spot_img
Home Blog Page 4035

ଦଲାଲଙ୍କ କବଳରୁ ୬ ନାବାଳିକା ଉଦ୍ଧାର, ଚାକିରି ନାଁରେ ତାମିଲନାଡୁ ନେଉଥିଲେ ଉଦ୍ଧାର କଲା ଅନ୍ତର୍ଜାତିକ ମାନବାଧିକାର ପରିଷଦ

ବିଜୟୱାଡା: ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡା ରେଳଷ୍ଟେସନରୁ ୬ ଜଣ ନାବାଳିକା ଉଦ୍ଧାର । ଉଦ୍ଧାର କଲା ଆନ୍ତର୍ଜାତିକ ମାନବାଧିକାର ପରିଷଦ । ସେମାନଙ୍କୁ ଉଦ୍ଧାର କରି ଓଡିଶା ଅଣାଯାଇଛି । ଉଦ୍ଧାର ନାବାଳିକା କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାମଚନ୍ଦ୍ରପୁର ଥାନା ଅଞ୍ଚଳର । ରୋଜଗାର ଯୋଗାଇ ଦେବାକୁ କହି ସେମାନଙ୍କୁ ତାମିଲନାଡୁ ନେଉଥିଲେ ଅନିଲ ଓ ଚାନ୍ଦୁ ମୁଣ୍ଡା ନାମକ ଦଲାଲ ।

ବିଜୟଓ୍ବାଡ଼ା ଷ୍ଟେସନରେ RPF ପଚରାଉଚରା କରିବାବେଳେ ଦଲାଲ ଦୁଇଜଣ ଖସି ପଳାଇଥିଲେ । ବିଜୟଓ୍ବାଡା ରେଳବାଇ ପୋଲିସ୍ ନାବାଳିକାଙ୍କ ପରିବାରକୁ ସୂଚନା ଦେଇଥିଲା । ପରିବାର ଲୋକେ ଆନ୍ତର୍ଜାତିକ ମାନବାଧିକାର ପରିଷଦ ଓଡିଶା ଶାଖାର ରାଜ୍ୟ ସଭାପତି ସସ୍ମିତା ଦାସଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ବିଜୟଓ୍ବାଡା ରେଳବାଇ ପୋଲିସ୍ ଏବଂ ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ନାବାଳିକାଙ୍କ ପରିବାର ବିଜୟଓ୍ବାଡା ଯାଇ ସେମାନଙ୍କ ଝିଅଙ୍କୁ ନେଇ ଆସିଛନ୍ତି ।

ମଙ୍ଗଳବାର ଓଡ଼ିଶା ବନ୍ଦକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଆସନ୍ତା ମଙ୍ଗଳବାର ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଙ୍ଗଠନ । ଏନେଇ ରାଜ୍ୟର ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ଡକ୍ଟର ସନ୍ତୋଷ ବାଲା ।ଲୋକସେବା ଭବନ, ଖାରବେଳ ଭବନ ଆଦି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ କଡାକଡି ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି ।

ଏହି ସମସ୍ତ ଅଫିସର କର୍ମଚାରୀମାନେ ପୂର୍ବାହ୍ନ ୯ଟା ୩୦ରେ କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ଦକୁ ଦୃଷ୍ଟିରେ ରଖି ଲୋକସେବା ଭବନର ସମ୍ମୁଖ ଗେଟ୍ ୧୦ଟା ୧୫ରୁ ବନ୍ଦ କରିଦିଆଯିବ । ପରିଚୟପତ୍ର ଓ ପାସକୁ କଡାକଡି କରାଯିବ । ସୂଚନାଯୋଗ୍ୟ, ବିଜେପି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ପରେ ନ୍ୟାୟ ଦାବିରେ ସଂଗଠନ ମାନେ ଲଗାତାର ଆନ୍ଦୋଳନ କରୁଛନ୍ତି । ଏପଟେ ପୋଲିସ ମଧ୍ୟ ତଦନ୍ତ ଜୋରଦାର ଚଳାଇଛି । ହେଲେ ଏପର୍ଯ୍ୟନ୍ତ ସୁଦ୍ଧା ରାଗିଂ କରିଥିବା ସିନିୟର ଛାତ୍ରୀଙ୍କ ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ । ଯାହାଫଳରେ ନ୍ୟାୟ ପାଇଁ ମଙ୍ଗଳବାର ନବନିର୍ମାଣ କୃଷକ ସଂଗଠନ ଓଡିଶା ବନ୍ଦ ଡାକରା ଦେଇଛି ।

ଲୋକପ୍ରିୟ ବଲିଉଡ ଗାୟକ ଭୂପିନ୍ଦର ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ବଲିଉଡ ଲୋକପ୍ରିୟ ଗାୟକ ଭୂପିନ୍ଦର ସିଂହଙ୍କ ପରଲୋକ ଘଟିଛି । ଆଜି ସନ୍ଧ୍ୟାରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭୂପିନ୍ଦର । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ତାଙ୍କର ମୃତ୍ୟୁ ନେଇ ପତ୍ନୀ ଏବଂ କଣ୍ଠଶିଳ୍ପୀ ମିତାଲି ସିଂହ ସୂଚନା ଦେଇଛନ୍ତି । ଭୁପିନ୍ଦରଙ୍କ ନିଧନ ଖବର ସାରା ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି । ଗତକିଛି ଦିନ ହେବ ସେ ସ୍ୱାସ୍ଥ୍ୟଗତ ସମସ୍ୟାରେ ଜୁଝୁଥିଲେ । ଖାସ କରି ପେଟ ରୋଗରେ ପୀଡିତ ଥିଲେ ।  ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର ହେବ । ତାଙ୍କ ମୃତ୍ୟୁରେ ପ୍ରଶଂସକମାନେ ଭାଙ୍ଗିପଡିଛନ୍ତି । କେବଳ ସଂଗୀତ ନୁହେଁ ବରଂ ଗଜଲ

ମୁମ୍ବାଇସ୍ଥିତ କ୍ରିଟିକେୟାର ଏସିଆ ହସ୍ପିଟାଲର ଡାକ୍ତର ଦୀପକ ନାମଜୋଶୀ କହିଛନ୍ତି ଭୁପିନ୍ଦରଙ୍କୁ ୧୦ ଦିନ ପୂର୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପେଟରେ ଇମ୍ଫେକ୍ସନ ଥିଲା । ଏହି ସମୟରେ ସେ କରୋନାରେ ମଧ୍ୟ ସଂକ୍ରମିତ ହୋଇଯାଇଥିଲେ । ସୋମବାର ସକାଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିଲା । ଭେଣ୍ଟିଲେଟରରେ ଥିବା ସମୟରେ ହୃଦଘାତରେ ସନ୍ଧ୍ୟା ୭ ଟା ୪୫ରେ ମୃତ୍ୟୁ ହୋଇଯାଇଛି ।

ଭୂପିନ୍ଦର ମୌସମ, ସତ୍ତେ ପେ ସତ୍ତା, ଆହିସ୍ତା ଆହିସ୍ତା, ଦୁରିଆଁ ଏବଂ ହକିକତ ସହିତ ଅନେକ ଗୀତ ଗାଇଛନ୍ତି । ତାଙ୍କର ସବୁଠୁ ଲୋକପ୍ରିୟ ଗୀତ ମଧ୍ୟରେ ମେରା ରଙ୍ଗ ଦେ ବସନ୍ତି ଚୋଲା, ପ୍ୟାର ହମେ କିସ ମୋଡ଼ ପର ଲେ ଆୟା, ହୁଜୁର ଇସ କଦର, ଏକ ଅକେଲା ଇସ ସହର ମେ, ଜିନ୍ଦେଗୀ ମିଲକେ ବତାଏଙ୍ଗେ, ବିତି ନା ବିତାୟି ରେନା ଅନ୍ୟତମ । ତେବେ ଭୂପିନ୍ଦର ବଲିଉଡ ପ୍ଲେବ୍ୟାକ ସିଙ୍ଗର ସହ ଗଜଲ ଗାୟକ ହିସାବରେ ଲୋକପ୍ରିୟ ଥିଲେ । ସେ ଗିଟାର ଏବଂ ଭାଓଲିଅନ ମଧ୍ୟ ବଜାଇବା ଶିଖିଥିଲେ ।

ତାଙ୍କର ଜନ୍ମ ୧୯୪୦ ମସିହା ଫେବ୍ରୁଆରୀ ୬ ତାରିଖରେ ପଞ୍ଜାବର ଅମୃତସରରେ ହୋଇଥିଲା । ସଙ୍ଗୀତରେ ନିଜର କ୍ୟାରିଅର ଦିଲ୍ଲୀର ଅଲ ଇଣ୍ଡିଆ ରେଡିଓରୁ ଆରମ୍ଭ କରିଥିଲେ । ଏହାପରେ ହୋକେ ମଜବୁର ସନେ ମୁଝେ ବୁଲାୟା ହୋଗା ଗୀତରେ ପ୍ରଥମଥର ସୁଯୋଗ ମିଳିଥିଲା । ଅଲ ଇଣ୍ଡିଆ ରେଡିଓ ପ୍ରଡ୍ୟୁସର ସତୀଶ ଭାଟିଆ ତାଙ୍କୁ ଏହି ଗୀତରେ ଗାଇବା ପାଇଁ ସୁଯୋଗ ଦେଇଥିଲେ । ଏହି ଗୀତ ସେ ମହମ୍ମଦ ରଫି, ତଲତ ମହମ୍ମଦ ଏବଂ ମନ୍ନା ଡେଙ୍କ ସହ ବୋଲିଥିଲେ ।

ଦଳ ବିରୋଧୀ କାର୍ଯ୍ୟପାଇଁ ଅନେକ ନେତାଙ୍କୁ ବହିସ୍କାର କଲେ ଶିବେସନା ଅଧ୍ୟକ୍ଷ

ମୁମ୍ବାଇ: ଶିବସେନାରେ ବଡ଼ ଧରଣର ପରିବର୍ତ୍ତନ । ଉଗ୍ରମୁଖା ହୋଇଛନ୍ତି ସୁପ୍ରିମୋ ଉଦ୍ଧବ ଠାକରେ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ଅନେକ ବରିଷ୍ଠ ନେତାଙ୍କୁ ପଦଚ୍ୟୁତ କରିଛନ୍ତି । ବରିଷ୍ଠ ନେତା ରାମଦାସ କଦମ ଓ ପୂର୍ବତନ ଏମପି ଆନନ୍ଦରାଓ ଅଦସୁଲଙ୍କୁ ମଧ୍ୟ ବାଦ । ବିଦ୍ରୋହୀ ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କ୍ୟାମ୍ପ ସହ ଲିଙ୍କ୍ ଅଭିଯୋଗ ତଥା ଅନ୍ୟାନ୍ୟ କାରଣରୁ ଏହି ପଦକ୍ଷେପ ନେଇଛନ୍ତି ଉଦ୍ଧବ । ଦିନକୁ ଦିନ ଉଦ୍ଧବ କ୍ୟାମ୍ପରୁ ନେତାମାନେ ସିନ୍ଦେ ଗୋଷ୍ଠୀ ସହ ହାତ ମିଳାଉଥିବାରୁ ଶିବସେନାରେ ସଙ୍କଟ ତୀବ୍ର ହେବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀ ସିନ୍ଦେ ନିଜକୁ ଶିବସେନାର ପ୍ରକୃତ ନେତା ବୋଲି ଦାବି କରୁଥିବାବେଳେ ଉଦ୍ଧବଙ୍କ ଏହି ପଦକ୍ଷେପ ଅଧିକ ସଂକଟଜନକ ପରିସ୍ଥିତି ସୃଷ୍ଟି କରିଛି । ତେଣେ ଆସନ୍ତା ବୁଧବାର ଉଭୟ ପକ୍ଷର କେତେକ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ଶିବସେନାର ୫୫ ବିଧାୟକଙ୍କ ମଧ୍ୟରୁ ଉଭୟ ପକ୍ଷରୁ ଦାୟର ହୋଇଥିବା ପିଟିସନରେ ୫୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଆବେଦନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଥାନେ, ପାଲଘାଟ, ଅମରାବତୀ ଓ ଯବତମାଲ ଜିଲ୍ଲାରେ ୧୦୦ରୁ ଅଧିକ ନେତାଙ୍କୁ ନିଯୁକ୍ତି ଦେଲେଣି ଉଦ୍ଧବ ।

ଡରାଉଛି ମଙ୍କିପକ୍ସ ସଂକ୍ରମଣ, ସବୁ ବିଦେଶ ଫେରନ୍ତାଙ୍କ ସ୍କ୍ରିନିଂ ପାଇଁ ବିମାନବନ୍ଦରଗୁଡ଼ିକୁ ପରାମର୍ଶ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲା ‘ମଙ୍କିପକ୍ସ’ ଭାଇରସ । କେରଳରେ ଦ୍ବିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ । କୁନ୍ନୁର ଏହି ବ୍ୟକ୍ତିଙ୍କର ପରିୟାରାମ ମେଡିକାଲ କଲେଜରେ ଚିକିତ୍ସା ଜାରି ରହିଛି । ତାଙ୍କ ଅବସ୍ଥା ସ୍ଥିର ରହିଛି । ଯେଉଁମାନେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ଉପରେ କଡା ନଜର ରଖାଯାଇଛି । ସଂକ୍ରମିତ ବ୍ୟକ୍ତି ଜଣକ ଜୁଲାଇ ୧୩ରେ କେରଳରେ ପହଞ୍ଚିଥିଲେ । ଏନେଇ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୋମବାର ସୂଚନା ଦେଇଛନ୍ତି । ଦ୍ୱିତୀୟ ମାମଲା ଚିହ୍ନଟ ପରେ ସତର୍କତା ଅବଲମ୍ବନ କରିଛନ୍ତି କେନ୍ଦ୍ର ସରକାର । ସଂକ୍ରମଣ ବଢ଼ିବା ପୂର୍ବରୁ ଏହାକୁ ଚିହ୍ନଟ କରି ସଂକ୍ରମଣ ରୋକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଥିବା ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରଗୁଡିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅନ୍ତର୍ଜାତୀୟ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ସମସ୍ତ ବନ୍ଦର ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣଳୟ, ବିମାନବନ୍ଦର ଓ ବନ୍ଦର କର୍ତ୍ତୃପକ୍ଷଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଗୁରୁବାର ଦେଶରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଗତ ସପ୍ତାହରେ ଦୁବାଇରୁ ଫେରିଥିବା ୩୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେଖାଦେବା ପରେ ତାଙ୍କ ପରୀକ୍ଷା କରାଯାଇଥିଲା। ଏହାପରେ ସେ ମଙ୍କିପକ୍ସ ସଂକ୍ରମିତ ଥିବା ଜଣାପଡିଥିଲା । ପ୍ରଥମ ସଂକ୍ରମିତ ଜୁଲାଇ ୧୨ରେ ଦୁବାଇରୁ ଫେରିବା ପରେ ସଂକ୍ରମିତ ହୋଇଥିଲେ । କେରଳରୁ ମଙ୍କିପକ୍ସର ଦୁଇଟି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିମାନ ବନ୍ଦରରେ ସୁରକ୍ଷା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛି। ବିଦେଶରୁ ଫେରୁଥିବା ଲୋକଙ୍କ ଯାଞ୍ଚ ଚାଲିଛି। କୁନ୍ନୁର ଏୟାରପୋର୍ଟରେ ସ୍ୱତନ୍ତ୍ର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି।

ଗିରଫ ଉପରେ ରୋକ୍ ଲଗାଇବାକୁ ଆବେଦନ କଲେ ବିବାଦୀୟ ନେତ୍ରୀ ନୁପୁର ଶର୍ମା

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମା ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରଫେଟ ମହମ୍ମଦଙ୍କ ଉପରେ ନିଜର ବିବାଦୀୟ ବୟାନ ପରେ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ନାଁରେ ଏଫଆଇଆର ରୁଜୁ ହୋଇଥିଲା । ତାଙ୍କ ବିରୋଧରେ ରୁଜୁ ୯ ଏଫଆଇଆର ଆଧାରରେ ଗିରଫ ଉପରେ ରୋକ୍ ଲଗାଇବା ପାଇଁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ନିବେଦନ କରିଛନ୍ତି ।

ଶର୍ମା ନିଜ ଆବେଦନରେ କହିଛନ୍ତି, ସୁପ୍ରିମକୋର୍ଟରେ ଖଣ୍ଡପୀଠଙ୍କ ଦ୍ୱାରା ନିକଟରେ କରାଯାଇଥିବା ସମାଲୋଚନା ପରେ ତାଙ୍କ ଜୀବନ ପାଇଁ ବିପଦ ଆହୁରି ବଢ଼ିଯାଇଛି । ତାଙ୍କୁ ଜୀବନରୁ ମାରିଦେବାକୁ ଏବଂ ବଳାତ୍କାର ପର୍ଯ୍ୟନ୍ତ ଧମକ ଦିଆଯାଉଛି । ଯେହେତୁ ତାଙ୍କ ବିରୋଧରେ ପ୍ରଥମ ମାମଲା ଦିଲ୍ଲୀରେ ରୁଜୁ ହୋଇଥିଲା, ସେଥିପାଇଁ ଅନ୍ୟ ସ୍ଥାନରେ ହୋଇଥିବା ଏଫଆଇଆରକୁ ଦିଲ୍ଲୀ ମାମଲା ସହ ଯୋଡିବାକୁ ଅନୁରୋଧ କରିଛନ୍ତି । ଗୋଟିଏ କୋର୍ଟରେ ସମସ୍ତ ମାମଲାର ଶୁଣାଣି ପାଇଁ ସେ ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ନିକଟରେ ଏହିପରି ଏକ ଆବେଦନ ଆଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନୁପୁର । ଆବେଦନର ଶୁଣାଣି ସମୟରେ ନୁପୁରଙ୍କ ବିବାଦୀୟ ବୟାନ ପାଇଁ କୋର୍ଟ ତାଙ୍କୁ ଭର୍ତ୍ସନା କରିଥିଲେ । ଦେଶରେ ଉପୁଜିଥିବା ହିଁସାତ୍ମକ ସ୍ଥିତି ପାଇଁ କେବଳ ନୁପୁର ଦାୟୀ ବୋଲି ସୁପ୍ରିମକୋର୍ଟର ଦୁଇ ବିଚାରପତି କହିଥିଲେ । ଏହି ଆବେଦନ ମଧ୍ୟ ଖାରଜ କରିବା ସହ ଦେଶବାସୀଙ୍କୁ କ୍ଷମା ମାଗିବା ପାଇଁ ପରାମର୍ଶ ଦେଇଥିଲେ ।

ସୂଚନାଥାଉକି, ଦୁଇ ମାସ ତଳେ ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମା ଏକ ଟିଭି ଡିବେଟ ଶୋ’ରେ ମୁସଲିମଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହାପରେ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ମୁସଲିମ ସମ୍ପ୍ରଦାୟର ଲୋକ ଆନ୍ଦୋଳନ କରିବା ସହ ହିଂସାତ୍ମକ ପନ୍ଥା ଆପଣାଇଥିଲେ । ଏମିତିକି ନୁପୁର ଶର୍ମାଙ୍କୁ ସମର୍ଥନ କରୁଥିବା ଦୁଇ ଜଣଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା  । ରାଜସ୍ଥାନ ଉଦୟପୁରର ଜଣେ ଟେଲରଙ୍କୁ ଦୋକାନରେ ପସି ଦୁଇଜଣ ମୁସଲିମ ଯୁବକ ଗଳା କାଟି ହତ୍ୟା କରିଥିଲେ ସେହିପରି ମହାରାଷ୍ଟ୍ରର ଅମରାବତୀରେ ଜଣେ ମେଡିସିନ ଦୋକାନୀଙ୍କୁ ବାଟରେ ଯିବା ସମୟରେ ଛୁରୀ ଭୁସି ହତ୍ୟା କରାଯାଇଥିଲା ।

ମରିଯାଇଥିଲା ଆଶା, ସଂଜୀବନୀ ସାଜିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ୍

କେନ୍ଦ୍ରାପଡ଼ା: ସଂଜୀବନୀ ସାଜିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ନୂଆ ଜୀବନ ପାଇଲେ ମହିଳା । କ୍ୟାନ୍ସର ରୋଗରୁ ରୋଗମୁକ୍ତ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ନଡ଼ିଅବରେଇ ପଂଚାୟତ ଓଉପଡା ଗ୍ରାମ ର ସସ୍ମିତା ଦାସ  । ଅଭାବୀ ପରିବାର ରେ ରୋଗ ଯନ୍ତ୍ରଣାର ବୋଝ କୁ ମୁଣ୍ଡେଇ ଥିଲେ କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବିନା ଖର୍ଚ୍ଚ ରେ ରୋଗ ମୁକ୍ତି ରେ ସହାୟକ ହେଲା । କିଛି ମାସ ତଳେ ସସ୍ମିତା ଙ୍କ ବେକରେ ଏକ ଆବୁ ବାହାରିଲା । ଡାକ୍ତର ଙ୍କୁ ଦେଖାଇ ବାରୁ ଡାକ୍ତର ଏହାକୁ କର୍କଟ (କ୍ୟାନ୍ସର ) ରୋଗ ର ଏକ ସ୍ଥର ବୋଲି କହିଥିଲେ ।

ଗାଁର ଜଣେ ଯୁବକଙ୍କ ସହାୟତାରେ ୫୦ ବର୍ଷୀୟା ସସ୍ମିତା ଭୁବନେଶ୍ୱର ସମ ହସ୍ପିଟାଲ ଯାଇଥିଲେ । ସେଠାରେ ସସ୍ମିତାଙ୍କ ବିଜୁ ସ୍ଵାସ୍ଥ୍ୟ କାର୍ଡ ମାଧ୍ୟମ ରେ ଚିକିତ୍ସା କରାଯାଇଥିଲା । ପ୍ରଥମେ ମହିଳା ଙ୍କ ବେକ ଆବୁ ର ଏଫ.ଏ. ନେ. ସି କରାଯାଇଥିଲା  ।  ଆବୁ ଟି କ୍ୟାନ୍ସର ବୋଲି ସ୍ପଷ୍ଟ ହୋଇଥିଲା  । ସସ୍ମିତାଙ୍କର  ୬ଟି କେମୋ ନେବା ବାଧ୍ୟତା ମୂଳକ ହୋଇପଡ଼ିଥିଲ  । ପ୍ରଥମେ ପେଡ ସ୍କାନ କରାଯାଇ ପରେ କେମୋ ଦିଆ ଯାଇଥିଲା । ତେବେ ଏହି ସବୁ ଚିକିତ୍ସା ପଦ୍ଧତି ବ୍ୟୟ ବହୁଳ ହୋଇଥିଲେ ମଧ୍ୟ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ରେ ମହିଳା ଙ୍କ ପାଇଁ ଦଶ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି କାର୍ଯ୍ୟକ୍ଷମ ହୋଇଥିଲ ।

ଫଳରେ ସସ୍ମିତା ଙ୍କ ମାଗଣା ଚିକିତ୍ସା ହୋଇଥିଲା । କେମୋ ନେବା ପରେ ସସ୍ମିତା ଦାସ ଙ୍କ ର ପୁଣି ଥରେ ସ୍କାନ କରାଯିବା ପରେ ତାଙ୍କୁ ଡାକ୍ତର ସମ୍ପୂର୍ଣ ଆରୋଗ୍ୟ ଘୋଷଣା କରିଥିଲେ. । ରୋଗ ମୁକ୍ତ ହେବା ପରେ ସସ୍ମିତା ଙ୍କ ର ତିନି ମାସକୁ ଥରେ ଚେକପ କରାଯିବ ବୋଲି ଡାକ୍ତର କହିଛନ୍ତି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତା ଧାରାରୁ ସୃଷ୍ଟ ତଥା ରାଜ୍ୟ ସରକାର ଙ୍କ ଦ୍ୱାରା ପ୍ରଦତ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଥିବା ହିତାଧିକାରୀ ମନେ  ମାଗଣା ରେ ସମ୍ପୂର୍ଣ ଚିକିତ୍ସା ସୁବିଧା ପାଇ ରୋଗ ମୁକ୍ତ ହେଉଥିବା ଦେଖିବାକୁ ମିଳୁଛି  । ରୋଗ କବଳ ରେ ପଡି ଛଟପଟ ହେଉଥିବା ସସ୍ମିତା ଦାସ ବର୍ତ୍ତମାନ ସୁସ୍ଥ ଓ ଆରୋଗ୍ୟ ହେବାପରେ  ନୂଆ ଜୀବନ ପାଇଛନ୍ତି  । ଏଥି ନିମନ୍ତେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇ କୃତଜ୍ଞତା ଜ୍ଞାପନ କରିଛନ୍ତି  ।

୧୬ ଶହ କୋଟିର ହଲିଉଡ ଫିଲ୍ମ ‘ଦି ଗ୍ରେ ମ୍ୟାନ’ରେ ଦେଖାଦେବେ ଧନୁଷ

ହଲିଉଡରେ ଏଣ୍ଟ୍ରି ନେଇ ଚର୍ଚ୍ଚାରେ ସୁପରଷ୍ଟାର ଧନୁଷ ଆଭେନଜର୍ସର ପ୍ରସିଦ୍ଧ ନିର୍ଦ୍ଦେଶକ ଯୋଡ଼ିଋଷୋ ବ୍ରଦର୍ସଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ଦି ଗ୍ରେ ମ୍ୟାନରେ ଅଭିନୟ କରିଛନ୍ତି ଏହି ତାମିଲ ସୁପରଷ୍ଟାର ଯାହା ବର୍ତ୍ତମାନ ନେଟଫ୍ଲିକ୍ସର ସବୁଠାରୁ ମହଙ୍ଗା ଆକ୍ସନ ଫିଲ୍ମରେ ପରିଣତ ହୋଇଛି ଆନ୍ଥନୀ ଏବଂ ଜୋ ଋଷୋ ଉଭୟ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିବା ବେଳେ ଉଭୟ ଚଳଚ୍ଚିତ୍ରର ନିର୍ଦ୍ଦେଶକ ପ୍ରଯୋଜକ ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ନେଟଫ୍ଲିକ୍ସ ସହ ଦଶ କିମ୍ୱା କୋଡ଼ିଏ କୋଟି ନୁହେଁ ଭାରତୀୟ ମୁଦ୍ରା ଅନୁସାରେ ମୋଟ ୧୬ ଶହ କୋଟି ଟଙ୍କାର ଚୁକ୍ତି ହୋଇଥିବା ଜଣାପଡ଼ିଛି । ଦର୍ଶକ ଫିଲ୍ମଟିକୁ ନେଟଫ୍ଲିକ୍ସରେ ୨୨ ଜୁଲାଇରେ ଦେଖିପାରିବେ । ଯାହାର ପୋଷ୍ଟର ରିଲିଜ୍ ହୋଇସାରିଥିବା ବେଳେ ଫିଲ୍ମଟିର ଟ୍ରେଲର ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି  ଧନୁଷ ନିଜ ଇନଷ୍ଟାଗ୍ରାମରେ ଏହାର ଏକ ପୋଷ୍ଟର ପୋଷ୍ଟ କରିବା ପରେ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି । ଦର୍ଶକଙ୍କ ଏଭଳି ଭଲପାଇବା ଦେଖି ଧନୁଷ ମଧ୍ୟ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି ।

 

ଚଳଚ୍ଚିତ୍ରଟି ଆକ୍ସନ ମୁଭି ଉପରେ ନିର୍ମିତ ହୋଇଥିବାରୁ ଏହାର ସୁଟିଂ ବିଶ୍ୱର ନାମିଦାମି ଲୋକେସନରେ ସୁଟ୍ କରାଯାଇଛି ଚଳଚ୍ଚିତ୍ରର ଗୋଟିଏ ଆକ୍ସନ ସିନ୍ ମାସ ମାସ ଧରି ଚାଲିରହିଥିଲା ସୂଚନାନୁସାରେ ଏଥିରେ କୌଣସି ଏକ ସିନ୍ ପାଇଁ ୪୦ ମିଲିୟନ ଡଲାର ଅର୍ଥାତ୍ ୩୧୯ କୋଟି ଟଙ୍କା ବ୍ୟୟ କରାଯାଇଛି ଚଳଚ୍ଚିତ୍ରଟିରେ ରାୟନ ଗାଁସଲିଙ୍ଗ୍, କ୍ରିସ୍ ଇୱାଶଂ, ଆନା ଦେ ଅର୍ମାଶ ଏବଂ ରେଗେ ଜାନ ପେଜଙ୍କ ଭଳି ପ୍ରସିଦ୍ଧ ହଲିଉଡ ତାରକାଙ୍କ ସହ ସାଉଥ ସୁପରଷ୍ଟାର ଧନୁଷ ନଜର ଆସିବେ କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଧନୁଷଙ୍କ ଅଭିନୟକୁ ଲୋକେ ଖୁବ୍ ପ୍ରଶଂସା କରନ୍ତି ଏପଟେ କୋଷ୍ଟାର୍ସ ରାୟନ ଏବଂ ରାଗେ ମଧ୍ୟ ଫିଲ୍ମରେ ଧନୁଷଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରିଛନ୍ତି

ଶିବସେନା ଛାଡ଼ିଲେ ଆଉ ଜଣେ ବିଧାୟକ; କହିଲେ, ବରିଷ୍ଠଙ୍କୁ କରାଯାଉଛି ଅଣଦେଖା

ମୁମ୍ୱାଇ: ମହାରାଷ୍ଟ୍ରରେ ଗାଦିଚ୍ୟୁତ ଶିବସେନା ପାଇଁ ସମସ୍ୟା ବଢ଼ିବାରେ ଲାଗିଛି । ଇସ୍ତଫା ଦେଇଛନ୍ତି ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାନସଭାରେ ବିରୋଧୀ ଦଳ ନେତା ଥିବା ରାମଦାସ କଦମ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବେଳେ ଏହାକୁ ସେ ଉଦ୍ଧବ ଠାକରେଙ୍କ ନିକଟକୁ ପଠାଇଦେଇଛନ୍ତି । ଏହା ପୂର୍ବରୁ କଦମ୍‌ଙ୍କ ପୁଅ ବିଧାୟକ ଯୋଗେଶ କଦମ ଗୌହାଟୀରେ ସିନ୍ଦେଙ୍କ ଶିବିରରେ ଯୋଗଦେଇଥିଲେ ।

ବାଲାସାହେବ ଠାକ୍‌ରେ ତାଙ୍କୁ ଶିବସେନାର ନେତା କରିଥିଲେ । କିନ୍ତୁ  ତାଙ୍କ ଦେହାନ୍ତ ପରେ ଏହି ପଦବୀର କୌଣସି ଗୁରୁତ୍ୱ ନଥିବା ରାମଦାସ ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ସେ ଆହୁରି ଲେଖିଛନ୍ତି ଯେ, ୨୦୧୯ରେ କଂଗ୍ରେସ ଏବଂ ଏନ୍‌ସିପି ସହ ମେଣ୍ଟ ନକରିବାକୁ ଅନ୍ୟ କିଛି ନେତାଙ୍କ ଅନୁରୋଧ କରିଥିଲେ ।

ତେବେ ଉଦ୍ଧବଙ୍କ ଘନିଷ୍ଠ ଅନିଲ ପାରବଙ୍କ ସହ ତାଙ୍କ ସମ୍ପର୍କ ଭଲ ନଥିଲା । ଏବଂ ତାଙ୍କ ପୁଅଙ୍କୁ ବହୁ ବାର ଅପମାନିତ କରାଯାଇଛି । ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ବରିଷ୍ଠ ନେତାଙ୍କୁ ବିଶ୍ୱାସକୁ ନେଉନଥିବା ଅଭିଯୋଗ ଆଣିଛନ୍ତି ।

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଫଳାଫଳ ପରେ ଏକନାଥ ସିନ୍ଦେ ବିଦ୍ରୋହ କରିଥିଲେ। ସେ ଶିବସେନାର ବିଦ୍ରୋହୀ ବିଧାୟକଙ୍କ ସହ ପ୍ରଥମେ ସୁରଟରେ ପହଞ୍ଚିଥିଲେ ଏବଂ ପରେ ସେଠାରୁ ଗୌହାଟୀରେ ପହଞ୍ଚିଥିଲେ। ଦିନ ଗଡ଼ିବା ସହ ଉଦ୍ଧବଙ୍କ ସହ ଥିବା ବିଧାୟକ ଗୋଟିଏ ପରେ ଗୋଟିଏ ହୋଇ ଏକନାଥଙ୍କୁ ସମର୍ଥନ କରିବା ଆରମ୍ଭ କରିଥିଲେ। ସମର୍ଥନ ହରାଇବା ପରେ ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ। ଏହା ପରେ ଫ୍ଲୋର ଟେଷ୍ଟରେ ଉଦ୍ଧବ ହାରିବା ସହ ଫ୍ଲୋର ଟେଷ୍ଟ ଜିତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏକନାଥ ସିନ୍ଦେ। ଏବଂ ଉପ ମୁଖ୍ୟମନ୍ତ୍ରୀ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଶପଥ ଗ୍ରହଣ କରିଥିଲେ । ଏହା ଦୁର୍ବଳ ହେବାରେ ଲାଗିଛି ଶିବସେନା । ଜଣଙ୍କ ପରେ ଜଣେ ନେତା ଉଦ୍ଧବଙ୍କ ହାତ ଛାଡ଼ୁଥିବା ଦେଖିବାକୁ ମିଳିଛୁ ।

ଦିନିକିଆ କ୍ରିକେଟରୁ ବେନ୍ ଷ୍ଟୋକ୍ସଙ୍କ ଅବସର ଘୋଷଣା

ଲଣ୍ଡନ: ଇଂଲଣ୍ଡର ଷ୍ଟାର କ୍ରିକେଟର ବେନ୍ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଶେଷ ଦିନିକିଆ ମ୍ୟାଚ୍ ଖେଳିବେ । ୩୧ ବର୍ଷୀୟ ବେନ୍ ଷ୍ଟୋକ୍ସ ଅବସର ସମ୍ବନ୍ଧିତ ଏକ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଲେଖିଛନ୍ତି, ମୁଁ ଇଂଲଣ୍ଡ ପାଇଁ ମଙ୍ଗଳବାର ଦିନିକିଆ କ୍ରିକେଟରେ ନିଜର ଶେଷ ମ୍ୟାଚ ଖେଳିବି । ଏହି ଫର୍ମାଟରୁ ସନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଛି ।

ଏହା ମୋ ପାଇଁ ନିଶ୍ଚିତ ଭାବେ କଠିନ ନିଷ୍ପତ୍ତି ଥିଲା । ଇଂଲଣ୍ଡ ପାଇଁ ସାଥିମାନଙ୍କ ସହ ଖେଳିବାର ପ୍ରତି ମୂହୁର୍ତ୍ତର ମଜା ନେଇଛି । ମୋ ପାଇଁ ଯାତ୍ରା ଭଲ ଥିଲା । ଏହି ଫର୍ମାଟରେ ଦଳ ପାଇଁ ୧୦୦ ପ୍ରତିଶତ ଦେଇପାରିନାହିଁ । ଏହି କାରଣରୁ ଗୋଟେ ଫର୍ମାଟରୁ ଅବସର ନେବାକୁ ପଡୁଛି । ଚେଷ୍ଟା କରିବି ଟେଷ୍ଟ ଓ ଟି-୨୦ ଭଲ ପ୍ରଦର୍ଶନ କରିବା ପାଇଁ । ଇଂଲଣ୍ଡର ସମ୍ମାନ ପାଇଁ ଯୋଗଦାନ ଦେବାକୁ ଚେଷ୍ଟା କରିବି ।

ଷ୍ଟୋକ୍ସ ଦିନିକିଆ କ୍ୟାରିଅର କଥା ଦେଖିବାକୁ ଗଲେ ତେବେ ସେ ଇଂଲଣ୍ଡ ପାଇଁ ଆୟରଲ୍ୟାଣ୍ଡ ବିପକ୍ଷ ୨୦୧୧ରେ ଡେବ୍ୟୁ କରିଥିଲେ । ୨୦୧୯ ବିଶ୍ୱକପରେ ତାଙ୍କ ଯୋଗଦାନ ବେସ୍ ପ୍ରଶଂସନୀୟ ଥିଲା । ନ୍ୟୁଜଲାଣ୍ଡ ବିପକ୍ଷ ଫାଇନାଲ୍ ମ୍ୟାଚରେ ଅପରାଜିତ ରହି ୮୪ ରନ୍ ବଳରେ ମ୍ୟାଚକୁ ପ୍ରଥମେ ଟାଏ କରିଥିଲେ । ଏହାପରେ ସୁପର ଓଭରରେ ଇଂଲଣ୍ଡ ନିଜର ପ୍ରଥମ ଦିନିକିଆ ବିଶ୍ୱକପ୍ ଜିତିଥିଲା । ତାଙ୍କର ଭଲ ପ୍ରଦର୍ଶନ ପାଇଁ ଫାଇନାଲ୍ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସେ ଇଂଲଣ୍ଡ ପାଇଁ ୧୦୪ ଦିନିକିଆ ମ୍ୟାଚ ଖେଳିଛନ୍ତି । ଏଥିରେ ୩୯.୪୫ ଆଭାରେଜରେ ୨୯୧୯ ରନ୍ ସଂଗ୍ରହ କରିଛନ୍ତି । ୮୭ଟି ଇନିଂସରେ ୪୧.୭୯ ଆଭେରେଜରେ ୭୪ ୱିକେଟ୍ ନେଇଛନ୍ତି । ଇକୋନମି ରେଟ ମଧ୍ୟ ୬.୦୩ ରହିଥିଲା ।