ପୁଟିନଙ୍କ ଡର, ଆମେରିକା କିଣିଲା ଆୟୋଡିନ୍ ବଟିକା

1 min read

ଆମେରିକା ଆୟୋଡିନ୍ ବଟିକା କିଣୁଛି। ଏକାଥରକେ ୨ ହଜାର ୩୮୯ କୋଟି ଟଙ୍କାର ଆୟୋଡିନ୍ ବଟିକା କିଣିଛି ଆମେରିକା । ଆମେରିକା ତା’ ଇତିହାସରେ ପ୍ରଥମ ଥର ପାଇଁ ଏତେ ଟଙ୍କାର ଆୟୋଡିନ୍ ବଟିକା କିଣୁଛି । ତେବେ କ’ଣ ପାଇଁ ? ଉତ୍ତର ହେଉଛି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଧମକ । ତୃତୀୟ ବିଶ୍ୱଯୁଦ୍ଧର ଡର ଓ ପରମାଣୁ ଆକ୍ରମଣର ଭୟ ।

ପରମାଣୁ ଆକ୍ରମଣ ଭୟରେ କେବଳ ଆମେରିକା ନୁହେଁ ୟୁରୋପର ଅନେକ ଦେଶ ମଧ୍ୟ ଆୟୋଡିନ ଠୁଳ କରିବାରେ ଲାଗିଲେଣି । ପରମାଣୁ ଯୁଦ୍ଧ ଓ ଆୟୋଡିନ୍ ମଧ୍ୟରେ ସମ୍ପର୍କ କ’ଣ… ଜାଣିବା ଆଗରୁ ଜାଣିନିଅନ୍ତୁ କେଉଁ ଦେଶ ସବୁ ଆୟୋଡିନ୍ ଠୁଳ କରୁଛନ୍ତି ଓ ପୁଟିନଙ୍କ କେଉଁ ଧମକ ସେମାନଙ୍କୁ ଏମିତି କରିବାକୁ ବାଧ୍ୟ କରିଛି ।

ଆମେରିକା ଭଳି ପୋଲାଣ୍ଡ, ବ୍ରିଟେନ୍ ଓ ୟୁରୋପିଆନ ୟୁନିୟନର ଅନେକ ଦେଶ ଆୟୋଡିନ୍ ବଟିକା କିଣିବାରେ ଲାଗିଛନ୍ତି । ପୋଲାଣ୍ଡର ୧୬ ପ୍ରଦେଶରେ ଆୟୋଡିନ୍ ବିତରଣ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା ହୋଇଛି। ଦେଶର ୩୪ ଲକ୍ଷ ଜନସଂଖ୍ୟା ପାଇଁ ପୋଲାଣ୍ଡ ସରକାର ୫୫ ଲକ୍ଷ ଆୟୋଡିନ୍ ବଟିକା କିଣିଛନ୍ତି । ଏଣେ ୟୁରୋପୀୟ ସଂଘ ୟୁକ୍ରେନକୁ ୫୫ ଲକ୍ଷ ପୋଟାସିୟମ ଆୟୋଡାଇଡାଇଡ୍ ବଟିକା ପଠାଇବା କଥା କହିଛି ।

ତେବେ ଅଚାନକ ଆମେରିକା ଭଳି ଦେଶ ଏମିତି ଆୟୋଡିନ୍ ବଟିକା ଠୁଳ କରିବା ପଛରେ କ’ଣ  କାରଣ ରହିଛି । ଏହା ପଛରେ ପୁଟିନଙ୍କ ଧମକ ରହିଛି । ସେପ୍ଟେମ୍ବର ୨୪ ତାରିଖ ଦିନ ଭ୍ଲାଦିମିର ପୁଟିନ ଧମକ ଦେଇ କହିଥିଲେ ଯେ, ଆମେ ଦେଶର ସୁରକ୍ଷା ପାଇଁ ସବୁଠାରୁ ଭୟାନକ ଅସ୍ତ୍ର ମଧ୍ୟ ବ୍ୟବହାର କରିବୁ। ଆମ ପାଖରେ ଦୁନିଆର ସବୁଠାରୁ ଭୟାନକ ଅସ୍ତ୍ର ରହିଛି । ପାଶ୍ଚାତ୍ୟ ଦେଶ ତାଙ୍କ ଧମକକୁ ହାଲୁକାରେ ନିଅନ୍ତୁ ନାହିଁ ବୋଲି ମଧ୍ୟ ସେ ଚେତାବନୀ ଦେଇଥିଲେ ।

