ହିଜାବ ମାମଲାରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ହିଜାବ ପ୍ରସଙ୍ଗରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ହୋଇଥିବା ଶୁଣାଣିର ଆଜି ରାୟ ପ୍ରକାଶ ପାଇବ । ଜଷ୍ଟିସ୍ ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ଆଜି ରାୟ ପ୍ରକାଶ କରିବେ । ପୂର୍ବରୁ ରାଜ୍ୟ ସରକାର, ଶିକ୍ଷକ, ଆବେଦନକାରୀ ସବୁ ପକ୍ଷର ଯୁକ୍ତି ଶୁଣିଥିଲେ ସୁପ୍ରିମକୋର୍ଟ । ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ବିଶ୍ବାସୀମାନଙ୍କ ପାଇଁ ହିଜାବ ଜରୁରୀ ।

ଯେଉଁମାନଙ୍କର ଇସଲାମରେ ବିଶ୍ବାସ ନାହିଁ ସେମାନଙ୍କ ପାଇଁ ଜରୁରୀ ନୁହେଁ । କର୍ଣ୍ଣାଟକ ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ୨୦୨୧ ପର୍ଯ୍ୟନ୍ତ କୌଣସି ଛାତ୍ରୀ ହିଜାବ ପିନ୍ଧି ସ୍କୁଲ ଆସୁ ନ ଥିଲେ । ବିଦ୍ୟାଳୟଗୁଡ଼ିକର ୟୁନିଫର୍ମ ପିନ୍ଧିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା ।

ଏହାପରେ ପିଏଫ୍ଆଇ ତରଫରୁ ସୋସିଆଲ ମିଡ଼ିଆରେ ଗୋଟାଏ ଆନ୍ଦୋଳନ ଚାଲିଲା, ଯାହା ଉତ୍ତେଜନା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଏହି ସଂଗଠନ ଛାତ୍ରୀଙ୍କୁ ହିଜାବ ପିନ୍ଧିବା ପାଇଁ ପ୍ରବର୍ତ୍ତେଇଥିଲା । ତେଣୁ ହିଜାବ ପିନ୍ଧିବା ଏକ ସ୍ବତଃସ୍ଫୂର୍ତ୍ତ କାର୍ଯ୍ୟ ନ ଥିଲା । ଏହା ପଛରେ ବିରାଟ ଷଡ଼୍‌ଯନ୍ତ୍ର ଥିଲା ।