ବାତିଲ ହେଲା ଦୟା ଏନକ୍ଲେଭର ଫ୍ଲାଟ୍ ଆବଣ୍ଟନ, ରେରାର ଅଙ୍କୁଶ ପରେ ବିଡିଏର ପଦକ୍ଷେପ

1 min read

ଭୁବନେଶ୍ୱର: ଦୟା ଏନକ୍ଲେଭର ୧୨୮ଟି ଫ୍ଲାଟ୍ ଆବଣ୍ଟନ ପାଇଁ ଚାଲିଥିବା ପ୍ରକ୍ରିୟାକୁ ବିଡିଏ ବାତିଲ କରିଛି । ବିଡିଏ ପକ୍ଷରୁ ନିର୍ମାଣ କରାଯାଇଥିବା ଦୟା ଏନକ୍ଲେଭର ଉପରେ ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି ବା ରେରା ଅଙ୍କୁଶ ଲଗାଇବା ପରେ ବିଡିଏ ଏହି ପଦକ୍ଷେପ ନେଇଛି । ଭଗବାନପୁରରେ ଦୟା ଏନକ୍ଲେଭ୍ ନିର୍ମାଣ ପରେ ୧୨୮ଟି ଫ୍ଲାଟର ବିକ୍ରୟ ପାଇଁ ବିଡିଏ ପ୍ରକ୍ରିୟା ଆରମ୍ଭ କରିଥିଲା । ହେଲେ ଏହି ପ୍ରକଳ୍ପରେ ରେରା ଦ୍ବାରା ନିର୍ଦ୍ଧାରିତ ଅନେକ ନିୟମ ଉଲ୍ଲଂଘନ ହୋଇଥିବାରୁ ରେରା କୋର୍ଟ ଏହି ପ୍ରକଳ୍ପ ଉପରେ ରହିତାଦେଶ ଜାରି କରିଥିଲେ । ଗତ ୨୦ ତାରିଖରେ ରେରା କୋର୍ଟ ଏହି ନିଷ୍ପତ୍ତି ନେବା ପରେ ଏହାକୁ ଆଧାର କରି ବିଡିଏ ଏକ ବିଜ୍ଞପ୍ତି ଜାରି କରି ଏହି ନିର୍ଦ୍ଦେଶାନାମା ଜାରି କରିଛି ।

ରେରା ଆଇନ ହିସାବରେ ସମସ୍ତ ପ୍ରକଳ୍ପ ଏଗ୍ରିମେଣ୍ଟ ଫର୍ ସେଲ୍ ନିୟମ ଆଧାରରେ ବିକ୍ରି ହେବ । ଏଥିପାଇଁ ଏହାର ପଞ୍ଜିକରଣ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏହି ଏଗ୍ରିମେଣ୍ଟ ଫର୍ ସେଲ୍ ନହେବା ପର୍ଯ୍ୟନ୍ତ ବିକ୍ରେତା କେବଳ ପ୍ରକଳ୍ପ ମୂଲ୍ୟର ୧୦ ପ୍ରତିଶତ ଅର୍ଥ ନେଇପାରିବେ । ଏହି ଏଗ୍ରିମେଣ୍ଟ ପରେ ବାକି ଅର୍ଥ କାରବାର ହୋଇପାରିବ ବୋଲି ରେରା ନିୟମ ରହିଛି । ମାତ୍ର ବିଡିଏ ଏହି ପ୍ରକଳ୍ପରେ ଏଗ୍ରିମେଣ୍ଟ ଫର୍ ସେଲ୍ ସର୍ତ୍ତକୁ ସମ୍ପୂର୍ଣ୍ଣ ବାଦ ଦେଇଛି । ବିଡିଏ ଏହି ପ୍ରକଳ୍ପର କୌଣସି ଫ୍ଲାଟ୍ ବିକ୍ରି କରିପାରିବ ନାହିଁ ବୋଲି ରେରା କହିଥିବା ବେଳେ ବିଡିଏର ପ୍ରକଳ୍ପର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ କାହିଁକି ବାତିଲ ନହେବ, ତା’ର କାରଣ ଦର୍ଶାଇବାକୁ ନୋଟି ଜାରି ହୋଇଛି । ତେଣୁ ଏହି ମାମଲାର ବିଚାର ସଂପୂର୍ଣ୍ଣ ଶେଷ ନହେବା ଯାଏଁ ଏହି ପ୍ରକ୍ରିୟା ବନ୍ଦ ରହିବ ବୋଲି ଜଣାପଡ଼ିଛି । ଦୟା ଏନକ୍ଲେଭରେ ବିଡିଏ ଦ୍ବାରା ୧୨୮ଟି ଫ୍ଲାଟ୍ ନିର୍ମାଣ କରାଯାଇଛି । ପ୍ରକଳ୍ପରେ ୮୦ଟି ଟାଇପ୍-୧ ଓ ୪୮ଟି ଟାଇପ୍-୨ ଫ୍ଲାଟ୍ ରହିଛି । ଏଥିପାଇଁ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି ।