spot_img
Home Blog Page 4070

ଜୋର ଜବରଦସ୍ତ ଦୁଇ ଥର ସୋନାଲିଙ୍କୁ ଡ୍ରଗ୍ସ ପିଆଇଥିଲେ ସୁଧୀର

ପାଣାଜୀ: ବିଜେପି ନେତା ଓ ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟଙ୍କ ହତ୍ୟା ମାମଲାରେ ଅନେକ ରାଜ୍‌ର ଖୁଲାସା ହେଉଛି  । ସୋନାଲିଙ୍କ ପାଖରେ କେମିତି ପହଞ୍ଚିଲା ଡ୍ରଗ୍ସ । ସୋନାଲିଙ୍କୁ କେତେ ଥର ଡ୍ରଗ୍ସ ଦିଆଯାଇଥିଲା, କିଏ ଏହା ପଛରେ ଥିଲା  ଏ ସବୁ ଦିଗକୁ ତଦନ୍ତ ପରିସରକୁ ନେଇଛି ପୋଲିସ  । ସୋନାଲି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁଧୀର ସାଙ୍ଗୱାନ ମଧ୍ୟ ନିଜ ଦୋଷ ସ୍ବୀକାର କରିଛି  । ସେ ସୋନାଲିଙ୍କୁ ଜୋର ଜବରଦସ୍ତ ଡ୍ରଗ୍ସ ପିଆଇ ଥିଲା  । ଏଥିପାଇଁ ସୁଧୀର ଓ ତା ସହଯୋଗୀ ସୁଖୱିନ୍ଦର ୫ ହଜାର ଓ ୭ ହଜାର ଟଙ୍କାର ଡ୍ରଗ୍ସ କିଣିଥିବା ସେ ସ୍ବୀକାର କରିଛି  ।

ଅଗଷ୍ଟ ୨୨ରେ ବିମାନ ଯୋଗେ ସୁଧୀର ସାଙ୍ଗୱାନ ଓ ସୁଖୱିନ୍ଦରଙ୍କ ସହ ଗୋଆରେ ପହଞ୍ଚିଥିଲେ ସୋନାଲି  । ନର୍ଥ ଗୋଆର ଦ ଗ୍ରାଣ୍ଡ ଲିଓନି ରିଜର୍ଟରେ ସେମାନେ ରହିଥିଲେ  । ସନ୍ଧ୍ୟା ବେଳେ ତାଙ୍କୁ ପ୍ରଥମେ ପାଣିରେ ମିଶାଇ ଡ୍ରଗ୍ସ ପିଆଇଥିଲେ ସୁଧୀର  । ଏହାପରେ ରାତି ୧୦ ଟା ସମୟରେ ତିନି ଜଣ କ୍ଲିର୍ସ କ୍ଲବରେ ପହଞ୍ଚିଥିଲେ  ।

ରାତି ପ୍ରାୟ ୧୨ଟା ବେଳେ ପୁଣି ଥରେ ସୋନାଲିଙ୍କୁ ଡ୍ରିଙ୍କ୍‌ସରେ ଡ୍ରଗ୍ସ ମିଶାଇ ପିଇବାକୁ ଦେଇଥିଲେ ସହଯୋଗୀ  । ରାତି ପ୍ରାୟ ସାଢେ ୨ଟା ସମୟରେ ଅସୁସ୍ଥ ଅନୁଭବ କରିଥିଲେ  ସୋନାଲି। ଏହାପରେ ସୁଧୀର ତାଙ୍କୁ ଶୌଚାଳୟ ଭିତରକୁ ନେଇ ଯାଇଥିଲେ  । ଯେଉଁଠାରେ ସୋନାଲି ବାନ୍ତି ମଧ୍ୟ କରିଥିଲେ  । କିନ୍ତୁ ସେଠାରୁ ଆସି ସେ ପୂର୍ବଭଳି ନାଚିବାକୁ ଲାଗିଥିଲେ  । ହେଲେ ଭୋର ୪ଟା ସମୟରେ ସୁଧୀର ତାଙ୍କୁ ପୁଣି ଶୌଚାଳୟ ନେଇ ଯାଇଥିଲେ  ।

କିନ୍ତୁ ସେଠାରୁ ଉଠିବା ପରିସ୍ଥିତିରେ ନଥିଲେ ସୋନାଲି  । ସକାଳ ୬ଟା ସମୟରେ ସୁଧୀର ଓ ସୁଖୱିନ୍ଦରଙ୍କ ବ୍ୟତୀତ ଆଉ ଦୁଇ ଜଣଙ୍କ ସହ ସୋନାଲିଙ୍କୁ ପାର୍କିଂରେ ଦେଖିବାକୁ ମିଳିଥିଲା  । ସେଠାରୁ ତାଙ୍କୁ ରିଜର୍ଟକୁ ଅଣାଯାଇ  ହସ୍ପିଟାଲ ନିଆଯାଇଥିଲା  । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ  ।

ପ୍ରଥମେ ସୋନାଲିଙ୍କ ମୃତ୍ୟୁ ଅପ୍ରାକୃତିକ ଭାବେ ହୋଇଥିବା କୁହାଯାଇଥିଲା  । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଡ୍ରଗ୍ସ ଲିଙ୍କ ସାମନାକୁ ଆସିଥିଲା  ।  ପ୍ରଥମେ ପାଣିରେ ସୁଧୀର ତାଙ୍କୁ ଏମଡି ଡ୍ରଗ୍ସ ଦେଇଥିଲେ  । ଏହାପରେ ପୁଣି ଥରେ ଡ୍ରଗ୍ସ ଦେବାରୁ ଓଭରଡୋଜ ହୋଇ ତାଙ୍କ ମୃତ୍ୟୁ ଘଟିଥିବା ସ୍ବୀକାର କରିଥିଲା ଅଭିଯୁକ୍ତ ସୁଧୀର ।

ଦେଶବାସୀଙ୍କ ପାଇଁ ଖୁସି ଖବର, ଦୀପାବଳିରୁ ଆରମ୍ଭ ହେବ ଜିଓ 5G ସେବା

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଗ୍ରାହକଙ୍କୁ ଖୁସି ଖବର ଦେବାକୁ ଯାଉଛି ଜିଓ  । ଦେଶର ମହାନଗର (ମେଟ୍ରୋ ସହର) ସମେତ ଅନେକ ପ୍ରମୁଖ ସହରରେ ଆରମ୍ଭ ହେବ ୫ଜି ନେଟୱର୍କ ସୁବିଧା  । ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆଜି ଏନେଇ ଘୋଷଣା କରିଛନ୍ତି  । ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ପ୍ରଥମେ ଆରମ୍ଭ ହେବ ୫ଜି ସେବା  ।

ଏହାପରେ ଧୀରେ ଧୀରେ ଅନ୍ୟ ସହରରେ ୫ଜି ସେବା ସୁବିଧା ମିଳିପାରିବ  । ମାତ୍ର ୧୮ ମାସ ମଧ୍ୟରେ ଅର୍ଥାତ ୨୦୨୩ ସୁଦ୍ଧା ଜିଓ ୫ଜି ସେବା ଦେଶବ୍ୟାପୀ ମିଳିପାରିବ  । ୫ଜି ନେଟୱର୍କ ନନ ଷ୍ଟାଣ୍ଡଆଲୋନ ୫ଜି ନେଟୱର୍କ ହେବ  । ଏହା ଦେଶର ସବୁଠାରୁ ଆଡଭାନ୍ସ ୫ଜି ନେଟୱର୍କ ହେବ  । ୫ଜି ବ୍ୟାଣ୍ଡ୍‌ରେ ହିଁ ୫ଜି ନେଟୱର୍କ ସେବା ମିଳିପାରିବ  ।

୫ଜି ସେବା ଯୋଗୁଁ ଗ୍ରାହକଙ୍କୁ ଉତ୍ତମ କଭରେଜ, କ୍ଷମତା, ଗୁଣବତ୍ତା ନେଟୱର୍କ ସେବା ମିଳିପାରିବ  । ୫ଜି ସେବା ଯୋଗୁଁ ମେସିନରୁ ମେସିନ ମଧ୍ୟରେ ଯୋଗାଯୋଗ ସହଜ ହୋଇପାରିବ ବୋଲି କହିଛନ୍ତି ମୁକେଶ ଅମ୍ବାନୀ ।

କେତେ ରାଜ୍ୟରେ OSRTCକୁ ଅନୁମତି, ରିପୋର୍ଟ ମାଗିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ବର: ବାହାର ରାଜ୍ୟକୁ ଗଡ଼ିବ କେତେ ଓଏସ୍ଆରଟିସି ବସ ? କେତେ ରାଜ୍ୟ ଅନୁମତି ଦେଇଛନ୍ତି ? ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ  । ଆଜି ଏ ନେଇ ଏକ ବୈଠକ ବସିଥିଲା  । ଯେଉଁଥିରେ ନିଷ୍ପତ୍ତି ହୋଇଛି ଯେ, OSRTC CMD ଗୋଟେ ଟିମ ନେଇ ବିଭିନ୍ନ ରାଜ୍ୟକୁ ଅନୁମତି ପାଇଁ ଯିବେ  ।

ଯଦି ଅନୁମତି ମିଳେ ତେବେ ରାଜ୍ୟର ଉପାନ୍ତ ଅଞ୍ଚଳରେ ଗାଡି ଚାଲିବ  । କୋରାପୁଟ, ମାଲକାନଗିରି, ବଲାଙ୍ଗୀର ପରି ଜିଲ୍ଲାକୁ ଓଏସଆରଟିସି ବସ ଚଳାଇବାକୁ କହିଛନ୍ତି ବିଭାଗୀୟ ମନ୍ତ୍ରୀ  । ବିଧାନସଭା ଚାଲିଥିବା ସମୟରେ ଅନେକ ବିଧାୟକ ଏ ନେଇ ପ୍ରଶ୍ନ କରିଥିଲେ  । OSRTC ବସ କିଣା ହୋଇଛି  । କିଛି ବସ ରାସ୍ତାରେ ଗଡିଥିବାବେଳେ ଆଉ କିଛି ବସ ଚାଲିନି  । ଏ ନେଇ ଠୋସ ପଦକ୍ଷେପ ନେବାକୁ ବିଧାୟକମାନେ ଦାବି କରିଥିଲେ  ।

ସଂସ୍କାର ପାଇଁ ମୃତ ଶିଶୁକୁ ବ୍ୟାଗରେ ନେଉଥିଲା ବାପା, ଅଟକାଇ ମାଡ଼ ମାରିଲେ ଲୋକେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ, ମୃତ ଶିଶୁକୁ ବ୍ୟାଗରେ ଧରି ବୁଲିଲା ବାପା । ୮ ମାସର ଶିଶୁକନ୍ୟାର ମୃତଦେହ ବ୍ୟାଗରେ ନେଉଥିଲେ ଆଇଗିଣିଆର ସନ୍ତୋଷ ସାହୁ । ଝିଅକୁ ହତ୍ୟା କରି ବ୍ୟାଗରେ ନେଉଥିବା ସନ୍ଦେହରେ ଲୋକ ସନ୍ତୋଷଙ୍କୁ ଅଟକାଇ ମାଡ଼ ମାରିଥିଲେ । ସେପଟେ ସନ୍ତୋଷ କହିଛନ୍ତି, ଝିଅର ମୃତ୍ୟୁ ପରେ ସଂସ୍କାର ପାଇଁ ନେଉଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ବାପାମାଆଙ୍କୁ ଥାନାକୁ ନେଇ ପଚରାଉଚରା କରିଛି । ଜଣାପଡ଼ିଛି ଯେ, ଆଇଗିଣିଆର ଏକ ବସ୍ତିରେ ରହୁଥିବା ସନ୍ତୋଷ ମିସ୍ତ୍ରି କାମ କରନ୍ତି । ଶିଶୁ କନ୍ୟା ଦୀର୍ଘଦିନ ହେବ ଅସୁସ୍ଥ ଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସେ ସଂସ୍କାର ପାଇଁ ନଦୀ ପଠାକୁ ନେଉଥିଲେ । ଯେହେତୁ କମ ଦିନ ହେବ ଆଇଗେଣିଆର ଏକ ବସ୍ତିରେ ରହୁଥିଲେ ଭୁବନେଶ୍ୱର ବିଷୟରେ ବେଶି କିଛି ଜାଣିନଥିଲେ ।

ଯାହାଫଳରେ ନଦୀ ପଠାରେ ମୃତ ଶିଶୁ କନ୍ୟାକୁ ପୋତିବା ପାଇଁ ପତ୍ନୀଙ୍କ ସହ ଖଣ୍ଡଗିରି ଅଭିମୁଖେ ଆସୁଥିଲେ । କିଛି ଲୋକେ ତାଙ୍କୁ ଅଟକାଇଥିଲେ । ପରିବା ବ୍ୟାଗ୍ ଭିତରେ ୮ ମାସର ମୃତ ଶିଶୁକୁ ଦେଖି ଲୋକମାନେ ତାଙ୍କୁ ମାଡ଼ ମାରିଥିଲେ । ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସମ୍ପୂର୍ଣ୍ଣ ଗଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ତେବେ ଶିଶୁକନ୍ୟାର ଶେଷକୃତ୍ୟ ପାଇଁ ପୋଲିସ ବ୍ୟବସ୍ଥା କରିଛି ।

ନ୍ୟୁଡ ଫଟୋଶୁଟ୍ ମାମଲା: ଥାନାରେ ବୟାନ ରେକର୍ଡ କଲେ ରଣବୀର

ମୁମ୍ବାଇ: ନ୍ୟୁଡ ଫଟୋଶୁଟ୍ ମାମଲାରେ ବଲିଉଡ଼ ଅଭିନେତା ଥାନାରେ ହାଜର ହୋଇଛନ୍ତି । ଆଜି ସକାଳ ପ୍ରାୟ ୭ଟା ସମୟରେ ମୁମ୍ବାଇର ଚେମ୍ବୁର ଥାନା ପହଞ୍ଚି ବୟାନ ରେକର୍ଡ କରାଇଛନ୍ତି । ପ୍ରାୟ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ପୋଲିସ ତାଙ୍କୁ ପଚରା ଉଚୁରା କରିଥିଲା । ତେବେ ଏହି ଅବସରରେ ପୋଲିସ ତାଙ୍କୁ ୧୦ ଟି ପ୍ରଶ୍ନ କରିଥିଲା । ରଣବୀର ମାମଲାରେ ନିର୍ଦ୍ଦୋଶ ଥିବା କହିଥିଲେ । କଣ୍ଟ୍ରାକ୍ଟ ଆଧାରରେ ସେ ଏହି ଫଟୋଶୁଟ୍ କରିଥିବା କଥା କହିଛନ୍ତି । ଏହା ବ୍ୟତୀତ ସେ କିଛି ଦସ୍ତାବିଜ୍ ମଧ୍ୟ ଦାଖଲ କରିଛନ୍ତି ।

ପୋଲିସ ନିଜ ପ୍ରଶ୍ନରେ କହିଥିଲା, ଏହି ଫଟୋଶୁଟର କଣ୍ଟ୍ରାକ୍ଟ କେଉଁ କମ୍ପାନୀ ସହ ହୋଇଥିଲା? କଣ ଆପଣ କଣ୍ଟ୍ରାକ୍ଟକୁ ସମ୍ପୂର୍ଣ୍ଣ ଭାବେ ପଡ଼ିଥିଲେ । ଏହି ଫଟୋଶୁଟ୍ କେବେ ଏବଂ କେଉଁଠି ହୋଇଥିଲା? ଶୁଟ୍ କରାଯାଇଥିବା ଫଟୋକୁ ସାମାଜିକ ଗଣମାଧ୍ୟମରେ କେଉଁ ଉଦ୍ଦେଶ୍ୟରେ ପୋଷ୍ଟ କରିଥିଲେ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇ ରଣବୀର କହିଥିଲେ, ମୋତେ ଜଣାନଥିଲା ଯେ ଏପରି ଫଟୋଶୁଟ୍ ମୋ ପାଇଁ ବିବାଦ ଛିଡା କରିବ । ମୋର ଉଦ୍ଦେଶ୍ୟ କାହାକୁ ଆଘାତ କରିବାର ନଥିଲା ।

ମୁଁ ଏହାକୁ ଏକ ସାଧାରଣ ଫଟୋଶୁଟ୍ ଭାବେ ନେଇଥିଲି । ସୂଚନାଥାଉକି ଗତ ୨୨ ଜୁଲାଇରେ ପେପର ମାଗାଜିନ୍ ପାଇଁ ନ୍ୟୁଡ ଫଟୋଶୁଟ୍ କରିଥିଲେ । ଏହି ଫଟୋକୁ ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲା । ଏହାପରେ ତାଙ୍କୁ ସମାଲୋଚନା କରାଯାଇଥିଲା । ଅନେକ ସାମାଜିକ ସଂଗଠନ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ବିବାଦ ବଢ଼ିବା ପରେ ରଣବୀର ସୋସିଆଲ ମିଡିଆରୁ ଡିଲିଟ କରିଦେଇଥିଲେ ।

ଏଣ୍ଡୁଅ ବିକ୍ରି ବେଳେ ଧରାପଡ଼ିଲେ ଜେଜେ-ନାତି

ଭୁବନେଶ୍ୱର: ଏଣ୍ଡୁଅ ବିକ୍ରି ପାଇଁ ଡିଲ୍‌ ବେଳେ ମାଡ଼ି ବସିଲା ବନ ବିଭାଗ। ଗିରଫ ହେଲେ ଜେଜେ ଓ ନାତି । ଏକ ବହୁରୂପୀ ଏଣ୍ଡୁଅ ବିକ୍ରି ଉଦ୍ୟମ ବେଳେ ୨ଜଣ ଧରା ପଡ଼ିଛନ୍ତି । ଗିରଫ ଦୁଇଜଣ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର କ୍ଷୀରୋଦ ମହାନ୍ତି ଓ ରଶ୍ମି ରଞ୍ଜନ ଦାସ । ଭୁବନେଶ୍ବର ମଞ୍ଚେଶ୍ୱର ଶ୍ୟାମା ମୁଖାର୍ଜୀ ପାର୍କ ନିକଟରେ ଦେଢ଼ଲକ୍ଷ ଟଙ୍କାରେ ବହୁରୂପୀ ଏଣ୍ଡୁଅ ବିକ୍ରି ପାଇଁ ଉଦ୍ୟମ ବେଳେ ଦୁଇଜଣଙ୍କୁ ଗିରଫ କରାଯିବା ସହ ଏଣ୍ଡୁଅକୁ ଉଦ୍ଧାର କରାଯାଇଛି ।
ଏମାନେ ପ୍ରଥମଥର ପାଇଁ ସରୀସୃପ ବିକ୍ରୀ କରିବାକୁ ଆସିଥିଲେ ନାଁ ପୂର୍ବରୁ ମଧ୍ୟ ଏପରି କରିସାରିଛନ୍ତି ସେନେଇ ବନବିଭାଗ ତଦନ୍ତ କରୁଛି । ଶରୀସୃପ ରାକେଟ କେତେବାଟ ଲମ୍ବିଛି ତାର ଖୋଳତାଡ଼ କରାଯାଉଛି । ତେବେ ସୂଚନାନୁଯାୟୀ, ଜଟଣୀର ଏକ ଲୋକଙ୍କ ସହ ଅଜା-ନାତିଙ୍କ ଡିଲ୍ ଖବର ପାଇଁ ବନ ବିଭାଗ ଚଢାଉ କରିଥିଲା । ଏଣ୍ଡୁଅ ସହ ଦୁଇଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଜଟଣୀର ଯେଉଁ ବ୍ୟକ୍ତି ଏହି ଡିଲ କରିଥିଲେ କିଣିବା ପାଇଁ ତାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ ବନ ବିଭାଗ । ଉଭୟ ଅଜା ନାତିଙ୍କୁ ପଚରା ଉଚୁରା କରାଯାଉଛି ।

ମୋତେ କଂଗ୍ରେସ ଛାଡ଼ିବା ପାଇଁ ବାଧ୍ୟ କରାଯାଇଥିଲା: ଗୁଲାମନବୀ

ନୂଆଦିଲ୍ଲୀ: ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଉପରକୁ ପାଲଟା ଆକ୍ରମଣ କିରଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଜୟରାମ ରମେଶଙ୍କ ଭଳି ନେତାଙ୍କୁ ମଧ୍ୟ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି, ଯେଉଁମାନେ ମୋତେ କହୁଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛି ବୋଲି ସେମାନେ ଭୁଲିଯାଉଛନ୍ତି ଯେ ସେମାନଙ୍କ ନେତା ଲୋକସଭାରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀଙ୍କ ସହ କରମର୍ଦ୍ଦନ କରିବାକୁ ଯାଇଥିଲା । ସେ କହିଥିଲେ କି ମୋ ହୃଦୟରେ ଆପଣଙ୍କ ପ୍ରତି କିଛି ଭାବନା ନାହିଁ । ସେ ମୋଦିଙ୍କ ସହ ହାତ ମିଳାଇଛନ୍ତି ନାଁ ମୁଁ ।

ଆଜାଦ କହିଛନ୍ତି, ମୁଁ ନିଜେ କଂଗ୍ରେସ ଛାଡ଼ି ଆସିନାହିଁ ବରଂ ମୋତେ ବାଧ୍ୟ କରାଯାଇଥିଲା ଘର ଛାଡ଼ିବା ପାଇଁ । ଯେତବେଳେ ଘର ଲୋକଙ୍କୁ ଲାଗିଲା କି ଏ ବ୍ୟକ୍ତିର ଆବଶ୍ୟକତା ନାହିଁ । ଯଦି ଆମକୁ ପର ବୋଲି ଜଣାଯାଉଛି ତେବେ ଘର ଛାଡି଼ ଯିବା ହିଁ ଉତ୍ତମ ନିଷ୍ପତ୍ତି ହେବ । ସବୁଠୁ ଦୁଃଖର କଥା ଯେ, ଚାମଚାଗିରି କରୁଥିବା ଏବଂ ଟ୍ୱିଟ କରୁଥିବା ବ୍ୟକ୍ତିଙ୍କୁ ଦଳରେ ପଦ ମିଳୁଛି । କାମ କରୁଥିବା ଲୋକଙ୍କୁ ଅଣଦେଖା କରାଯାଉଛି । ଯେଉଁମାନେ କହୁଛନ୍ତି ମୁଁ ମୋଦୀଙ୍କ ସହ ହାତ ମିଳାଇଛି, ସେମାନେ ପ୍ରଥମେ ନିଜକୁ ଦେଖନ୍ତୁ ।

ମୁଁ ମୋଦୀଙ୍କ ସହ ମିଶି କଂଗ୍ରେସକୁ ଭାଙ୍ଗିବା ପାଇଁ ଯୋଜନା କରିନି ।  ଆଜାଦ କଥା କଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ସେ କହିଛନ୍ତି, ଯେଉଁମାନଙ୍କୁ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ କିଛି ଦେଖାଯାଉଛି ତାହା ଠିକ୍ ନୁହେଁ । ଯଦି କେହି ଏତେ ଅପାଠୁଆ ଓ ଜାହିଲ ଅଛନ୍ତି ତେବେ ସେ ମୋଦୀଙ୍କ ଭାଷଣ ଶୁଣନ୍ତୁ । ମୋ ପାଇଁ ସେ କାନ୍ଦିନଥିଲେ ଯେ ଗୁଲାମ ନବୀ ରାଜ୍ୟସଭା ଛାଡ଼ି ନଯାଆନ୍ତୁ । ସେ ଏକ ଘଟଣାକୁ ନେଇ ଭାବୁକ ହୋଇଥିଲେ । ମୋଦୀ ସାହେବ ବିବାହ କରିନାହାନ୍ତି, ପିଲା ମଧ୍ୟ ନାହାନ୍ତି, ମୁଁ ତ ତାଙ୍କୁ ଅତ୍ୟନ୍ତ କ୍ରୁର ବ୍ୟକ୍ତି ବୋଲି ଭାବୁଥିଲି ।

କିନ୍ତୁ ସେ ତ ମାନବତା ଦେଖାଇଛନ୍ତି । ଯେତବେଳେ ମୁଁ କଂଗ୍ରେସର ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଥିଲି ଏବଂ ଗୁଜୁରାଟ ଟୁରିଷ୍ଟ ବସ ଭିତରେ ଗ୍ରେନେଡ ବ୍ଲାଷ୍ଟ ହୋଇଥିଲା । ଅନେକ ଲୋକ ମୃତ୍ୟୁବରଣ କରିଥିଲେ । କାହାର ହାତ ନଥିଲା ତ ଆଉ କାହାର ଗୋଡ଼ । ସେ ଦୃଶ୍ୟ ଦେଖି ମୁଁ ଆତ୍ମହରା ହୋଇଯାଇଥିଲି । ସେହି ସମୟରେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଫୋନ୍ ଆସିଥିଲା ଏବଂ ମୁଁ ଜୋରରେ କାନ୍ଦିବାକୁ ଲାଗିଥିଲି । ଏବଂ ମୁଁ ତାଙ୍କ ସହ କଥା ହୋଇପାରିନଥିଲି । ମୋ କାନ୍ଦିବାର ସ୍ୱର ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଣିଥିଲେ ।

ସେହି ଘଟଣାକୁ ମନେ ପକାଇ ସେ ରାଜ୍ୟସଭାରେ ଭାବୁକ ହୋଇଯାଇଥିଲେ । ଆଉ ଏବେ କିଛି କଂଗ୍ରେସ ନେତା ଏହାକୁ ନେଇ ରାଜନୀତିକରଣ କରୁଛନ୍ତି । ଆଜାଦ ଆଗକୁ କହିଥିଲେ ମୋଦୀ ତ ବାହାନା, କଂଗ୍ରେସ ନେତୃତ୍ୱ ମୋ ପାଇଁ ସମସ୍ୟାରେ ଥିଲେ । ଯେତବେଳେ ମୁଁ ଓ ଜି-୨୩ ଚିଠି ଲେଖିଥିଲୁ । ସେବେଠୁ ସେମାନଙ୍କ ଟାର୍ଗେଟରେ ମୁଁ ଥିଲି ।  ଏଥିସହିତ କହିଥିଲେ, ଭଗବାନଙ୍କ ପାଖରେ କୃତଜ୍ଞ ଯେ, ସୋନିଆ ଗାନ୍ଧି ସୁସ୍ଥ ଅଛନ୍ତି । ଗତକାଲି ସେ ସିଡବ୍ଲୁୟସି ବୈଠକର ଅଧ୍ୟକ୍ଷତା କରିଛନ୍ତି । ସୂଚନାଥାଉକି କଂଗ୍ରେସରେ ରାହୁଲଙ୍କ ସହ ମତଭେଦ କାରଣୁ ଗତ ଶୁକ୍ରବାର ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ଏକ ନୂଆ ଦଳ ଗଢ଼ିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ନିଜ ଦଳ ବିଜେପିରୁ ସାଂସଦ ଅପରାଜିତାଙ୍କୁ ବିରୋଧ

ଭୁବନେଶ୍ୱର: ନିଜ ଦଳ ବିଜେପିରୁ ଭୁବନେଶ୍ବର ସାଂସଦଙ୍କୁ ବିରୋଧ । ବେଗୁନିଆ ବୋଲଗଡ଼ରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧର ସମ୍ମୁଖୀନ ହୋଇଛନ୍ତି । ବେଗୁନିଆ ବୋଲଗଡ଼ର ବିଜେପି ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ମଣ୍ଡଳ ସଭାପତି ଓ ଦଳୀୟ କର୍ମକର୍ତ୍ତା ଏକାଠି ହୋଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି ।

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକଚାଟିଆ ମନୋବୃତ୍ତି ଓ ଦଳୟ କର୍ମୀଙ୍କୁ ଅଣଦେଖା ପ୍ରତିବାଦରେ ବେଗୁନିଆ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ତାଙ୍କୁ ବିରୋଧ କରାଯାଇଛି । ନିଜ ପତିଆରା ଜାହିର କରିବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ କର୍ମୀଙ୍କୁ ବାରମ୍ବାର ହତାଦର କରୁଛନ୍ତି । ସେହିଭଳି ଦଳରେ ରହି ଅପରାଜିତା, ୟୁଥ ଫର ଆକ୍ସନ ଭଳି ସଂଗଠନ ଗଢ଼ି ଦଳ ବିରୋଧୀ କାର୍ଯ୍ୟ ଚଳାଇଛନ୍ତି ।

ଚର୍ଚ୍ଚାରେ ରହିବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ କାଦୁଅ ବିଲରେ ପଶି ଧାନ ରୋଇବା କେବଳ ଫାର୍ସ ବୋଲି କହିଛନ୍ତି କର୍ମୀ । ସାଂସଦଙ୍କ ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ବିଜେପି ରାଜ୍ୟ ସଭାପତି ଓ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦଳୀୟ କର୍ମୀ ଅଣ୍ଟା ଭିଡିଛନ୍ତି । ଆଗାମୀ ଦିନରେ ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ତୀବ୍ର ବିରୋଧ କରାଯିବ ବୋଲି ବିଜେପି କର୍ମକର୍ତ୍ତା କହିଛନ୍ତି ।

ଅଙ୍କିତାଙ୍କ ମୃତ୍ୟୁ ପରେ ଉତ୍ତେଜନା, ଅଭିଯୁକ୍ତକୁ ଫାଶୀ ଦେବାକୁ ହିନ୍ଦୁ ସଂଗଠନର ଦାବି

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଦୁମକାରେ ୧୭ ବର୍ଷୀୟା ଅଙ୍କିତାଙ୍କ ଅନ୍ତିମ ସଂସ୍କାର ସୋମବାର ସକାଳେ ସମ୍ପନ୍ନ ହୋଇଛି । ୫ ଦିନ ପର୍ଯ୍ୟନ୍ତ ଜୀବନ ସହ ଯୁଦ୍ଧ କରୁଥିବା ଅଙ୍କିତାଙ୍କ ମୃତ୍ୟୁ ଶନିବାର ବିଳମ୍ବତି ରାତିରେ ହୋଇଯାଇଛି । ରାଞ୍ଚିର ରିମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ମିଳିବା ପରେ ଦୁମକା ଅଞ୍ଚଳରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ତାଙ୍କୁ ନ୍ୟାୟ ଦିବାରେ ରାସ୍ତା ଅବରୋଧ କରିବା ସହ ଟାୟାର ଜଳାଇଛନ୍ତି । ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି ।

ଆଜି ସକାଳୁ ପୋଲିସ ଫୋର୍ସ ଉପସ୍ଥିତିରେ ଅଙ୍କିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ବିପୁଳ ସଂଖ୍ୟାରେ ହିନ୍ଦୁ ସଂଗଠନର ଲୋକମାନେ ଏହି ଅନ୍ତିମାତ୍ରାରେ ସାମିଲ ହୋଇଥିଲେ । ଗତକାଲି ସକାଳେ ତାଙ୍କ ମୃତ୍ୟୁ ଖବର ମିଳିବା ପରେ ଦୁମକା ଅଞ୍ଚଳରେ ନିଆଁ ଜଳିଥିଲା । ଦୋକାନ ବଜାର ବନ୍ଦ ହେବା ସହ ରାସ୍ତା ଘାଟରେ ଲୋକମାନେ ଆନ୍ଦୋଳନ କରିଛନ୍ତି । ଅନେକ ହିନ୍ଦୁ ସଂଗଠନ ରାସ୍ତାରେ ପୋଡ଼ା ଜଳା କରି ଅଭିଯୁକ୍ତକୁ ଗିରଫ ଦାବି କରିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି ।

ସୂଚନାଥାଉକି, ଦୁମକା ନଗର ଥାନା ଅଞ୍ଚଳର ଜରୁବାଡିହ ମହଲ୍ଲାରେ ରହୁଥିବା ଶାହରୁଖ ଅଙ୍କିତାଙ୍କ ଉପରେ ପେଟ୍ରୋଲ ପକାଇ ଜୀଅନ୍ତା ଜଳାଇ ଦେଇଥିଲା । ତେବେ ଶାହରୁଖ ଦୁଇ ବର୍ଷ ହେବ ଅଙ୍କିତା ପଛରେ ପଡ଼ିଥିଲା । ବାରମ୍ବାର ପ୍ରେମ ନିବେଦନ କରୁଥିଲା । ଫୋନ୍ କରି ମଧ୍ୟ ହଇରାଣ କରୁଥିଲା । ୨୩ ଅଗଷ୍ଟରେ ଅଙ୍କିତା ଦୁମକାର ଜରୁବାଡିହ କଲୋନୀରେ ନିଜ ଘରେ ଶୋଇଥିଲେ । ପ୍ରାୟ ଭୋର ୫ ଟା ସମୟରେ ପଡୋଶୀ ଶାହରୁଖ ହୁସେନ ଝରକା ପଟେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା ।

ପରିବାର ଲୋକେ ତାଙ୍କୁ ମୁର୍ମୁଶ ଅବସ୍ଥାରେ ଦୁମକା ମେଡିକାଲ କଲେଜ ପରେ ରାଞ୍ଚି ରିମ୍ସ ରେଫର କରାଯାଇଥିଲା । ୫ ଦିନର ସଂଘର୍ଷ ପରେ ସେ ଜୀବନ ସଂଗ୍ରାମରେ ଶନିବାର ହାରିଯାଇଛନ୍ତି । ଶାହରୁଖଙ୍କୁ ସେହିଦିନ ହିଁ ପୋଲିସ ଗିରଫ କରିଥିଲା । ତେବେ ଗିରଫ ପରେ ମଧ୍ୟ ଅଭିଯୁକ୍ତ ଶାହରୁଖ ପାଖରେ ପଶ୍ଚାତାପ ଦେଖାଯାଇନଥିଲା । ଗିରଫ ସମୟରେ ହସୁଥିବାର ଦେଖାଯାଇଥିଲା । ଏପରି ହତ୍ୟାକାରୀ ପାଇଁ ମୃତ୍ୟୁଦଣ୍ଡ ଦାବି କରାଯାଇଛି । ହସ୍ପିଟାଲରେ ମୃତ୍ୟୁ ପୂର୍ବରୁ ଅଙ୍କିତା ନିଜ ସହ ହୋଇଥିବା ବର୍ବରତାର ସମ୍ପୂର୍ଣ୍ଣ କାହାଣୀ ପୋଲିସକୁ କହିଥିଲେ । ଅଙ୍କିତା କହିଥିଲେ ଯେ, ୧୫ ଦିନ ହେବ ସେ ମୋ ପିଛା କରୁଥିଲା । ଯେତବେଳେ ବି ସ୍କୁଲ କି କଲେଜ ଯାଉଥିଲି ମୋ ପିଛା କରୁଥିଲା ।

ମୁଁ କିନ୍ତୁ ତାକୁ ଗୁରୁତର ସହ ନେଇ ନଥିଲି । ଏହାପରେ ମୋ ମୋବାଇଲ ନମ୍ବର ଯୋଗାଡ କରି କଲ୍ କରି ହଇରାଣ କରିବାରେ ଲାଗିଲା । ଏମିତିକି ପ୍ରେମ ନିବେଦନ ମଧ୍ୟ କରିଥିଲା । ଧମକ ଦେଇଥିଲା ଯେ, ଯଦି ମୁଁ ତା କଥା ନମାନିବି ତେବେ ମୋତେ ଓ ମୋ ପରିବାରକୁ ମାରିଦେବ । ମୁଁ ଏହାକୁ ଗମ୍ଭୀରତାର ସହ ନେଇନଥିଲି । ଏମିତି ଘଟିବ ବୋଲି ମୁଁ କେବେ ବି ଭାବିନଥିଲି । ୨୨ ଅଗଷ୍ଟ ରାତିରେ ସେ ପୁନଃ ଧମକ ଦେଇଥିଲା ଯେ, ଯଦି ମୁଁ ତା କଥା ନମାନେ ସେ ମୋତେ ଜୀବନରୁ ମାରିଦେବ । ଏହି କଥା ବାପାଙ୍କୁ ଜଣାଇଥିଲା ହେଲେ ବାପା କହିଥିଲେ ସକାଳ ହେଲେ ଘଟଣାର ସମାଧାନ କରିବା ।

ଘଟଣାର ସମାଧାନ ପୂର୍ବରୁ ୨୩ ଅଗଷ୍ଟ ଭୋରରେ ଶାହରୁଖ ପେଟ୍ରୋଲ ଢାଳି ମୋତେ ଜାଳି ଦେଲା । ପୋଲିସ ଅଙ୍କିତାଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଦେଇଛି । ପରିବାର ଲୋକେ ଶାହରୁଖକୁ ଫାଶୀ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ହେମନ୍ତ ସୋରେନ ସରକାର ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଏହି ଘଟଣା ତାଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି । ଘଟଣାକୁ ବିଜେପି ସକ୍ରିୟ ହୋଇଯାଇଛି । ଅନେକ ବିଜେପି ନେତା ଘଟଣା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ।

ଓଟିଇଟି ପରୀକ୍ଷା ପୂର୍ବରୁ ଭାଇରାଲ୍ ହେଉଛି ଉତ୍ତର ପତ୍ର

ମାଲକାନଗିରି: ପରୀକ୍ଷା ପୂର୍ବରୁ ଉତ୍ତର ଭାଇରାଲ୍ । OTET ପରୀକ୍ଷା ଆରମ୍ଭ ହେବା ଆଗରୁ ଆନସର୍‌ ସିଟ୍‌ ଭାଇରଲ ହୋଇଛି । ରାଜ୍ୟବ୍ୟାପୀ ଆଜି OTET ପରୀକ୍ଷା ହେଉଛି । ମାଲକାନଗିରି ଜିଲ୍ଲାରେ ୩ ଟି ସେଣ୍ଟରରେ ହେଉଛି ପରୀକ୍ଷା । ତେବେ ଏଠାରେ ପରୀକ୍ଷା ଆରମ୍ଭ ନହେଉଣୁ ଆନସର ସିଟ୍‌ ଭାଇରାଲ ହୋଇଛି । OTET ପରୀକ୍ଷା ପାଇଁ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ, ଭାଇରାଲ୍ ହୋଇଥିବା ଆନସର ସିଟ ଠିକ୍ କି ଭୁଲ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଯଦି ଏପରି କୌଣସି ଘଟଣା ନଜରକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେବେ ପ୍ରଶ୍ନ ପତ୍ର ବା ଉତ୍ତର ଭାଇରାଲ୍ ହୋଇଛି । ଏହା ପୂର୍ବରୁ ଅନେକ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା । ଅଭିଯୋଗ ପରେ ପୁନଃ ପରୀକ୍ଷା ମଧ୍ୟ ହୋଇଛି । ଯଦି ଓଟିଇଟି ଉତ୍ତରପତ୍ର ଭାଇରାଲ୍ ଖବର ସତ ହୋଇଥାଏ ତେବେ ପୁନଃ ପରୀକ୍ଷା କରାଯିବାର ସମ୍ଭାବନା ରହିଛି । ସବୁଠୁ ବଡ଼ କଥା ହେଉଛି କିଏ ଏହି ଉତ୍ତର ଭାଇରାଲ୍ ପଛରେ ଦାୟୀ । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ।