ଫୁଟବଲ ମ୍ୟାଚ୍‌ ବେଳେ ଭୟଙ୍କର ଦଳାଚକଟା, ୧୨୭ ମୃତ

ଜାକର୍ତ୍ତା: ଇଣ୍ଡୋନେସିଆର ପୂର୍ବ ଜାଭାରେ ଭୟଙ୍କର ଦଳାଚକଟା । ଏକ ଫୁଟବଲ ମ୍ୟାଚକୁ କେନ୍ଦ୍ର କରି ଦଳାଚକଟାରେ ୧୨୭ ଜଣ ପ୍ରାଣ ହରାଇଥିବା ବେଳେ ୧୮୦ରୁ ଅଧିକ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଇଛି । ପୂର୍ବ ଜାଭା ଅନ୍ତର୍ଗତ ମାଲାଙ୍ଗ ରିଜେନ୍ସିରେ ଜାଭାନିଜ କ୍ଲବସ୍ ଆରେମା ଓ ପେର୍ସେବାୟା ସୁରାବାୟା ଟିମ୍ ମଧ୍ୟରେ ମ୍ୟାଚ ଚାଲିଥିଲା । ମ୍ୟାଚରେ ଆରେମା ଟିମର ପରାଜୟ ପରେ ଅକସ୍ମାତ ଦୁଇ ଟିମର ସମର୍ଥକଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ହେବା ସହ ଦଳାଚକଟା ଘଟିଥିଲା ।

ଆରେମା ଟିମର ହଜାର ହଜାର ସମର୍ଥକ ଫିଲ୍ଡ ଭିତରକୁ ପ୍ରବେଶ କରି ଅପର ଗୋଷ୍ଠୀର ସମର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ପରେ ସ୍ଥିତି ଜଟିଳ ହୋଇଥିଲା ଏବଂ ଦଳାଚକଟା ଘଟିଥିଲା । ଶ୍ବାସରୁଦ୍ଧ ଓ ଆକ୍ରମଣରେ ୧୨୭ ଜଣଙ୍କ ପ୍ରାଣହାନି ଘଟିଛି ।

ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ଇଣ୍ଡୋନେସିଆ କ୍ରୀଡ଼ାମନ୍ତ୍ରୀ ଜୈନୁଦ୍ଦିନ ଆମାଲି । ଏଣିକି ମ୍ୟାଚବେଳେ ନିରାପତ୍ତା ପ୍ରତି ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି । ଏହି ମର୍ମନ୍ତୁଦ ଘଟଣା ଘଟିବା ପରେ ଆସନ୍ତା ସପ୍ତାହେ ମଧ୍ୟରେ ହେବାକୁ ଥିବା ମ୍ୟାଚଗୁଡିକୁ ବାତିଲ କରାଯାଇଛି । ଘଟଣାର ତଦନ୍ତ କରାଯାଉଛି ବୋଲି କହିଛି ଫୁଟବଲ ଆସୋସିଏସନ ଅଫ ଇଣ୍ଡୋନେସିଆ ।