ହିନ୍ଦୁ ବିରୋଧୀ ମନ୍ତବ୍ୟ ପଡ଼ିଲା ମହଙ୍ଗା, ମନ୍ଦିରରେ ପଶିବାକୁ ଦେଲେନି ବିରୋଧୀ

ଉଜ୍ଜୟିନୀ: ଫିଲ୍ମ ପ୍ରମୋସନ କରିବାକୁ ଯାଇ ହଟହଟା ହେଲେ ବଲିଉଡର ହଟ୍ ଯୋଡ଼ି । ୨୦୧୧ ମସିହାରେ ଦେଇଥିବା ଏକ ମନ୍ତବ୍ୟ ୨୦୨୨ ମସିହାର ଫିଲ୍ମ ପ୍ରମୋସନ ବେଳେ ମହଙ୍ଗା ପଡ଼ିଛି। ମଧ୍ୟପ୍ରଦେଶ ଉଜ୍ଜୟିନୀ ସହରରେ ଥିବା ମହାକାଳେଶ୍ବର ମନ୍ଦିର ଯାଇଥିଲେ ଅଭିନେତା ରଣବୀର ଏବଂ ଆଲିଆ ।  ମନ୍ଦିରରେ ତାଙ୍କୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି । ମହାକାଳେଶ୍ବରଙ୍କ ଦର୍ଶନ ପାଇଁ ଯାଇଥିଲାବେଳେ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ ।

ପୂର୍ବରୁ ରଣବୀର ଗୋମାତାଙ୍କୁ ନେଇ ଏପରି କିଛି କହିଥିଲେ ଯେ, ତାହାର ନିଆଁ ଏବେ ଦେଖିବାକୁ ମିଳିଛି । ଠିକ୍ ଫିଲ୍ମ ପ୍ରମୋସନ ପାଇଁ ଯିବାବେଳେ ତାଙ୍କୁ ବିରୋଧ ପ୍ରଦର୍ଶନ ହୋଇଛି । ପୂର୍ବରୁ ରଣବୀର କହିଥିଲେ ଯେ, ଗୋମାଂସ ଖାଇବା ଭଲ । ମୁଁ ଗୋମାଂସ ଖାଇବାକୁ ଭଲ ପାଏ ।

ରଣବୀରଙ୍କ ଏହି କଥାକୁ ନେଇ ଏବେ ତାଙ୍କୁ ଜୋରଦାର୍ ବିରୋଧ ପ୍ରଦର୍ଶନ ହେଉଛି । ହିନ୍ଦୁ ବିରୋଧୀ ରଣବୀର ଏବଂ ଆଲିଆ ଗୋମାଂସ ଭକ୍ଷଣକାରୀଙ୍କୁ ମନ୍ଦିରରେ ପ୍ରବେଶ କରି ମନ୍ଦିରର ପବିତ୍ରତା ନଷ୍ଟ ହେବାକୁ ଦେବେ ନାହିଁ ବୋଲି କହିଥିଲେ ବଜରଙ୍ଗ ଦଳର କର୍ମୀ । ଏହାକୁ ନେଇ ଉଜ୍ଜୟିନୀରେ ପ୍ରବଳ ବିରୋଧ ହେବା ପରେ ପୋଲିସକୁ ମଧ୍ୟ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ପୋଲିସ୍ ପ୍ରଦର୍ଶନକାରୀଙ୍କ ଉପରେ ଲାଠିମାଡ଼ କରିବା ସହ ରଣବୀର ଏବଂ ଆଲିଆଙ୍କୁ ସୁରକ୍ଷା ଦେଇଥିଲେ ।

ଷ୍ଟାର ଦମ୍ପତ୍ତିଙ୍କୁ ବିରୋଧ ପରେ ସେମାନେ ଦର୍ଶନ କରିପାରି ନଥିଲେ । ଏହାପରେ ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ଦର୍ଶନ କରିଥିଲେ ।