ଜାଡେଜାଙ୍କ ଅନୁପସ୍ଥିତ ମଧ୍ୟମକ୍ରମରେ ଭାରତୀୟ ବ୍ୟାଟିଂ ଲାଇନଅପକୁ ସମସ୍ୟାରେ ପକାଇପାରେ: ଜୟୱର୍ଦ୍ଦନେ

1 min read

ନନ୍ଦିଘୋଷ ବ୍ୟୁରୋ: ଏସିଆ କପରେ ଭାରତୀୟ କ୍ରିକେଟ ଟିମର ନୈରାଶ୍ୟଜନକ ପ୍ରଦର୍ଶନ ଟି-୨୦ ବିଶ୍ୱକପ ଦୃଷ୍ଟିକୋଣରୁ ରୋହିତ ଶର୍ମାଙ୍କ ଟିମ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ । ସୁପର-୪ରେ ଭାରତୀୟ ଦଳ ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷରେ ପରାଜୟର ସାମ୍ନା କରିବା ପରେ ଫାଇନାଲ ଦୌଡରୁ ବାଦ୍ ପଡ଼ିଥିଲା । ଭାରତୀୟ ଦଳ ପରାଜୟର ମୁଖ୍ୟ କାରଣ ହେଉଛି ରବୀନ୍ଦ୍ର ଜାଡେଜା ଆହତ ହେବା, ହଙ୍ଗକଙ୍ଗ ବିପକ୍ଷ ମ୍ୟାଚ ସମୟରେ ଜାଡେଜା ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ ।

ଯାହାଫଳରେ ପ୍ଲେଇଙ୍ଗ ଇଲେଭେନର କମ୍ବିନେସନ ବିଗିଡ଼ି ଯାଇଥିଲା । ଜାଡେଜା ସର୍ଜରି ପରେ ଟି-୨୦ ବିଶ୍ୱକପରୁ ମଧ୍ଯ ବାଦ୍ ପଡିଯାଇଛନ୍ତି । ଆସନ୍ତା ୧୬ ଅକ୍ଟୋବରରୁ ଟି-୨୦ ବିଶ୍ୱକପ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି । ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମହେଲା ଜୟୱର୍ଦ୍ଦନେ ଜାଡେଜା ଦଳରେ ସାମିଲ ନଥିବା ନେଇ ବଡ଼ ବୟାନ ଦେଇଛନ୍ତି । ଟି-୨୦ ବିଶ୍ୱକପ ପାଇଁ ଜାଡେଜା ଦଳରେ ସାମିଲ ନହେବା ଭାରତ ପାଇଁ ବଡ଼ କ୍ଷତି ସାବ୍ୟସ୍ତ ହୋଇପାରେ ।

ଜାଡେଜା ବର୍ତ୍ତମାନ ସମୟରେ ସବୁଠୁ ଭଲ ଫର୍ମରେ ଥିଲେ, ବୋଲିଂ ସହ ବ୍ୟାଟିଂ ଏବଂ ଫିଲ୍ଡିଂରେ ତାଙ୍କର ପ୍ରଦର୍ଶନ ବେସ୍ ପ୍ରଶଂସନୀୟ ଥିଲା । ଏସିଆ କପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ୩୫ ରନର ଚମତ୍କାର ଇନିଂସ ଖେଳି ଟିମ୍ ଇଣ୍ଡିଆକୁ ବିଜୟ ଦେଇଥିଲେ । ଦ ଆଇସିସି ରିଭ୍ୟୁରେ ମହେଲା ଜୟୱର୍ଦ୍ଦନେ କହିଛନ୍ତି ଏହା ଭାରତୀୟ ଦଳ ପାଇଁ ଏକ ଚ୍ୟାଲେଞ୍ଜ ଅଟେ । ନମ୍ବର ୫ର ଭୂମିକାରେ ଜାଡେଜା ଫିଟ୍ ଥିଲେ ।

ସେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଭାଗରେ ଦଳକୁ ବିଜୟ ଦେବାରେ ସକ୍ଷମ ଥିଲେ । ହେଲେ ଜାଡେଜାଙ୍କ ଅନୁପସ୍ଥିତ ଦଳୀୟ ବାଲାନ୍ସକୁ ବିଗାଡି ଦେଇଛି । ଯାହାଫଳରେ ବିଶ୍ୱକପରେ ଏହା ସମସ୍ୟା ସୃଷ୍ଟି କରିପାର । ସେ ଆଗକୁ କହିଥିଲେ, ସମ୍ଭବତଃ ବାମହାତୀର ବ୍ୟାଟ୍ସମ୍ୟାନ ଦଳରେ ନହେବା ଚିନ୍ତାର ବିଷୟ ପାଲଟିବ । ସେ ଦିନେଶ କାର୍ତ୍ତିକଙ୍କୁ ବାହାର କରିବା  ଏବଂ ଋଷଭ ପନ୍ତଙ୍କୁ ସେହି ଭୂମିକାରେ ନେବା ପାଇଁ ସ୍ୱିଚ କରିଛନ୍ତି, ଯିଏକି ୫ ବା ୪ ନମ୍ବରରେ ବ୍ୟାଟିଂ କରିଥାନ୍ତି ।

ବିଶ୍ୱକପକୁ ଯିବା ପାଇଁ ଏସବୁକୁ ବ୍ୟବସ୍ଥିତ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଜୟୱର୍ଦ୍ଧନେ କହିଛନ୍ତି, କୋହଲି ଫର୍ମକୁ ଫେରିବା ଦଳ ପାଇଁ ଶୁଭ ସଙ୍କେତ । କିନ୍ତୁ ଜାଡେଜା ସାମିଲ ନହେବା, ଭାରତୀୟ ବ୍ୟାଟିଂ ଲାଇନଅପକୁ ସମସ୍ୟାରେ ପକାଇପାରେ । ଯେତବେଳେ ଏସିଆ କପରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ଦଳଠାରୁ ଭାରତ ପରାଜିତ ହେଉଛି ସେଭଳି ସ୍ଥିତିରେ ଅଷ୍ଟ୍ରେଲିଆ, ଦକ୍ଷିଣଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଶକ୍ତିଶାଳୀ ଦଳଗୁଡିକର ମୁକାବିଲା କେମିତି କରିବ ତାହା ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।