ଦକ୍ଷିଣ ଆଫ୍ରିକା-ଭାରତ ତୃତୀୟ ଦିନିକିଆ; ୯୯ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ୍

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଛି । ଶିଖର ଧୱନଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆର ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଥିବା ଦେଖାଯାଇଛି । ଅଧିନାୟକ ଧୱନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ଆହ୍ୱାନକ୍ରମେ ବ୍ୟାଟିଂ କରିଥିଲା ।

ନିର୍ଦ୍ଧାରିତ ୫୦ ଓଭର ବିଶିଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ମାତ୍ର ୨୭.୧ ଓଭର ଚାଲୁଥିବା ବେଳେ ୯୯ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ବିରୋଧରେ ଦକ୍ଷିଣ ଆଫ୍ରିକାର ଏହା ସବୁଠୁ କମ୍ ସ୍କୋର ଅଟେ । ଏହା ପୂର୍ବରୁ ୧୯୯୯ରେ ଭାରତ ଦକ୍ଷିଣ ଆଫ୍ରିକା ଟିମକୁ ୧୧୭ ରନରେ ଅଲାଉଟ୍ କରିଥିଲା । ଭାରତ ପାଇଁ ସର୍ବାଧିକ ୪  ୱିକେଟ୍ କୁଲଦୀପ ଯାଦବ ଅକ୍ତିଆର କରିଛନ୍ତି ।

ସେହିପରି ଶାହବାଜ ଅହମ୍ମଦ, ମହମ୍ମଦ ସିରାଜ ଏବଂ ୱାଶିଂଟନ୍ ସୁନ୍ଦର ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ ଡିକକ ଆଜି ଫ୍ଲପ ସାବ୍ୟସ୍ତ ହୋଇଥିଲେ । ୧୦ ବଲରେ ମାତ୍ର ଛଅ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଓଭରରେ ଆଉଟ୍ ହୋଇଯାଇଥିଲେ । ୟାନେମନ ମଲାନ ମଧ୍ୟ ୧୫ ରନ୍ କରି ସିରାଜଙ୍କ ଓଭରରେ ଆଉଟ୍ ହୋଇ ପାଭେଲିଅନ୍ ଫେରିଯାଇଥିଲେ ।

ଭଲ ଫର୍ମରେ ରହିଥିବା ହେଣ୍ଡ୍ରିକ୍ସ ମଧ୍ୟ ୨୧ ବଲ୍ ଖେଳି ୩ ରନରେ ମହମ୍ମଦ ସିରାଜଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ମାର୍କରମ ମଧ୍ୟ ୧୯ ବଲ୍ ଖେଳି ୯ ରନ୍ କରି ଆଉଟ୍ ହୋଇଯାଇଥିଲେ । କ୍ଲାସନ କିଛି ସମୟ ପାଇଁ ଦଳୀୟ ସ୍ଥିତିକୁ ଆଗକୁ ବଢ଼ାଇଥିଲେ ସତ ହେଲେ ୩୪ ରନ୍ କରିଥିବା ସମୟରେ ଶାହବାଜ ତାଙ୍କୁ ବୋଲ୍ଡ କରିଥିଲେ । ଅଧିନାୟକ ମିଲରଙ୍କୁ ମଧ୍ୟ ୱାଶିଂଟନ୍ ସୁନ୍ଦର ବୋଲ୍ଡ କରିଥିଲେ । ସେହିପରି ଏଣ୍ଡିଲେ ଫେହଲୁକାଭାୟୋଙ୍କୁ କୁଲଦୀପ ଯାଦବ ପାଭେଲିଅନ୍ ପଠାଇ ଦେଇଥିଲେ ।