spot_img
Home Blog Page 4013

ଆଜି ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ, ସାମିଲ ହେବେ ୫ଶହ ବିଦେଶୀ ଅତିଥି

ନନ୍ଦିଘୋଷ ବ୍ୟୁରୋ: ଆଜି ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ । ଲଣ୍ଡନର ଓ୍ବେଷ୍ଟମିନିଷ୍ଟରରେ ଭାରତୀୟ ସମୟ ଅପରାହ୍ନ ସାଢେ ୩ଟାରେ ହେବ ଅନ୍ତିମ ସଂସ୍କାର। ଏଥିରେ ବିଶ୍ବର ବହୁ ନେତା, ରୟାଲ ଫ୍ୟାମିଲି ସାମିଲ ହେବେ । ମହାରାଣୀ ମହାଯାତ୍ରାରେ ରାଜ ପରିବାର ସଦସ୍ୟ ଏକ ସ୍ବତନ୍ତ୍ର କଳା ରଙ୍ଗର ପୋଷାକ ପିନ୍ଧିବେ । ସକାଳୁ ଶେଷଦର୍ଶନ ପରେ ରାଣୀଙ୍କ ପାର୍ଥିବ ଶରୀରକୁ ଘୋଡାଗାଡ଼ିରେ ଓ୍ବିଣ୍ଡସରରେ ଥିବା ପ୍ରିନ୍ସ ଫିଲିପଙ୍କ କବର ନିକଟକୁ ନିଆଯିବ ।

ସେଠାରେ ଚିରନିଦ୍ରାରେ ଶୋଇଯିବେ ମହାରାଣୀ । ଶେଷକୃତ୍ୟରେ ସାମିଲ ହେବାକୁ ପ୍ରାୟ ୫ଶହ ବିଦେଶୀ ଅତିଥି ନିମନ୍ତ୍ରିତ ହୋଇଛନ୍ତି । ଭାରତ ସମେତ ଆମେରିକା, ବେଲଜିୟମ, ସ୍ପେନ୍, ଜର୍ମାନୀ, ଆୟର୍ଲାଣ୍ଡ, ଇଟାଲୀ ଆଦିର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ସାମିଲ ହେବେ । ତେବେ ସିରିଆ, ଭେନେଜୁଏଲା, ମିଆଁମାର, ଆଫଗାନିସ୍ତାନ, ଋଷ ଓ ବେଲାରୁଷକୁ ନିମନ୍ତ୍ରଣ କରାଯାଇନି ।

ରାଜ ପରିବାର ସଦସ୍ୟଙ୍କ ସମେତ ୨ହଜାରରୁ ଅଧିକ ଲୋକଙ୍କ ଗହଣରେ ହେବ ରାଣୀଙ୍କ ଶେଷକୃତ୍ୟ । ଶେଷକୃତ୍ୟ ପାଇଁ ସାରା ବ୍ରିଟେନରେ ୨ମିନିଟ ନିରବ ପ୍ରାର୍ଥନା କରାଯିବ । ଅନ୍ତିମ ସଂସ୍କାର ଲାଗି ବ୍ରିଟେନ ସରକାର ବ୍ୟାଙ୍କ ଛୁଟି ଘୋଷଣା କରିଛନ୍ତି । ସେହିପରି ସିନେମା ହଲ୍, ସ୍କୁଲ, ସୁପରମାର୍କେଟ ମଧ୍ୟ ବନ୍ଦ ଘୋଷଣା କରାଯାଇଛି । ବିଭିନ୍ନ ସହରରେ ୧୨୫ଟି ସ୍କ୍ରିନରେ ଅନ୍ତିମଯାତ୍ରାର ସ୍କ୍ରିନିଂ କରାଯିବ ।

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଘନୀଭୁତ ହେଉଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ନେବ ଲଘୁଚାପ ରୂପ । ପ୍ରଭାବରେ ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠୁ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ । ଏଥିପାଇଁ ୧୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ୨୨ ତାରିଖ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

କାଲି ପାଇଁ ୬ଜିଲ୍ଲାକୁ ଅରେଞ୍ଜ, ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କଳାହାଣ୍ଡି, କନ୍ଧମାଳ, ଗଜପତି ଏବଂ ପୁରୀରେ ୭୦ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷାରେ ଧସିବ ପାହାଡ, ଧୋଇଯିବ କଚ୍ଚା ରାସ୍ତା, ଭାଙ୍ଗିବ କଚ୍ଚା ଘର । ବର୍ଷା ସମୟରେ ଦୃଶ୍ୟମାନ କ୍ଷମତା କମିବ । ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୬୦କିଲୋମିଟର ରହିବ ।

ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ସୃଷ୍ଟିହେବ । ଏଥିପାଇଁ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଆସନ୍ତା ସପ୍ତାହରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାର ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ।

କଟକ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5ଟି ସଚିବ ଭିକେ ପାଣ୍ଡିଆନ

କଟକ: କଟକରେ 5T ସଚିବ ଭି.କେ ପାଣ୍ଡିଆନ୍ । ଆଜି ସକାଳୁ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ । ତାଳଦଣ୍ଡା କେନାଲ ଓ ଏସସିବି ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ପ୍ରଥମେ ଏସସିବି ବଡ଼ ମେଡିକାଲ ବୁଲି ବିକାଶମୂଳକ କାର୍ଯ୍ୟର ତଦାରଖ କରିଥିଲେ । କାମର ମାନ ଯେପରି ଠିକ ହେବ, ସେନେଇ ପ୍ରତି ପର୍ଯ୍ୟାୟରେ କାମର ଯାଞ୍ଚ କରାଯିବ ବୋଲି କହିଛନ୍ତି 5T ସଚିବ ।

ଏହାପରେ ତାଳଦଣ୍ଡା କେନାଲର ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ 5T ସଚିବ । ଶେଷରେ ଛତ୍ରବଜାରରେ ପରିବା ବ୍ୟବସାୟୀଙ୍କ ପାଇଁ ନିର୍ମାଣ ହେଉଥିବା ପିଣ୍ଡି ବୁଲି ଦେଖିଥିଲେ । ଏଣିକି ରାସ୍ତା ଉପରେ ଯେପରି କୌଣସି ବ୍ୟବସାୟୀ ପରିବା ବିକ୍ରି କରିପାରିବେ ନାହିଁ, ସେଥିପାଇଁ କଟକ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ସଚିବ ଓ ଜିଲ୍ଲାପାଳଙ୍କ ସହ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ସବିଶେଷ ଆଲୋଚନା କରିଛନ୍ତି 5T ସଚିବ ।

ଜବତ ନୁହେଁ ଗଞ୍ଜେଇ ଚାଲାଣ କରୁଥିଲେ ଅବକାରୀ ଅଧିକାରୀ

କୋରାପୁଟ: ପଟାଙ୍ଗି ଅବକାରୀ ଅଧିକାରୀଙ୍କୁ ବାନ୍ଧିଲା ପୋଲିସ । ଗଞ୍ଜେଇ ଜବତ ବଦଳରେ କରୁଥିଲେ ରାଜ୍ୟ ବାହାରକୁ ଚୋରା ଚାଲଣ । ଦୁଇ ଜଣ କନେଷ୍ଟବଳ ଏବଂ ଜଣେ ଏଏସଆଇଙ୍କୁ ମିଶାଇ ୭ ଜଣଙ୍କୁ ଗିରଫ କରିଛି ପଟାଙ୍ଗି ପୋଲିସ । ସେମାନଙ୍କ ଠାରୁ ୮ ଶହ ୩ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ହେବ ।

ଏଏସଆଇ ଜଣକ ହେଉଛନ୍ତି ଅରୁପଲୋକ ଦାସ ଓ ଦୁଇ ଏକ୍ସସାଇଜ୍ କନେଷ୍ଟବଳ ହେଲେ ଗୋଲକ ବିହାରୀ ବାଘ, ରାବାଡା ଭେଙ୍କେଟେସ କୁମାର । ସେମାନଙ୍କ ଠାରୁ ଗୋଟାଏ ଟ୍ରକ ଓ ଗୋଟିଏ ବୋଲେରୋ ସହ ୮ ଟି ମୋବାଇଲ ଜବତ ହୋଇଛି । ଅବକାରୀ କର୍ମଚାରୀଙ୍କ ବିଭାଗୀୟ ପରିଚୟ ପତ୍ର ସହ ୪ଟି ATM କାର୍ଡ ଏବଂ ୧୩ ହଜାର ୩୩୫ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି । କୋରାପୁଟରୁ ଗଞ୍ଜେଇ ଆନ୍ଧ୍ର ଚାଲାଣ କରୁଥିବା ବେଳେ ଜୋଡିମାଦିଲି ଠାରେ ଧରିଛି ପଟାଙ୍ଗି ପୋଲିସ ।

ଭିସୁଟର ପାଇଁ 2 ହଜାର କୋଟି ଅନୁଦାନ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ବା ଭିସୁଟର ରୂପାନ୍ତରଣ ପାଇଁ 2 ହଜାର କୋଟି ଟଙ୍କା ଅନୁଦାନ ଏବଂ 100 ଏକର ଜମି ଘୋଷଣାକୁ ସ୍ୱାଗତ କରିଛି ଭିସୁଟ ଆଲୁମିନି ଆସୋସିଏସନ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କର୍ମକର୍ତ୍ତା । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସାମ୍ବାଦିକ ସମିଳନୀରେ VSSUTର କୁଳପତି ପ୍ରଫେସର ବି. ମାଝୀ, ପୂର୍ବତନ କୁଳପତି ପ୍ରଫେସର ଦେବ କୁମାର ତ୍ରିପାଠୀ, ପୁରାତନ ଛାତ୍ରୀ ରେଣୁବାଳା ମହାନ୍ତି, ବ୍ରହ୍ମାନନ୍ଦ ମିଶ୍ର, ଆଶେଷ ପାଢ଼ୀ ପ୍ରମୁଖ ଆଲୁମିନି ଉପସ୍ଥିତ ଥିଲେ । 1956 ମସିହାରେ ଏକାଡେମିକ୍ ବିଲ୍ଡିଂ ଏବଂ ଚାରିଟି ହଷ୍ଟେଲ ସହିତ ହୀରାକୁଦ୍ ଡ୍ୟାମ୍ ପ୍ରୋଜେକ୍ଟ ଜମି ଉପରେ ପ୍ରତିଷ୍ଠା ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦେକ୍ଷ ପାଇଁ ଭିସୁଟ୍ ନୂତନ ରୂପ ନେବା ସହ ବିଶ୍ଵସ୍ତରୀୟ ହୋଇପାରିବ ବୋଲି ଆଲୁମିନି ଆସୋସିଏସନ ପକ୍ଷରୁ କୁହାଯାଇଛି ।.

ଲଜରୁ ଲକ୍ଷାଧିକ ଟଙ୍କା ଜବତ ଓ ହେରଫେର: SDPOଙ୍କୁ ବଦଳି

ବଲାଙ୍ଗୀର: କଣ୍ଟାବାଞ୍ଜି ଲଜରୁ ଲକ୍ଷାଧିକ ଟଙ୍କା ଜବତ ଓ ହେରଫେର ଘଟଣା  । ତଦନ୍ତ ପରେ କଣ୍ଟାବାଞ୍ଜି SDPO ହୃଷୀକେଶ ମେହେରଙ୍କ ଉପରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ  । କଣ୍ଟାବାଞ୍ଜି SDPOରୁ ହଟିଲେ ହୃଷୀକେଶ  । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ  ।

ସେପଟେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆହୁରୀ ବାକି ରହିଛି  ।  ଘଟଣାରେ ଯାହାର ବି ସମ୍ପୃକ୍ତି ବାହାରିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି  ।

ନୂଆ ଜର୍ସି ପିନ୍ଧି T20 ବିଶ୍ୱକପ୍ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ନୂଆ ଲୁକରେ ଟିମ୍ ଇଣ୍ଡିଆ ।  ଟି୨୦ ବିଶ୍ବକପ ପାଇଁ  ଟିମ ଇଣ୍ଡିଆ ନୂତନ ଜର୍ସି ରିଲିଜ୍ ହୋଇଛି  । କ୍ରିକେଟର ମାନେ ଏହି ନୂତନ ଜର୍ସିକୁ ପରିଧାନ କରିବା ସହ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରିଛନ୍ତି  । ଭାରତୀୟ କ୍ରିକେଟ ଟିମ୍ ମଧ୍ୟ ନିଜ ପେଜରେ ଏହି ଫୋଟକୁ ପୋଷ୍ଟ କରିଛନ୍ତି  । ନୂତନ ଜର୍ସି ନୀଳ ରଙ୍ଗର ରହିଥିବାବେଳେ ନୂତନ ଡିଜାଇନ୍ ମଧ୍ୟ କରାଯାଇଛି ।

ଆସନ୍ତା ଅକ୍ଟୋବର ୧୬ ରୁ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବକୁ ଥିବା ଟି-୨୦ ବିଶ୍ବକପ ପାଇଁ ଫ୍ୟାନ୍ସମାନଙ୍କଠାରେ ଦେଖିବାକୁ ମିଳିଛି ଉତ୍ସାହ ଅଷ୍ଟ୍ରେଲିଆରେ । ବିସିସିଆଇ ୧୫ ଜଣିଆ ଟି-୨୦ ସ୍କ୍ବାଡ ଘୋଷଣା କରିସାରିଛି । ସବୁଥର ପରି ଏଥର ମଧ୍ୟ ମ୍ୟାନ ଇନ ବ୍ଲୁ ଟି-୨୦ ବିଶ୍ବକପରେ ପିନ୍ଧିରେ ନୂଆ ଜର୍ସି । ଟି-୨୦ ବିଶ୍ବକପର ଜର୍ସି ପାଇଁ ଭାରତର କିଟ ପାର୍ଟନର MPL ସ୍ପୋର୍ଟସ ନୂଆ ଜର୍ସି ଲଞ୍ଚ କରିବା ନେଇ ପୂର୍ବରୁ ଘୋଷଣା କରିଥିଲା । ଟିମ ଇଣ୍ଡିଆର ନୂଆ ଜର୍ସି ଆଜି ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି ।

ନୂଆ ଜର୍ସି ସ୍କାଏ ବ୍ଲୁ ମିଶ୍ରିତ ରଙ୍ଗରେ ଡିଜାଇନ କରାଯାଇଛି । ଜର୍ସିର ବାମ ପଟେ ବିସିସିଆଇ ଲୋଗୋ ରହିଥିବାବେଳେ ଡାହାଣ ପଟେ MPL ସ୍ପୋର୍ଟସର ଲୋଗୋ ରହିଛି । ନୂଆ ଜର୍ସି ଲଞ୍ଚ ପୂର୍ବରୁ ଏକ ଭିଡିଓ ମାଧ୍ୟମରେ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବ୍ୟାଟର ଶ୍ରେୟାସ ଆୟାର ପ୍ରଶଂସକଙ୍କୁ ଟିମ ଇଣ୍ଡିଆର ନୂଆ ଜର୍ସିରେ ଭାଗ ନେବାକୁ କହିଥିଲେ । ତେବେ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ ନେଇ ସୋସିଆଲ ମିଡିଆରେ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି ।

ଭୁବନେଶ୍ୱର ପରେ ଖୋର୍ଦ୍ଧାରେ ଅପରାଜିତାଙ୍କ ପାଇଁ କନ୍ଦଳ..

 ଭୁବନେଶ୍ୱର:  ଭୁବନେଶ୍ୱର ଜିଲ୍ଲା ବିଜେପି ପରି ଖୋର୍ଦ୍ଧା ଜିଲ୍ଲା ବିଜେପିରେ ବି ତୀବ୍ର କନ୍ଦଳ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଏକଛତ୍ରବାଦ, ଦଳ ବିରୋଧୀ କାର୍ଯ୍ୟକଳାପ, ମନୋମୁଖୀ କାମ, ସମାନ୍ତରାଳ ସଙ୍ଗଠନ, କର୍ମକର୍ତ୍ତାଙ୍କୁ ଦୁର୍ବବ୍ୟହାର ନେଇ ପ୍ରଶ୍ନ କଲେ ଦଳରୁ ବିଦା କରିବାକୁ ଧମକ ଦେବା ଭଳି ଅଭିଯୋଗ ଆସିଛି । ରାଜ୍ୟର ନବନିଯୁକ୍ତ ପ୍ରଭାରୀ ସୁନୀଲ ବଂଶଲଙ୍କୁ ୫ ପୃଷ୍ଠାର ଲମ୍ବା ଅଭିଯୋଗ ଫର୍ଦ୍ଦ ଦେଇଛନ୍ତି ବେଗୁନିଆ-ବୋଲଗଡ଼ ନିର୍ବାଚନମଣ୍ଡଳୀର କର୍ମକର୍ତ୍ତା । ଅଭିଯୋଗ ପତ୍ରର ନକଲ ରାଷ୍ଟ୍ରୀୟ ସଭାପତି ଜେ. ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି ।

ଯୁବମୋର୍ଚ୍ଚାକୁ ଭାଙ୍ଗିବା ପାଇଁ ’ୟୁଥ ଫର୍ ଆକ୍ସନ’, ମହିଳା ମୋର୍ଚ୍ଚାକୁ ଦୁର୍ବଳ କରିବା ପାଇଁ ’ଅଜିତା’ ଏବଂ କୃଷକ ମୋର୍ଚ୍ଚା ସଙ୍ଗନକୁ ନଷ୍ଟ କରିବାକୁ ’ସମର୍ଥ’ ଭଳି ନିଜସ୍ବ ସଙ୍ଗଠନ କରି ବିଜେପି ସଙ୍ଗଠନକୁ ସାଂସଦ ଅପରାଜିତା ଦୁର୍ବଳ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ସାଂସଦଙ୍କ ବାର୍ଷିକ ରିପୋର୍ଟରେ ବି ଅନେକ ମିଛ ତଥ୍ୟ ଦିଆଯାଇଛି । ଏହାର ବିଧିବଦ୍ଧ ତଦନ୍ତ କରିବାକୁ ବେଗୁନିଆ ବିଜେପିର ନେତୃବୃନ୍ଦମାନେ ଦାବି କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କୁ ହାତବାରିସୀ କରି କର୍ମୀଙ୍କୁ ସାଂସଦ ଖରାପ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ଏହା ସହ ଖୋର୍ଦ୍ଧା ଜିଲ୍ଲାରେ ସଙ୍ଗଠନ ବୈଠକ ବେଳେ ସାଂସଦ ଓ ଜିଲ୍ଲା ସଭାପତି ଅନୁପସ୍ଥିତ ରହୁଥିବା ବେଳେ ନିଜ କ୍ଷମତା ଜାହିର କରିବାକୁ କାହାକୁ କେତେବେଳେ ଦଳୀୟ ପଦବୀରୁ ବାହାର କରୁଛନ୍ତି ତ ପୁଣି କେତେବେଳେ ଦଳ ସହ ସମ୍ପର୍କ ନଥିବା ଲୋକଙ୍କୁ ଜିଲ୍ଲା କମିଟିରେ ସ୍ଥାନ ଦେଉଛନ୍ତି । ସାଂସଦଙ୍କ ଏପରି ମନମାନୀ ବିରୋଧରେ ଦଳୀୟ କର୍ମକର୍ତ୍ତାମାନେ ଏକଜୁଟ ହୋଇଛନ୍ତି ।

ସହାୟ ହେଲା ଓଡ଼ିଶା ମୋ ପରିବାର, ଜନ୍ମମାଟିକୁ ଫେରିଲା ପତିପତ୍ନୀଙ୍କ ମୃତଦେହ

କଟକ: ସହାୟ ହେଲା ଓଡ଼ିଶା ମୋ ପରିବାର । ଜନ୍ମମାଟିକୁ ଫେରିଲା ପତିପତ୍ନୀଙ୍କ ମୃତଦେହ । ଗତ ୧୨ତାରିଖରେ ରୋଷେଇ ଘରୁ ନିଆଁ ଲାଗି ଗୁରୁତର ହୋଇଥିଲେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ବଡତଣ୍ଡା ଗାଁର ସ୍ବାମୀ ରାଜକୁମାର ଜାନି ଓ ସ୍ତ୍ରୀ ପଦ୍ମାବତୀ । ଗ୍ରାମବାସୀଙ୍କ ସହଯୋଗରେ ଉଭୟଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପତିପତ୍ନୀଙ୍କର ମୃତ୍ୟୁ ହୋଇଥିଲା ।

ଅଭାବୀ ପରିବାରର ଥିଲେ ପତି-ପତ୍ନୀ  । ସେପଟେ ଟଙ୍କା ନଥିବାରୁ ମୃତଦେହକୁ ଘରକୁ ନେବାକୁ ଅସହାୟ ପ୍ରକାଶ କରିଥିଲେ ପରିବାର ଲୋକ । ଏନେଇ ସୂଚନା ପାଇବା ପରେ ମୃତଦେହ ନେବାକୁ ବନ୍ଦୋବସ୍ଥ କରିଥିଲା ଓଡ଼ିଶା ମୋ ପରିବାର । ଆମ୍ବୁଲାନ୍ସରେ କଟକ ବଡ଼ ଡାକ୍ତରଖାନାରୁ ବୁଗୁଡ଼ାକୁ ମୃତଦେହକୁ ନିଆଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୃତକଙ୍କ ପରିବାର ଲୋକ ।

ବିଲକୁ ପାଣି ମଡାଉଥିଲେ, ଧସିଲା ମାଟି ଚାଲିଗଲା ୨ ଜୀବନ

ଟିଟିଲାଗଡ: ବିଲକୁ ପାଣି ନେବାବେଳେ ଧସିଲା ମାଟି  । ଗାତ ଖୋଳି  ଦୁଇ ଜଣଙ୍କ ମୃତ୍ୟୁ । ପୋଖରୀରୁ ବିଲକୁ ପାଣି ନେବାକୁ ନାଳ କରୁଥିବା ବେଳେ ଘଟିଛି ଏହି ଅଘଟଣ । ଟିଟିଲାଗଡ ବ୍ଲକ ଅଦାବାହାଲ ପଞ୍ଚାୟତ ଡୁଙ୍ଗୁରିଗୁଡା ଗାଁର ଏହି ଘଟଣା । ଗାଁର ଗଣେଶ ବାଗ ଓ ପରଦେଶୀ ଭୋଇ ପୋଖରୀ ହିଡକୁ କାଟି ଜମିକୁ ପାଣି ନେବାକୁ ଉଦ୍ୟମ କରୁଥିବା ସମୟରେ ମାଟି ଅତଡ଼ା  ଧସିଥିଲା  ।

ସେହି ସମୟରେ ଗାତ ଭିତରେ ରହି ମାଟି ଖୋଲୁଥିବାରୁ ଉପରୁ ମାଟି ଅତଡ଼ା ଧସିଥିଲା  । ଫଳରେ ଉଭୟ ଚାପି ହୋଇ ରହି ଯାଇଥିଲେ । ଘଟଣାସ୍ଥଳରେ ଦୁଇ ଜଣଙ୍କର  ମୃତ୍ୟୁ ହୋଇଥିବା ଜଣାପଡିଛି । ମାଟି ଭିତରୁ ଜଣକର ମୃତଦେହ  ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ମାଟିରେ ଭିତରେ ଫସି ରହିଥିବା ଜଣାପଡ଼ିଛି  ।