ତାମିଲନାଡୁରେ ଦକ୍ଷତା ଦେଖାଇବେ କଳାହାଣ୍ଡିର ୨୨୦ ଯୁବତୀ, ଟାଟା କମ୍ପାନୀରେ ମିଳିଲା ନିଯୁକ୍ତି

ଭୁବନେଶ୍ବର: ଆଦିବାସୀ ଗାଁରୁ ଟାଟା ଇଲୋକ୍ଟ୍ରୋନିକ୍ସ କମ୍ପାନୀ । ଅଭାବୀ ପରିବାରରୁ ଜୁନିୟର ଟେକ୍ନିସିଆନ୍ ଚାକିରି । ଗରିବୀ ସହିତ ଲଢୁଥିବା ଝିଅ ଦେଖାଇବେ ଦକ୍ଷତା । ଆଜି ତାମିଲନାଡୁ ଗସ୍ତ କରିବେ କଳାହାଣ୍ଡିର ୨୨୦ ଜଣ ଯୁବତୀ । ସମସ୍ତେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣରେ ଅଧିନରେ ହୋସୁରରେ ଥିବା ଟାଟା ଇଲୋକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡରେ ନିଯୁକ୍ତି ପାଇଛନ୍ତି । ଆଜି ଭୁବନେଶ୍ବର ବିମାନବନ୍ଦରରୁ ସମସ୍ତେ ସ୍ବତନ୍ତ୍ର ବିମାନରେ ତାମିଲନାଡୁ ଯିବେ ।

ଏଥିପାଇଁ ସକାଳ ୭ଟାରୁ ୬ଟି ବସ ଯୋଗେ ଯୁବତୀମାନେ ଭବାନୀପାଟଣା ଠାରୁ ଭୁବନେଶ୍ବର ଆସୁଛନ୍ତି । ସେହିପରି ଆସନ୍ତାକାଲି ସୁନ୍ଦରଗଡ଼ରୁ ୭୦ଜଣ ତାମିଲନାଡୁ ଯିବେ । ୨୧ ତାରିଖରେ ଫୁଲବାଣୀରୁ ୫ ଜଣ ଯୁବତୀ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ ।

ଉପାନ୍ତ ଜିଲ୍ଲା ଗୁଡ଼ିକରେ ଆଦିବାସୀ ଯୁବତୀଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ମାଧ୍ୟମରେ ତାଲିମ ଦିଆଯାଉଛି । ଗତକାଲି ବାରିପଦାର ୭୮ ଜଣ ଯୁବତୀ ଟାଟା ଇଲୋକ୍ଟ୍ରୋନିକ୍ସ କମ୍ପାନୀରେ ଚାକିରି ପାଇଁ ତାମିଲନାଡୁ ଗସ୍ତ କରିଥିଲେ । ପୂର୍ବରୁ ମଧ୍ୟ ଶହ ଶହ ଆଦିବାସୀ ଯୁବତୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି । ସେମାନେ ନୂଆ ପିଲାଙ୍କୁ ସେମାନଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି ।