍ତା ହାତୀ ଦେହରେ ଏକାଧିକ ଗୁଳି ବାଜିଥିବା ଜଣା ପଡିଥିଲା  । ହାତୀଟି ଆହତ ରହିଥିବା ବେଳେ ଦୀର୍ଘଦିନ ଧରି ଚିକିତ୍ସା ଜାରି ରହିଥିଲା  । ppcf  ମଧ୍ୟ ଘଟଣାସ୍ଥଲକୁ ଯିବା ସହ ସମସ୍ତ ପ୍ରକାର ପାରିପାର୍ଶ୍ୱିକ ଘଟଣାକୁ ଅନୁଧ୍ୟାନ କରିଥିଲେ  । ସେପଟେ ଟିକିତ୍ସିତ ଅବସ୍ଥାରେ ଆଖି ବୁଝିଥିଲା ହାତୀ  ।

ମୋର ନୁହେଁ ତ କାହାର ନୁହଁ: ପ୍ରେମିକଙ୍କୁ ମର୍ଡର କଲା ପ୍ରେମିକା

ଖୋର୍ଦ୍ଧା: ମୋର ନୁହଁତ କାହାର ନୁହଁ । ପ୍ରେମ କରି ଦୂରେଇ ଯିବାରୁ ପ୍ରେମିକଙ୍କୁ ହତ୍ୟା କଲା ପ୍ରେମିକା । ଖୋର୍ଦ୍ଧା କେରଙ୍ଗ ଗାଁରେ ଘଟିଥିବା ହତ୍ୟାକାଣ୍ଡ ଉପରୁ ହଟିଲା ପରଦା । ମୁଖ୍ୟ ଅଭିଯୁକ୍ତ ଆଲିମା ବେଗମ୍ ଓରଫ ଡଲି ସହ ତିନି ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଗତ ୧୬ ତାରିଖ ଦିନ ଘଟିଥିଲା ହତ୍ୟାକାଣ୍ଡ । ମୃତ ଯୁବକ ଅତାବୁଲା ଖାଁ ବିବାହିତ ହୋଇ ମଧ୍ୟ ସେଇ ଗାଁର ଡଲି ସହ ସମ୍ପର୍କ ରଖିଥିଲେ । ଏହି ଘଟଣା ପ୍ରଘଟ ପରେ ସ୍ତ୍ରୀ ଅତାବୁଲଙ୍କୁ ଡଲି ସହ ସମ୍ପର୍କ ରଖିବାକୁ ମନା କରିଥିଲେ । ଅତାବୁଲା ମଧ୍ୟ ଡଲିଠାରୁ ଦୂରେଇ ଯାଇଥିଲେ ।

ଏହାର ପ୍ରତିଶୋଧ ନେବାକୁ ଯାଇ ଅତାବୁଲାଙ୍କୁ ଘରକୁ ଡାକି ଛୁରୀରେ ବେକ କାଟି ହତ୍ୟା କରିଥିଲା ଡଲି । ପରେ ମୃତଦେହକୁ ଅଖାରେ ବାନ୍ଧି ବାଇକରେ ନେଇ ଏକ ପଥର ଖଣିରେ ପକାଇ ଦେଇଥିଲା ଡଲି । ଏଥିରେ ସହାୟତା କରିଥିଲେ ମସୁର ରହେମନ୍, ଅବଦୁଲ ମସେରାର ଖାଁ, ଏବଂ ଏସ କେ ମହିଫୁଜି । ଘଟଣାର ପର୍ଦ୍ଦାଫାଶ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ, ତିନୋଟି ମୋବାଇଲ, ବାଇକ୍ ଜବତ କରିଛି ପୋଲିସ ।

ବର୍ଷା ଯୋଗୁଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ବାତିଲ, ୨-୨ରେ ସିରିଜ୍ ବରାବର

ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯାଉଥିବା ଅନ୍ତିମ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇଛି । ଲଗାତାର ଦୁଇଟି ମ୍ୟାଚ୍ ଜିତି ସିରିଜ୍ ବିଜୟ ଆଶା ରଖିଥିବା ଭାରତୀୟ ଟିମ୍ ବର୍ଷା ପାଇଁ ନିରାଶ ହୋଇଛି । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ୨-୨ରେ ବରାବର ହୋଇଛି । ବେଙ୍ଗାଲୁରୁରେ ଆଜି ସନ୍ଧ୍ୟାରେ ନିର୍ଣ୍ଣାୟକ ମ୍ୟାଚ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ସମସ୍ତେ ଆଶା କରିଥିଲେ ଲଗାତାର ଦୁଇଟି ମ୍ୟାଚ୍ ଜିତି ବିଜୟ ଲକ୍ଷକୁ ଫେରିଥିବା ଭାରତୀୟ ଟିମ୍ ଶେଷ ମ୍ୟାଚ୍ ଜିତି ସିରିଜ ହାତେଇବ । ହେଲେ ଆକସ୍ମିକ ବର୍ଷା ସବୁ ଆଶାରେ ପାଣି ପକାଇଦେଇଛି ।

ଆଜିର ମ୍ୟାଚରେ ଦକ୍ଷିଣଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଖେଳ ଆରମ୍ଭର କିଛି ସମୟ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା । କେବଳ ୩.୩ ଓଭର ଖେଳ ଚାଲିପାରି ଥିଲା ଏବଂ ଭାରତୀୟ ଦଳ ୨ ଓ୍ବିକେଟ ବିନିମୟରେ ୨୮ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ବର୍ଷା କାରଣରୁ ମ୍ୟାଚ୍ ବାତିଲ କରିବାକୁ ପଡିଥିଲା ଏବଂ ପଏଣ୍ଟ ଉଭୟଙ୍କ ମଧ୍ୟରେ ବରାବର ବଣ୍ଟା ହୋଇଥିଲା । ଯଦି ଗୋଟିଏ ଇନିଂସ ପରେ ବର୍ଷା ହୋଇଥାନ୍ତା ତେବେ ମ୍ୟାଚ୍ ବାତିଲ ପରିବେର୍ତ୍ତେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥାନ୍ତା ।
ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାବୁମା ଖେଳୁନଥିଲେ । ତାଙ୍କ ସ୍ଥାନରେ କେଶବ ମହାରାଜ ଟିମ୍ ନେତୃତ୍ୱ ନେଉଥିଲେ ।

ବର୍ଷା ପ୍ରଭାବ ପାଇଁ ମ୍ୟାଚ୍ ୭ଟା ପରିବର୍ତ୍ତେ ୭ଟା ୫୦ ମିନିଟରେ ଆରମ୍ଭ ହୋଇଥିଲା । ଏହି କାରଣରୁ ୨୦ ଓଭରରୁ ଗୋଟେ ଓଭର ଲେଖାଏଁ କଟାଯାଇ ୧୯-୧୯ ଓଭର କରାଯାଇଥିଲା । ଆଜିର ମ୍ୟାଚରେ କ୍ରିଜ୍ ଧିମା ଥିବା କାରଣରୁ ଭାରତୀୟ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିପାରିନଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଇଶାନ କିଷାନ (୧୫ ରନ୍, ୭ ବଲ୍) ଓ ଋତୁରାଜ ଗାଏକ୍ୱାଡ (୧୦ରନ୍, ୧୨ବଲ୍) ଆଉଟ୍ ହୋଇ ପାଭେଲିଅନ ଫେରିଯାଇଥିଲେ । ଖେଳ ବନ୍ଦ ହେବା ବେଳକୁ କ୍ରିଜରେ ଶ୍ରେୟସ ଆୟର (୦ରନ, ୧ବଲ୍) ଓ ଅଧିନାୟକ ଋଷଭ ପନ୍ତ ଗୋଟିଏ ବଲ୍ ଖେଳି ଏକ ରନ୍ କରି ଦଣ୍ଡାୟମାନ ଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଗଡି ଦୁଇଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ । ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି ।

ବ୍ୟାନ୍ ହେଲା ୩୫ ହ୍ୱାଟ୍ସଆପ୍ ଗ୍ରୁପ, ଅଗ୍ନିପଥ ଯୋଜନାକୁ ନେଇ କରୁଥିଲେ ମିଛ ପ୍ରଚାର

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ବିରୋଧରେ ଦେଶରେ କୁହୁଳିଥିବା ବିବାଦକୁ ନେଇ ବେଶ ପ୍ରଯତ୍ନ କେନ୍ଦ୍ର ସରକାର  । ଯୋଜନା ବିରୋଧରେ ମିଥ୍ୟା ସୂଚନା ଦେଉଥିବା ସୋସିଆଲ ମିଡିଆ ଗ୍ରୁପକୁ ଟାର୍ଗେଟରେ ରଖିଛନ୍ତି ଭାରତ ସରକାର  । ଯେଉଁଥିପାଇଁ ରବିବାର ୩୫ଟି ହ୍ୱାଟ୍ସଆପ ଗ୍ରୁପକୁ ବ୍ୟାନ କରାଯାଇଛି  ।  ବର୍ତ୍ତମାନ ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିବାଦ ଜୋର ଧରିଛି । ଦେଶର ବିଭିନ୍ନ ସ୍ଥାନରେ ଯୋଜନାକୁ ବିରୋଧ କରାଯିବା ସହ ହିଂସା ମଧ୍ୟ ପରିଲକ୍ଷିତ ହୋଇଛି । ହିଂସାକୁ ରୋକିବା ପାଇଁ କେନ୍ଦ୍ର ସରକାର ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି । ହେଲେ କିଛି ସୁଫଳ ମିଳିନାହିଁ ।

ଯୋଜନାକୁ ନେଇ ମିଛ ପ୍ରଚାର କରୁଥିବା ୩୫ ଟି ହ୍ୱାଟ୍ସଆପ ଗ୍ରୁପକୁ ଆଜି କେନ୍ଦ୍ର ସରକାର ନିଷେଧ କରିଛନ୍ତି । ସରକାରଙ୍କ ଯୋଜନା ସମ୍ବନ୍ଧରେ ସାମାଜିକ ଗଣମାଧ୍ୟମରେ ମିଛ ପ୍ରଚାର କରାଯାଇ ଯୁବକମାନଙ୍କୁ ଉତ୍ତେଜିତ କରାଯାଇ ପଥଭ୍ରଷ୍ଟ କରାଯାଉଛି ।  ଯେଉଁ କାରଣ ଯୋଗୁଁ ଅନେକ ସ୍ଥାନରେ ହିଂସା କାଣ୍ଡ ଘଟୁଥିବା ଦେଖିବାକୁ ମିଳିଛି  । ବିହାରରୁ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରୁ ଓଡ଼ିଶା ସବୁଠି ପୋଡାଜଳା ଏବଂ ଆନ୍ଦୋଳନ ର ଆଭାସ  । ସବୁଠୁ ବଡ଼ କଥା ହେଉଛି ଯୋଜନା ବିଷୟରେ ସବିଶେଷ ସୂଚନା ନପାଇ ମଧ୍ୟ କିଛି ଯୁବକ ହିଂସା କାଣ୍ଡକୁ ଆପଣେଇ ନେଇଛନ୍ତି  । ଯାହା ଫଳରେ ଅନେକ ସ୍ଥାନରେ ଟ୍ରେନ ପୋଡି ଭଳି ଘଟଣା  ମଧ୍ୟ ଦେଖିବାକୁ ମିଳିଛି  ।

ଏହି କାରଣରୁ ହ୍ୱାଟ୍ସଆପ ଗ୍ରୁପ୍ ବ୍ୟାନ୍ କରିଛି କେନ୍ଦ୍ର । ସୂଚନା ଥାଉକି କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିବା ପରଠୁ ଏହାକୁ ପ୍ରତ୍ୟାହାର ଦାବିରେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଉଛି ।

ଆଜିଠୁ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ: କେଉଁଠି ରହିବେ, କ’ଣ ରହିଛି କାର୍ଯ୍ୟକ୍ରମ ?

ନନ୍ଦିଘୋଷ ବ୍ୟୁରୋ: ବିକାଶ ପାଇଁ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଲି ଭୋର୍ ୪ଟା ୧୫ରେ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ସିଧାସଳଖ ରୋମ୍ ଅଭିମୁଖେ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ରୋମ୍, ଇଟାଲୀ ଏବଂ ୟୁରୋପ ପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ଦୁବାଇରେ ପହଞ୍ଜିବେ । ବିଦେଶ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ କ’ଣ କ’ଣ କରିବେ,  ସେ ବାବଦରେ ରହିଛି ସବିଶେଷ ସୂଚନା  ।

ମିଳିଥିବା ସୁଚନା ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାତିରୁ ବିଦେଶ ଗସ୍ତରହେ ଯିବେ । ଆଜି ରାତିରୁ ଦିଲ୍ଲୀରୁ ବାହାରି ଆସନ୍ତାକାଲି ଦିନ ୩ଟାରେ ଇଟାଲୀରେ ପହଞ୍ଚିବେ । ୨୪ ତାରିଖ ପର୍ଯ୍ୟନ୍ତ ରୋମରେ ରହିବେ ମୁଖ୍ୟମନ୍ତ୍ରୀ । ଏହି ସମୟ ମଧ୍ୟରେ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡ଼େଭିଡ଼୍ ବେସଲୀଙ୍କ ନିମନ୍ତ୍ରଣ ରକ୍ଷା କରି ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉତ୍ସବରେ ଓଡ଼ିଶାର ଦୁଇ ପ୍ରମୁଖ ସଫଳତା ବାବଦରେ ନିଜ ଅନୁଭୂତି ସେୟାର କରିବେ ମୁଖ୍ୟମନ୍ତ୍ରୀ ।

ଦିନେ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟକୁ ହାତ ପତାଉଥିବା ଓଡ଼ିଶା ବର୍ତ୍ତମାନ ଖାଦ୍ୟ ବଳକା ରାଜ୍ୟ ପାଲଟିଛି  ।  କିପରି ଏବେ ଧାନ ଉତ୍ପାଦନରେ ବଳକା ରାଜ୍ୟ ହେବା ସହ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଇପାରୁଛି, ଏବଂ  କେଉଁ ମେକାନିଜମରେ କାମ କରୁଛନ୍ତି ଓଡ଼ିଶା ସରକାର ସେନେଇ ମୁଖ୍ୟମନ୍ତ୍ରୀ ରଖିବେ ବାର୍ତ୍ତା । ତା ସହିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା କେମିତି ହେଲା ଏକ ନମ୍ବର । ସେ ବିଷୟରେ ମଧ୍ୟ ଦେବେ ମନ୍ତ୍ର । ’ପ୍ରତ୍ୟେକ ଜୀବନ ମୂଲ୍ୟବାନ’..ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତ୍ରକୁ ପାଥେୟ କରି ମିଶନ ଜିରୋ କାଜୁଆଲିଟିରେ ବିପର୍ଯ୍ୟୟ ମୁକାବିଲା କରୁଛନ୍ତି ଓଡ଼ିଶା ସରକାର ।

ବିପର୍ଯ୍ୟୟ ପୂର୍ବର ପ୍ରସ୍ତୁତି, ବିପର୍ଯ୍ୟୟ ବେଳେ ସତର୍କତା ଏବଂ ବିପର୍ଯ୍ୟୟ ପରେ ଥଇଥାନ ଓ ପୁନରୁଦ୍ଧାର ଯୋଜନାରେ ଓଡ଼ିଶା ଏବେ ସାରା ବିଶ୍ବକୁ ବାଟ ଦେଖାଉଛି । ସରକାରଙ୍କ ଦୁରଦୃଷ୍ଟି, ଟେକ୍ନୋଲାଜିର ଉପଯୁକ୍ତ ବ୍ୟବହାର ସହିତ ସମୟ ଉପଯୋଗୀ ପଦକ୍ଷେପ ବାବଦରେ ମୁଖ୍ୟମନ୍ତ୍ରୀ ସାରା ବିଶ୍ବକୁ ବାଟ ଦେଖାଇବେ । ୨୪ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ରୋମ୍ ରହଣୀ ସମୟରେ ଭାଟିକାନ ସିଟିରେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ ଫ୍ରାନସିସ୍ଙଙ୍କୁ ସାକ୍ଷାତ କରିବେ । କୌଣସି ମୁଖ୍ୟମନ୍ତ୍ରୀ ପୋପଙ୍କୁ ସାକ୍ଷାତ କରିବାରେ ନବୀନ ହେବେ ପ୍ରଥମ । ୨୪ ତାରିଖରେ ରୋମରୁ ୟୁରୋପ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଇନ୍ଭେଷ୍ଟର ମିଟ୍ ପାଇଁ ଦୁବାଇ ଗସ୍ତ କରିବେ । ୨୯ ତାରିଖରେ ଦୁବାଇରେ ମିଡିଲ ଇଷ୍ଟ ପୁଂଜିନିବେଶକାରୀଙ୍କ ସହ ରାଜ୍ୟରେ ପୁଂଜିନିବେଶ ନେଇ ଚର୍ଚ୍ଚା କରିବେ ମୁଖ୍ୟମନ୍ତ୍ରୀ ।

ଓଡିଶା ଏବେ ପୁଂଜିନିବେଶ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିଥିବା ବେଳେ ଶିଳ୍ପ ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇଦେଉଛନ୍ତି ରାଜ୍ୟ ସରକାର । ଓଡିଶାରେ ବୈଦେଶିକ ପୁଂଜିନିବେଶ ନେଇ ଶିଳ୍ପ ବିଭାଗର ଏକ ପ୍ରତିନିଧି ଦଳ ପୁଂଜିନିବେଶକାରୀଙ୍କ ସହ ଆଲୋଚନା କରିବେ । ରାଜ୍ୟରେ ଗତ ଦୁଇ ଦଶନ୍ଧି ଧରି ଚାଲିଥିବା ରୂପାନ୍ତରଣ ପ୍ରକ୍ରିୟାରେ ଅଂଶୀଦାର ହେବାକୁ ମୁଖ୍ୟମନ୍ତ୍ରୀ ମିଡିଲ ଇଷ୍ଟରେ ରହୁଥିବା ପ୍ରବାସୀ ଓଡିଶାଙ୍କୁ ଆମନ୍ତ୍ରଣ କରିବେ । ମୁଖ୍ୟମନ୍ତ୍ରୀ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ, ଯୋଗାଣ ସଚିବ ଭି.ଭି ଯାଦବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଦିଲ୍ଲୀସ୍ଥିତ ଆବାସିକ କମିଶନର ରବି କାନ୍ତ ବି ଗସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ବ୍ରିଟେନ ସେନାକୁ ସେନାମୁଖ୍ୟଙ୍କ ସତର୍କବାଣୀ, ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

ଲଣ୍ଡନ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ୪ ମାସ ହେବ ଯୁଦ୍ଧ ଚାଲିଛି । ଗୋଟିଏ ପଟେ ତାନାସାହ ପୁଟିନ ୟୁକ୍ରେନକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଯୁଦ୍ଧ ବନ୍ଦ କରିବାର ନାଁ ନେଉନାହିଁ । ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ନିଜର ଆତ୍ମସମ୍ମାନ ରକ୍ଷା ପାଇଁ ଆତ୍ମସମର୍ପଣ ନକରି ମୁଁହତୋଡ ଜବାବ ଦେଉଛନ୍ତି । ଏହାରି ମଧ୍ୟରେ ଏକ ବଡ ବୟାନ ଦେଇଛନ୍ତି ବ୍ରିଟେନର ନବନିଯୁକ୍ତ ସେନାମୁଖ୍ୟ ଜେନେରାଲ ପାକ୍ଟ୍ରିକ ସାଣ୍ଡର୍ସ । ସେ କହିଛନ୍ତି ୟୁକ୍ରେନରେ ଭ୍ଲାଦମିର ପୁଟିନ ନରସଂହାର କରୁଛନ୍ତି । ବିଶ୍ୱ ସୁରକ୍ଷାର ମୂଳଦଆକୁ ପୁଟିନ ଦୋହଲାଇ ଦେଇଛନ୍ତି । ତେଣୁ ଋଷର ଏପରି ଆଭିମୁଖ୍ୟର କଡା ଜବାବ ଦେବାକୁ ନିଜ ସେନାକୁ ପ୍ରସ୍ତୁତ କରୁଥିବା କଥା କହିଛନ୍ତି ।

ଗତ ସୋମବାର ପାଟ୍ରିକ ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଦ ଗ୍ରହଣ କରିବାର ୪ର୍ଥ ଦିନରେ ସେ ଏକ ସନ୍ଦେଶରେ କହିଛନ୍ତି ଏବେ ଆମ ସହଯୋଗୀଙ୍କ ସହ ମିଶି ଲଢିବା ଏବଂ ଯୁଦ୍ଧରେ ଋଷକୁ ପରାସ୍ତ କରିବା ପାଇଁ ସେନାକୁ ଶସକ୍ତ କରାଇବାର ସମୟ ଆସିଛି।

ବ୍ରିଟେନ ସରକାର ୭୩ହଜାର ସୈନିକଙ୍କୁ ଛଟେଇ କରିଛନ୍ତି, ୩୦୦ ବର୍ଷରେ ପ୍ରଥମ ଥର ପାଇଁ ପାକ୍ଟ୍ରିକ ସାଣ୍ଡର୍ସ ସବୁଠୁ ଛୋଟ ସେନାର ନେତୃତ୍ୱ ନେବେ। ଦ୍ୱିତୀୟ ବିଶ୍ୱଯୁଦ୍ଧର ଉଲ୍ଲେଖ କରି ସେ କହିଛନ୍ତି, ୟୁରୋପୀୟମାନଙ୍କୁ ପୁଣିଥରେ ଲଢିବା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ । ୧୯୪୧ ମସିହା ପରେ ସେ ପ୍ରଥମ ଜେନେରାଲ, ଯାହାଙ୍କ କାର୍ଯ୍ୟକାଳରେ ୟୁରୋପ ଉପରେ ଯୁଦ୍ଧର ଛାୟା ରହିଛି । ନରସଂହାର ଅଭିମୁଖେ ଅଗ୍ରସର ଋଷକୁ ଯୁଦ୍ଧରେ ପରାସ୍ତ କରି ବ୍ରିଟେନକୁ ସୁରକ୍ଷିତ ରଖିବାର ସମୟ ଆସିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ସେ ପ୍ରତିଜ୍ଞା ନେଇଛନ୍ତି ଖୁବଶୀଘ୍ର ସେନାର ଆଧୁନୀକରଣ କରିବେ ଏବଂ ବ୍ରିଟେନ ବାହାରେ ସେନାର ବିସ୍ତାର କରିବେ । ସେ ଆଗକୁ କହିଛନ୍ତି ଏହି ଦୁଇ ପଦକ୍ଷେପ ନାଟୋ କୁ ଶକ୍ତିଶାଳୀ କରିବ ଏବଂ ଋଷର ୟୁରୋପ କବ୍ଜା ନୀତିକୁ ରୋକିବ । ମୋର ପ୍ରଥମ କାର୍ଯ୍ୟ ହେଉଛି ଆମ ସେନାକୁ ଯଥାସମ୍ଭବ ଘାତକ ଏବଂ ପ୍ରଭାବଶାଳୀ କରିବା । ସୂଚନାଯୋଗ୍ୟ, ଜେନେରାଲ ସାଣ୍ଡର୍ସ ଇରାକ ଏବଂ ଆଫଗାନିସ୍ତାନରେ ମଧ୍ୟ ସେନାର ନେତୃତ୍ୱ ନେଇ ସାରିଛନ୍ତି ।

ଖୁବ୍ ଶୀଘ୍ର ବଜାରକୁ ଆସିବ ସୌର ଶକ୍ତି ଦ୍ୱାରା ଚାଳିତ କାର୍

ଭୁବନେଶ୍ବର: ଇଲେକ୍ଟ୍ରିକ୍ କାର୍ ପରେ ଏବେ ଖୁବ୍ ଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି ସୋଲାର ଶକ୍ତି ଦ୍ୱାରା ଚାଳିତ କାର୍ । ପରିବେଶ ସୁରକ୍ଷା ପାଇଁ ଜୀବାଶ୍ମ ଇନ୍ଧନର ବିକଳ୍ପ ରୂପରେ ଏହି କାର୍ ବଜାରକୁ ଆସିବ । ପେଟ୍ରୋଲ ଓ ଡିଜେଲ୍ ଦ୍ୱାରା ଚାଳିତ କାର୍ ରୁ ବାହାରୁଥିବା ଧୂଆଁ ପରିବେଶକୁ ପ୍ରଦୂଷିତ କରୁଛି । ପ୍ରଦୂଷଣ କମାଇବା ପାଇଁ ଏହାର ବିକଳ୍ପ ରୂପରେ କାର୍ କମ୍ପାନୀଗୁଡିକ ପରିବେଶ ଅନୁକୂଳ କାର୍ ନିର୍ମାଣ ଦିଗରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ଇଲେକ୍ଟ୍ରି କାର୍ ଏବଂ ସିଏନଜି କାର୍ ବଜାରକୁ ଆସିସାରିଛି । ଏହି କ୍ରମରେ ଖୁବଶୀଘ୍ର ସୌର ଶକ୍ତି ଦ୍ୱାରା ଚାଳିତ କାର୍ ଲଞ୍ଚ୍ ହେବାକୁ ଯାଉଛି । ଡଚ୍ କମ୍ପାନୀ ଲାଇଟ୍ ଇୟର ଅନୁସାରେ ସେମାନେ ଏପରି ଏକ କାର୍ ତିଆରି କରିବାକୁ ଯାଉଛନ୍ତି ଯେଉଁଥିରେ ସୌର ଶକ୍ତି ପାଇଁ ପ୍ୟାନେଲ୍ ଥିବ । ଚଳିତ ବର୍ଷ ନଭେମ୍ବରରେ ୟୁରୋପରେ ଆୟୋଜିତ ହେବାକୁ ଥିବା ଅଟୋ ଏକ୍ସପୋ’ରେ ଏହି କାର ବିଶ୍ୱ ସାମ୍ନାକୁ ଆସିବ ।

ବିଶ୍ୱରେ ବର୍ତ୍ତମାନ କୋଟି କୋଟି ସଂଖ୍ୟାରେ ଜୀବାଶ୍ମ ଇନ୍ଧନ ଦ୍ୱାରା ଚାଳିତ କାର୍ ଚାଲୁଛି । ଏପରି ସ୍ଥିତିରେ ବୈକଳ୍ପିକ ଇନ୍ଧନ ଦ୍ୱାରା ଚଳାଇବା ପାଇଁ ଏହି ସମସ୍ତ ଗାଡିରେ ନୂଆ ଜ୍ଞାନକୌଶଳ ଅନୁଯାୟୀ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି । ପୂରୁଣା ଗାଡିକୁ ନୂଆ ଗାଡି ସହିତ ବଦଳାଇବା ଅଧିକ ଲମ୍ବା ଏବଂ ଖର୍ଚ୍ଚାନ୍ତ କାର୍ଯ୍ୟ ହେବ । ଏପରି ସ୍ଥିତିରେ ସୌର ଶକ୍ତି ଦ୍ୱାରା କାର୍ କୁ ଚଳାଇବା ଏକ ଉତ୍ସାହଜନକ ବିଚାର ଅଟେ ଯାହା ଇଲେକ୍ଟ୍ରିକ୍ କାର୍ ରେ ଉପୁଜୁଥିବା ଅନେକ ସମସ୍ୟାରୁ ମୁକ୍ତି ଦେବ । ଲାଇଟ ଇୟର କାର୍ ରେ କର୍ଭଡ ସୌର ପ୍ୟାନେଲ୍ ଏହାର ରୁଫ୍ ଉପରେ ରହିବ ଯାହାକି ବିଦ୍ୟୁତ ବ୍ୟାଟେରୀ ସହ ଯୋଡ଼ି ହୋଇଥିବ ଯଦ୍ୱାରା କାର୍ ଚାଲିବ । କମ୍ପାନୀର କହିବା ଅନୁଯାୟୀ ଏହି କାର୍ ଗୋଟିଏ ଥରରେ ୩୮୮ ମାଇଲ୍ ଦୂର ପର୍ଯ୍ୟନ୍ତ ଚାଲିପାରିବ । ଯେଉଁଥିରେ ଅତିରିକ୍ତ ୪୪ମାଇଲ୍ ପ୍ରତିଦିନର ଯାତ୍ରାରେ କେବଳ ସୌର ଶକ୍ତିରୁ ମିଳିବ । ଏହା ଟେସ୍ଲାର ମଡେଲ ୩ କାର୍ (୩୭୪ ମାଇଲ୍) ଠାରୁ ଟିକେ ଉନ୍ନତ ଅଟେ ଏବଂ କିୟା ନ୍ୟାରୋ ଲଙ୍ଗ୍ ରେଞ୍ଜ (୨୮୫ ମାଇଲ୍) ତୁଳନାରେ ଅଧିକ ଉତ୍ତମ ରହିବ ।

ଲାଇଟ ଇୟରର ମୁତାବକ ପ୍ରତି ଘଣ୍ଟାରେ ସୂର୍ଯ୍ୟଠୁ ମିଳୁଥିବା ଶକ୍ତି ଦ୍ୱାରା ଏହି କାରର ବ୍ୟାଟେରୀ ୬ମାଇଲ୍ ପର୍ଯ୍ୟନ୍ତ ଚାର୍ଜ ହେବ । ଏହା ଲମ୍ବା ଯାତ୍ରାରେ ବହୁତ ଉପଯୋଗୀ ପ୍ରମାଣିତ ହେବ । ସୌର ଶକ୍ତି କାରଣରୁ ଚାର୍ଜିଂ ପଏଣ୍ଟରେ କମ୍ ସମୟ ବିତାଇବା ପାଇଁ ପଡିବ ଏବଂ ଏହାର ଆବଶ୍ୟକତା ମଧ୍ୟ ନପଡିପାରେ ।

କମ୍ପାନୀ କହିବା ଅନୁଯାୟୀ ଅଧିକ ସୂର୍ଯ୍ୟାଲୋକ ପାଉଥିବା ଦେଶରେ ଯଦି ଆପଣ ପ୍ରତିଦିନ ୨୨ ମାଇଲ୍ ଠାରୁ କମ୍ ବାଟ ଯାଉଥାନ୍ତି ତେବେ କାର୍ କୁ ଚାର୍ଜ କରିବା ପାଇଁ ୭ ମାସ ପର୍ଯ୍ୟନ୍ତ ଆବଶ୍ୟକତା ପଡିବ ନାହିଁ । ସେହିପରି ନେଦରଲ୍ୟାଣ୍ଡ ଭଳି ଜଳବାୟୁ ଥିବା ଦେଶରେ କାର୍ କୁ ଦୁଇମାସ ପର୍ଯ୍ୟନ୍ତ ଚାର୍ଜିଂର ଆବଶ୍ୟକତା ପଡିବ ନାହିଁ । ଇଲେକ୍ଟ୍ରିକ୍ କାର୍ ର ପ୍ରାରମ୍ଭିକ ପର୍ଯ୍ୟାୟରେ ଯେତବେଳେ ଚାର୍ଜିଂ ଷ୍ଟେସନ କମ୍ ରହିଛି ସେତେବେଳେ ଏହା ଏକ ଉତ୍ତମ ବିକଳ୍ପ ହେବାକୁ ଯାଉଛି ।

ଦୁଇବର୍ଷ ପୂର୍ବେ ଲଞ୍ଚ୍ ହୋଇଥିବା ଲାଇଟଇଅର ଓ୍ୱାନ ଓ ଲାଇଟଇଅର ଜିରୋ କାର୍ ର ପ୍ରୋଟୋଟାଇପରେ ବହୁତ ସମାନତା ରହିଛି । କିନ୍ତୁ ଏହାର ବ୍ୟାଟେରୀ ତାର ମୁକାବିଲାରେ ବହୁତ ଛୋଟ । ଏହି କାର୍ ର ଓଜନ ୧୫୫୭ କିଲୋଗ୍ରାମ ରହିଛି । ଏହିପରି ଅନ୍ୟ କାର୍ ୪୦ ପ୍ରତିଶତ ଓଜନିଆ ରହିଥାଏ ।

ଏମିତି ନୁହେଁକି ଅନ୍ୟ କମ୍ପାନୀ ସୌର ପ୍ୟାନେଲ ଥିବା କାର୍ ବିକଶିତ କରୁନାହାନ୍ତି, କିନ୍ତୁ ସେଗୁଡିକ ମଧ୍ୟରୁ କେହି ବି ବଜାର ପାଇଁ ପ୍ରସ୍ତୁତ ନାହାନ୍ତି । କାର୍ କମ୍ପାନୀ ସୋନୋ ସିଓନ ଲକ୍ଷ୍ୟ ରଖିଛି ୨୦୨୩ ସୁଦ୍ଧା ବଜାରରେ ପ୍ରବେଶ କରିବ ଏବଂ ସୌର ଶକ୍ତି ଦ୍ୱାରା ୧୦ ମାଇଲ୍ ପ୍ରତିଦିନ ଚାଲିବ ବୋଲି ଦାବି କରିଛି । ଅପଟେରା ନେବର ଚାର୍ଜ ତିନି ଚକିଆ ଭବିଷ୍ୟ କାର୍ ଅଟେ ଯାହା ସମ୍ପର୍କରେ କମ୍ପାନୀ ଦାବି କରିଛି ଯେ ତାହା ୪୦ ମାଇଲ ରାସ୍ତା ଯିବା ପାଇଁ ସୌର ଶକ୍ତି ହାସଲ କରିପାରିବ । ଏହି କାର୍ କିଣିବା ପାଇଁ ୨୪ ହଜାର ପଞ୍ଜିକରଣ ମଧ୍ୟ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଲାଇଟଇଅର ଜିରୋ କାର୍ ର ପୂର୍ବ ସ୍ଥିତିରେ ଇଲେକ୍ଟ୍ରିକ୍ କାର୍ ର ଜ୍ଞାନକୌଶଳ କୁ ଉନ୍ନତ କରିବା ଏବଂ ଏହାର ଚାର୍ଜିଂ କ୍ଷମତାକୁ କମ୍ କରିବା ଉପରେ କାର୍ଯ୍ୟ କରାଯାଇପାରେ । ଏହାର ଅଧିକତମ ଗତି କେବଳ ୧୦୦ ମାଇଲ ପ୍ରତିଘଣ୍ଟା ରହିବ । ଏହା ୦ ରୁ ୧୦୦ ଗତିକୁ ଆସିବା ପାଇଁ ୧୦ ସେକେଣ୍ଡ ଲାଗିବ ।

ଏହା ବ୍ୟତୀତ ଏହା ଏବେ ବହୁତ ମହଙ୍ଗା ଗାଡି ଅଟେ । ଏହାର ମୂଲ୍ୟ ୨ ଲକ୍ଷ ୬୨ ହଜାର ଡଲାର ଅଟେ । ଯାହାକି ଫରାରି ରୋମାର ମୂଲ୍ୟଠୁ ବି ଅଧିକ । ଅନ୍ୟପକ୍ଷରେ ନିସାନ ଲିଫ2 ୨୭ ହଜାର ଡଲାର ଏବଂ ଟେସଲା ମଡେଲ ୩ ୫୦ ହଜାର ଡଲାର ମୂଲ୍ୟରେ ବଜାରରେ ଉପଲବ୍ଧ ରହିଛି । କିନ୍ତୁ ଲାଇଟ ଇୟର ନିଜର ଲାଇଟ ଇୟର ୨ ମଡେଲ ୨୦୨୫ ସୁଦ୍ଧା ଲଞ୍ଚ୍ କରିବା ପାଇଁ ପ୍ରସ୍ତୁତି କରୁଛି । ଏହାର ମୂଲ୍ୟ ୩୨୧୨୫ ଡଲାର ରହିବ ।