ପୁଟିନଙ୍କ ସବୁଠାରୁ ଭୟାନକ ଅସ୍ତ୍ର ଦ୍ୱାର ବିଧ୍ୱଂସ ସୃଷ୍ଟିର ଧମକର ଅର୍ଥ ଭାବେ ପରମାଣୁ ଯୁଦ୍ଧକୁ ନିଆଯାଉଛି। ତେଣୁ ଆମେରିକା ଆୟୋଡିନ୍ ବଟିକା ଠୁଳ କରୁଛି। ରାସାୟନିକ, ବାୟୋଲଜିକାଲ ଓ ପରମାଣୁ ଯୁଦ୍ଧରୁ ରକ୍ଷା ପାଇବା ପାଇଁ ଆମେରିକା ଭଳି ଦେଶ ଆୟୋଡିନ୍ ବଟିକା ଠୁଳ କରୁଛି ।

ତେବେ ଆୟୋଡିନ୍ କେମିତି ପରମାଣୁ ଆକ୍ରମଣ କାଳରେ ଜୀବନ ବଂଚାଏ ? ଯେଉଁ ଅଂଚଳ ଉପରେ ପରମାଣୁ ଆକ୍ରମଣ ହୁଏ ସେଠାର ବାୟୁମଣ୍ଡଳରେ ରେଡିଓଆକ୍ଟିଭ ଆୟୋଡିନ୍ ଭାସିବାକୁ ଲାଗେ। ଏହାକୁ ଦେଖି ହୁଏନା କି ଛୁଇଁ ହୁଏନା । ଏହାର କୌଣସି ବାସ୍ନା ନଥାଏ । ରେଡିଓଆକ୍ଟିଭ୍ ଆୟୋଡିନ୍ ବା ଆଇ-୧୩୧ ଶରୀରରେ ପ୍ରବେଶ କରି କ୍ୟାନସର , ଟ୍ୟୁମର, ଲୁକୋମିଆ, ଆଖି ରୋଗ ସୃଷ୍ଟି କରିବା ସହିତ ମାନସିକ ଅବସାଦର କାରଣ ହୋଇଥାଏ । ଆଇ-୧୩୧ ସହିତ ସମ୍ପର୍କରେ ଆସିବା ଦ୍ୱାରା ମାତ୍ର କେଇ ଘଣ୍ଟା କିମ୍ବା ଦିନ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ । ଏହିଭଳି ସମୟରେ ପ୍ରାକୃତିକ ଆୟୋଡିନ୍ କାମରେ ଆସିଥାଏ ।

ପ୍ରାକୃତିକ ଆୟୋଡିନ୍ ୩୭ ପ୍ରକାରର ହୋଇଥାଏ । ଏହା ମଧ୍ୟରୁ ଆୟୋଡିନ୍-୧୨୭ ମାନବ ଶରୀରର କ୍ଷତି କରିନଥାଏ । ଏହି ଆୟୋଡିନ୍ ଆଇ ୧୩୧ରୁ ମଣିଷକୁ ରକ୍ଷା କରିଥାଏ । ଦୁଇଟି ଔଷଧ ପୋଟାସିୟମ ଓ ଆୟୋଡିନକୁ ମିଶାଇ ପୋଟାସିୟମ ଆୟୋଡାଇଡ୍ ବଟିକା ତିଆରି । ଏହି ବଟିକା ଖାଇବା ଦ୍ୱାରା ଆଇ ୧୩୧ ଆୟୋଡିନ୍ ଶରିର ମଧ୍ୟକୁ ପ୍ରବେଶ କରି ପାରିନଥାଏ । ତେଣୁ ଆମେରିକା ଭଳି ଦେଶ ନିଜ ନାଗରିକଙ୍କ ପାଇଁ ପୋଟାସିୟମ୍ ଆୟୋଡାଇଡ୍ ଔଷଧ କିଣି ଷ୍ଟକ୍ ରଖୁଛନ୍ତି ।