ଆଜିଠୁ ପଦଯାତ୍ରା କରି ବୁଝାଇବ ବିଜେଡି, ଏକାମ୍ର କ୍ଷେତ୍ରରୁ ଆରମ୍ଭ ହେବ ଅଭିଯାନ

ଭୁବନେଶ୍ବର: ରୂପାନ୍ତର ଓଡ଼ିଶାର ବାର୍ତ୍ତା, ଜନ ସେବାର ସଂକଳ୍ପ । ଆଜିଠୁ ଗାଁରୁ ଗାଁ, ଜିଲ୍ଲାରୁ ଜିଲ୍ଲା ଓ ପ୍ରତି ବ୍ଲକରେ ପଦଯାତ୍ରା କରି ଲୋକଙ୍କୁ ବୁଝାଇବ ବିଜେଡି  ।  ଘରେ ଘରେ ପହଞ୍ଚିବେ ବିଜେଡି କର୍ମୀ ଓ ନେତା । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରରୁ ଆରମ୍ଭ ହେବ ମହାଅଭିଯାନ ।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନ ମଣ୍ଡଳୀରେ ପଦଯାତ୍ରାର ଶୁଭାରମ୍ଭ କରିବେ । ମାସେବ୍ୟାପୀ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବ ଦଳ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମେତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖାଯାଇ ପଦଯାତ୍ରା କରାଯିବ । ଯେଉଁ ଅଞ୍ଚଳ ଦେଇ ପଦଯାତ୍ରା ଯିବ, ସେହି ସ୍ଥାନର ବରପୁତ୍ର, ଶହୀଦ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ଦଳ ।

ଦେଶର ସ୍ବାଧୀନତା ସଂଗ୍ରାମ ଓଡ଼ିଶାର ଭୂମିକା ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦଯାତ୍ରା ସମୟରେ ବ୍ୟାପକ ଭାବେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ । ଶେଷ ଦିନରେ ରାଜ୍ୟବାସୀଙ୍କ ସେବା ପାଇଁ ସମୂହ ଶପଥପାଠ କରିବେ ଦଳୀୟ କର୍ମୀ  ।

ସେବାର ୨୫ ବର୍ଷ ପୂରଣ କରିଥିବା ସାଧକ ନବୀନ ପଟ୍ଟନାୟକ ଯେପରି ରାଜ୍ୟବାସୀଙ୍କ ଉନ୍ନତି ପାଇଁ କାମ ଜାରି ରଖିଛନ୍ତି, ସେହି ସେବା ମନୋବୃତ୍ତି ସେ ନିଜ ଦଳୀୟ ନେତା ଓ କର୍ମୀଙ୍କ ଠାରୁ ବି ଆଶା ରଖିଛନ୍ତି  । ଯେଉଁଥିପାଇଁ ପଦଯାତ୍ରାର ସମ୍ପୂର୍ଣ୍ଣ ସମୀକ୍ଷା ନିଜେ କରିବେ ବୋଲି ଘୋଷଣା କରିଛନ୍ତି ନବୀନ ।