ଭୁବନେଶ୍ୱର: ଟ୍ବିନସିଟିରେ ପ୍ରବଳ ବର୍ଷା । ଭୁବନେଶ୍ବର, କଟକରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ଆକାଶରେ ପ୍ରବଳ ମେଘ ଘୋଟି ଅସିଥିବା ସହ ଜୋରରେ ବର୍ଷା ହେଉଛି । ଫଳରେ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିଛି । ସେପଟେ ରାଜ୍ୟରେ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପୂର୍ବ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଉପରିଭାଗରେ ଦକ୍ଷିଣକୁ ଢଳିରହିଛି ଘୂର୍ଣ୍ଣିବଳୟ । ଯାହା ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ଅଧିକାଂଶ ସ୍ଥାନରେ ୭୦ ରୁ ୧୧୦ ମିଲିମିଟର ବର୍ଷା ସମ୍ଭାବନା ଥିବା ଟ୍ୱିଟ୍ କରି ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି ସୁଦ୍ଧା ସ୍ବାଭାବିକଠାରୁ ୩୮ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।
ରଥ ଯାତ୍ରା ପାଇଁ ପୁରୀରେ କରାଯିବ ବ୍ୟାପକ ଟିକାକରଣ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ଆଗକୁ ରଥ ଯାତ୍ରା ଆସୁଛି । ପୁରୀରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ପୁରୀରେ ଅଧିକ ଟୀକାକରଣ କରିବାକୁ ପୁରୀ ପ୍ରଶାସନକୁ ଅବଗତ କରାଯାଇଛି । ଯେଉଁମାନେ ଦ୍ୱିତୀୟ ଡୋଜ ବା ପ୍ରିକସନ ଡୋଜ ନେଇନାହାନ୍ତି ସେମାନଙ୍କୁ ଏକ ସ୍ୱତନ୍ତ୍ର କ୍ୟାମ୍ପ କରି ଟୀକା ନେବା ପାଇଁ ଅଗବତ କରାଇଛି ସ୍ୱାସ୍ଥ୍ୟ ବିଭାଗ । ଏହାସହ ପରିମଳ ଓ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ସଂକ୍ରମଣ ରହିଛି ଆଗକୁ ମଧ୍ୟ ରହିଥିବ ।
ରାଜ୍ୟରେ ଯେତିକି ଆକ୍ଟିଭ କେସ୍ ରହିଛି ସେଥିରୁ ବହୁତ କମ୍ ସଂଖ୍ୟାରେ ଆକ୍ରାନ୍ତ ହସ୍ପିଟାଲ ଯାଉଛନ୍ତି । ଯେହେତୁ ରାଜ୍ୟରେ ଭଲ ଭାବରେ ଟୀକାକରଣ ହୋଇଛି ତେବେ ରୋଗର ଭୟ କମ୍ ରହିଛି । ଅନ୍ୟପଟେ ଘର ଘର ବୁଲି ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶା କର୍ମୀ ମାନେ ରୋଗ ଚିହ୍ନଟ କରାଯାଉଛି । ଯେହେତୁ ଏହି ସମୟରେ ବିଶେଷ କରି କୋଭିଡ, ଡାଇରିଆ, ଡେଙ୍ଗୁ, ଟିବି ଏବଂ ମେଲେରିଆ ବଢିଥାଏ । ତେବେ ଘର ଘର ବୁଲି ସ୍ୱାସ୍ଥ୍ୟ କର୍ମୀ ମାନେ ଲୋକଙ୍କୁ ଚିହ୍ନଟ କରିବା ପାଇଁ କିଭଳି ଭାବରେ ସେମାନଙ୍କୁ ପରୀକ୍ଷା କରାଯିବ ସେନେଇ ଚିହ୍ନଟ କରାଯାଉଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଦୁଇ ଜଣଙ୍କ ଝଗଡ଼ା ପାଇଁ ଥାନାରେ ଅଟକ ରହିଲା ଗାଈ
ଭୁବନେଶ୍ୱର: ଦୁଇ ଜଣଙ୍କ ଝଗଡ଼ା ପାଇଁ ଥାନାରେ ଅଟକ ରହିଲା ଗାଈ । ସମସ୍ୟା ସମାଧାନ ନହେବାରୁ ଧଉଳି ଥାନାରେ ଅଟକ ରହିଛି ଗାଇ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ଅଞ୍ଚଳରେ । ସୂଚନା ଅନୁସାରେ ୫ ଦିନ ପୂର୍ବରୁ ଖଟୁଆପଡ଼ାର ଜଣଙ୍କ ଗାଈ ହଜିଯାଇଥିଲା । ସେହି ଗାଈ ନଖାଉରପାଟଣାର ଜଣେ ମହିଳାଙ୍କ ଗୁହାଳରେ ଥିଲା । ତେବେ ହଜିଯାଇଥିବା ଗାଈର ମାଲିକ ଉକ୍ତ ମହିଳାଙ୍କ ଗୁହାଳକୁ ଯାଇ ଗାଈ ଫିଟାଇ ନେଇଥିଲେ । ଯାହା ପରେ ଆରମ୍ଭ ହୋଇଥିଲା ବିବାଦ । ଗୋଟିଏ ଗାଈକୁ ଦୁଇ ଜଣ ନିଜର ବୋଲି ଦାବି କରୁଛନ୍ତି । ତେବେ ଏହି ସମସ୍ୟା ସମାଧାନ ନହେବାରୁ ମାମଲା ଥାନାକୁ ଯାଇଛି । ଅନ୍ୟପକ୍ଷରେ ଗାଈର ପ୍ରକୃତ ମାଲିକ କିଏ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ବିପଦସଙ୍କୁଳ ଅବସ୍ଥାରେ ଆଇଗିଣିଆ ପାତ୍ରପଡ଼ା ଓଭରବ୍ରିଜ୍, ଖଣ୍ଡ ଖଣ୍ଡ ହୋଇ ଗଳୁଛି ଇଟା
ଭୁବନେଶ୍ୱର: ବିପଦସଙ୍କୁଳ ଅବସ୍ଥାରେ ଆଇଗିଣିଆ ପାତ୍ରପଡ଼ା ଓଭର ବ୍ରିଜ । ୧୬ ନମ୍ବର ଜାତୀୟ ରାଜପଥର ଓଭରବ୍ରିଜ ପାଇଁ ଅପ୍ରୋଚ୍ ରୋଡ ତିଆରି ବେଳେ ଭାଙ୍ଗି ଯାଇଛି ଓଭର ବ୍ରିଜ । NHAI ନିଜେ କରୁଛି ଅପ୍ରୋଚ୍ ରୋଡ । ଭୁବନେଶ୍ୱରରୁ ଖୋର୍ଦ୍ଧା ଯିବା ବେଳେ ଏମ୍ସ ହସପିଟାଲ ଛକରେ ଘଟିଛି ଏହି ଘଟଣା । ଓଭର ବ୍ରିଜ ଉପରେ ଗାଡ଼ି ଯିବା ବେଳେ ଖଣ୍ଡ ଖଣ୍ଡ ହୋଇ ଗଳୁଛି ସିମେଣ୍ଟ ଇଟା, ଚିପ୍ସ ଓ ମୋରମ । ଦୁଇ ଦିନ ହେଲାଣି ୨୦ ଫୁଟ ଓସାରର ଅତଡ଼ା ଖସିପଡ଼ିଛି । ଜାତୀୟ ରାଜପଥ ବିଭାଗ ଗ୍ରୀନ ମ୍ୟାଟ ଢ଼ାଙ୍କିବା ଛଡା ଆଉ କିଛି ପଦକ୍ଷେପ ନେଇନାହିଁ । ଚିରାଚରିତ ଭାବେ ଶହ ଶହ ଗାଡି ଚଳାଚଳ କରୁଛି । ତେବେ ଏପରି ସ୍ଥିତିରେ ଯଦି ଦୁର୍ଘଟଣା ଘଟେ ତାହାଲେ କିଏ ଦାୟୀ ରହିବ ତାହାକୁ ନେଇ ପ୍ରଶ୍ନ ଉଠିଛି ।
ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ସନ୍ତୋଷଙ୍କୁ ଟାର୍ଗେଟ କଲେ ସାଥୀ କଳାକାର
ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ରଶ୍ମିଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାଙ୍ଗସାଥୀ ଓ ସାଥି କଳାକାର । ରଶ୍ମି ଖୁବ୍ ଭଲ ପିଲା ଥିଲେ ତାଙ୍କ ମୃତ୍ୟୁ ହୋଇଯାଇଥିବା ସହଜରେ ବିଶ୍ବାସ କରିହେଉନଥିବା କହିଛନ୍ତି ତାଙ୍କ ସାଥି କଳାକାର ଡାନି । ରଶ୍ମି ଖୁବ୍ ଭଲ ଅଭିନୟ କରୁଥିଲେ । ତାଙ୍କର କ୍ୟାରିୟର ଓ ପରିବାରକୁ ନେଇ ସେ ଖୁବ୍ ଖୁସି ଥିଲେ । ହଠାତ୍ ତାଙ୍କ ଆତ୍ମହତ୍ୟାକୁ ଗ୍ରହଣ କରିହେଉନି ବୋଲି ସେ କହିଛନ୍ତି । ଏହାସହ ତାଙ୍କ ସ୍ବାମୀ ସନ୍ତୋଷ ପାତ୍ରଙ୍କ ସହ ଝଗଡ଼ା ହୋଇଥିଲା । ଯଦି ସନ୍ତୋଷ କିଛି ଭୁଲ୍ କରିନାହାନ୍ତି ତେବେ ସେ କାହିଁକି ସାମ୍ନାକୁ ଆସୁନାହାନ୍ତି ବୋଲି ଡାନି ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ସନ୍ତୋଷ ଓ ରଶ୍ମିଙ୍କ ପୂର୍ବତନ ପ୍ରେମିକ ରାଜାକୁ ପଚରାଉଚରା କରିବ ପୋଲିସ । ମୋବାଇଲ ଡିଟେଲ୍ସ ସହ ଫେସବୁକ, ହ୍ବାଟ୍ସଆପରେ ରଶ୍ମିରେଖାଙ୍କ ବାବଦରେ ତଥ୍ୟ ମାଗିଛି ପୋଲିସ । ଆତ୍ମହତ୍ୟାର ୫ ଦିନ ପୂର୍ବରୁ ମଧ୍ୟ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ରଶ୍ମି । କାହିଁକି କେଉଁ କଥାକୁ ନେଇ ରଶ୍ମି ମାନସିକ ଚାପରେ ଥିଲେ କି । ଅନେକ କିଛି ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ଅନ୍ୟପଟେ ରଶ୍ମିରେଖାଙ୍କ ପରିବାର ସନ୍ତୋଷ ହତ୍ୟା କରିଥିବା ନେଇ ଅଭିଯୋଗ କରୁଥିବା ବେଳେ ସୁଇସାଇଡ ନୋଟରେ କ୍ଳିନଚିଟ୍ ଦେଇଛନ୍ତି ରଶ୍ମିରେଖା । ଆତ୍ମହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ କାହାଣୀ ଚର୍ଚ୍ଚା ହେଉଥିବା ବେଳେ ସନ୍ତୋଷ ଫେରାର ଥିବା ଚର୍ଚ୍ଚା ହେଉଛି ।


