୫ ବର୍ଷରେ 5T ଉପକ୍ରମରେ ରୂପାନ୍ତରିତ ହେବ ଗଞ୍ଜାମର ସମସ୍ତ ହାଇସ୍କୁଲ

1 min read

ବ୍ରହ୍ମପୁର: ଆଗାମୀ ୫ ବର୍ଷରେ 5T ଉପକ୍ରମରେ ରୂପାନ୍ତରିତ ହେବ ଗଞ୍ଜାମ ଜିଲ୍ଲାର ସମସ୍ତ ହାଇସ୍କୁଲ । ବଦଳିବ ସବୁ ହାଇସ୍କୁଲର ରୂପରେଖ । ସ୍ମାର୍ଟ ସ୍କୁଲରେ ସୁନେଲି ଭବିଷ୍ୟତ ଗଢ଼ିବେ ଛାତ୍ରଛାତ୍ରୀ । ଗଞ୍ଜାମ ଜିଲ୍ଲା ପ୍ରଶାସନ, ବ୍ରହ୍ମପୁର ମାହନଗର ନିଗମ ଓ ଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ବେଳେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ ।

ସେ କହିଛନ୍ତି, ‘ହାଇସ୍କୁଲ ରୂପାନ୍ତରଣ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ୍ରିମ ପ୍ରୋଜେକ୍ଟ ।  ସ୍ମାର୍ଟସ୍କୁଲରେ ସ୍ମାର୍ଟ କ୍ଲାସରୁମ ସହ ଇ-ଲାଇବ୍ରେରୀ, ମଡର୍ଣ୍ଣ ସାଇନ୍ସ ଲାବୋରେଟୋରୀ ଆଦି ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମର ୧୩୩ ସ୍କୁଲ 5T ଉପକ୍ରମରେ ରୂପାନ୍ତରିତ ହାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୩୩ ସ୍କୁଲର ରୂପାନ୍ତରଣ କରାଯାଇଛି । ଗାଁ ଓ ସହରାଞ୍ଚଳ ମଧ୍ୟରେ ରହିଥିବା ଶିକ୍ଷାର ପାର୍ଥକ୍ୟ ଦୂର କରିବାକୁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ।’

ସେ ଆହୁରି କହିଛନ୍ତି, ‘ପ୍ରତ୍ୟେକ ସରକାରୀ ସ୍କୁଲରେ ପିଲାଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଜାରି ରହିଛି ।’

5T ଉପକ୍ରମରେ ରୂପାନ୍ତରିତ ହୋଇଥିବା ସ୍କୁଲଗୁଡ଼ିକୁ ଆବଶ୍ୟକ ଜମି ସହ ବିଦ୍ୟୁତ୍ ସପ୍ଲାଇ, ଯାତାୟାତ ପାଇଁ ରାସ୍ତା ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାକୁ ଭିସିରେ ଅନୁଷ୍ଠିତ ଏହି ବୈଠକରେ ପରାମର୍ଶ ଦେଇଛନ୍ତି 5T ସଚିବ । ତୃତୀୟ ପର୍ଯ୍ୟାୟରେ ଗଞ୍ଜାମର ଆଉ ୧୦୭ ହାଇସ୍କୁଲ ରୂପାନ୍ତରଣ ହେବ । ଜିଲ୍ଲାର ୨୦ ବ୍ଲକର ସ୍କୁଲ ରୂପାନ୍ତରଣ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରାଯାଇଛି । ଏ ନେଇ ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ ।