ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ: ୭ ୱିକେଟରେ ଧୱନ ବାହିନୀ ବିଜୟୀ

1 min read

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ଜିତିଲା ଭାରତ । ଶେଷ ମ୍ୟାଚ୍ ଜିତି ସିରିଜ କବଜା କଲା ଧୱନ ବାହିନୀ । ୨-୧ରେ ସିରିଜ୍ ଜିତି ନେଇଛି ଭାରତୀୟ ଦଳ । ୭ ଓ୍ବିକେଟରେ ଶେଷ ମ୍ୟାଚ୍ ଜିତିଲା ଭାରତ । ଦକ୍ଷିଣ ଆଫ୍ରିକା ୨୭.୧ ଓଭରରେ ୯୯ ରନରେ ଅଲାଉଟ୍ ହୋଇଯାଇଥିଲା । ଭାରତ ଆଗରେ ୧୦୦ରନର ବିଜୟ ଲକ୍ଷ୍ୟ ରହିଥିଲା । ୧୯.୧ ଓଭରରେ ବାରତ ନିଜର ୩ଟି ୱିକେଟ୍ ହରାଇ ୧୦୫ ରନ୍ କରି ଲକ୍ଷ୍ୟକୁ ହାସଲ କରି ସିରିଜ କବଜା କରିଛି ।

ପ୍ରାୟ ୧୨ ବର୍ଷ ପରେ ନିଜ ମାଟିରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଜିତିଛି । ୨୦୧୦ରେ ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ୨-୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଜିତିଥିଲା । ୧୦୦ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧୱନ ଓବଂ ଶୁଭମନ ଗିଲ୍ ପଡ଼ିଆକୁ ଓହ୍ଲାଇଥିଲେ । ଅଧିନାୟକ ଶିଖର ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ ।

ଏହାପରେ ଶୁଭମନ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ୫୭ ବଲ୍ ଖେଳି ୪୯ରନର ଏକ ବଡ଼ ପାରି ଖେଳିଥିଲେ । ଦଳୀୟ ସ୍ଥିତି ୯୭ ଥିବା ବେଳେ ଶୁଭମନ୍ ଗିଲ୍ ଆଉଟ୍ ହୋଇଯାଇଥିଲେ । ଏହାପରେ ଶ୍ରେୟସ ଆୟର ୨୮ରନ ବିଜୟୀ ପାରି ଖେଳିଥିଲେ । ମ୍ୟାଚ୍ ଜିତିବା ବେଳକୁ ଶ୍ରେୟସ ଆୟର ଏବଂ ସଞ୍ଜୁ ସାମସନ ବ୍ୟକ୍ତିଗତ ୨ ରନ୍ କରି କ୍ରୀଜରେ ଦଣ୍ଡାୟମାନ ରହିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଙ୍ଗଡି ଏବଂ ଜର୍ନ ଫର୍ଟୁଇନ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ ।

ଆଜିର ଶେଷ ମ୍ୟାଚରେ ଅଧିନାୟକ ଧୱନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ଆହ୍ୱାନକ୍ରମେ ବ୍ୟାଟିଂ କରିଥିଲା ।ନିର୍ଦ୍ଧାରିତ ୫୦ ଓଭର ବିଶିଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ମାତ୍ର ୨୭.୧ ଓଭର ଚାଲୁଥିବା ବେଳେ ୯୯ ରନରେ ଅଲଆଉଟ୍ ହୋଇଯାଇଥିଲା ।

ଭାରତ ବିରୋଧରେ ଦକ୍ଷିଣ ଆଫ୍ରିକାର ଏହା ସବୁଠୁ କମ୍ ସ୍କୋର ଥିଲା । ଏହା ପୂର୍ବରୁ ୧୯୯୯ରେ ଭାରତ ଦକ୍ଷିଣ ଆଫ୍ରିକା ଟିମକୁ ୧୧୭ ରନରେ ଅଲାଉଟ୍ କରିଥିଲା । ଭାରତ ପାଇଁ ସର୍ବାଧିକ ୪  ୱିକେଟ୍ କୁଲଦୀପ ଯାଦବ ଅକ୍ତିଆର କରିଥିଲେ । ସେହିପରି ଶାହବାଜ ଅହମ୍ମଦ, ମହମ୍ମଦ ସିରାଜ ଏବଂ ୱାଶିଂଟନ୍ ସୁନ୍ଦର ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।