KCR ଗଢିବେ ଜାତୀୟ ଦଳ, ହାଇଦ୍ରାବାଦରେ ଭେଟିଲେ କୁମାରସ୍ୱାମୀ

ହାଇଦ୍ରାବାଦ: ୨୦୨୪ ପୂର୍ବରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବିରୋଧି  । ହାଇଦ୍ରାବାଦ ଗସ୍ତରେ ଜନତା ଦଳ ଧର୍ମନିରପେକ୍ଷ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ । ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଛନ୍ତି କୁମାରସ୍ବାମୀ । ଏକ ଜାତୀୟ ଦଳ ପ୍ରତିଷ୍ଠା କରିବା ଲାଗି କେସିଆର ଅଭିଯାନ ଜାରି ରଖିଥିବାବେଳେ ତାଙ୍କ ସହ ଆଲୋଚନା କରିଛନ୍ତି କୁମାରସ୍ବାମୀ ।

କିଛିଦିନ ତଳେ କେସିଆର ବେଙ୍ଗାଳୁରୁ ଗସ୍ତରେ ଯାଇ କୁମାରସ୍ବାମୀ ଓ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କୁ ସାକ୍ଷାତ କରିଥିଲେ । ଦେଶରେ ବିଜେପି ବିରୋଧରେ ଏକ ଶକ୍ତିଶାଳୀ ମେଣ୍ଟ ଗଠନ ଲାଗି ଜାରି ରହିଥିବା ଅଭିଯାନରେ ବି ପାଦ ଥାପିଛନ୍ତି କୁମାରସ୍ବାମୀ । ଆସନ୍ତା ଦଶହରାରୁ ସମ୍ଭବତଃ ଲଞ୍ଚ ହୋଇପାରେ ନୂଆ ଦଳ ।

କିଛି ଦିନ ତଳେ ପାଟନା ଗସ୍ତ କରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସାକ୍ଷାତ କରିଥିଲେ କେସିଆର । ଏକ ଜାତୀୟ ଦଳ ଗଠନ କରିବା ଲାଗି ଟିଆରଏସ ଅଧିବେଶନରେ ସୂଚନା ଦେଇଥିଲେ କେସିଆର । ନୂଆ ଦଳର ପତାକାର ରଙ୍ଗ ଗୋଲାପୀ ହେବା ସହ ସେଥିରେ ଜାତୀୟ ପତାକା ରହିବା ସୂଚନା ମିଳିଛି । ସେପଟେ ନୀତୀଶ କୁମାର ମଧ୍ୟ ବିଭିନ୍ନ ଆଞ୍ଚଳିକ ରାଜନୈତିକ ମୁଖ୍ୟଙ୍କୁ ଭେଟୁଛନ୍ତି  । ତେବେ କିଏ ଜାତୀୟ ରାଜନୀତିରେ ଏଣ୍ଚ୍ରି କରୁଛି, ତାହା ସମୟ କହିବ  ।