ଆଜି ପ୍ରକାଶ ପାଇବ ଏଆଇସିସି ଫଳ, ସକାଳ ୧୦ଟାରୁ ଗଣତି

ନୂଆଦିଲ୍ଲୀ:  କିଏ ହେବ ଆଗାମୀ ଏଆଇସିସି ସଭାପତି ? ଆଜି ପ୍ରକାଶ ପାଇବ ଫଳ । ମଲ୍ଲିକାର୍ଜ୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ଟକ୍କର । ନୂଆ ସଭାପତି ବାଛିଛନ୍ତି ଦେଶର ୯ ହଜାରରୁ ଅଧିକ ପିସିସି ସଦସ୍ୟ । ମତଦାନ ହାର ରହିଛି ୯୬ ପ୍ରତିଶତ । ଦେଶର ୬୫ କେନ୍ଦ୍ରରେ ମତଦାନ ହୋଇଛି । ଅଧିକାଂଶ ସଦସ୍ୟ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ସମର୍ଥନ କରିଥିବା ଜଣାପଡିଛି । ସକାଳ ୧୦ଟାକୁ ଭୋଟ ଗଣତି ଆରମ୍ଭ ହେବ  ।

ତେବେ ଯିଏ ବି ସଭାପତି ହୁଅନ୍ତୁ ତାହା କଂଗ୍ରେସର ବିଜୟ ହେବ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି । ଦିଲ୍ଲୀରେ କଂଗ୍ରେସ ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭୋଟ ଦେଇଥିଲ । ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ, ଜୟରାମ ରମେଶ ପ୍ରମୁଖ ଦିଲ୍ଲୀରେ ମତଦାନ କରିଥିଲେ । ସେହିପରି ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ କର୍ଣ୍ଣାଟକର ବେଲାରୀରେ ଭୋଟ ଦେଇଥିଲେ ।

ଦଳର ବରିଷ୍ଠ ନେତା ଦିଗବିଜୟ ସିଂ, ମନୀଷ ତିଓ୍ବାରୀ, ଅଶୋକ ଗେହଲଟ, ଏ.କେ. ଆଣ୍ଟୋନୀ, ଅଜୟ ମାକେନ, ଅମ୍ବିକା ସୋନି, ଭୂପିନ୍ଦର ସିଂ ହୁଡା , ପୃଥ୍ବୀରାଜ ଚୌହ୍ବାନ ପ୍ରମୁଖ ମଲ୍ଲିକାର୍ଜ୍ଜୁନ ଖାଡଗେଙ୍କୁ ସମର୍ଥନ କରିଥିଲେ । ଗତକାଲି ସମସ୍ତ ବାଲାଟ ବକ୍ସ ଦିଲ୍ଲୀକୁ ନିଆଯାଇଥିଲା । ଆଜି ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ ।