ଶିନ୍ଦେ ଗୋଷ୍ଠୀକୁ ମିଳିଲା ଖଣ୍ଡା-ଢାଲ ନିର୍ବାଚନୀ ଚିହ୍ନ

1 min read

ମୁମ୍ବାଇ: ନିର୍ବାଚନ କମିଶନ ମଙ୍ଗଳବାର ଏକନାଥ ଶିନ୍ଦେ ଗୋଷ୍ଠୀଙ୍କୁ ନିର୍ବାଚନୀ ଚିହ୍ନ ଜାରି କରି ଦେଇଛନ୍ତି । କମିଶନ ତାଙ୍କୁ ଦୁଇଟି ଖଣ୍ଡା ଏବଂ ଢାଲ ଥିବା ଚିହ୍ନ ଜାରି କରିଛନ୍ତି । ଏହା ପୂର୍ବରୁ ଗତକାଲି ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ ମଶାଲ ଚିହ୍ନ ମିଳିଥିଲା । ସେହିପରି ଦଳର ନାମ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରଖାଯାଇଥିଲା । ଏହାପରେ ଆୟୋଗ ଏକନାଥ ଶିନ୍ଦେଙ୍କୁ ନିର୍ବାଚନୀ ଚିହ୍ନ ପାଇଁ ତିନୋଟି ବିକଳ୍ପ ମାଗିଥିଲେ । ବିକଳ୍ପ ଆଧାରରେ ଶିନ୍ଦେ ଗୋଷ୍ଠୀକୁ ଏହି ଚିହ୍ନ ଜାରି କରାଯାଇଛି ।

ଏକନାଥ ଶିନ୍ଦେ ଗୋଷ୍ଠୀକୁ ସୋମବାର ବାଲାସାହେବଞ୍ଚି ଶିବସେନାର ଦଳ ନାଁ ଦିଆଯାଇଥିଲା । ସୂଚନାଥାଉକି ଶିବସେନାକୁ ନେଇ ଶିନ୍ଦେ ଓ ଉଦ୍ଧବଙ୍କ ଗୋଷ୍ଠୀ ଭିତରେ ବିବାଦ ଲାଗି ରହିଛି । ଉଭୟ ଶିବସେନାକୁ ନିଜର ଦଳ ବୋଲି ଦାବି କରୁଛନ୍ତି । ଏହି କାରଣରୁ ଗତ ଦିନରେ ନିର୍ବାଚନ କମିଶନର ଶିବସେନା ଓ ଏହାର ଚିହ୍ନ ଧନୁ ତୀରକୁ ଫ୍ରୀଜ କରି ଦେଇଥିଲେ । ଏହାପରେ ଅନ୍ୟ ଚିହ୍ନ ଏବଂ ଦଳ ବାଛିବାକୁ ଉଭୟ ପକ୍ଷକୁ କହିଥିଲେ । ଆଗକୁ ହେବାକୁ ଥିବା ନିର୍ବାଚନରେ ଉଦ୍ଧବଙ୍କ ମଶାଲ ବନାମ ଶିନ୍ଦେଙ୍କ ଖଣ୍ଡା-ଢାଲ ଲଢ଼େଇ ହେବ ।