କ୍ଲିନିକାଲ ଟ୍ରାଏଲରେ ବିଫଳ ଆଷ୍ଟ୍ରାଜେନେକା, ଆଣ୍ଟିବଡି ସୃଷ୍ଟି କରିବାରେ ଅକ୍ଷମ

1 min read

ଲଣ୍ଡନ: କ୍ଲିନିକାଲ ଟ୍ରାଏଲରେ ବିଫଳ ହେଲା ନାଜାଲ ଭାକ୍ସିନ ଆଷ୍ଟ୍ରାଜେନେକା । କୋଭିଡର ପ୍ରତିରୋଧକ ଭାବେ ଏକ ନାଜାଲ ଭାକ୍ସିନ ଲାଗି ଗବେଷଣା କରୁଥିବା ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ୟୁନିଭର୍ସିଟିର ଗବେଷଣାକୁ ଧକ୍କା । କିଛି ଦିନ ତଳେ ବାହାର କରାଯାଇଥିବା ନାଜାଲ ଭାକ୍ସିନ କ୍ଲିନିକାଲ ଟ୍ରାଏଲରେ ବିଫଳ ହୋଇଛି ।

ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି ବିଭିନ୍ନ ବ୍ୟକ୍ତିଙ୍କ ନାକରେ ଭାକ୍ସିନ ସ୍ପ୍ରେ ପକାଯିବା ପରେ ବହୁ କମ୍ ଲୋକଙ୍କ କ୍ଷେତ୍ରରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା, ଯାହାକି ଭାକ୍ସିନର କ୍ଷମତା ଉପରେ ପ୍ରଶ୍ନ ଉଠାଇଛି । ତିନି ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସତ୍ତ୍ବେ ଏହା ପରିଲକ୍ଷିତ ହୋଇଥିଲା । ବିଶ୍ବବିଦ୍ୟାଳୟର ମୁଖ୍ୟ ଗବେଷକ ସାଣ୍ଡି ଡୋଗଲାସ କହିଛନ୍ତି, ଆଷ୍ଟ୍ରାଜେନେକାକୁ ନେଇ ଯେଉଁ ଆଶା ରହିଥିଲା ତାହା ମଉଳି ଯାଇଛି ।

ମାନବ ଶରୀରରେ ନାଜାଲ ସ୍ପ୍ରେ ଶକ୍ତିହୀନ ହୋଇଛି । ତେବେ ଟ୍ରାଏଲ ସମୟରେ ସେପରି କୌଣସି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି ହୋଇ ନଥିଲା । ସେପଟେ ଭାରତରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭାରତ ବାୟୋଟେକର ଇନକୋଭାକ ବା ବିବିଭି 154 ନାଜାଲ ଭାକ୍ସିନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । 18 ବର୍ଷ ଓ ତାଠୁ ଅଧିକ ବୟସର ଲୋକଙ୍କୁ ଏହି ଟିକା ଦିଆଯିବ । ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି- ପ୍ରାୟ 4 ହଜାର ଲୋକଙ୍କ କ୍ଷେତ୍ରରେ ଟିକାର କ୍ଳିନିକାଲ ଟ୍ରାଏଲ ସଫଳ ହୋଇଛି । ତେବେ ବିଶ୍ବର ଏହି ପ୍ରଥମ ନାଜାଲ ଭାକ୍ସିନ ବଜାରରେ ଉପଲବ୍ଧ ହୋଇନାହିଁ । ଚୀନରେ ବର୍ତ୍ତମାନ କାନସିନୋକୁ ଆଘ୍ରାଣଜାତୀୟ ଟିକା ବାବେ ବ୍ୟବହୃତ କରାଯାଉଛି ।