spot_img
Home Blog Page 4034

ନିବେଶକଙ୍କୁ ଟାଣିବ ଓଡ଼ିଶା ଆଇଟି ନୀତି-୨୦୨୨, ପୁଞ୍ଜି ଭିଡ଼ିବାକୁ ପ୍ରୋତ୍ସାହନ ବର୍ଷା

ଭୁବନେଶ୍ୱର: ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଫୋକସ୍ କରାଯିବ । ରାଜ୍ୟବାସୀଙ୍କ ଜୀବନଧାରଣର ମାନରେ ଉନ୍ନତି ପାଇଁ ଡିଜିଟାଲ ବ୍ୟବହାରକୁ ଅଗ୍ରାଧିକାର ଦିଆଯିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶାରେ ‘ସୂଚନା ଓ ପ୍ରଯୁକ୍ତି ବିଦ୍ୟା ନୀତି-୨୦୨୨’ (ଆଇଟି ପଲିସି-୨୦୨୨) ଲାଗୁ କରିବେ । ଆଜି ରାଜ୍ୟ କ୍ୟାବିନେଟ୍ ଏ ନୂଆ ଆଇଟି ନୀତିକୁ ଅନୁମୋଦନ କରଛି । ଏହାଛଡ଼ା ଖୋର୍ଦ୍ଧା ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇଦେବେ । ଦାଦନପ୍ରବଣ ଜିଲ୍ଲାରେ ମନରେଗା କାମକୁ ବ୍ୟାପକ କରିବାକୁ ପାଣ୍ଠି ମଞୁର ହୋଇଥିଲା ବେଳେ ପୁରୀରେ ଅବଢା ପ୍ରକଳ୍ପରେ ଧମର୍ଶାଳା ନିର୍ମାଣ ପାଇଁ ପ୍ରକଳ୍ପ ପ୍ରସ୍ତାବରେ କ୍ୟାବିନେଟ୍ ହଁ ମାରିଛି । ଏହାସହ ବିଭିନ୍ନ ବିଭାଗର ଆଉ ୧୬ଟି ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏ ବୈଠକେ ୧୭ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇ ମଞ୍ଜୁରୀ ପାଇଥିଲା । ସରକାର ଆଣିଥିବା ଆଇଟି ନୀତିରେ ନିବେଶକଙ୍କୁ ଆକୃଷ୍ଟ କରିବାକୁ ବହୁ ଅନୁକୂଳ ବ୍ୟବସ୍ଥା କରିଛନ୍ତି । ଆଇଟି ପାର୍କ ପ୍ରତିଷ୍ଠା କରିବାକୁ ଆଗ୍ରହୀ ନିବେଶକଙ୍କୁ ସବସିଡି ବାବଦକୁ ସର୍ବାଧିକ ୨୦ କୋଟି ମିଳିବ । ସୌରଶକ୍ତି ପ୍ଲାଣ୍ଟ ପାଇଁ ସର୍ବାଧିକ ୨୫ ଲକ୍ଷ ଟଙ୍କା ରାଜ୍ୟ ସରକାର ଭରଣା କରିବେ । ଗ୍ରୀନଫିଲଡ ଆଇଟି ପାର୍କ କ୍ଷେତ୍ରରେ ସରକାର ଶତ ପ୍ରତିଶତ ଷ୍ଟାମ୍ପଡ୍ୟୁଟି ସହ ରେଜିଷ୍ଟ୍ରେସନ ଫି ଓ ଜମିର କିସମ ପରିବର୍ତ୍ତନ ଫି ଛାଡ଼ କରିବାକୁ ନିଷ୍ପତି ନେଇଛନ୍ତି । ଏହାଛଡ଼ା ଆଇଟି ପଲିସିରେ ପୁଞ୍ଜି ନିବେଶ ରିହାତି ବାବଦକୁ ୩ କୋଟି ଯାଏ ପାଣ୍ଠି ଯୋଗାଇଦେବେ । ୫% ସୁଧ ଛାଡ଼,୩ ବର୍ଷ ଯାଏ ବିଜୁଳି ଶୁଳ୍କର ୩୦% (ୟୁନିଟ ପିଛା ସର୍ବାଧିକ ୩୫ ଲକ୍ଷ) ଛାଡ଼ କରିବାକୁ ବ୍ୟବସ୍ଥା କରାଯାଇଛି । ଆଇଟି ପଲିସିରେ ଅଧିକ ନିବେଶକ କିଭଳି ଆକର୍ଷିତ ହେବେବ ତାକୁ ଧ୍ୟାନରେ ରଖି ସେଣ୍ଟର ଅଫ ଏକ୍ସେଲନ୍ସି ପାଇଁ ସହାୟତା, ଜମି ଲିଜ କିମ୍ବା କିଣାବିକାରେ ଷ୍ଟାମ୍ପଡ୍ୟୁଟି ଓ କିସମ ବଦଳ ଫି ଛାଡ଼ ସୁବିଧା ରଖାଯାଇଛି ।

ରାଜ୍ୟ ସରକାର ଦାଦନପ୍ରବଣ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ୨୦ ବ୍ଲକରେ ଦାଦନ ସମସ୍ୟା ଦୂରେଇବାକୁ ରାଜ୍ୟ ସରକାର ଏ ଅଞ୍ଚଳରେ ବର୍ଷକୁ ଅଧିକ ୨୦୦ ଦିନର କାମ ଯୋଗାଇଦେବେ । କ୍ୟାବିନେଟ୍ ଏହାକୂ ଅନୁମୋଦନ କରିଛି ।

ଏଥିସହିତ ପଢ଼ନ୍ତୁ: ରୂପାନ୍ତରିତ ସ୍କୁଲକୁ ମିଳିବ ଇଣ୍ଟରନେଟ୍, ସିସିଟିଭି କ୍ୟାମେରା ମଧ୍ୟ ଲାଗିବ

ରେଶମ ସହରରେ ମାସ୍କ ବାଧ୍ୟତାମୂଳକ; ସଠିକ୍ ଢଙ୍ଗରେ ମାସ୍କ ପିନ୍ଧିବାକୁ ପରାମର୍ଶ

ବ୍ରହ୍ମପୁର: ରେଶମ ସହରରେ ମାସ୍କ ବାଧ୍ୟତାମୂଳକ । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା। ଆଜି ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କରୋନା କଟକଣା ମାନିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବ୍ରହ୍ମପୁରରେ ରହୁଥିବା ଓ ବାହାରୁ ବ୍ରହ୍ମପୁରକୁ ଆସୁଥିବା ଲୋକଙ୍କୁ ସଠିକ ଢଙ୍ଗରେ ମାସ୍କ ପିନ୍ଧିବାକୁ ଜାରି କରାଯାଇଛି ନିର୍ଦ୍ଦେଶନାମା ।

ଜନଗହଳି ସ୍ଥାନ, ପୂଜାସ୍ଥଳୀ, ପାର୍କ ଓ ଜିମ୍‌ରେ ମାସ୍କ ପିନ୍ଧିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପରାମର୍ଶ ଦିଆଯାଇଛି । ସପିଂ ମଲ୍ ଓ ଦୋକାନରେ ଷ୍ଟାଫ୍ ଓ ଗ୍ରାହକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନଚେତ୍ ମଲକୁ ପ୍ରବେଶ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଲ୍ ପ୍ରବେଶ ପଥରେ ନୋ ମାସ୍କ ନୋ ଏଣ୍ଟ୍ରି ଓ ନୋ ମାସ୍କ ନୋ ଗୁଡ୍‌ସ ଲେଖିବେ । ଏହାଛଡ଼ା ପେଟ୍ରୋଲ ପମ୍ପରେ ବିନା ମାସ୍କରେ ମିଳିବନି ପେଟ୍ରୋଲ କି ଡିଜେଲ । ସବୁ ସରକାରୀ ଓ ବେସରକାରୀ କର୍ମଚାରୀ ଅଫିସରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କରୋନା କଟକଣା ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ରୂପାନ୍ତରିତ ସ୍କୁଲକୁ ମିଳିବ ଇଣ୍ଟରନେଟ୍, ସିସିଟିଭି କ୍ୟାମେରା ମଧ୍ୟ ଲାଗିବ

ରୂପାନ୍ତରିତ ସ୍କୁଲକୁ ମିଳିବ ଇଣ୍ଟରନେଟ୍, ସିସିଟିଭି କ୍ୟାମେରା ମଧ୍ୟ ଲାଗିବ

ଭୁବନେଶ୍ୱର: ରୂପାନ୍ତରିତ ସ୍କୁଲକୁ ମିଳିବ ଇଣ୍ଟରନେଟ । ୩୦୦ ହାଇସ୍କୁଲରେ ଖୁବଶୀଘ୍ର ଆକାଂକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହାସହ ବିଜ୍ଞାନ ପ୍ରତି ଆକର୍ଷିତ କରିବାକୁ ମୋ ସ୍କୁଲ ଅଭିଯାନ ଓଡ଼ିଶା ବିଜ୍ଞାନ ଏକାଡେମୀ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ସହ ମିଳିତ ଭାବରେ ମୋବାଇଲ ସାଇନ୍ସ ଏକଜିବିସନ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ଗଣିତ ଜ୍ଞାନ ବୃଦ୍ଧି ପାଇଁ ଭୁବନେଶ୍ୱରସ୍ଥିତ ଇନଷ୍ଟିଟ୍ୟୁଟ ଅଫ୍ ମ୍ୟାଥମେଟିସ୍କ ଆଣ୍ଡ ଆପ୍ଲିକେସନ ସହ ମୋ ସ୍କୁଲ ହାତ ମିଳାଇଛି ।

ଏହାସହ ମ୍ୟାଥମେଟିକ୍ସ ମେଳା କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ମୋ ସ୍କୁଲ ଆଭିଯାନର ୩୫ ତମ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ସମସ୍ତ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପରିଷଦ ବୈଠକରେ ଓଡିଶାର ୨୬ଟି ଜିଲ୍ଲାର ମୋଟ ୧୩୧ କୋଟି ୭୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଯାହାକି ୧୫୫୭ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବିନିଯୋଗ ହେବ ।

ଏହାସହ ପ୍ରତ୍ୟେକ ରୂପାନ୍ତରିତ ବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲାଗିବ । ବଜ୍ରପାତରୁ ରକ୍ଷା ପାଇଁ ଲାଇଟେନିଂ ଆରେଷ୍ଟର ଏବଂ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଯିବ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ ପରେ ବଳକା ଥିବା ୪୩୧୦ଟି ଉଚ୍ଚ ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ୨୧୫୯ ହାଇସ୍କୁଲର ରୂପାନ୍ତରଣ କରିବାକୁ ନିଷ୍ପତ୍ତି ହୋଇଛି ।

ହୀରାକୁଦର ୫ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ୱଲପୁର: ହୀରାକୁଦର ୫ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମ ପଟୁ ୩ଟି ଓ ଡାହାଣ ପଟୁ ୨ଟି ଗେଟ୍ ଦେଇ ପାଣି ପ୍ରବାହିତ ହେଉଥିବା ବେଳେ ୧ ଲକ୍ଷ ୧୯ ହଜାର ୨୨୭ କ୍ୟୁସେକ୍ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି । ସେହିପରି ୧ ଲକ୍ଷ ୧୧ ହଜାର ୨୦୧ କ୍ୟୁସେକ ଜଳ ନିସ୍କାସିତ ହେଉଛି । ଗତକାଲି ପୂଜାର୍ଚ୍ଚନା ପରେ ଖୋଲିଥିଲା ହୀରାକୁଦର ସ୍ଲୁଇସ ଗେଟ୍‌ ।

ପ୍ରଥମେ ୭ନମ୍ବର ଗେଟ୍‌ ଦେଇ ପାଣି ଛଡ଼ାଯାଇଥିଲା । ପର୍ଯ୍ୟାୟକ୍ରମେ ୫ଟି ଗେଟ୍‌ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି । ଆଜି ରାତିରେ କଟକ ମୁଣ୍ଡଳିରେ ପହଞ୍ଚିବ ବନ୍ୟାଜଳ । ଏନେଇ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ କୌଣସି ମତ୍ସ୍ୟଜୀବୀ କିମ୍ବା କୌଣସି ବ୍ୟକ୍ତି ନଦୀଶଯ୍ୟାକୁ ନଯିବା ପାଇଁ ଓ କୌଣସି ଗୃହପାଳିତ ପ୍ରାଣୀଙ୍କୁ ନଛାଡ଼ିବା ପାଇଁ ଜାରି କରାଯାଇଛି ସତର୍କ ସୂଚନା ।

ଏଥିସହିତ ପଢ଼ନ୍ତୁ: ଓମିକ୍ରନର ନୂଆ ଉପ ପ୍ରଜାତି ଯୋଗୁଁ ହଟ୍‌ସ୍ପଟ ପାଲଟିଛି ଖୋର୍ଦ୍ଧା ଜିଲ୍ଲା

 

ଆଇଏଲ୍‌ଏସ୍ ନିର୍ଦ୍ଦେଶକ ପଦ୍ମଶ୍ରୀ ଡା. ଅଜୟ ପରିଡ଼ାଙ୍କ ପରଲୋକ

ଗୌହାଟୀ: ଆଇଏଲଏସ ନିର୍ଦ୍ଦେଶକଙ୍କ ପରଲୋକ । ଗେହାଟୀରେ ଡାକ୍ତର ଅଜୟ ପରିଡ଼ାଙ୍କ ଦେହାନ୍ତ ହୋଇଛି । ହୃଦଘାତରେ ତାଙ୍କର ବିୟୋଗ ହୋଇଥିବା ଆଇଏଲଏସ ପକ୍ଷରୁ ସୂଚନା ମିଳିଛି । ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସ ଭୁବନେଶ୍ୱର ନିର୍ଦ୍ଦେଶକ ଥିଲେ ଅଜୟ ପରିଡ଼ା । ୧୩ ଜାନୁଆରୀ ୨୦୧୭ରୁ ଆଇଏଲଏସ ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ । ୨୦୧୪ରେ ପଦ୍ମଶ୍ରୀ ପାଇଥିଲେ ଅଜୟ । ଗୌହାଟୀକୁ ଏକ କନଫରେନ୍ସରେ ଯୋଗଦେବାକୁ ଯାଇଥିଲେ ।

କନଫରେନ୍ସ ପୂର୍ବରୁ ହୃଦଘାତରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ରାଜ୍ୟରେ କରୋନା ଭୟାବହତା ବେଳେ ଅଜୟ ପରିଡ଼ାଙ୍କ ସୂଚନା ଓ ସତର୍କ ପରାମର୍ଶକୁ ଲୋକ ଅପେକ୍ଷା କରି ରହୁଥିଲେ । କରୋନା ବାବଦରେ ବିସ୍ତୃତ ତଥ୍ୟ ଦେଉଥିଲେ ଅଜୟ । କରୋନାର ବିଭିନ୍ନ ପ୍ରକାର ଭାରିଆଣ୍ଟର ତଥ୍ୟ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଉଥିଲେ । ଅଜୟଙ୍କ ପରଲୋକ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ।

ଏଥିସହିତ ପଢ଼ନ୍ତୁ: କାଶୀପୁରରେ କଲେରାର ରୂପ ନେଇଛି ଡାଇରିଆ

ଓମିକ୍ରନର ନୂଆ ଉପ ପ୍ରଜାତି ଯୋଗୁଁ ହଟ୍‌ସ୍ପଟ ପାଲଟିଛି ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର: ଓମିକ୍ରନର ନୂଆ ଉପ ପ୍ରଜାତିକୁ ନେଇ ବଢ଼ିଲା ଚିନ୍ତା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ଶତାଧିକ ସଂକ୍ରମିତ । ଏଥିପାଇଁ ଓମିକ୍ରନର ୨ଟି ସବ ଭାରିଆଣ୍ଟ ଦାୟୀ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି ଦୁଇ ସବ ଭାରିଆଣ୍ଟ ପାଇଁ ଏବେ କରୋନା ହଟସ୍ପଟ ପାଲଟିଛି ଖୋର୍ଦ୍ଧା ଜିଲ୍ଲା । ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସ ଭୁବନେଶ୍ୱର ପକ୍ଷରୁ ଗତ ସପ୍ତାହରେ ୪୦ଟି ନମୁନାର ସିକ୍ୱେନ୍ସିଂ କରାଯାଇଥିବା ବେଳେ, ସେଥିରୁ କିଛି ନମୁନାରୁ ଓମିକ୍ରନ ସବ ଭାରିଆଣ୍ଟ ବିଏ ୨୩.୮ ଏବଂ ବିଏ ୨.୭୩ ଚିହ୍ନଟ ହୋଇଛି ।

ଖୋର୍ଦ୍ଧା ଓ କଟକରୁ ଆସିଥିବା ପଜିଟିଭ ନମୁନାରୁ ଏହି ସବ୍ ଭାରିଆଣ୍ଟ ଚିହ୍ନଟ ହୋଇଥବା ଜଣାପଡ଼ିଛି । ତିନି ସପ୍ତାହରୁ କମ ସମୟ ଭିତରେ ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ୩୦୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ କଟକରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଛି । ତେବେ ୟୁରୋପ ଏବଂ ଆମେରିକାର ବହୁଳ ଭାବେ ଦେଖା ଦେଉଥିବା ବିଏ ୪ ଓ ବିଏ ୫ ଭାରିଆଣ୍ଟ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ ।

ରାଜ୍ୟରେ ସଂକ୍ରମଣ ଉପରମୁହାଁ ଥିବାରୁ ଚଳିତ ସପ୍ତାହରୁ ୩୦୦ ନମୁନାର ସିକ୍ୱେନ୍ସିଂ ପାଇଁ ଆଇଏଲଏସ ପ୍ରସ୍ତୁତି ଆରମ୍ଭ କରିଛି । ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ସେଠାରୁ ଅଧିକ ସଂଖ୍ୟକ ନମୁନା ସଂଗ୍ରହ କରି ଜିନୋମ ସିକ୍ୱେନ୍ସିଂ କରାଯିବ । ରାଜ୍ୟରେ କୋଭିଡ ସ୍ଥିତି ଖରାପ ହେଲାଣି, ତେଣୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜରେ ସ୍ୱତନ୍ତ୍ର କୋଭିଡ ଓ୍ୱାର୍ଡ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଇସିୟୁ ସହିତ ୨୦ ଶଯ୍ୟା ପ୍ରସ୍ତୁତ ରହିବ ।

 

କାଶୀପୁରରେ କଲେରାର ରୂପ ନେଇଛି ଡାଇରିଆ

ରାୟଗଡ଼ା: କାଶୀପୁରରେ ପୁଣି କଲେରାର ପୁନରାବୃତ୍ତି । ରାୟଗଡ଼ା କାଶୀପୁର ବ୍ଲକରେ ଝାଡ଼ାବାନ୍ତିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନେକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଥିମଧ୍ୟରୁ ରୋଗୀଙ୍କ ମଳ ନମୂନା ସଂଗ୍ରହ କରି ପରୀକ୍ଷା ପରେ ଏଥିରେ ଭିବ୍ରୋ କଲେରା ଚିହ୍ନଟ ହୋଇଛି । ଆରଏମଆରସି ଡାକ୍ତରୀ ଟିମ୍ ସ୍ଥିତିରେ ସୁଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଡାଇରିଆ ଏବେ କଲେରାର ରୂପ ନେଇଥିବା ଜିଲ୍ଲାପାଳ ସ୍ୱାଧାଦେବ ସିଂ କହିଛନ୍ତି । ପ୍ରତ୍ୟେକ ପ୍ରଭାବିତ ଗାଁକୁ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ।

ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ନଦୀ, ନାଳ ସମେତ ଅନ୍ୟାନ୍ୟ ଜଳ ଉତ୍ସ ଦୂଷିତ ହୋଇଛି । ଯାହାଦ୍ୱାରା କଲେରା ବ୍ୟାପିଛି । ବର୍ତ୍ତମାନ ସମସ୍ତ ଜଳ ଉତ୍ସ ବିଶୋଧନ ଜାରି ରହିଛି । ଚିକିତ୍ସା ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ବର୍ତ୍ତମାନ ୭୨ ଜଣ ଆକ୍ରାନ୍ତ କାଶୀପୁର, ଟିକିରି, ରାୟଗଡ଼ା ଓ କୋରାପୁଟ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହେଲେଣି ୨୪ ଜଣ । ୨୦୦୭ରେ କାଶୀପୁରରେ ବ୍ୟାପିଥିବା କଲେରାରେ ଅନେକଙ୍କ ଜୀବନ ଯାଇଥିଲା । ଏବେ ପୁଣି ଫେରିଛି କଲେରା ଆତଙ୍କ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ କମିଛି ଲଘୁଚାପ ବର୍ଷା; ୮ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ

ଶିବସେନା ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ମାମଲାର କାଲି ଶୁଣାଣି

ମୁମ୍ୱାଇ: ଆସନ୍ତାକାଲି ଶିବସେନା ବିଧାୟକ ମାମଲାର ଶୁଣାଣି । ସୁପ୍ରିମକୋର୍ଟରେ ହେବ ମାମଲାର ଶୁଣାଣି । ଶିବସେନାର ୫୫ ବିଧାୟକଙ୍କ ମଧ୍ୟରୁ ଉଭୟ ପକ୍ଷରୁ ଦାୟର ହୋଇଥିବା ପିଟିସନରେ ୫୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଆବେଦନ କରାଯାଇଛି । ତେଣେ ଶିବସେନାରେ ବଡ଼ ଧରଣର ପରିବର୍ତ୍ତନ । ଉଗ୍ରମୁଖା ହୋଇଛନ୍ତି ସୁପ୍ରିମୋ ଉଦ୍ଧବ ଠାକରେ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ଅନେକ ବରିଷ୍ଠ ନେତାଙ୍କୁ ପଦଚ୍ୟୁତ କରିଛନ୍ତି ।

ବରିଷ୍ଠ ନେତା ରାମଦାସ କଦମ ଓ ପୂର୍ବତନ ଏମପି ଆନନ୍ଦରାଓ ଅଦସୁଲ ମଧ୍ୟ ବାଦ ପଡ଼ିଛନ୍ତି । ବିଦ୍ରୋହୀ ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କ୍ୟାମ୍ପ ସହ ଲିଙ୍କ୍ ଅଭିଯୋଗ ତଥା ଅନ୍ୟାନ୍ୟ କାରଣରୁ ଏହି ପଦକ୍ଷେପ ନେଇଛନ୍ତି ଉଦ୍ଧବ । ଦିନକୁ ଦିନ ଉଦ୍ଧବ କ୍ୟାମ୍ପରୁ ନେତାମାନେ ସିନ୍ଦେ ଗୋଷ୍ଠୀ ସହ ହାତ ମିଳାଇଥିବାରୁ ଶିବସେନାରେ ସଙ୍କଟ ତୀବ୍ର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ସିନ୍ଦେ ନିଜକୁ ଶିବସେନାର ପ୍ରକୃତ ନେତା ବୋଲି ଦାବି କରୁଥିବା ବେଳେ ଉଦ୍ଧବଙ୍କ ଏହି ପଦକ୍ଷେପ ଅଧିକ ସଂକଟଜନକ ପରିସ୍ଥିତି ସୃଷ୍ଟି କରିଛି । ଆସନ୍ତାକାଲି ଉଭୟ ପକ୍ଷର କେତେକ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ବର୍ତ୍ତମାନ ସୁଦ୍ଧା ଥାନେ, ପାଲଘାଟ, ଅମରାବତୀ ଓ ଯବତମାଲ ଜିଲ୍ଲାରେ ୧୦୦ରୁ ଅଧିକ ନେତାଙ୍କୁ ନିଯୁକ୍ତି ଦେଲେଣି ଉଦ୍ଧବ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ କମିଛି ଲଘୁଚାପ ବର୍ଷା; ୮ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ କ୍ୟାବିନେଟ ମୋହର ବାଜିପାରେ । ଲୋକସେବା ଭବନରେ ସକାଳ ୧୦ଟାରେ ବୈଠକ ବସିବ । ବିଧାନସଭା ମୌସୁମୀ ଅଧିବେଶନ ଜାରି ରହିଥିବାରୁ କ୍ୟାବିନେଟ ନିଷ୍ପତ୍ତି ସାର୍ବଜନୀନ କରାଯିବ ନାହିଁ ।

ଏଥିସହିତ ପଢ଼ନ୍ତୁ: ଜ୍ୟରେ କମିଛି ଲଘୁଚାପ ବର୍ଷା; ୮ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ

 

ରାଜ୍ୟରେ କମିଛି ଲଘୁଚାପ ବର୍ଷା; ୮ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ କମିଛି ଲଘୁଚାପ ବର୍ଷା । ଆସନ୍ତା ୩ଦିନ ପାଗ ଶୁଖିଲା ରହିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି କିଛି ଜିଲ୍ଲାରେ ସାମନ୍ୟ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଜୁନ ୧ତାରିଖରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।

୮ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । ବାକି ଅନ୍ୟ ସମସ୍ତ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ସେପଟେ ମାଲକାନଗିରି ମୋଟୁରେ ପାଣି କମିଛି, ସ୍ୱାଭାବିକ ସ୍ଥିତିକୁ ଫେରୁଛି ଜୀବନ। ଜିଲ୍ଲାପାଳ, ଉପ ଜିଲ୍ଲାପାଳ ମୋଟୁର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ। ମୋଟୁ ଓ ପୁସୁଗୁଡା ପଞ୍ଚାୟତରେ ୭ଟି ଗାଁରେ ପାଣି ପଶି ବନ୍ୟା ସ୍ଥିତି ଦେଖାଦେଇଥିଲା । ପ୍ରାୟ ୫ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଥିଲା ପ୍ରଶାସନ । ଏବେ ଜଳସ୍ତର ଧୀରେ ଧୀରେ କମୁଛି । ତେବେ ଆଗକୁ ବର୍ଷା ହେଲେ ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